url
stringlengths
29
226
text
stringlengths
7
18.1k
https://www.dharitri.com/deepika-padukone-shares-a-post-featuring-ranveer-singh/
ରଣବୀରଙ୍କ ଫଟୋ ଶେୟାର କରି ମନର କଥା କହିଲେ ଦୀପିକା ଆଜିକାଲି ବଲିଉଡ ଅଭିନେତା ରଣବୀର ସିଂ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନ୍ୟୁଡ୍ ଫଟୋଶୁଟ୍ କରି ବିବାଦ ଘେରକୁ ଆସୁଛନ୍ତି। ଅନେକ ଲୋକ ତାଙ୍କ ସମର୍ଥନରେ ଆସିଥିବାବେଳେ କେହି କେହି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଜଣେ ଆଇନଜୀବୀ ନ୍ୟୁଡ୍ ଫଟୋକୁ ନେଇ ରଣବୀରଙ୍କ ନାଁରେ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି। ଏତେ ସବୁ ବିବାଦ ପରେ ରଣବୀରଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ସ୍ବାମୀଙ୍କ ଫଟୋ ଶେୟାର କରିଛନ୍ତି। ଦୀପିକାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ରଣବୀର ଏକ ଧଳା ଟି-ଶର୍ଟ ସହିତ ଅଫ ହ୍ବାଇଟ ବ୍ଲେଜର ପିନ୍ଧିଥିବାର ନଜର ଆସିଛନ୍ତି। ଫର୍ମାଲ୍ ଲୁକରେ ସେ ବହୁତ ହ୍ୟାଣ୍ଡ୍ସମ୍ ଦେଖାଯାଉଛନ୍ତି। ସମସ୍ତେ ରଣଭୀରଙ୍କ ଲୁକକୁ ପ୍ରଶଂସା କରୁଛନ୍ତି। ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି – ହ୍ୟାଲୋ ହ୍ୟାଣ୍ଡ୍ସମ୍। ରଣବୀର ଇଣ୍ଟରନ୍ୟାସନାଲ ମାଗାଜିନ ‘ପେପର୍’ର କଭର ପେଜ ପାଇଁ ଏକ ନ୍ୟୁଡ୍ ଫଟୋଶୁଟ କରାଇଥିଲେ। ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ରଣବୀରଙ୍କ ବିରୋଧରେ ଚେମ୍ବୁର ପୋଲିସ ଷ୍ଟେଶନରେ ଆଇପିସି ଆକ୍ଟ ୨୯୨, ୨୯୩ ଓ ୫୦୯ରେ ଏଫଆଇଆର୍ ରୁଜୁ କରାଯାଇଥିଲା। ୱାର୍କ ଫ୍ରଣ୍ଟରେ ଦୀପିକା ପାଦୁକୋନ ଖୁବ ଶୀଘ୍ର ଶାହରୁଖ ଖାନ ଏବଂ ଜନ ଆବ୍ରହାମଙ୍କ ସହ ଫିଲ୍ମ ପଠାନରେ ନଜର ଆସିବେ। ଏହି ଫିଲ୍ମ ଜାନୁଆରୀ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ସେ ହ୍ରିତିକ ରୋଶନଙ୍କ ସହ ଫାଇଟରରେ ନଜର ଆସିବେ।
https://www.dharitri.com/india-enter-mens-junior-asia-cup-hockey-semifinal/
ଓମାନକୁ ୧୭-୦ରେ ହରାଇ ସେମିଫାଇନାଲ୍‌ରେ ଭାରତ ସାଲାଲା(ଓମାନ),୨୯।୫: ଜୁନିୟର ଏସିଆ କପ ପୁରୁଷ ହକିରେ ରବିବାର ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ୪ ମ୍ୟାଚ ଖେଳି ୩ ବିଜୟ ଓ ଗୋଟିଏ ଡ୍ର’ ସହିତ ୧୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ପାକିସ୍ତାନ ୩ ମ୍ୟାଚ୍ରୁ ୭ ପଏଣ୍ଟ ସହ ଦ୍ବିତୀୟରେ ଅଛି। ଓଡ଼ିଆ ତାରକା ଅମନଦୀପ ଲାକ୍ରା ୩ଟି ଗୋଲ ଦେଇଥିଲେ। ଗୋଲ ଅଭିଯାନ ଆରମ୍ଭ କରିଥିବା ଅଙ୍ଗଦ ବୀର ସିଂହ ୪ଟି, ଉତ୍ତମ ସିଂହ ଦୁଇଟି ଗୋଲ ଦେଇଥିବାବେଳେ ଯୋଗେମ୍ବର ରାୱତ ଗୋଟିଏ ଗୋଲ ଦେଇଥିଲେ।
https://www.dharitri.com/why-did-they-change-candidates-in-14-seats-instead-of-one-or-two/
ଗୋଟିଏ କି ଦୁଇଟି ନୁହେଁ ୧୪ ଆସନରେ କାହିଁକି ପ୍ରାର୍ଥୀ ବଦଳାଇଲେ ମାୟାବତି ଲକ୍ଷ୍ନୌ,୭।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ବହୁଜନ ସମାଜ ପାର୍ଟି (ବିଏସପି) ର ପ୍ରାର୍ଥୀଙ୍କୁ ଗୋଟିଏ କିମ୍ବା ଦୁଇଟିରେ ନୁହେଁ ବରଂ ରାଜ୍ୟର ମୋଟ ୧୪ ଟି ଆସନରେ ପରିବର୍ତ୍ତନ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ଦଳ ଦ୍ୱାରା ପରିବର୍ତ୍ତିତ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଜୈନପୁର ଏବଂ ବସ୍ତିର ପ୍ରାର୍ଥୀ ଅଛନ୍ତି। ଇଂରାଜୀ ଖବରକାଗଜ ‘ଇକୋନୋମିକ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ଜୈନପୁର ଏବଂ ବସ୍ତିରେ ପରିବର୍ତ୍ତିତ ବିଏସପି ପ୍ରାର୍ଥୀଙ୍କ ସମ୍ପର୍କରେ ଦଳର ଜୋନାଲ ସଂଯୋଜକ ଘନଶ୍ୟାମ ଖାରୱର କହିଛନ୍ତି – ଜୈନପୁରରେ ଦଳ ପ୍ରାର୍ଥୀ (ଶ୍ରୀକଳା ସିଂ)ଙ୍କୁ ପରିବର୍ତ୍ତନ କରିନାହିଁ। ସେଠାରେ ତାଙ୍କ ସ୍ବାମୀ ଧନଞ୍ଜୟ ସିଂ କହିଛନ୍ତି ଯେ ତାଙ୍କ ପତ୍ନୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଧନଞ୍ଜୟ ସିଂଙ୍କ ତରଫରୁ କୁହାଯାଇଥିଲା – ବିଏସପି ନେଇଥିବା ଶେଷ ମୁହୂର୍ତ୍ତରେ ମୋ ପତ୍ନୀ ଆହତ ହୋଇଛନ୍ତି। ନାମାଙ୍କନ ପତ୍ରର ଶେଷ ଦିନରେ ଆମେ ନାମାଙ୍କନ ମଧ୍ୟ ଦେଇ ପାରିଲୁ ନାହିଁ, କିନ୍ତୁ ମୁଁ ମୋର ସମର୍ଥକଙ୍କ ସହିତ ଅଛି ଏବଂ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଅଧିକ ନିଷ୍ପତ୍ତି ନେବି। ଆମର ସମର୍ଥନ ବିନା ଜୈନପୁରର ଏମପି ହୋଇପାରିବେ ନାହିଁ। ଏହି ଆସନରେ ବିଏସପି କିପରି ପ୍ରାର୍ଥୀ ବଦଳାଇଲା ସେହି ଆଧାରରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଳେଷକ ଠାରୁ ଆରମ୍ଭ କରି ନିର୍ବାଚନ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ମାୟାବତୀ ଏବଂ ବିଏସପି ଦ୍ୱନ୍ଦ୍ୱରେ ଥିବା ଆଶଙ୍କା ପ୍ରକାଶ ପାଇଛି। ତେବେ ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ଦଳ ପକ୍ଷରୁ କୌଣସି ସରକାରୀ ମନ୍ତବ୍ୟ ଆସିନାହିଁ।
https://www.dharitri.com/police-sub-inspector-arrested-for-misbehaving-a-lady/
ଅଧାରାତିରେ ମହିଳାଙ୍କ କବାଟ ବାଡ଼େଇ ଘରେ ପଶିଥିଲେ ରଙ୍ଗିଲା ପୋଲିସ ବାବୁ: ରାସଲୀଳା ଉଦ୍ୟମ କରି ଫସିଲେ ଅନୁଗୋଳ ଅଫିସ,୨୭।୮: ରାତି ଅଧରେ ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ପଶିଥିଲେ ପୋଲିସ ବାବୁ। ମହିଳା ଜଣଙ୍କ କିଛି ପଚାରିବା ପୂର୍ବରୁ ରଙ୍ଗିଲା ପୋଲିସ ବାବୁ ଜଣଙ୍କ ଆରମ୍ଭ କରିଦେଇଥିଲେ ଦୁର୍ବ୍ୟବହାର। ମହିଳା ଜଣଙ୍କ ଏଭଳି କରିବାକୁ ମନା କରିବା ସତ୍ତ୍ୱେ ମଧ୍ୟ ପୋଲିସ ବାବୁ ତାହା ଶୁଣି ନ ଥିଲେ। ଏପରିକି ଅସଦାଚରଣର ସବୁ ସୀମା ଅତିକ୍ରମ କରିଯାଇଥିଲେ। ମହିଳା ଜଣଙ୍କ ଏହାର ଏକ ଭିଡିଓ ଫୁଟେଜ୍ କରିଥିଲେ। ଶେଷରେ ତାଳଚେର ଥାନାକୁ ଫୋନ କରିବାରୁ ରଙ୍ଗିଲା ପୋଲିସ ବାବୁ ସେଠାରୁ ଚାଲିଯାଇଥିଲେ। ମାତ୍ର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଅନୁଗୋଳ ଜିଲାରେ। ସୂଚନାଯୋଗ୍ୟ, ତାଳଚେର ଥାନା ଅଧୀନ ସ୍ବତନ୍ତ୍ର ପୋଲିସ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ନୀଳମଣି ମହାନ୍ତି ହାଇୱେ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ରାତିଅଧରେ ତାଳଚେର ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ସେ ଭିତରକୁ ପଶିଥିଲେ। ଏମିତିକି ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ। ପରେ ତାଳଚେର ପୋଲିସ ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛିି।
https://www.dharitri.com/no-one-knows/
କେହି କିଛି ଜାଣୁ ନାହାନ୍ତି, କଥା କହୁଛନ୍ତି ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍ ଅଧିକ ଦ୍ରୁତ ଓ ଘାତକ ହେଉଛି। ୧୦ଦିନରେ ସଂକ୍ରମଣ ଲକ୍ଷେ ପାର୍ କରୁଥିବାବେଳେ ଦୈନିକ ୧୫ରୁ ଊର୍ଦ୍ଧ୍ୱ ଜୀବନ ଯାଉଛି। ଏ ପରିସ୍ଥିତିରେ ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତମନ୍ତବ୍ୟ ବାରମ୍ବାର ବଦଳୁଥିବାରୁ ଏହା ଲୋକଙ୍କୁ ଆଶ୍ୱସ୍ତି ବଦଳରେ ବିଭ୍ରାନ୍ତ କରୁଛି। ସଂକ୍ରମଣ କେବେ କମିବ ତାହାକୁ ନେଇ କେହି କିଛି ସ୍ପଷ୍ଟ ତଥ୍ୟ ଦେଇପାରୁନାହାନ୍ତି। କେବଳ ବର୍ତ୍ତମାନର ସ୍ଥିତିକୁ ଦେଖି ସମସ୍ତେ କଥା କହି ବାହାବା ନେବାରେ ଲାଗିଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଥିଲେ, ମେ’ ୧୫ ବେଳକୁ ଓଡ଼ିଶାରେ କରୋନା ପିକ୍ ବା ଶୀର୍ଷରେ ପହଞ୍ଚତ୍ବ। କିନ୍ତୁ ଏବେସୁଦ୍ଧା ପିକ୍ରେ ପହଞ୍ଚତ୍ଲାଣି କି ନାହିଁ ତାହା କେହି ସ୍ପଷ୍ଟ କରିପାରୁନାହାନ୍ତି। ଦୈନିକ ଟେଷ୍ଟିଂର ପ୍ରାୟ ୨୦ପ୍ରତିଶତ ପଜିଟିଭ୍ ହାର ରହୁଛି। ଗତ କିଛି ଦିନର ରେକର୍ଡକୁ ଦେଖିଲେ ଜଣାପଡ଼ୁଛି ଯେ, ଯେତେ ଅଧିକ ଟେଷ୍ଟିଂ ହେଉଛି, ପଜିଟିଭ୍ ସଂଖ୍ୟା ସେତେ ବଢ଼ୁଛି। ବର୍ତ୍ତମାନ ଦୈନିକ ପ୍ରାୟ ୫୫ରୁ ୫୭ହଜାର ଟେଷ୍ଟିଂ ହେଉଥିବାବେଳେ ୧୦ରୁ ୧୨ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ପୁଣି କୁହାଗଲାଣି ମେ’ ଶେଷ ସପ୍ତାହ କିମ୍ବା ଜୁନ୍ ପ୍ରଥମ ସପ୍ତାହ ବେଳକୁ ସଂକ୍ରମଣ କମିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ପ୍ଲାଟ୍ୟୁ ଷ୍ଟେଜ୍ରେ ସଂକ୍ରମଣ ରହିଛି। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ମେ’ ଶେଷ ଅବା ଜୁନ୍ ପ୍ରଥମରୁ ସଂକ୍ରମଣ ଧୀରେ ଧୀରେ କମିବ। ମେ’ ୩୧ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ତଳକୁ ଯିବ। ଜୁନ୍ ମଧ୍ୟଭାଗ ବେଳକୁ ଦୈନିକ ସଂକ୍ରମଣ ଅପେକ୍ଷାକୃତ କମିଯାଇଥିବ। ତେଣୁ ଆଉ ଗୋଟିଏ ସପ୍ତାହ ଲକ୍ଡାଉନ୍ ହେବା ଉଚିତ ବୋଲି ସେ କହିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏଭଳି ମତକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କରୋନା ସ୍ଥିତି ସୁଧୁରିବ ଓ ଜୀବନଜୀବିକା ପୁଣି ସ୍ବାଭାବିକ ହେବ ବୋଲି ରାଜ୍ୟବାସୀ ଯେଉଁ ଆଶା ରଖିଥିଲେ ତାହା ଏବେ ଚିନ୍ତା ବଢ଼ାଇ ଦେଇଛି।
https://www.dharitri.com/delay-in-extradition-of-the-nirab/
ନୀରବଙ୍କ ପ୍ରତ୍ୟର୍ପଣରେ ବିଳମ୍ବ ନୂଆଦିଲ୍ଲୀ, ୧୦।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ରୁ ବୃହତ୍ ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିଳମ୍ବ ହେଉଛି। ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି। ବ୍ରିଟେନ ହାଇକୋର୍ଟ ନୀରବଙ୍କୁ ମାନସିକ ସ୍ବାସ୍ଥ୍ୟ ଆଧାରରେ ଆବେଦନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଲଣ୍ଡନର ମାଜିଷ୍ଟ୍ରେଟ କୋର୍ଟ ନୀରବଙ୍କ ଭାରତ ପ୍ରତ୍ୟର୍ପଣ ନିଷ୍ପତ୍ତି ବିରୋଧରେ ଅପିଲ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ଏବଂ ମାନବିକ ଅଧିକାର ଭଳି ପ୍ରସଙ୍ଗକୁ ବିଚାରକରି ନୀରବଙ୍କୁ କୋର୍ଟ ଏଭଳି ଆଶ୍ୱସ୍ତି ଦେଇଛନ୍ତି। ଲଣ୍ଡନ ହାଇକୋର୍ଟର ବିଚାରପତି ମାର୍ଟିନ ଚ୍ୟାମ୍ପରଲିନ କୋଭିଡ୍ ନିୟମକୁ ନଜରରେ ରଖି ଭର୍ଚୁଆଲ ଭାବେ ଶୁଣାଣି କରିଛନ୍ତି। ନୀରବଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ନୀରବଙ୍କ ଆତ୍ମହତ୍ୟା ଭଳି କଥା ମଧ୍ୟ ସେ କହିଛନ୍ତି। ନୀରବଙ୍କ ଆତ୍ମହତ୍ୟା ପ୍ରୟାସକୁ ରୋକିବା ପାଇଁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ପର୍ଯ୍ୟାପ୍ତ ସୁବିଧା ନେଇ କୋର୍ଟରେ ଶୁଣାଣି ହେବା ଆବଶ୍ୟକ ବୋଲି ଓକିଲ କହିଛନ୍ତି। ନୀରବ ଭାରତ ଆସିଲେ ଏହି ଜେଲରେ ରହିବେ ବୋଲି ଆଲୋଚନା ହେଉଛି। ଲଣ୍ଡନର ମାଜିଷ୍ଟ୍ରେଟ କୋର୍ଟ ଚଳିତ ବର୍ଷ ଫେବୃୟାରୀରେ ନୀରବଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲେ। ଏପ୍ରିଲରେ ବ୍ରିଟେନ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହାକୁ ନେଇ ବ୍ରିଟେନ ହାଇକୋର୍ଟରେ ଅପିଲ କରିବା ନେଇ ନୀରବଙ୍କ ନିକଟରେ ବିକଳ୍ପ ରହିଥିଲା। ମୋଦିଙ୍କ ଅପିଲ ପରେ ହାଇକୋର୍ଟ ମାଜିଷ୍ଟ୍ରେଟ କୋର୍ଟଙ୍କ ନିଷ୍ପତ୍ତି ଉପରେ ଅପିଲ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବ୍ରିଟେନ ଆଇନ ଅନୁସାରେ କୌଣସି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଲାଗି ପ୍ରଥମେ ସମ୍ବନ୍ଧିତ କୋର୍ଟର ଅନୁମତି ନେବାକୁ ପଡିବ। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଲାଗି ପର୍ଯ୍ୟାପ୍ତ କାରଣ ରହିଛି କି ନାହିଁ ତାହା କୋର୍ଟ ବିଚାର କରିଥାନ୍ତି।
https://www.dharitri.com/patriotism-and-students/
ଦେଶଭକ୍ତି ଓ ବିଦ୍ୟାର୍ଥୀ ନଗେନ୍ଦ୍ର ନାଥ ପଟ୍ଟନାୟକ ଅଥର୍ବ ବେଦରେ ଏକ ସ୍ତୋତ୍ର ବା ସୂକ୍ତ ଅଛି- ‘ମାତା ଭୂମିଋ ପୁତ୍ରୋଅହଂ ପୃଥିବ୍ୟା’ ଅର୍ଥାତ୍ ‘ଏ ଭୂମି ମୋର ମାତା ଏବଂ ମୁଁ ତାଙ୍କ ପୁତ୍ର।’ ଭାରତବର୍ଷର ସନାତନ ଧର୍ମ ସଂସ୍କୃତିରେ ଏଇ ମହତ୍ ଭାବନାର ସ୍ବର ନିରନ୍ତର ଝଙ୍କୃତ ହେବାରେ ଲାଗିଛି। ଏବେକାର ଭାରତବର୍ଷ ତା’ର ଗୌରବାନ୍ବିତ ଇତିହାସ ଓ ସମୃଦ୍ଧ ପରମ୍ପରା ପାଇଁ ବେଶ୍ ଜଣାଶୁଣା। ଇଏ ସେହି ଉତ୍କୃଷ୍ଟ ସାଂସ୍କୃତିକ ପରମ୍ପରାର ଦେଶ, ଯାହାର ମୂଲ୍ୟବୋଧରେ ପ୍ରେମ, ଉଦାରତା, ଦୟା, କରୁଣା, ସହଯୋଗ, କ୍ଷମା ଆଦି ସୁଗୁଣ ସଞ୍ଚରିଯାଇଛି। ପ୍ରଚଣ୍ଡ ବିଦ୍ୱାନ୍, ପ୍ରଜ୍ଞାଦୀପ୍ତ ମହାପୁରୁଷଗଣ ଭାରତକୁ ସମଗ୍ର ବିଶ୍ୱର ମଉଡ଼ମଣି ବୋଲି ଆଖ୍ୟା ଦେଇଛନ୍ତି। ସମଗ୍ର ବିଶ୍ୱକୁ ‘ବସୁଧୈବ କୁଟୁମ୍ବକମ୍’ ବାର୍ତ୍ତା ବାଣ୍ଟିଥିବା ଏହି ମହନୀୟ ସଂସ୍କୃତି ଆଜିକାର ଯୁବବର୍ଗ ମଧ୍ୟରେ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀ ଭଳି ଜାତୀୟ ପର୍ବରେ ସୀମିତ ହୋଇ ରହିଯାଇଛି। ମାତୃଭୂମି ପ୍ରତି ସମର୍ପଣଭାବ, ପ୍ରେମ ସମ୍ପ୍ରିତି, ଦେଶଭକ୍ତିର ସଙ୍ଗୀତ ତଥା ଚଳଚ୍ଚିତ୍ରକୁ ଦେଖି ଜାଗ୍ରତ ଜାଗିଉଠେ କି? ଏଭଳି ପ୍ରଶ୍ନର ଉତ୍ତରରେ ଏତିକି କୁହାଯାଇପାରେ, ଆମେ କେବଳ ଜାତୀୟ ସଙ୍ଗୀତ ଗାନ କରିବା ସଙ୍ଗେ ସଙ୍ଗେ ବନ୍ଦେ ମାତରମ୍ର ସ୍ଲୋଗାନ୍ ଦେଇ ଚାଲିଛେ। ଉପରୋକ୍ତ କଥା ସବୁ ଆମର ରାଷ୍ଟ୍ରପ୍ରେମ ତଥା ଦେଶଭକ୍ତି ପ୍ରଦର୍ଶନରେ ସହାୟକ ହେଉଥିଲେ ମଧ୍ୟ ଦେଶଭକ୍ତି ଶବ୍ଦଟି ଭିତରେ ଏକ ଉଦାତ୍ତ ତଥା ସୁସ୍ଥ ବିଚାରଧାରା ପ୍ରଚ୍ଛନ୍ନ ଭାବେ ନିହିତ। ଦେଶ ପ୍ରତି ସମର୍ପଣ ଭାବ, ଦେଶ କଲ୍ୟାଣ ପାଇଁ ମହତ୍ କାର୍ଯ୍ୟ ହାତକୁ ନେବା, ନ୍ୟସ୍ତସ୍ବାର୍ଥରୁ ଉପରକୁ ଉଠି ଦେଶକୁ ସର୍ବୋଚ୍ଚ ବୋଲି ଆପଣାଇ ନେବା, ତା’ର ସ୍ବାଭିମାନ ଓ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ସଦା ସତର୍କ ରହିବା, ଦେଶର ସର୍ବାଙ୍ଗୀନ ବିକାଶ ଓ ଭବିଷ୍ୟତକୁ ନିରବଚ୍ଛିନ୍ନ ଭାବେ ସମୁଜ୍ଜ୍ୱଳ ରଖିବାରେ ନିଜକୁ ସଂଶ୍ଳିଷ୍ଟ କରିବା ଇତ୍ୟାଦି ଅନେକ କଥାକୁ ଦେଶଭକ୍ତିର ରୂପ ଦିଆଯାଇପାରେ। ମାତ୍ର ଏସବୁ ଊର୍ଦ୍ଧ୍ୱରେ ରାଷ୍ଟ୍ରଭକ୍ତିର ଭାବନା କେବଳ ଆମର ଧମନୀରୁ ହିଁ ନିର୍ଗତ ହୋଇଥାଏ। ଦେଶର ସ୍ବାଧୀନତା ସଂଗ୍ରାମ ସମୟରେ ଏ ପ୍ରକାର ମହତ୍ ଭାବନାକୁ ପ୍ରଥିତଯଶା କବିମାନେ ଉଦ୍ରେକ କରିଥିଲେ। ଆଜି ଆମ ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଏହି ମହତ୍ ଭାବନା ଇ-ଯୁଗରେ ହ୍ବାଟ୍ସ ଆପ୍, ଫେସ୍ବୁକର କବଳିତ ହୋଇ ମରିମରି ଯାଉଥିବା ଦେଖିବାକୁ ମିଳୁଛି। ଆମେ ଆଧୁନିକତାର ଦୃଷ୍ଟିଭଙ୍ଗୀକୁ ଆପଣାଇ ଆଗକୁ ମାଡ଼ିଚାଲିଛେ ଏବଂ ବିକାଶ ପ୍ରକ୍ରିୟାରେ ବିଶ୍ୱର ସମୃଦ୍ଧଶାଳୀ ଦେଶଗୁଡ଼ିକୁ କଡା ଟକ୍କର ଦେବାରେ ଲାଗିଛେ। ତରୁଣ ପ୍ରତିଭାଧରଙ୍କ ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷକୁ ସ୍ବଚକ୍ଷୁରେ ନିରୀକ୍ଷଣ କରୁଛେ। ହେଲେ ଏସବୁ ଭିତରେ ଆମର ଦେଶଭକ୍ତିର ମହତ୍ ଭାବନା ଅବଦମିତ ହେଉଥିବା ଲକ୍ଷ୍ୟ କରାଯାଏ। ଯେଉଁ ମହତ୍ ବିଚାରସମ୍ପନ୍ନ ବ୍ୟକ୍ତିତ୍ୱ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାରେ ଏକଦା ସକ୍ଷମ ଥିଲା, ସେଇ ଭାବାବେଗ ଏବେ ଲୋପ ପାଇବାକୁ ବସିଲାଣି। ତେବେ ଯାହାହେଉ, କିଛିଦିନ ତଳେ ଦିଲ୍ଲୀ ସରକାର ଦେଶଭକ୍ତିକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ଲାଗି ଯେଉଁ ନିର୍ଣ୍ଣୟ ଗ୍ରହଣ କରିଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ। ଏବର ଯୁବବର୍ଗ ମଧ୍ୟରେ ଲୋପ ପାଇବାକୁ ବସିଥିବା ଦେଶଭକ୍ତି ଭାବନାକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ନିଜ ମାତୃଭୂମିର ଶ୍ରେଷ୍ଠତ୍ୱ ଓ ସୁରକ୍ଷା ନିରାପତ୍ତା ଦିଗରେ ସେମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବାର ପ୍ରକୃଷ୍ଟ ସମୟ ଏବେ ଉପଗତ। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ନିର୍ମାଣ ପ୍ରକ୍ରିୟାରେ ଯୁବଗୋଷ୍ଠୀଙ୍କୁ ଜଡିତ କରିବା ଏକାନ୍ତ ବାଞ୍ଛନୀୟ। ଏବେକାର ଇ-ଯୁଗରେ ଇଣ୍ଟରନେଟ୍ର ମାତ୍ରାଧିକ ଉପଯୋଗରେ ହଜି ଯାଇଥିବା ସେମାନଙ୍କର ପିଲାଦିନକୁ ଫେରାଇ ଆଣିବାକୁ ପଡ଼ିବ। ପିଲାମାନଙ୍କ ମନ ଓ ହୃଦୟରେ ଦେଶଭକ୍ତିର ଭାବନା ଯେପରି ସଞ୍ଚରିଯିବ, ସେଥିପ୍ରତି ସରକାରଙ୍କ ନିଘା ରହିବା ଆବଶ୍ୟକ। ବିଦ୍ୟାଳୟ ସ୍ତରରେ ଦେଶଭକ୍ତିର ଭାବନାକୁ ସୁଦୃଢ଼ କରିବା ସହିତ ତା’ର ବ୍ୟାପକ ପ୍ରସାର ପ୍ରଚାର କରିବା ଦିଗରେ ସରକାର ଓ ଜନସାଧାରଣ ସମ୍ମିଳିତ ପ୍ରଚେଷ୍ଟା କରିବା ଦରକାର। ବିଦ୍ୟାଳୟରେ ସଂକଳ୍ପବଦ୍ଧ ଯୁବପିଢ଼ିଙ୍କ ସର୍ବାଙ୍ଗୀନ ବିକାଶ ଓ ସେମାନଙ୍କ ସମୁଜ୍ଜ୍ୱଳ ଭବିଷ୍ୟତ ଉଚିତ ଦିଶାନିର୍ଦ୍ଦେଶ ଦିଗରେ ବେଶ୍ ମହତ୍ତ୍ୱପୂର୍ଣ୍ଣ। ଅବଶ୍ୟ ଏକଥା ସତ ଯେ, କଞ୍ଚାମାଟି ସମ ପିଲାଟିକୁ ବିଦ୍ୟାଳୟରେ ଭର୍ତ୍ତି କରାଯାଏ ଆଉ ସେଇଠି ନୈତିକ ମୂଲ୍ୟବୋଧ ସହିତ ଭିନ୍ନଭିନ୍ନ ପ୍ରକାରର ଆବଶ୍ୟକତାର ପୂରଣ ପାଇଁ ଶିକ୍ଷା ପ୍ରଦାନ କରାଯାଇଥାଏ। ତେବେ ଏକଥା ହେଜିବାକୁ ହେବ ଯେ, ଦେଶଭକ୍ତିର ମୂଳ ଭାବନାର ପ୍ରସାର ଗୋଟିଏ ଦିନର ପ୍ରୟାସ ନୁହେଁ। ନିରନ୍ତର ଭାବେ ଏହାକୁ ବିଦ୍ୟାଳୟର କାର୍ଯ୍ୟକଳାପ ସହିତ ସାମିଲ କରାଯିବା ବିଧେୟ। ବିଦ୍ୟାଳୟରେ ଦେଶର ଅସ୍ମିତା, ଗୌରବ ତଥା ଇତିହାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉ, ବିଦ୍ୟାଳୟର ବିସ୍ତୀର୍ଣ୍ଣ ଅଗଣାରେ ଦେଶଭକ୍ତି ସଂକ୍ରାନ୍ତ କାହାଣୀଗୁଡ଼ିକର ଅବିକଳ ଚିତ୍ରଣ କରାଯିବା ଆବଶ୍ୟକ । ସେହିପରି ବିଦ୍ୟାଳୟରେ ଭାରତୀୟ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରାଯିବା ନିହାତି ଜରୁରୀ। ମହାପୁରୁଷଙ୍କ ଜୀବନୀ ସଂକ୍ରାନ୍ତ ମାର୍ମିକ ତଥା ପ୍ରେରଣାଦାୟକ ପ୍ରସଙ୍ଗଗୁଡିକୁ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ଉଚିତ, ଯାହାକୁ କିଶୋର କିଶୋରୀମାନେ ବେଶ୍ ଭଲ ଭାବରେ ବୁଝି ଆତ୍ମସାତ୍ କରିପାରିବେ। ଦେଶର ସ୍ବାଧୀନତା ସଂଗ୍ରାମର ଗାଥା ସମ୍ବଳିତ କବିତା ଓ କାହାଣୀ ସବୁକୁ ନେଇ ପ୍ରତିଯୋଗିତାର ଆୟୋଜନ କରାଯାଉ । ଏହାଛଡ଼ା ପିଲାଙ୍କ ରୁଚିକୁ ଦୃଷ୍ଟିରେ ରଖି ନାଟକର ଆୟୋଜନ କରାଯାଇପାରେ। ସ୍ଥଳ ବିଶେଷରେ ନୃତ୍ୟ, କଳା ଲୋକଗୀତ ଇତ୍ୟାଦି ମଧ୍ୟ ଗୌରମୟ ଅତୀତକୁ ପ୍ରକଟିତ କରିଥାଏ। ଅତଏବ ଦେଶଭକ୍ତି ଭାବନା ଜାଗ୍ରତ କରାଇବାରେ ଏସବୁ ସହାୟକ ହୋଇପାରେ। ସୈନିକ ଜୀବନ ଅନୁଭବରେ ଭାଗୀଦାର ହେବା ଲାଗି ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦିଆଯିବା ଆବଶ୍ୟକ। ବିଭିନ୍ନ ଅବସରରେ ଯବାନମାନଙ୍କୁ ବିଦ୍ୟାଳୟକୁ ଡକାଇବା, ସେମାନଙ୍କ ଅନୁଭବରେ ସହଭାଗୀଦାର ହେବା ବିଦ୍ୟାର୍ଥୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ। କିନ୍ତୁ ବିଡ଼ମ୍ବନାର କଥା, ଆଜିକାଲିର ଶୈକ୍ଷିକ ଅନୁଷ୍ଠାନଗୁଡ଼ିକରେ ରାଷ୍ଟ୍ରୀୟ ସଙ୍ଗୀତ ଓ ପ୍ରାର୍ଥନା ଇତ୍ୟାଦିର ଡାକବାଜି ଯନ୍ତ୍ର ଜରିଆରେ ବଜାଯାଇ ଶୁଣାଇ ଦିଆଯାଉଛି। ଏହାର ଶବ୍ଦ ଓ ଭାବରେ ପିଲାଏ ଅଭିଭୂତ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟର ଶିକ୍ଷାଦାତାଙ୍କୁ ମଧ୍ୟ ଏ ଦିଗରେ ବିଶେଷ ମାର୍ଗଦର୍ଶନ ପ୍ରଦାନ କରିବା ଉଚିତ, ଯୋଉଥିରେ ସେମାନେ ମଧ୍ୟ ଏହି ପୁଣ୍ୟ ତଥା ମହତ୍ କାର୍ଯ୍ୟର ଅଗ୍ରଦୂତ ସାଜିପାରିବେ। ମହାପୁରୁଷଙ୍କ ମୂଲ୍ୟବୋଧ ଆଧାରିତ କାହାଣୀଗୁଡ଼ିକୁ ବଚନ ଓ ଶ୍ରବଣ ଜରିଆରେ ଉପସ୍ଥାପନ କରାଯାଉ। ସେମାନଙ୍କ ଜୀବନର ଅଜଣା ଓ ଅନାଲୋଚିତ ପ୍ରସଙ୍ଗଗୁଡ଼ିିକୁ ଶ୍ରେଣୀକକ୍ଷରେ ଶୁଣାଇ ଦିଆଯାଉ। ଦେଶର ସମ୍ମାନ ସଂକ୍ରାନ୍ତ ଅନେକ ଗବେଷଣା ତଥା ଗବେଷକଙ୍କୁ ପାଠ୍ୟକ୍ରମରେ ଯୋଡ଼ି ଦିଆଯାଉ।
https://www.dharitri.com/odms-dominance-in-neet-results/
ନିଟ୍‌ ଫଳାଫଳରେ ଓଡିଏମ୍‌ର ବାଜିମାତ୍‌ ଭୁବନେଶ୍ୱର,୧୫।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଏମ୍ ପବ୍ଲିକ୍ ସ୍କୁଲ ନିଟ୍-୨୦୨୩ ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ପୁଣିଥରେ ବାଜିମାତ୍ କରିଛି। ଏପରିକି ସଦ୍ୟ ପ୍ରକାଶିତ ନିଟ୍-୨୦୨୩ ପରୀକ୍ଷାରେ ଓଡିଏମ୍ ପବ୍ଲିକ୍ ସ୍କୁଲର ଛାତ୍ରୀଛାତ୍ରମାନେ ଅଭୂତ ପୂର୍ବ ସଫଳତାର ସହ କୃତିତ୍ୱ ହାସଲ କରିଛନ୍ତି। ସେହିଭଳି ସ୍କୁଲର ସର୍ବମୋଟ ୧୭୮ ଛାତ୍ରୀଛାତ୍ର ନିଟ୍-୨୦୨୩ ଚୟନ ତାଲିକାରେ ରହିଥିବା ବେଳେ ଦିପ୍ତେଶ କୁମାର ବେହେରା ସର୍ବଭାରତୀୟ ସ୍ତରରେ ୫୭୧ ତମ ସ୍ଥାନ ହାସଲକରି ବିଦ୍ୟାଳୟକୁ ଗୌରବମଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା (ବିତ୍ତ ଓ ପ୍ରଶାସନ) ତଥା ପ୍ରବନ୍ଧିକା ଇନ୍ଦୁମତୀ ରାୟ ଏବଂ ମୁଖ୍ୟ ସଞ୍ଚାଳନ ଅଧିକାରୀ ସ୍ବୟନ୍ ସତ୍ୟେନ୍ଦୁ ସ୍କୁଲର ସମସ୍ତ କୃତୀ ଛାତ୍ରୀଛାତ୍ର ଓ ତାଙ୍କର ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ା
https://www.dharitri.com/ବସ୍-ଓଲଟି-୨-ମୃତଚାପିହୋଇ-ରହି/
ବସ୍ ଓଲଟି ୨ ମୃତ:ଚାପିହୋଇ ରହିଛନ୍ତି ଅନେକ ଯାତ୍ରୀ ବିଷମକଟକ,୧୬ା୧୧: କୋରାପୁଟ ଜିଲା ଲକ୍ଷ୍ମୀପୁରରୁ କଟକ ଯାଉଥତ୍ବା ଫର୍ଚୁନର ବସ୍ ସୋମବାର ରାତି ପ୍ରାୟ ୧୦.୩୦ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ହଜାରିଡାଙ୍ଗ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଛି ବସ୍ତଳେ ଚାପିହୋଇ ଡ୍ରାଇଭରଙ୍କ ସମେତ ୨ଜଣଙ୍କ ମୃତୁ୍ୟ ହୋଇଛି ଅନେକ ଯାତ୍ରୀ ବସ୍ତଳେ ଚାପିହୋଇ ରହିଥତ୍ବାବେଳେ ମୃତୁ୍ୟ ସଂଖ୍ୟା ବଢ଼ିବା ଅାଶଙ୍କା ରହିଛି ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାଯର୍ୟ ଜାରି ରଖିଛନ୍ତି ୧୦ରୁ ଊର୍ଦ୍ଧ୍ୱ ଅାମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ବିଷମକଟକ ସରକାରୀ ଡାକ୍ତରଖାନା ଏବଂ ଖ୍ରୀଷ୍ଟିୟାନ ହସ୍ପିଟାଲକୁ ନେଇଥତ୍ବା ସୂଚନା ମିଳିଛି
https://www.dharitri.com/house-burnt-due-to-fly-hand-injured-in-explosion/
ମାଛି ମାରୁ ମାରୁ ଘର ଜାଳିଦେଲେ ବୃଦ୍ଧ ନୂଆଦିଲ୍ଲୀ, ୭।୯: ଜଣେ ୮୦ ବର୍ଷୀୟ ବୃଦ୍ଧ ରାତ୍ରୀ ଭୋଜନ ପାଇଁ ବସିଥିଲେ। ଏହି ସମୟରେ ଗୋଟିଏ ମାଛି ତାଙ୍କ ଖାଇବା ଚାରିପାଖେ ଘୂରି ବୁଲିବା ସହ ଗୁଞ୍ଜରଣ ସୃଷ୍ଟି କରିଥିଲା। ଫଳରେ ଏଥିରେ ବିରକ୍ତି ପ୍ରକାଶ କରି ବୃଦ୍ଧ ଜଣଙ୍କ ମାଛିକୁ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମାଛିକୁ ମାରୁ ମାରୁ ବୃଦ୍ଧଙ୍କ ଘର ଜଳିଯାଇଥିଲା। ଏହି ଘଟଣାଟି ଫ୍ରାନ୍ସର ଡର୍ଡୋନ ସହରରେ ଘଟିଛି। ଅନୁଯାୟୀ, ଏହି ସହରରେ ରହୁଥିବା ଜଣେ ବୃଦ୍ଧ ରାତିରେ ଖାଇବା ପାଇଁ ବସିଥିଲେ। କିନ୍ତୁ ଏହି ସମୟରେ ଗୋଟିଏ ମାଛି ତାଙ୍କ ଖାଦ୍ୟ ଚାରିପାଖେ ଘୂରି ବୁଲିଥିଲା। ଏଥିରେ ବୃଦ୍ଧଜଣଙ୍କ ବିରକ୍ତି ପ୍ରକାଶ କରି ମାଛିକୁ ମାରିବା ଲାଗି ଘରେ ଥିବା ଇଲେକଟ୍ରୋନିକ ର଼୍ୟାକେଟ୍ର ସହାୟତା ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମୟରେ ତାଙ୍କ ରୋଷେଇ ଘରେ ଥିବା ଗ୍ୟାସ ଲିକ୍ ହୋଇଯାଇଥିଲା। ଫଳରେ ମାଛିକୁ ମାରିବା ଲାଗି ବୃଦ୍ଧ ଇଲେକ୍ଟ୍ରୋନିକ ର଼୍ୟାକେଟ୍କୁ ଧରି ବୁଲାଉଥିବାବେଳେ ଏହା ଗ୍ୟାସ ସଂସ୍ପର୍ଶରେ ଆସି ନିଆଁ ଲାଗି ଯାଇଥିଲା। ଏହି ସମୟରେ ଭୟଙ୍କର ବିସ୍ଫୋରଣରେ ରୋଷେଇ ଘର ଛାତ ସମେତ ଅନ୍ୟାନ୍ୟ ଘରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ବୃଦ୍ଧଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ବୃଦ୍ଧଜଣଙ୍କ ଏବେ ଶିବିରରେ ରହିଛନ୍ତି ଏବଂ ତାଙ୍କ ପରିବାର ଲୋକ ଘର ମରାମତି କରୁଛନ୍ତି।
https://www.dharitri.com/todays-neet-hearing/
ଆଜି ଏନ୍‌ଇଇଟି (ୟୁଜି) ଶୁଣାଣି ନୂଆଦିଲ୍ଲୀ,୮ା୭(ପି.ଟି.):ପ୍ରଶ୍ନପତ୍ର ଲିକ୍, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍ଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ଦାଏର ୩୮ଟି ପିଟିଶନ୍ର ଶୁଣାଣି ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ତେବେ ବଡ଼ ଧରଣର ଅନିୟମିତତା ହୋଇଥିବାର ପ୍ରମାଣ ନ ଥିବାରୁ ପରୀକ୍ଷାକୁ ବାତିଲ କରାଗଲେ ଏହାର ଫଳ ଓଲଟା ହେବା ସହ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହେବେ ବୋଲି କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। କୋର୍ଟ େଓବ୍ସାଇଟ୍ରେ ଅପ୍ଲୋଡ୍ ହୋଇଥିବା ଜୁଲାଇ ୮ କଜ୍ ଲିଷ୍ଟ ଅନୁଯାୟୀ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ପରୀକ୍ଷା ସମ୍ପର୍କିତ ୩୮ଟି ପିଟିଶନ୍ର ଶୁଣାଣି କରିବ।
https://www.dharitri.com/big-shock-to-gujarat-titans-from-the-start-of-ipl/
ଆଇପିଏଲ୍‌ ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଅହମ୍ମଦାବାଦ୍,୨।୪: ଆଇପିଏଲ୍ର ୧୬ତମ ସଂସ୍କରଣର ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ବ୍ୟାଟ୍ସମ୍ୟାନ୍ କେନ୍ ଓ୍ବିଲିୟମସନ ଆହତ ଯୋଗୁ ଚଳିତ ଆଇପିଏଲ୍ରୁ ବାଦ୍ ପଡିଛନ୍ତି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚରେ କ୍ଷେତ୍ରରକ୍ଷଣ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଟାଇଟନ୍ସ ପାଇଁ ପଦାର୍ପଣ ମ୍ୟାଚ୍ ଖେଳୁଥିବା କେନ୍ ଓ୍ବିଲିୟମସନ୍ ବାଉଣ୍ଡିରେ ଫିଲ୍ଡିଂ କରୁଥିବା ସମୟରେ ଏକ ଛକାକୁ ଅଟକାଇ ଥିଲେ। ୩୨ ବର୍ଷୀୟ ଓ୍ବିଲିୟମସନ ଚମତ୍କାର ପ୍ରୟାସ କରି ଛକା ରୋକିଥିଲେ ମଧ୍ୟ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ପଡିବା ସମୟରେ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ପଡିଆରେ ଫିଜିଓ ତୁରନ୍ତ ଚିକିତ୍ସା କରିଥିଲେ। ଓ୍ବିଲିୟମସନ ଆଉ ପଡିଆକୁ ଫେରି ନ ଥିବା ବେଳେ ଆଘାତ ସମସ୍ୟା ମଧ୍ୟ ବେଶ୍ ଗମ୍ଭୀର ରହିଛି। ତେବେ ତାଙ୍କ ବଦଳ ଖେଲାଳି ଭାବେ କାହାକୁ ନିଆଯିବ ସେ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
https://www.dharitri.com/welcome-to-asbm/
ଏଏସ୍‌ବିଏମ୍‌ ପକ୍ଷରୁ ନବାଗତଙ୍କୁ ସ୍ବାଗତ ଭୁବନେଶ୍ୱର,୯।୯:ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନବାଗତ ସ୍ବାଗତ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ୧୦ ଦିନିଆ ଓରିଏଣ୍ଟେଶନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବହୁ ଷ୍ଟାର୍ଟଅପ୍ ଉଦ୍ୟୋଗୀ, ମାନବ ସମ୍ବଳ ପଦାଧିକାରୀ, ଆଧ୍ୟାତ୍ମିକ ଗୁରୁ ଓ ବିଶିଷ୍ଟ ଶିକ୍ଷାବିତ୍ ଯୋଗଦେଇ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ସଫଳ କ୍ୟାରିୟରର ମୂଳମନ୍ତ୍ର ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସ୍ନାତକ ଓ ସ୍ନାତକୋତ୍ତର ନୂତନ ଛାତ୍ରୀଛାତ୍ରମାନଙ୍କ ପାଇଁ ପୃଥକ୍ ଭାବେ ଆୟୋଜିତ ହୋଇଥିଲା। ଆନୁଷ୍ଠାନିକ ଭାବେ ପ୍ରାରମ୍ଭ-୨୦୨୨କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ଉଦ୍ଘାଟନ କରିଥିଲେ। ସେହିଭଳି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ରମାକାନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଫିନିକ୍ସର ନୂତନ ସଂସ୍କରଣକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିଭଳି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସମ୍ଭାବ୍ୟ ଚିନ୍ତାଧାରାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପକରି ଛାତ୍ରୀଛାତ୍ରମାନଙ୍କୁ ସକାରାତ୍ମକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ସ୍ବାଗତ ଅଭିଭାଷଣ ଦେଇ ବିଶ୍ୱବିଦ୍ୟାଳୟର ଇତିହାସ ବିଷୟରେ ଆଲୋକପାତ କରିଥିଲେ। ଉପ କୁଳପତି ପ୍ରଫେସର ଫଲ୍ଗୁ ନିରଞ୍ଜନା ନବାଗତ ଛାତ୍ରୀଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟର ଶପଥ ପାଠ କରାଇଥିଲେ। ଡିନ୍ ଏକାଡେମିସ୍ ପ୍ରଫେସର ପଦ୍ମନାଭ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସହକାରୀ ଡିନ୍ ପ୍ରଫେସର ସରୋଜ ବିଷେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ ଉତ୍ସବ ପରେ ବରିଷ୍ଠ ଛାତ୍ରୀଛାତ୍ରମାନେ ନୂତନ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ଜଣାଇ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଆକାଂକ୍ଷା’ ପରିବେଷଣ କରିଥିଲେ।
https://www.dharitri.com/soumyas-father-filed-a-complaint-with-the-dgp/
ଡିଜିପିଙ୍କୁ ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା କଟକ ଅଫିସ, ୨୦।୭: ପୋଡ଼ି ହୋଇ ମୋ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଫରେଷ୍ଟ ଅଫିସ୍ ଆଗରେ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ ଅଟକାଯାଇଥିଲା। କିଛି ସମୟ ଆଗରୁ ମେଡିକାଲରେ ପହଞ୍ଚିଥିଲେ ସେ ବଞ୍ଚି ଯାଇଥାନ୍ତା। ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବା ପୁଅ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି କହିଛନ୍ତି ପାରଳାଖେମୁଣ୍ଡିର ମୃତ ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର। ତେବେ ଆମ୍ବୁଲାନ୍ସକୁ ଅଟକାଇବାରେ ଗଜପତି ଜିଲାର ଜନୈକା ମହିଳା ଆଇଆଇସିଙ୍କ ହାତ ରହିଥିବା ଅଭିରାମ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଆଇଆଇସିଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରୁ ବୋଲି ଅଭିରାମ ଦାବି କରିଛନ୍ତି। ଏ ନେଇ ସେ ସୋମବାର ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିସହିତ ହତ୍ୟା ପଛରେ ବୋହୂ ବିଦ୍ୟା ଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କର ସମ୍ପୃକ୍ତି ରହିଛି ବୋଲି ଅଭିରାମ ଅଭିଯୋଗ କରିବା ସହ ଅଭିଯୁକ୍ତମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି। ଅଭିରାମ ଭୁବନେଶ୍ୱର ଆସି ପିସିସିଏଫ୍ଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ଗୁହାରି ଜଣାଇଛନ୍ତି। ଡିଏଫ୍ଓ ନିଜ ପଦର ଅପବ୍ୟବହାର କରି ପ୍ରମାଣ ନଷ୍ଟ କରିବା ସହ ଚାପ ସୃଷ୍ଟି କରୁଛନ୍ତି। ତେଣୁ ତାଙ୍କୁ ପଦରୁ ହଟାଯାଇ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଅଭିରାମ ଦାବି କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରକେଷ୍ଠକୁ ଯାଇ ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ ବୋଲି ଗୁହାରି ଜଣାଇଛନ୍ତି। ଅନ୍ୟପକ୍ଷେ ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ପୋଲିସ ତଦନ୍ତ ରିପୋର୍ଟ ଯାହା ଆସିବ ସେହି ଅନୁସାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍ ଶିଶିର ରଥ କହିଛନ୍ତି।
https://www.dharitri.com/cybercrime-is-on-the-rise-in-the-digital-world/
ଡିଜିଟାଲ ଦୁନିଆରେ ବଢୁଛି ସାଇବର କ୍ରାଇମ୍‌ ମୋରଡ଼ା,୨ା୧୦(ସ୍ମାରକ ମାଜୀ): ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚିତ୍ରଡ଼ା ପଞ୍ଚାୟତରୁ ଆରମ୍ଭ ହୋଇଛି। ମୋରଡ଼ା ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ପୌରୋହିତ୍ୟରେ ଚିତ୍ରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡିଶା ପୋଲିସ ସରକାରଙ୍କର ଅନ୍ୟାନ୍ୟ ବିଭାଗ ତଥା ପ୍ରମୁଖ ବ୍ୟାଙ୍କମାନଙ୍କ ସହିତ ମିଶି ଚଳିତ ଅକ୍ଟୋବର ମାସରେ ଏହି ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ସର୍ବଦା ଶକ୍ତିଶାଳୀ ପାସଓ୍ବାର୍ଡର ବ୍ୟବହାର ଏବଂ ଉକ୍ତ ପାସଓ୍ବାର୍ଡ କାହାରିକୁ ପ୍ରକାଶ ନ କରିବା, ଇଣ୍ଟରନେଟରେ ବ୍ୟକ୍ତିଗତ ସୂଚନା ଓ ଫଟୋ ଶେୟାର କରିବା ସମୟରେ ସତର୍କ ଅବଲମ୍ବନ, ଅଜଣା ବ୍ୟକ୍ତିଙ୍କୁ ଠିକଣା ନ ଦେବା, ପରିଚୟ ପ୍ରମାଣ ବିବରଣୀ, ଆକାଉଣ୍ଟ ନମ୍ବର, ଏଟିଏମ୍ କାର୍ଡର ବିବରଣୀ ନ ଦେବା, ଅନ୍ଲାଇନ ମାଧ୍ୟମରେ ବନ୍ଧୁ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ ନ କରିବା ଇତ୍ୟାଦି ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ, ଦୀନବନ୍ଧୁ ଦେହୁରୀ,ମଞ୍ଜୁଲତା ବେହେରା, ଲକ୍ଷ୍ମୀପ୍ରିୟା ରାଉତ, ବିନତା ଥୟାଲ, ସାଲଖାନ ମାଝୀ, ଦୀପକ କୁମାର ବାରିକ, ଗୋବିନ୍ଦ ସାହୁ, ପିଥ ହେମ୍ବ୍ରମ ପ୍ରମୁଖ ମୋରଡ଼ା ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବିଷ୍ଣୁପ୍ରିୟା ଦାସ, ସାଇବନ୍ଦନା ବେହେରା ଓ଼ ଚିତ୍ରଡା,ହଳଦୀପାଳ ପଞ୍ଚାୟତର ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ଏକ ସଚେତନତା ରାଲି ମୋରଡ଼ା ପୋଲିସ ଦ୍ୱାରା କରାଯାଇଥିଲା। ସାଇବର କ୍ରାଇମ ବାବଦରେ ବିଭିନ୍ନ ପ୍ଲାକାର୍ଡ ଧରି ପୋଲିସ କର୍ମଚାରୀ,ଏସ୍ଏଚ୍ଜି ମହିଳାମାନେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।
https://www.dharitri.com/committee-agrees-to-build-a-4-foot-tall-statue/
୪ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ୯୩ ପ୍ରତିଶତ ପୂଜା କମିଟି ରାଜି କଟକ ଅଫିସ୍,୧୮ା୯: ଦଶହରା ପାଇଁ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ଆଧାର କରି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଗୁରୁବାର ଆଡ୍ଭୋକେଟ ଜେନେରାଲଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ସହରର ୯୩ ପ୍ରତିଶତ ପୂଜା କମିଟି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ ଗାଇଡ୍ଲାଇନ ପାଳନ ସହ ୪ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ ପାଇଁ ରାଜି ଅଛନ୍ତି। ଏବେ ସୁଦ୍ଧା ୧୪୨ଟି ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ହୋଇନାହିଁ। ୭ଟି ମଣ୍ଡପ ପ୍ରାୟ ୫ଫୁଟର ଓ ୨ଟି ମଣ୍ଡପ ୫ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାଛଡ଼ା କମିଶନର ଦର୍ଶାଇଛନ୍ତି, ଖଡ଼ିଧରା ଆମାବାସ୍ୟା ପୂର୍ବରୁ ମୂର୍ତ୍ତି ନିର୍ମାଣ ହେବା ଆବଶ୍ୟକ ବୋଲି ଆବେଦନକାରୀମାନେ ଯୁକ୍ତି ରଖିଥିଲେ। ଏ ସଂକ୍ରାନ୍ତରେ ପୂଜକ ଓ ମୂର୍ତ୍ତି କାରିଗରଙ୍କ ସହ ଆଲୋଚନା କରାଯାଇଛି। ୩ଜଣ ମଧ୍ୟ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି। ବେଲବରଣୀ ଓ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ ହୋଇ ପାରିବ। ଆବଶ୍ୟକସ୍ଥଳେ ମୂର୍ତ୍ତି ଆକାରରେ ପରିବର୍ତ୍ତନ କରାଯାଇ ପାରିବ ବୋଲି କମିଶନର ଦାଖଲ କରିଥିବା ପତ୍ରରେ ଉଲ୍ଲେଖ ହୋଇଛି। ଏଣୁ ଏସ୍ଆର୍ସିଙ୍କ ଦ୍ୱାରା ଜାରି ଗାଇଡ୍ଲାଇନ୍ ପାଳନ କରିବାକୁ କମିଶନର ଯୁକ୍ତି ରଖିଛନ୍ତି।
https://www.dharitri.com/କରାଟେ-ସ୍କୁଲ-ଛାତ୍ରୀଛାତ୍ରଙ/
କରାଟେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ବେଲ୍ଟ ପ୍ରଦାନ ଟିଟିଲାଗଡ଼, ୨ା୬ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଟିଟିଲାଗଡ କରାଟେ ସଂଘ ପକ୍ଷରୁ ଉତ୍କଲ କରାଟେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏ ନେଇ ସ୍କୁଲ ପରିସରରେ ଅନଷ୍ଠିତ ସମାରୋହରେ ଟିଟିଲାଗଡ କରାଟେ ସଂଘ ସଭାପତି ଅମରଜିତ ବାଗ ମୁଖ୍ୟଅତିଥି ତଥା ସମ୍ପାଦକ କେଦାର କବାଟ, ମୁଖ୍ୟ ବୈଷୟିକ ନିର୍ଦ୍ଦେଶକ ସେନସାଇ ସୁରେଶ ୟାଦବ, ପ୍ରଶିକ୍ଷକ ବ୍ୟୋମକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ବାଗ ଆତ୍ମସୁରକ୍ଷା ସହ ସ୍ବାସ୍ଥ୍ୟବାନ ପାଇଁ ଛାତ୍ରୀଛାତ୍ରଙ୍କ ଶାରୀରିକ ବ୍ୟାୟାମ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ।
https://www.dharitri.com/illigal-mescow-siding-case/
ବେଆଇନ ମେସ୍କୋ ସାଇଡିଂ ମାମଲା: ଏନ୍‌ଜିଟି ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଯାଜପୁର ଅଫିସ,୭ା୨: ଯାଜପୁର ଜିଲା କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ପରିସରସ୍ଥ ମେସ୍କୋ ଷ୍ଟିଲର ବେଆଇନ ରେଲୱେ ସାଇଡିଂ ଅଭିଯୋଗ ସଂକ୍ରାନ୍ତରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) ପକ୍ଷରୁ ଗତ ୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଦ୍ୱାରା ଏହି ରେଳୱେ ସାଇଡିଂ ଚାଲିବାକୁ ଦେଇଥିବା ସମ୍ମତି(ସିଟିଓ) ତାରିଖ ପରେ ମଧ୍ୟ କାର୍ଯ୍ୟକ୍ଷମ ହେଉଥିବା ନେଇ ଅଭିଯୋଗକାରୀ ଏନ୍ଜିଟିରେ ତଥ୍ୟ ଦାଖଲ କରିଛନ୍ତି। ଏହାକୁ ଭିତ୍ତିକରି ଏନ୍ଜିଟି ପକ୍ଷରୁ ଜୁଡିସିଆଲ ମେମ୍ବର ବି. ଅମିତ ସ୍ଥାଲେକର ଏବଂ ସଭ୍ୟ ଶୈବାଳ ଦାସଗୁପ୍ତା ଆବଶ୍ୟକ ତଦନ୍ତ କରି ରେଲୱେ ସାଇଡିଂରେ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମେସ୍କୋ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିବେଶଗତ କ୍ଷତିପୂରଣ ବାବଦକୁ ଜରିମାନା ଆଦାୟ କରିବାକୁ ଏସ୍ପିସିବିକୁ ନିର୍ଦ୍ଦେଶ ହୋଇଛି। ଏହିସବୁ ପଦକ୍ଷେପ ଉପରେ ଏସ୍ପିସିବି ଏବଂ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣି ୧୫ା୩ା୨୦୨୨ ପୂର୍ବରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ମେସ୍କୋ ଷ୍ଟିଲ ପରିସରରେ ଥିବା ରେଳୱେ ସାଇଡିଂ ବିନା ଅନୁମତିରେ ଚାଲିବା ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀ ଏନ୍ଜିଟି(ନ୍ୟାଶ୍ନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍)ର ଦ୍ୱାରସ୍ଥ ହୋଇଥିଲେ। ଏହି ମର୍ମରେ ଏନ୍ଜିଟିରେ ୫୨/୨୦୨୧/ଇଜେଡ୍ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ୯ା୭ା୨୦୨୧ରେ ଏନ୍ଜିଟି ଏହି ମାମଲାର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ମେସ୍କୋ ଏବଂ ଜେଏସ୍ଡବ୍ଲ୍ୟୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିବାକୁ ଏସ୍ପିସିବିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଓଡ଼ିଶା ସରକାର, ଯାଜପୁର ଜିଲାପାଳ, ଏସ୍ପିସିବି, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ମେସ୍କୋ ଓ ଜେଏସ୍ଡବ୍ଲ୍ୟୁର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ପାରାଦୀପ ପରିବହନ ପ୍ରାଇଭେଟ ଲିଃକୁ ପକ୍ଷଭୁକ୍ତ କରାଯାଇଛି। ଏସ୍ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଅତି ପ୍ରଦୂଷଣକାରୀ ମେସ୍କୋ ରେଲୱେ ସାଇଡିଂ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୋଗକାରୀ ପ୍ରତାପ ଜେନା ଏନ୍ଜିଟିର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି। ଅଭିଯୋଗ ଅନୁସାରେ ୨୦୨୦ ଜାନୁୟାରୀରୁ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ପଡ଼ିଛି। ତେଣୁ ଏସ୍ପିସିବିଠାରୁ ପରିବେଶଗତ କିମ୍ବା ଚଳାଇବାକୁ ଅନୁମତି ନ ଥାଇ ରେଲୱେ ସାଇଡିଂକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଗତ ଜୁନ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ଏହି ବେଆଇନ ସାଇଡିଂ ଚାଲିଥିବା ସତ୍ତ୍ବେ ଏସ୍ପିସିବି ନୀରବ ରହିଥିଲା। ଏପରିକି ୧୧ା୫ା୨୦୨୧ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ଉକ୍ତ ସାଇଡିଂରେ ଫ୍ଲାଏ ଆଶ୍, ସ୍ଲାଗ, କ୍ଲିଙ୍କର, କୋଲ, ଜିପସନ ଆଦି ଅନ୍ଲୋଡିଂ କରିବାକୁ ଜେଏସ୍ଡବ୍ଲ୍ୟୁ ଲିଜ୍ ସୂତ୍ରରେ ନେଇଥିଲା, ଯାହାକି ପରିବେଶ ଅନୁମତି ବିନା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏଭଳି ବିଷାକ୍ତ ସାମଗ୍ରୀ ପରିବହନ ହେଉଥିବା ସାଇଡିଂକୁ ଲାଲ ବର୍ଗ(ରେଡ କ୍ୟାଟେଗୋରୀ) ୟୁନିଟ୍ ଭାବେ ଧରାଯାଏ। ତେଣୁ ଏସ୍ପିସିବିଠାରୁ ଏହି ୟୁନିଟ୍ ସ୍ଥାପନ ଓ ପରିଚାଳନା ଅନୁମତି ନିହାତି ଆବଶ୍ୟକ। ତେବେ ଏନ୍ଜିଟିର ମାମଲା ରୁଜୁ ହେବା ପରେ ଏସ୍ପିସିବି ପକ୍ଷରୁ ସର୍ତ୍ତମୂଳକ ୬ ମାସ ପାଇଁ ସାଇଡିଂ ଚଳାଇବାକୁ ଅନୁମତି ଦିଆଯାଇଥିଲା। ଇତିମଧ୍ୟରେ ସାଇଡିଂ କର୍ତ୍ତୃପକ୍ଷ ପାଣି ସିଞ୍ଚନ ପଦ୍ଧତି, ଇଟିପି ଆଦି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁମତି ପତ୍ରରେ ଏସ୍ପିସିବି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସାଇଡିଂ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ନ କରି ସାଇଡିଂ ଚଳାଉଥିବା ପୁଣି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏସ୍ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏନ୍ଜିଟି ନିର୍ଦ୍ଦେଶ ଅନୁସାରେ ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।
https://www.dharitri.com/the-lioness-roared-like-this-on-the-death-of-the-child-there-was-an-outcry-in-the-whole-forest/
ଛୁଆକୁ ହରାଇ ଚିତ୍କାର କରୁଛି ସିଂହୀ, ଜଙ୍ଗଲ ସାରା ହାହାକାର ! ଭିଡିଓ ଦେଖିଲେ ଓଦା ହେବ ଆଖି… ମା’ ନିଜ ସନ୍ତାନକୁ ସବୁଠାରୁ ଅଧିକ ଭଲପାଏ। ସେ ମଣିଷ ହେଉ ଅବା ପଶୁ, ନିଜ ପିଲାକୁ ଅସୁବିଧାରେ ଦେଖି ମା’ ଚିନ୍ତାରେ ପଡ଼ିଯାଏ। ସେମିତିରେ ଯଦି କେହି ମା’ ନିଜ ସନ୍ତାନକୁ ହରାଇଥାଏ, ସେ ଦୁଃଖରେ ଭାଙ୍ଗିପଡେ। ସୋସିଆଲ ମିଡିଆରେ ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ସମସ୍ତଙ୍କର ଲୁହ ଆସିଯିବ। ଭିଡିଓରେ ଏକ ସିଂହୀକୁ ଛୁଆକୁ ହରାଇବାର ଦୁଃଖରେ ବୁଡ଼ି ଯାଇଥିବା ଦେଖିବାକୁ ମିଳୁଛି। ସାଧାରଣତଃ ସିଂହୀ ଶିକାରୀ ପ୍ରଜାତିର। ହେଲେ ସେ ନିଜର ସନ୍ତାନକୁ ହରାଇ ଏଭଳି କାନ୍ଦୁଛି ଯେ ଜଙ୍ଗଲ ସାରା ତା ସ୍ବର ଗୁଞ୍ଜରିତ ହେଉଛି। ଭିଡିଓକୁ ‘ଲାଇଫ୍ ଆଣ୍ଡ ନେଚର’ ନାମକ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ଦେଖନ୍ତୁ ଭିଡିଓ: ଭିଡିଓରେ ଯେଭଳି ଦେଖାଯାଉଛି, ଏକ ସିଂହୀ ଜଙ୍ଗଲରେ ଦୌଡ଼ୁଛି। ତା ହାବଭାବରୁ ଲାଗୁଛି ଯେ କିଛି ଅଘଟଣ ଘଟିଛି। ଏମିତିରେ ସେ ଏକ ମୃତ ସିଂହ ଛୁଆ ନିକଟରେ ପହଞ୍ଚୁଛି। କେହି ଶିକାରୀ ତାକୁ ମାରିଦେଇଥିବା ସିଂହୀଟି ଜାଣୁଛି। ଏହାପରେ ସିଂହୀ ସେଠାରେ ପହଞ୍ଚି ପିଲାକୁ ଶୁଙ୍ଘୁଛି। ପରେ ଜୋରରେ ଚିତ୍କାର କରୁଛି। ସିଂହୀର ରଡ଼ି ଶୁଣି ସେଠାରେ ଥିବା ଅନ୍ୟ ପଶୁ ଡ଼ରି ଯାଉଛନ୍ତି। ଏବେ ଏହି ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ସମସ୍ତଙ୍କୁ କନ୍ଦାଇ ଦେଉଛି।
https://www.dharitri.com/strict-instructions-on-social-media-platforms-not-to-use-indian-variant-words/
ଭାରତୀୟ ଭାରିଆଣ୍ଟ୍‌ ଶବ୍ଦ ବ୍ୟବହାର ନ କରିବାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ… ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ସୋସିଆଲ୍ ମିଡ଼ିଆରେ ଭାରତୀୟ ଭାରିଆଣ୍ଟ୍ ଶବ୍ଦର ବ୍ୟବହାର ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଦେଶର ଭାବମୂର୍ତ୍ତି ଉପରେ ନକାରାତ୍ମ ପ୍ରଭାବ ପଡୁଥିବା ସରକାର କହିଛନ୍ତି। କରୋନା ଭୂତାଣୁ ବିଷୟରେ ସୋସିଆଲ ମିଡ଼ିଆରେ ହେଉଥିବା ଭ୍ରମାତ୍ମକ ପ୍ରଚାରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ଭାରିଆଣ୍ଟ୍ ଶବ୍ଦ ଶୀଘ୍ର ସୋସିଆଲ ମିଡ଼ିଆ କଣ୍ଟେଟ୍ରୁ ହଟାଇ ନେବାକୁ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଆଡ଼ଭାଇଜରୀ ଜାରି କରାଯାଇଛି। ଏଭଳି ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ଭୁଲ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏଭଳି ଶବ୍ଦର ପ୍ରୟୋଗ କରାଯାଉ ନ ଥିବା ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ଏଭଳି ଶବ୍ଦକୁ ଖୋଜି ଖୋଜି ହଟାଇବା କଷ୍ଟକର ବୋଲି କୁହାଯାଉଛି।
https://www.dharitri.com/the-risk-of-war-is-growing/
ବଢ଼ୁଛି ଯୁଦ୍ଧ ଆଶଙ୍କା କ୍ୱିଭ୍, ୧୫ା୨:ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କ୍ୱିଭ୍ ସପକ୍ଷରେ ସାମରିକ ବଳ ପଠାଇବାରେ ଲାଗିଛନ୍ତି। ଆସନ୍ତା ୧୬ ତାରିଖରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ନିଜ ସୈନ୍ୟଙ୍କୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକାର ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି। ସମ୍ଭାବ୍ୟ ଯୁଦ୍ଧ ଏଡ଼ାଇବା ଲାଗି ପୁଟିନ୍ଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନାରୁ ସୁଫଳ ମିଳିନାହିଁ। ଏଥିଯୋଗୁ ସୀମାରେ ସଙ୍କଟ ଘନେଇବାରେ ଲାଗିଛି। ଯୁଦ୍ଧ ଆଶଙ୍କାର ପ୍ରଭାବ କେବଳ ସାମରିକ ଅଥବା କୂଟନୈତିକ ସ୍ତରରେ ନୁହେଁ, ବରଂ ବିଶ୍ୱ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରିଛି। ଆମେରିକାର ଡୋ ଜୋନ୍ସ ହେଉ କି ନାସ୍ଡାକ୍ ସବୁଠି ଧରାଶାୟୀ ହୋଇଛି ଷ୍ଟକ୍। ତୈଳ ଓ ଗ୍ୟାସ୍ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଆଶଙ୍କାରେ ଭାରତୀୟ ଶେୟାର ମାର୍କେଟର ସେନ୍ସେକ୍ସ ୧୭୪୭.୦୮ ଅଙ୍କ ତଳକୁ ଖସି ୫୬୪୦୫.୮୪ରେ ବନ୍ଦ ହୋଇଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବାରମ୍ବାର ସତର୍କ କରାଇଆସୁଥିବାବେଳେ ମସ୍କୋ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି। ଏହା ସତ୍ତ୍ୱେ ରୁଷିଆର ଲକ୍ଷାଧିକ ସୈନ୍ୟ ୟୁକ୍ରେନକୁ ଘେରି ରହିଛନ୍ତି। ୟୁକ୍ରେନ ସୀମା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଯୁଦ୍ଧଜାହାଜ, ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ରୁଷିଆ ସୈନ୍ୟ ସମରାଭ୍ୟାସ ଜାରି ରଖିଛନ୍ତି। ଏହା ଉପରେ ୟୁକ୍ରେନ ରୁଷିଆଠାରୁ ଜବାବ ମାଗିବାକୁ ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ ଡାକିଛି। ପ୍ରମୁଖ ୟୁରୋପୀୟ ସୁରକ୍ଷା ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ରୁଷିଆ ସହ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଏହାର ସୀମାରେ ଉତ୍ତେଜନା ସୃଷ୍ଟିର କାରଣ ପଚାରିବ। ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ରୁଷିଆ କ୍ରମାଗତଭାବେ ସୀମା ନିକଟରେ ସୈନ୍ୟ ଠୁଳ କରି ଯୁଦ୍ଧ ଆଶଙ୍କା ବଢ଼ାଇଛି। କିନ୍ତୁ ଏହାର କାରଣ ବାବଦରେ ସ୍ପଷ୍ଟୀକରଣ ମଗାଯାଇଥିଲେ ମଧ୍ୟ ରୁଷିଆ ବାରମ୍ବାର ୟୁକ୍ରେନର ଅନୁରୋଧକୁ ଅଣଦେଖା କରିଆସୁଛି। ତେଣୁ ଆସନ୍ତା ୪୮ ଘଣ୍ଟାରେ ରୁଷିଆକୁ ଏହାର ଯୋଜନା ବାବଦରେ ପ୍ରଶ୍ନ କରାଯିବ ବୋଲି ସେ କହିଛନ୍ତି। ଭିଏନା ସନ୍ଧିର ସର୍ତ୍ତ ଅନୁଯାୟୀ ୟୁକ୍ରେନ ଏହି ପ୍ରତିକ୍ରିୟା ଲୋଡ଼ିଛି। ଏହା ୟୁରୋପରେ ସୁରକ୍ଷା ଏବଂ ସହଯୋଗ ପାଇଁ ସଙ୍ଗଠନ (ଓଏସ୍ସିଇ)ର ସଦସ୍ୟମାନେ ସୁରକ୍ଷା ପ୍ରସଙ୍ଗ ଉପରେ କରିଥିବା ଏକ ଚୁକ୍ତିନାମା। ଏଥିରେ କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ସମେତ ରୁଷିଆ ମଧ୍ୟ ସଦସ୍ୟ ରହିଛି। ଯଦି ରୁଷିଆ ଓଏସ୍ସିିଇ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ୱ ଦେଉଛି ତେବେ ଉତ୍ତେଜନା ହ୍ରାସ ଏବଂ ସୁରକ୍ଷା ବୃଦ୍ଧି ପାଇଁ ସାମରିକ ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା ପୂରଣ କରିବାକୁ ପଡିବ ବୋଲି କୁଲେବା କହିଛନ୍ତି। ତେବେ ଆଗାମୀ ଦିନରେ ରୁଷିଆ ଆକ୍ରମଣ କରିବାର କୌଣସି ପ୍ରମାଣ ନ ଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିଭିର ଜେଲେନ୍ସ୍କି କହିଛନ୍ତି। ରବିବାର ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଫୋନ୍ ଯୋଗେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ କଥା ହୋଇଛନ୍ତି। ସହଯୋଗ ଓ ସମର୍ଥନ ପାଇଁ ଜେଲେନ୍ସ୍କି ବାଇଡେନ୍ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ବାଇଡେନ୍ଙ୍କୁ ୟୁକ୍ରେନକୁ ନିମନ୍ତ୍ରଣ କରିଛନ୍ତି। ସ୍ଥିତିରେ ସୁଧାର ଆଣିବା ନିମନ୍ତେ ବାଇଡେନ୍ଙ୍କ ୟୁକ୍ରେନ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଜେଲେନ୍ସ୍କି କହିଛନ୍ତି। ରୁଷିଆ ସହ ବିବାଦ ଘନେଇଥିବାବେଳେ ଜର୍ମାନ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ ସୋମବାର କ୍ୱି୍ଭ୍ରେ ପହଞ୍ଚିବା ପରେ ଜେଲେନ୍ସ୍କିଙ୍କୁ ଭେଟିଛନ୍ତି। ମଙ୍ଗଳବାର ଓଲାଫ୍ ସ୍କୋଲ୍ଜ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟି ଯୁଦ୍ଧ ସ୍ଥିତି ଟାଳିବାକୁ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଯୁଦ୍ଧ ଭୟରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଦେଶ ସେମାନଙ୍କ ଦୂତାବାସ କର୍ମଚାରୀଙ୍କୁ ଫେରି ଆସିବାକୁ କହିଥିବାବେଳେ ୟୁକ୍ରେନ ନ ଯିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଉଛନ୍ତି। ଆମେରିକା ପୂର୍ବରୁ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ କହିବା ସହ କ୍ୱିଭ୍ରେ ଥିବା ଦୂତାବାସ କର୍ମଚାରୀଙ୍କୁ ଫେରିଆସିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ବ୍ରିଟେନ, ଜର୍ମାନୀ, ଇଟାଲୀ, ଆୟର୍ଲାଣ୍ଡ, ବେଲଜିୟମ, ଲକ୍ସମବର୍ଗ, ନେଦରଲାଣ୍ଡ୍ସ, କାନାଡା, ନରୱେ, ଇଷ୍ଟୋନିଆ, ଲିଥୁଆନିଆ, ବୁଲଗେରିଆ, ସ୍ଲୋଭେନିଆ, ଅଷ୍ଟ୍ରେଲିଆ, ଜାପାନ, ଇସ୍ରାଏଲ୍, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ନିଜ ନିଜ ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଫଳରେ ସେଠାରେ ରହୁଥିବା ବିଦେଶୀ ନାଗରିକମାନେ ଏବେ ନିଜ ନିଜ ଦେଶ ମୁହାଁ ହୋଇଛନ୍ତି।
https://www.dharitri.com/there-may-be-changes-in-the-itr-slab/
ଆଇଟିଆର୍‌ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ ନୂଆଦିଲ୍ଲୀ,୧୮।୧: ଇନ୍କମ୍ ଟ୍ୟାକ୍ସ ରିଟର୍ନ (ଆଇଟିଆର୍) ସ୍ଲାବ୍ରେ ପରିବର୍ତ୍ତନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ୨୦୨୩ ସାଧାରଣ ବଜେଟ ଅଭିଭାଷଣରେ ଏ ନେଇ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି। ଫଳରେ ଦେଶର କରଦାତାଙ୍କୁ କିଛି ପରିମାଣରେ ଆଶ୍ବସ୍ତି ମିଳିବ ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସରକାର ୨୦୨୩-୨୪ ସାଧାରଣ ବଜେଟରେ ଆୟକର ଛାଡ଼ ସୀମା ୨.୫ ଲକ୍ଷରୁ ବଢ଼ି ୫ ଲକ୍ଷ କରିପାରନ୍ତି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ , ବର୍ତ୍ତମାନ ସମୟରେ ୨.୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ି ନ ଥାଏ। ଏପରିକି ୬୦ରୁ ୮୦ ବର୍ଷର ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ରହିଛି।
https://www.dharitri.com/will-nitishs-career-end-the-numbers-game-can-be-heavy/
ଶେଷ ହେବ କି ନୀତୀଶଙ୍କ କ୍ୟାରିୟର? ନମ୍ବର ଗେମ ପଡିପାରେ ଭାରି ପାଟନା,୨୬।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଣମାଧ୍ୟମ ରିପୋର୍ଟ ଏବଂ ନୀତୀଶଙ୍କ ରାଜନୈତିକ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ ସେ ପୁଣି ଥରେ ବାଜି ମାରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଦଳ ବଦଳାଇ ପୁଣି ଭାଜପା ସହ ଯାଇପାରନ୍ତି। କିନ୍ତୁ, ଏହି ଦୃଷ୍ଟିରୁ ବିହାର ରାଜନୀତି ବିଷୟରେ ଆଲୋଚନା କରାଯାଉ ନାହିଁ। ଏହି ସମୟର ‘ଚତୁରତା’ ନୀତୀଶଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ନ ହେଉ, ଯିଏ ପ୍ରତ୍ୟେକ ଥର ତାଙ୍କ ଚାଲାକିର ସଫଳତା ପ୍ରମାଣ କରିଛନ୍ତି। ସୂଚନାଯୋଗ୍ୟ, ବିହାରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଗଣିତ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ଏହା ପୂର୍ବରୁ ନୀତୀଶ କୁମାର ଯେତେଥର ପକ୍ଷ ପରିବର୍ତ୍ତନ କରିଛନ୍ତି ତାହାର କିଛି କାରଣ ରହିଛି। ତା’ପରେ ଅଲଗା ହୋଇ ସେ କହିଥିଲେ ଯେ ସହଯୋଗୀମାନଙ୍କ ସହିତ ତାଙ୍କ କାର୍ଯ୍ୟରେ ସମନ୍ବୟ ରକ୍ଷା କରିପାରିବେ ନାହିଁ। କିନ୍ତୁ, ଏଥର ତାହା ନୁହେଁ । ବାସ୍ତବରେ ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଆର୍ଜେଡି ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛି। ଅନ୍ୟପକ୍ଷରେ ବିଧାନସଭାର ବାଚସ୍ପତି ମଧ୍ୟ ବରିଷ୍ଠ ଆର୍ଜେଡି ନେତା ଅଭଦ ବିହାରୀ ଚୌଧୁରୀ। ଏଭଳି ପରିସ୍ଥିତିରେ ନୀତୀଶଙ୍କ ରାଜନୈତିକ ଇନିଂସ୍ ଏକ ଛୋଟ ଭୁଲ୍ ଦ୍ୱାରା ଅଡୁଆରେ ପଡ଼ିପାରେ। ନୀତୀଶଙ୍କ ରାଜନୈତିକ ଇନିଂସ୍ ବିଷୟରେ ଆଲୋଚନା କରିବା ପୂର୍ବରୁ ଜାଣିବା ବିହାର ବିଧାନସଭା ଚିତ୍ର ବିଷୟରେ। ରାଜ୍ୟର ୨୪୩ ସଦସ୍ୟବିଶିଷ୍ଟ ବିଧାନସଭାରେ ଏକ ସ୍ବଚ୍ଛ ସଂଖ୍ୟାଗରିଷ୍ଠତା ପାଇଁ ଯେକୌଣସି ମିଳିତ ମଞ୍ଚର ସଂଖ୍ୟା ୧୨୨ ଆବଶ୍ୟକ। ବର୍ତ୍ତମାନ ଆର୍ଜେଡି ହେଉଛି ବିଧାନସଭାର ସବୁଠାରୁ ବଡ଼ ଦଳ। ଏହାର ୭୯ଟି ସିଟ୍ ଅଛି । ନୀତୀଶ କୁମାରଙ୍କ ଜେଡିୟୁ ଅଲଗା ହୋଇଥିଲେ ମଧ୍ୟ ଗ୍ରାଣ୍ଡ ଆଲାଏନ୍ସ ୧୧୪ଟି ସିଟ୍ ସହିତ ରହିବ। କଂଗ୍ରେସରେ ୧୯ଟି ଆସନ, ସିପିଆଇ (ଏମ୍ଏଲ୍) ୧୨, ସିପିଆଇ ଦୁଇଟି ଏବଂ ସିପିଆଇ (ଏମ)ର ୧ଟି ଆସନ ଅଛି । ତାଙ୍କ ସହିତ ଏକ ସ୍ବାଧୀନ ବିଧାୟକ ମଧ୍ୟ ଅଛନ୍ତି । ଏହି ସମସ୍ତ ରାଶି ହେଉଛି ୧୧୪। ରାଜ୍ୟରେ ସରକାର ଗଠନ ପାଇଁ ଆର୍ଜେଡି କେବଳ ୮ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରେ।
https://www.dharitri.com/the-farmers-dream-has-not-come-true/
ସାକାର ହେଉନି ଚାଷୀଙ୍କ ସ୍ବପ୍ନ ବଇଣ୍ଡା,୩ା୪(ପରିକ୍ଷିତ ସାହୁ) ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ହସି ଉଠିବ ଜମି। ବର୍ଷ ସାରା ଫଳିବ ସୁନାର ଫସଲ। ଦୂର ହେବ ଚାଷୀଙ୍କ ଦୁରବସ୍ଥା। ଦୀର୍ଘବର୍ଷ ହେଲା ୫ଟି ଜଳସେଚନ ପ୍ରକଳ୍ପକୁ ନେଇ ଏପରି ସ୍ବପ୍ନ ଦେଖି ଆସୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀମାନେ। ହେଲେ ନିର୍ମାଣ ଆରମ୍ଭ ତ ଦୂରର କଥା ଏ ନେଇ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ବାରମ୍ବାର ସରକାରଙ୍କ ପକ୍ଷରୁ ସର୍ଭେ ଓ ବ୍ୟୟ ଅଟକଳ କରାଯାଉଥିଲେ ମଧ୍ୟ ପଦକ୍ଷେପ ସେତିକିରେ ଅଟକି ଯାଇଛି। ଫଳରେ ବ୍ଲକର ପ୍ରାୟ ୧୫ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରୁ ନ ଥିବାବେଳେ ଚାଷୀମାନଙ୍କ ସ୍ବପ୍ନ ସାକାର ହୋଇପାରୁ ନାହିଁ। ପ୍ରକାଶ ଯେ, କିଶୋରନଗର ବ୍ଲକର ବାମୁର ପଞ୍ଚାୟତରେ ସୁରେଶ୍ୱରୀ, ଆମ୍ବପାଳ ପଞ୍ଚାୟତରେ ରଜାମୁଣ୍ଡା, ବିଲେଇନାଳୀ ପଞ୍ଚାୟତରେ ଧଉରାଗୋଠ, ଝରାବେରେଣୀ ପଞ୍ଚାୟତରେ ଗଦଗଦା ଓ ନୁନୁକାପଶି ପଞ୍ଚାୟତରେ ଗୁମୁଖି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ପାଇଁ ୧୯୨୮ରେ ଆଠମଲ୍ଲିକ ରାଜା ଆଡିବନ୍ଧ ନିର୍ମାଣ କରିଥିଲେ। ୨୦୦୪ ମସିହାରେ ସରକାରଙ୍କ ପକ୍ଷରୁ ବାମୁର ପଞ୍ଚାୟତର ଚାନ୍ତିଆମ୍ବତଇଳାଠାରେ ଭୂମିପୂଜା କରାଯାଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ବାମୁର, ଧଉରାପାଲି, ଜଏରାଟ, ଓଷ୍କାପାଲି, ରଣିଆକଟା ଓ କଦଳୀମୁଣ୍ଡା ପଞ୍ଚାୟତର ୫ ହଜାର ୪୦୨ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିଥାନ୍ତା। କିନ୍ତୁ ସର୍ଭେରେ ହିଁ କାର୍ଯ୍ୟ ଅଟକି ଯାଇଛି। ସେହିପରି ଧଉରାଗୋଠ ପ୍ରକଳ୍ପ ନିର୍ମାଣ ପାଇଁ ୧୯୭୦ରେ ସରକାର ଚିନ୍ତା କରିଥିବାବେଳେ ୨୦୦୦ ମସିହା ପରଠାରୁ ବାରମ୍ବାର ସର୍ଭେ କରାଯାଇଛି। ୧୯୯୮ ଓ ୨୦୦୮ରେ ବ୍ୟୟ ଅଟକଳ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ହୋଇପାରିଥିଲେ ଆଠମଲ୍ଲିକ ବ୍ଲକର ପେଡିପଥର, କୃତ୍ତିବାସପୁର, କୁରୁମଟାପ, ଠାକୁରଗଡ଼, କିଶୋରନଗର ବ୍ଲକର ଲୁହାମୁଣ୍ଡା, ଗାଁବଇଣ୍ଡା, ବିଲେଇନାଳୀ ପଞ୍ଚାୟତର ୬ ହଜାର ୨ଶହ ହେକ୍ଟର ଜମିକୁ ପାଣି ମାଡ଼ିଥାନ୍ତା। ସେହିପରି ନୁନୁକାପଶି ପଞ୍ଚାୟତର ଗୁମୁଖି ନାଳ ଉପରେ ଜଳସେଚନ ପ୍ରକଳ୍ପ ହୋଇଥିଲେ ୬୫୯ ହେକ୍ଟର ଜମିକୁ ଜଳ ମାଡ଼ିପାରିଥାନ୍ତା। ୨୦ ବର୍ଷ ଧରି ଦାବି ପରେ ଗତ ଫେବୃୟାରୀ ୨୮ ତାରିଖରେ ଏଥିପାଇଁ ସର୍ଭେ କରାଯାଇଛି। ଆମ୍ବପାଳ ପଞ୍ଚାୟତର ରଜାମୁଣ୍ଡା ନାଳ ଉପରେ ଜଳସେଚନ ପ୍ରକଳ୍ପ ପାଇଁ ୧୯୯୯ ଠାରୁ ଦାବି କରାଯାଉଛି। ଏହି ପ୍ରକଳ୍ପ ଯୋଗୁ ୯୮୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ସେହିପରି ଝରାବେରେଣୀ ପଞ୍ଚାୟତର ଗଦଗଦା ନାଳ ଉପରେ ପ୍ରକଳ୍ପ ନିର୍ମାଣ ପାଇଁ ୨୦୦୫ରୁ ଦାବି କରାଯାଉଛି। ଏଥିଯୋଗୁ ଝରାବେରେଣୀ, ଧଡ଼ରପାଳ ଓ ହିମିତିରା ପଞ୍ଚାୟତର ୨୨୫୬ ହେକ୍ଟର ଜମିକୁ ଜଳ ଯାଇପାରିଥାନ୍ତା। କିନ୍ତୁ ବାରମ୍ବାର ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଉପରୋକ୍ତ ୫ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ମରୁଡ଼ିର ସମ୍ମୁଖୀନ ହେଉଛୁ ରାଜାଙ୍କ ସମୟରୁ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀମାନେ ସ୍ବପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଉ ନାହିଁ। ଜମିକୁ ଆବଶ୍ୟକ ପାଣି ମିଳୁ ନ ଥିବାରୁ ମରୁଡ଼ିର ସମ୍ମୁଖୀନ ହେଉଛୁ। -ତୀର୍ଥବାସୀ ଭୋଇ, ଜୀବନଜୀବିକା କମିଟି ସଦସ୍ୟ ଶୀଘ୍ର ପ୍ରକଳ୍ପ ନିର୍ମାଣ କରାଯାଉ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୫୦ ବର୍ଷ ତଳେ ସରକାର ଚିନ୍ତା କରିଥିଲେ। ଏଥିପାଇଁ ପରିବେଶ ମଞ୍ଜୁରୀ ମିଳିସାରିଛି। ପଲ୍ଲିସଭାରେ ବିରୋଧ ଯୋଗୁ କାର୍ଯ୍ୟ ଆଗେଇପାରୁ ନାହିଁ। ସରକାର ଶୀଘ୍ର ନିର୍ମାଣ ଦିଗରେ ପଦକ୍ଷେପ ନିଅନ୍ତୁ। -ଭଗବାନ ସାହୁ, ସଭାପତି, ଧଉରାଗୋଠ ଜଳସେଚନ କମିଟି କେବଳ ସରକାରଙ୍କ ନିର୍ବାଚନୀ ଘୋଷଣା କିଶୋରନଗର ବ୍ଲକରେ ୫ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲେ କୃଷି ଓ କୃଷକଙ୍କ ବିକାଶ ହୋଇଥାନ୍ତା। କିନ୍ତୁ ଭୋଟ ହାତେଇବା ପାଇଁ ସରକାର ଏପରି ଘୋଷଣା କରି ନୀରବ ରହିଯାଉଛନ୍ତି। ତୁରନ୍ତ ଏସବୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉ। -ଭାଗୀରଥି ପ୍ରଧାନ, ଭାଜପା ନେତା ସରକାର ତତ୍ପର ଅଛନ୍ତି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ତତ୍ପର ଅଛନ୍ତି। ଧଉରାଗୋଠ ପାଇଁ ପଲ୍ଲିସଭା ବାଧକ ସାଜିଛି। ସୁରେଶ୍ୱରୀ ପାଇଁ ପରିବେଶ ମଞ୍ଜୁରୀ ମିଳିନି। ପୁଣିଥରେ ପଲ୍ଲିସଭା କରାଯିବାକୁ ପ୍ରସ୍ତୁତି ହେଉଛି। ପରିବେଶ ଅନୁମତି ଆବେଦନ କରାଯାଇଛି। -ରମେଶ ଚନ୍ଦ୍ର ସାଏ, ବିଧାୟକ ଚାଷ କାର୍ଯ୍ୟ ଆଗେଇପାରୁନି ଜମିକୁ ପାଣି ମିଳୁନି। ଦରକାର ବେଳେ ବର୍ଷା ହେଉନି। ତେଣୁ ଚାଷ କାର୍ଯ୍ୟ ଆଗେଇପାରୁ ନାହିଁ। ୩୦ ବର୍ଷ ହେଲା ପ୍ରକଳ୍ପ ହେବ ବୋଲି ଶୁଣିଆସୁଛୁ। ଶିଳ୍ପ ଉପରେ ସରକାର ଧ୍ୟାନ ଦେଉଥିବା ବେଳେ କୃଷି କ୍ଷେତ୍ର ପ୍ରତି ଅବହେଳା କରୁଛନ୍ତି। -ଫୁଲ ପ୍ରଧାନ, ଚାଷୀ ଅଗ୍ରଗତି ପାଇଁ ଅବଗତ କରାଯିବ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପ୍ରତିଟି ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ତୁରନ୍ତ କିଭଳି ଏହି ପ୍ରକଳ୍ପଗୁଡ଼ିକର କାମ ଅଗ୍ରଗତି ହେବ ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। -ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ
https://www.dharitri.com/the-much-awaited-film-kisi-ka-vai-kisi-ki-jaan-teaser-release/
ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ରିଲିଜ୍‌ ଶେଷରେ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟିଜର ମୁକ୍ତିଲାଭ କରିଛି। ଟିଜର୍କୁ ଦର୍ଶକ ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ଫିଲ୍ମ ଟିଜରରେ ସଲମାନ୍ ଜଣେ ଦକ୍ଷିଣ ଫିଲ୍ମର ହିରୋ ପରି ଦେଖାଯାଉଛନ୍ତି। ଦକ୍ଷିଣ ଭାରତୀୟ ପୋଷାକରେ ସଲମାନଙ୍କ ଲୁକ ଚମତ୍କାର ଦେଖାଯାଉଛି। ଆକ୍ସନ ହାଇ-ଭୋଲଟେଜ ‘କିସି କା ଭାଇ କିସି କି ଜାନ’ର ଟିଜର ୧ ମିନିଟ ୪୩ ସେକେଣ୍ଡର ରହିଛି। ଏ ଅଭିନେତ୍ରୀ ପୂଜା ହେଗଡେ ଏବଂ ସାଉଥ ସୁପରଷ୍ଟାର ଭେଙ୍କଟେଶ ଦଗୁବତୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ଟିଜରରୁ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ, ଏହି ଫିଲ୍ମଟି ଆକ୍ସନ, କମେଡି ଏବଂ ରୋମାନ୍ସର ଭରପୂର। ସଲମାନ ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଅନ୍ତିମ୍’ ରେ ଦେଖିବାକୁ ମିଳିଥିଲା। ‘କିସି କା ଭାଇ ଭାଇ କିସି କି ଜାନ’ର ଟିଜର ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଫିଲ୍ମ ଏପ୍ରିଲ ୧, ୨୦୨୩ ଅର୍ଥାତ୍ ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
https://www.dharitri.com/congress-unable-to-digest-pm-modis-popularity-anurag-thakur/
ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ହଜମ କରିପାରୁନି କଂଗ୍ରେସ: ଅନୁରାଗ ଠାକୁର ନୂଆଦିଲ୍ଲୀ,୧।୬: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହଜମ କରିପାରୁନାହିଁ। ଏଥିସହ ସହ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ତାଙ୍କ ବିଦେଶ ଗସ୍ତ ସମୟରେ ସମଗ୍ର ଦେଶକୁ ଅପମାନ କରୁଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଭାରତ ହେଉଛି ବିଶ୍ୱର ଆଶା ଏବଂ ବିକାଶର ପ୍ରତୀକ। ଭାଜପା ନେତା କହିଛନ୍ତି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ’ ବୋଲି କହିଛନ୍ତି। ଏଥି ସହ ଇଟାଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁନିଆର ସବୁଠାରୁ ପ୍ରିୟ ନେତା ବୋଲି କହିଛନ୍ତି। ଅନ୍ୟ ବିଶ୍ୱ ନେତାମାନେ ମଧ୍ୟ ମୋଦିଙ୍କ ନେତୃତ୍ୱକୁ ସମ୍ମାନ କରନ୍ତି। କଂଗ୍ରେସ ଏହାକୁ ହଜମ କରିବାକୁ ସକ୍ଷମ ନୁହେଁ ଏବଂ ପ୍ରଥମେ ବ୍ରିଟେନରେ ଏବଂ ବର୍ତ୍ତମାନ ଆମେରିକାରେ ମୋଦିଙ୍କୁ ଅପମାନିତ କରୁଛନ୍ତି।
https://www.dharitri.com/development-is-stalled-2/
ପ୍ରତିଶ୍ରୁତିରେ ଅଟକିଛି ବିକାଶ ଭଦ୍ରକ ଅଫିସ,୧୨।୨: ପ୍ରତିଶ୍ରୁତିରେ ଅଟକିଛି ଘାଟ ଓ ପୋଲର ବିକାଶ। କେବଳ ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତି ହିଁ ସାର। ନିର୍ବାଚନ ସରିଲେ ଘାଟର ଅବସ୍ଥା କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। କେଉଁଠି ଦଉଡ଼ିରେ ବନ୍ଧା ଯାତ୍ରୀଙ୍କ ଜୀବନ ତ ଆଉ କେଉଁଠି ଆପ୍ରୋଚ୍ ରୋଡ୍ ନ ଥିବା ଯୋଗୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ଲୋକଙ୍କ କାମରେ ଆସୁନି। ଭଦ୍ରକ ଜିଲା ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ଏଭଳି ସମସ୍ୟା ଲାଗି ରହିଛି। ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ମନ୍ତେଈ ନଦୀର ଚାରବାଟିଆ ଘାଟ ତିହିଡ଼ି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ଯୋଗାଯୋଗ କରୁଛି। କିନ୍ତୁ ଏଠାରେ ପୋଲ ନ ଥିବା ଯୋଗୁ ଚାନ୍ଦବାଲିକୁ ବାସୁଦେବପୁର ଓ ତିହିଡ଼ି, ଚୌଧୁରୀ ଘାଟରେ ପୋଲ ନ ଥିବାରୁ ଧାମରାକୁ ଚାନ୍ଦବାଲି ଯୋଗାଯୋଗ ହୋଇପାରୁ ନାହିଁ। ଏହି ନଦୀର ମାଟିଆସାହି ଘାଟଠାରେ ପୋଲ ନିର୍ମାଣ ସତ୍ତ୍ୱେ ଆପ୍ରୋଚ୍ ରୋଡ୍ ନ ଥିବା କାରଣରୁ ବାସୁଦେବପୁର-ତିହିଡ଼ି ବ୍ଲକକୁ ଯୋଗାଯୋଗ ହୋଇପାରୁ ନାହିଁ। ଦୋହରାସାହି ଘାଟରେ ଅନୁରୂପ ସମସ୍ୟା। ସେହିଭଳି ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଞ୍ଚୁଟିକିରି ଘାଟରେ ଜୁଆରିଆ ବୈତରଣୀ, ମନ୍ତେଈ ଓ ବ୍ରାହ୍ମଣୀ ନଦୀ ପାଣିରେ ଲୋକେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି। ଏଠାରେ କୁମ୍ଭୀର ଭୟ ସଦାସର୍ବଦା ଲାଗି ରହିଛି। ଏପରିକି ବିଗତ ବର୍ଷଗୁଡ଼ିକରେ କୁମ୍ଭୀର ମୁହଁରେ ୪ରୁ ୫ ଜଣଙ୍କ ଜୀବନ ଯାଇଥିବା ନଜିର ରହିଛି। ଅନୁରୂପ ତିନିତର ଘାଟରେ ପୋଲ ନାହିଁ। ଏଥିଯୋଗୁ ଚାନ୍ଦବାଲି, ଆରଡ଼ି ଓ କେନ୍ଦ୍ରାପଡ଼ା ସହ ଯୋଗାଯୋଗ ହୋଇପାରୁ ନାହିଁ। ଫଳରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଆରଡ଼ିକୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଭଳି ସମସ୍ୟା ସତ୍ତ୍ୱେ ଜିଲା ପ୍ରଶାସନ ସମସ୍ତ ଘାଟର ବିକାଶ ଦିଗରେ ପଦକ୍ଷେପ ନେଉନାହିଁ। ଅନ୍ୟପକ୍ଷେ ରାଜନୈତିକ ନେତୃବୃନ୍ଦଙ୍କ ଇଚ୍ଛାଶକ୍ତି ଅଭାବରୁ ପୋଲ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏପରିକି ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ନିକଟରେ ଲୋକେ ନିର୍ବାଚନ ପ୍ରଚାର ବେଳେ ବିଧାୟକଙ୍କୁ ଘେରିଯାଇ ପ୍ରତିବାଦ ଜଣାଇଥିଲେ। କେବଳ ନିର୍ବାଚନ ଆସିଲେ ରାଜନେତାମାନେ ସଭା ସମିତିରେ ପୋଲ ନିର୍ମାଣ ଏପରିକି ଫଳକ ବସାଇ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଟେଣ୍ଡର ପ୍ରକ୍ରିୟା ସରିଛି, ଖୁବ୍ଶୀଘ୍ର ବିଭିନ୍ନ ଘାଟର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
https://www.dharitri.com/engagement-ring-3/
ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ଶିଳ୍ପା, ମୂଲ୍ୟ ଜାଣିଲେ ନିର୍ବନ୍ଧ ମୁଦିକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଶିଳ୍ପା ଶେଟ୍ଟୀ ଅନ୍ୟତମ। ବଲିଉଡର ଗ୍ଲାମର ଅଭିନେତ୍ରୀ କୁହାଯାଉଥିବା ଶିଳ୍ପା ମଧ୍ୟ ତାଙ୍କ ନିର୍ବନ୍ଧରେ ଏକ ମହଙ୍ଗା ରିଙ୍ଗ ପିନ୍ଧିଥିଲେ। ୨୦୦୯ରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ବିବାହ ହୋଇଥିଲା। ନିର୍ବନ୍ଧ ସମୟରେ ରାଜ୍ ଶିଳ୍ପାଙ୍କୁ ୨୦ କ୍ୟାରେଟ ସଲିଟାରି ରିଙ୍ଗ ପିନ୍ଧାଇଥିଲେ। ଯାହାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
https://www.dharitri.com/yogi-issues-population-2021-30-policy/
ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି… ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆୟୋଜିତ ଏକ ଉତ୍ସବରେ ଏହା ଜାରି ହୋଇଛି। ପ୍ରତି ସ୍କୁଲରେ ହେଲଥ୍ କ୍ଲବ୍ ସ୍ଥାପନା କରାଯିବା ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ପ୍ରଥମେ ଲୋକଙ୍କୁ ସାକ୍ଷର କରିଥିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟର ବିକାଶରେ ଜନସଂଖ୍ୟା ବାଧକ ହୋଇଥିବା ଯୋଗୀ କହିଛନ୍ତି। ଏନେଇ ସଚେତନା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ବିରୋଧ କରି ଏସ୍ବିଏସ୍ପି ପକ୍ଷରୁ ଓମ୍ ପ୍ରକାଶ ରାଜଭର କହିଛନ୍ତି ଯେ, ଯୋଗୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପଥ ଅନୁସରଣ କରୁଛନ୍ତି। ଏହି ନୀତି ଅଣାଯିବା ପୂର୍ବରୁ ଳୋକଙ୍କୁ ଶିକ୍ଷିତ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ସନ୍ତାନ ପ୍ରସବ କଲେ ୬ ହଜାର ଟଙ୍କା ଦେଉଛନ୍ତି। ଅପରପକ୍ଷରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କଲେ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏପରିସ୍ଥଳେ ରାଜ୍ୟବାସୀ ଅଧିକ ଟଙ୍କା ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ସେ କହିଛନ୍ତି।
https://www.dharitri.com/anand-bazar-lakke-rate-chart-unserviceable/
ଆନନ୍ଦ ବଜାରରେ ଲାଗିବ ରେଟ୍‌ ଚାର୍ଟ: ହଟିବେ ଅଣସେବାୟତ
https://www.dharitri.com/kandhamals-new-district-magistrate/
କନ୍ଧମାଳର ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ ଫୁଲବାଣୀ ଅଫିସ,୨୩ା୬: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବିଦାୟୀ ଜିଲାପାଳ ଡା.ବୃନ୍ଦା ଡିଙ୍କଠାରୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପୂର୍ବରୁ ପାଟିଲ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୌଜନ୍ୟମୂଳକ ପରିଦର୍ଶନରେ ଯାଇଥିଲେ ା ସେଠାରୁ ଆସି ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପାଟିଲଙ୍କ ଜନ୍ମସ୍ଥାନ ମହାରାଷ୍ଟ୍ରରେ ା ନିଜର କର୍ମସ୍ଥଳୀ ଓଡିଶାକୁ ଦ୍ୱିତୀୟ ଘର ବୋଲି ସେ କହିଛନ୍ତି। ଓଡିଶାର ସଂସ୍କୃତି ପରମ୍ପରା ତାଙ୍କୁ ବେଶ ଆକୃଷ୍ଟ କରିଛି ା ଜିଲାବାସୀଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର, ଜିଲାର ସର୍ବାଙ୍ଗୀନ ଉନ୍ନତି ଏବଂ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେବେ ବୋଲି ପାଟିଲ ଏହି ଅବସରରେ ପ୍ରକାଶ କରିଛନ୍ତି।
https://www.dharitri.com/water-cannon-for-farmers/
ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ପାଣି ମାଡ଼ ନୂଆଦିଲ୍ଲୀ, ୩।୧୦: ପଞ୍ଜାବ ଓ ହରିୟାଣାରୁ ଧାନ କିଣିବା ଲାଗି ନିଷ୍ପତ୍ତି ନେବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାରଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେତେଜଣ ଚାଷୀ ଟ୍ରାକ୍ଟରରେ ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ସେମାନେ ପୋଲିସ ବାରିକେଡ୍ ଭାଙ୍ଗି ଗେଟ୍ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପାଣି ମାଡ଼ କରିଛି। ପଞ୍ଜାବ ଓ ହରିୟାଣାରେ ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ୧ରୁ ଧାନ କିଣା ଆରମ୍ଭ ହୋଇଥାଏ। ତେବେ ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଚାଷୀମାନଙ୍କ ଆନ୍ଦୋଳନ ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟାର ଏବଂ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ମଧ୍ୟରେ ବୈଠକ ପରେ ରବିବାରଠାରୁ ଧାନ କିଣାଯିବ ବୋଲି ଘୋଷଣା କରାଯାଇଛି।
https://www.dharitri.com/sheikh-rashid-pakistan-rail-minister-threats-india-to-use-atom-bomb-in-war-imran-khan/
ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ ଇସଲାମାବାଦ,୨୧।୮: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ଅଜବ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ସେ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଆଣବିକ ଅସ୍ତ୍ର ବହୁତ ଛୋଟ ଏବଂ ସିଦ୍ଧ। ଯାହା ମୁସଲମାନଙ୍କ ଜୀବନ ରକ୍ଷା କରି ଅନ୍ୟ ଭାରତୀୟଙ୍କୁ ଟାର୍ଗେଟ କରିବାର କ୍ଷମତା ରଖିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଯଦି ଦୁଇ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବ ତେବେ ପକିସ୍ତାନ ହିଁ ଜିତିବ। କାରଣ ଆମ ପାଖରେ ଛୋଟ ଅସ୍ତ୍ର ଅଛି ଯାହା ବଡ କାମ କରିବାରେ ସହାୟକ ହେବ। ଏହାପୂର୍ବରୁ ତାଙ୍କ ପାଖରେ ୧୫୦ ଗ୍ରାମର ପରମାଣୁ ବମ୍ ଥିବା କଥା କହି ଟ୍ରୋଲ୍ ହୋଇସାରିଛନ୍ତି ରଶିଦ। ଏହାପୂର୍ବରୁ ଇମ୍ରାନ ସରକାରର ଅନେକ ମନ୍ତ୍ରୀ ମଧ୍ୟ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଆସିଛନ୍ତି।
https://www.dharitri.com/ହିଙ୍ଗୁଳା-ଲୋକ-ମହୋତ୍ସବର-୭ମ/
ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର, ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପଣ୍ଡା, ଚାଇଁପାଳସ୍ଥିତ ସେସୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀ, ସେସୁର ଏସ୍ଡିଓ ମନୋଜ କୁମାର ପାଣି, ତାଳଚେର ଅଗ୍ନିଶମ ଅଧିକାରୀ ତାରାଚାନ୍ଦ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ଶଙ୍କର ବାଇଙ୍କ ନିର୍ଦ୍ଦେଶନାରେ ତାଳଚେରର ନୃତ୍ୟ ଅନୁଷ୍ଠାନ ଶଙ୍କର ନୃତ୍ୟାୟନ, ଅନୀତା ରାଜଗୁରୁଙ୍କ ନିର୍ଦ୍ଦେଶନାରେ ଡଅଁରାର କଳା ବିକାଶ କେନ୍ଦ୍ର, ଗୁରୁ କହ୍ନେୟା ସିଂଙ୍କ ନିର୍ଦ୍ଦେଶନାରେ ଦି କାର୍ନିଭାଲ ଗ୍ରୁପ, ଗୁରୁ ବିବେକ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପୁରୀର ଚାରୁ ନର୍ତ୍ତନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଗୁରୁ ରାଜେଶ ରାୟଙ୍କ ଦିଗଦର୍ଶନରେ ପୁରୀର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଏହି ଅବସରରେ ସମସ୍ତ ନୃତ୍ୟାନୁଷ୍ଠାନର ଗୁରୁ ଓ କଳାକାର, ଗଡ଼ସନ୍ତ୍ରୀ ବାଦିଦଣ୍ଡ ଦଳର ମ୍ୟାନେଜର ସୁଜିତ୍ ମାଝି, ଲକେଇପଶି ବାଦିଦଣ୍ଡ ଦଳର ମ୍ୟାନେଜର ବିଜୟ କୁମାର ବେହେରା, ଓଡ଼ିଶାର ସୁନାମଧନ୍ୟ ଗାୟକ ପ୍ରଫେସର ସୁକାନ୍ତ କୁଣ୍ଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
https://www.dharitri.com/ବିଏମ୍‌ସି-କମିଶନରଙ୍କ-ନିର୍ଦ/
ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା : ପୂଜା ପୂର୍ବରୁ ରାସ୍ତା ସ୍ଥିତି ଏମିତି ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବେ। ଆଉ ମାତ୍ର ୭ ଦିନ ପୂଜା ହେବାକୁ ବାକି ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପୂଜା ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। କେଉଁଠି ରାସ୍ତାରେ ବଡ ବଡ ଖାଲ ତ ଆଉ କେଉଁଠାରେ ନାଲିମାଟି ପଡିଛି। କେଉଁଠି ପଚପଚ କାଦୁଅ ତ ହେଉଁଠି ମଇଳା ପାଣି ଲହଡି ଭାଙ୍ଗୁଛି। ଏପରିକି ଉକ୍ତ ରାସ୍ତାରେ ଯାନାବାହନରେ ଯାତାୟାତ କରିବା ତ ଛାଡ ଚାଲି ଚାଲି ଯିବାକୁ ବି ଡର ଲାଗୁଛି। ଗଛ କଟାଯିବା ତ ଦୂରର କଥା ଡ୍ରେନରୁ ମଇଳା ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପୂଜା ମଣ୍ଡପ ସହ ହୋଇଥିବା ବୈଠକରେ ମା’ଙ୍କ ପୂଜା ପୂର୍ବରୁ ସମସ୍ତ ପୂଜା ମଣ୍ଡପ ବୁଲିବା ସହ ସମସ୍ତ ସମସ୍ୟାର ତଦାରଖ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଏଥିପାଇଁ ବିଏମ୍ସିରେ କାର୍ଯ୍ୟରତ ଅଧିକାରୀ ଓ ଇଞ୍ଜିନିୟରମାନେ ଏକ ଦଳ ଗଠନ କରି କ୍ଷେତ୍ର ପରିଦର୍ଶନରେ ଯିବେ। ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ମରାମତି କାମ ଶେଷ କରାଯିବ ବୋଲି କମିଶନର ଚୌଧାରୀ କହିଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ପୂଜା ପୂର୍ବରୁ କାମ ସରିପାରିବ ନାହିଁ ବୋଲି ଦେଖିବାକୁ ମିଳୁଛି। ପୂଜା ମଣ୍ଡପଗୁଡିକୁ ସବୁପ୍ରକାର ସୁବିଧା ଦେବା ଲାଗି ବିଏମ୍ସି ଗୁରୁତ୍ୱାରୋପ କରୁଛି ବୋଲି କମିଶନର କହିଥିଲେ। ହେଲେ ଏଠାରେ କିନ୍ତୁ ସମ୍ପୂର୍ଣ୍ଣ ବି ପରୀତ ଚିତ୍ର ଦେଖିବାକୁ ମିଳୁଛି।
https://www.dharitri.com/ବଜ୍ରପାତରେ-୨୭-ଗୋରୁ-୯-ମେଣ୍ଢ/
ବଜ୍ରପାତରେ ୨୭ ଗୋରୁ, ୯ ମେଣ୍ଢା ମୃତ ଦିଗପହଣ୍ଡି/ପାତ୍ରପୁର,୯ା୬ (ଡି.ଏନ.ଏ.) -ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତରେ ୨୭ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବାଲିବାଡ ଗଁା ନିକଟରେ ଶନିବାର ବଜ୍ରପାତରେ ୧୪ ବଳଦ, ୨ ଗାଈ ଓ ଗୋଟିଏ ବାଛୁରିର ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖି ପ୍ରଭାବରେ ଝଡତୋଫାନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଗାଁ ନିକଟ ଏକ ପଣସ ଗଛ ମୂଳରେ ଅରଖପଦା ଗାଁର ନିରଞ୍ଜନ ଶବର, ଘାସି ଶବର, ବବିନା ଶବର, ଗାଙ୍ଗିନି ଶବର, ସନିଆ ଶବର, ରାମଚନ୍ଦ୍ର ଶବର, ପୁନି ଶବର, ବାଲାଜୀ ଶବର, ସେଡେଙ୍ଗ ଶବର ଏବଂ ବାଲିବାଡ ଗାଁର ହାଡିଆ ଦଳେଇ, ମୋହନ ଦଳେଇ, ଲୁଲା ନାୟକ, ଜୁରିଆ ନାୟକ ଓ ସମ୍ଭାରୁ ନାୟକଙ୍କ ବଳଦ, ଗାଈ ଓ ବାଛୁରୀ ଥିବା ବେଳେ ବଜ୍ରପାତ ଘଟିଥିଲା। ଘଟଣାସ୍ଥଳରେ ୧୭ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦିଆଯିବା ସହ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଅବଗତ କରାଯାଇଛି। ସେହିପରି ପାତ୍ରପୁରର ପଦାଦିଗୀ ବଗୀ ନଦୀ ନିକଟରେ ଚରୁଥିବା ୧୦ ଗୋରୁଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଗୋରୁ ଗୁଡିକ ମଧ୍ୟରେ ମର୍ଦ୍ଦରାଜପୁର ଗ୍ରାମ ରାଜେନ୍ଦ୍ର ପ୍ରଧାନଙ୍କ ୫ ଗାଈ, ଘନ ପ୍ରଧାନଙ୍କ ୨ ଗାଈ ଓ ଗୋଟିଏ ବାଛୁରୀ ଓ କେଲୁଆ ଗ୍ରାମର ଗୋପାଳ ପ୍ରଧାନଙ୍କ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ଥିବା ଜଣା ପଡିଛି। ମଧୁପଲୀ ପଞ୍ଚାୟତସ୍ଥିତ ସୁନାରୀ ବୁଗୁଡ଼ା ଗ୍ରାମର ଏକ ଆମ୍ବ ତୋଟାରେ ୨୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢା ରହିଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ୯ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ୭ଟି ମେଣ୍ଢା ଓ ଛେଳି ଆହତ ହୋଇଥିଲେ। ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ନରେଶ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚତ୍ ଆହତ ମେଣ୍ଢା ଓ ଛେଳିମାନଙ୍କୁ ଚିିକିତ୍ସା କରିଥିଲେ। କେ. ଅରକ୍ଷିତ ପାତ୍ରଙ୍କ ଗୋଟିଏ, ଡି. କାଳୁ ପାତ୍ରଙ୍କ ୩, ଦଣ୍ଡ ପାତ୍ରଙ୍କ ୨, କେ. ଜଗନ୍ନାଥ ପାତ୍ରଙ୍କ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
https://www.dharitri.com/no-time/
ସମୟ ନାହିଁ ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ କରାଇବାରେ ଦାୟୀ ସବୁ ବିଷୟଗୁଡ଼ିକ ଉପରେ ପଦକ୍ଷେପ ନେବା ସହ ଏଗୁଡ଼ିକୁ ଶେଷ କରିବାକୁ ଆହ୍ବାନ ଦେଇଛନ୍ତି। ନିକଟରେ ଆଫ୍ରିକାର ବୁର୍କିନାଫାସୋର ୧୨ରୁ ୧୪ ବର୍ଷର ପିଲାଙ୍କ ଅଣସଂଗଠିତ ସେନା ପ୍ରାୟ ଏକ ଗ୍ରାମରେ ପ୍ରବେଶ କରି ସ୍ତ୍ରୀ ଲୋକ ଏବଂ ପିଲାଙ୍କ ସମେତ ୧୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କଲେ। କେତେକ ଜାଗାରେ ଏହିଭଳି ଯୁବବାହିନୀ ଧର୍ମ ନାମରେ ରକ୍ତର ସମୁଦ୍ର ବୁହାଉଥିବାବେଳେ ଅନ୍ୟ କେତେକ ଜାଗାରେ ଜାତିଗତ ବିଦ୍ୱେଷକୁ ନେଇ ହତ୍ୟା ରଚୁଛନ୍ତି। ଏ ସମ୍ପର୍କରେ ଜାତିସଂଘରେ ନିକଟରେ ଉଦବେଗ୍ ପ୍ରକାଶ ପାଇଛି। ଭାରତର ବହିର୍ବ୍ୟାପାର ସଚିବ ତାଙ୍କ ଭାଷଣରେ ଏହାର ପ୍ରତିକାର ସମ୍ପର୍କରେ କହିଛନ୍ତି ଯେ, ଏହିସବୁ ବିଷୟଗୁଡ଼ିକୁ ଧ୍ୟାନ ଦେଇ ଶିଶୁମାନଙ୍କ ସୁରକ୍ଷା ସହ ଆତଙ୍କବାଦକୁ ରୋକିବା ପାଇଁ ଏକ ସମନ୍ବିତ ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ। ସେହିଭଳି ଅନ୍ୟ ଦେଶ ନେତାମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହି ବିରାଟକାୟ ସମସ୍ୟାର ସମାଧାନ ଦିଗରେ କୌଣସି ଦେଶ ତରଫରୁ ବିଧିବଦ୍ଧ ପ୍ରସ୍ତାବ ଆସିଥିବା ଖବର ପଢ଼ିବାକୁ ମିଳିନାହିଁ। ଧର୍ମ କିମ୍ବା ଅନ୍ୟ କୌଣସିଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦାରିଦ୍ର୍ୟ। ଖାଦ୍ୟ ପାଉ ନ ଥିବା ଶିଶୁ ଏହିଭଳି ଗ୍ୟାଙ୍ଗ୍ ବା ସେନାରେ ସାମିଲ ହେବା ପାଇଁ ଆକର୍ଷିତ ହେଉଛନ୍ତି। ନିଜ ମୁଣ୍ଡରୁ ବୋଝ ଦୂର କରିବାକୁ ଯାଇ ମାତାପିତା ମଧ୍ୟ ପିଲାମାନଙ୍କୁ ଏଥିରେ ଯୋଗ ଦେବାକୁ ବାରଣ କରୁନାହାନ୍ତି। ଉତ୍ତରପ୍ରଦେଶରେ ପିଲାମାନେ ଗାଲିଚା ଶିଳ୍ପରେ କାମ କଲା ପରି ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କରିବାଟା ଏକ ଶିଳ୍ପରେ ପରିଣତ ହୋଇଗଲାଣି। ଆଜିର ଦୁନିଆରେ ଶିଶୁଶ୍ରମିକମାନଙ୍କର ଅଭାବ ଥିଲା ଭଳି ମନେହେଉନାହିଁ। ଏଭଳି ସ୍ଥଳେ ଏହି ପିଲାମାନଙ୍କ ପ୍ରତି ଦୟା ଓ ମମତା ପୋଷଣ କରିବା ସହିତ ସେମାନଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତି କରାଇବାର ଦାୟିତ୍ୱ ସମଗ୍ର ପୃଥିବୀ ଉପରେ ପଡ଼ିଛି। ତେବେ ପୃଥିବୀର ସମୟ ନାହିଁ ଏହି ଭବିଷ୍ୟତ ପିଢ଼ିର କଥା ଚିନ୍ତା କରିବାକୁ।
https://www.dharitri.com/୧୭୨-ଦେଶ-ଗୋଟିଏ-ଦିନରେ-କରିବେ/
୧୭୨ ଦେଶ ଗୋଟିଏ ଦିନରେ କରିବେ ଯୋଗ ନୂଆଦିଲ୍ଲୀ,୧୩।୬: ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ କିଛି ମୁସଲିମ୍ ଦେଶ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତେବେ ବିଦେଶରେ ଯୋଗ ଦିବସରେ ହେଉଥିବା ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକ ଭାରତୀୟ ଦୂତାବାସରେ ଅନୁଷ୍ଠିତ ହେବ। ଏହାସହ ଅନ୍ୟ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ବିଭିନ୍ନ ସଙ୍ଗଠନର ସହାୟତାରେ ଅନୁଷ୍ଠିତ ହେବା ଯୋଜନା ରହିଛି।
https://www.dharitri.com/india-sri-lanka-final-2/
ଭାରତ-ଶ୍ରୀଲଙ୍କା ଫାଇନାଲ କଲମ୍ବୋ,୧୫ା୯: ଏସିଆ କପ୍ ଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଶ୍ରୀଲଙ୍କା। ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ବର୍ଷା କାରଣରୁ ମ୍ୟାଚ୍ଟି ୪୨ ଓଭର ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଉଇକେଟ ହରାଇ ୨୫୨ ରନ୍ କରିଥିଲା। ଡର୍କଓ୍ବର୍ଥ ଲୁଇସ୍ ନିୟମରେ ୨୫୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଶ୍ରୀଲଙ୍କା ୮ ଉଇକେଟ ହରାଇ ଅନ୍ତିମ ବଲ୍ରେ ଜିତିଥିଲା। ଟସ୍ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ଅପରାଜିତ ୮୬ ରନ୍ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ୍ଲା ଶଫିକ୍ ୫୨ ଓ ଇଫତିଖାର ଅହମଦ ୪୭ ରନ୍ କରିଥିଲେ। ପାକିସ୍ତାନ ୧୩୦ ରନ୍ରେ ୫ ଖେଳାଳିଙ୍କ ଉଇକେଟ ହରାଇବା ପରେ ଟପ୍ ସ୍କୋରର ମହମ୍ମଦ ରିଜଓ୍ବାନ (୮୬* ରନ) ଓ ଇଫତିଖାର ଅହମଦ(୪୭ ରନ୍) ଷଷ୍ଠ ଉଇକେଟରେ ୧୦୮ ରନ୍ ଯୋଡିଥିଲେ। ରିଜଓ୍ବାନ ୭୩ ବଲ୍ ଖେଳି ୬ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଇଫତିଖାର ୪୦ ବଲ୍ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥୀଷା ପଥିରାନା ସର୍ବାଧିକ ୩ ଉଇକେଟ ନେଇଥିଲେ। ଜବାବରେ କୁଶାଲ ମେଣ୍ଡିସଙ୍କ ୯୧ ରନ୍ ବଳରେ ଶ୍ରୀଲଙ୍କା ମ୍ୟାଚ୍କୁ ଜିତି ନେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଚରିଥ୍ ଅସଲଙ୍କା ୪୯* , ସାଦିରା ସମରବିକ୍ରମା ୪୮, ପାଥୁମ ନିଶଙ୍କା ୨୯ ଓ କୁଶାଲ ପରେରା ୧୭ ରନ୍ ସ୍କୋର କରିଥିଲେ। ମେଣ୍ଡିସ୍ ୮୬ ବଲ୍ର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ। ପାକିସ୍ତାନ ପକ୍ଷରୁ ଇଫତିଖାର ଅହମଦ ୩ ଓ ଶାହିନ ଆଫ୍ରିଦି ୨ଟି ଉଇକେଟ ନେଇଥିଲେ। ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୪୨ ଓଭରରେ ୨୫୨/୭(ମହମ୍ମଦ ରିଜଓ୍ବାନ-୮୬*, ଅବଦୁଲ୍ଲା ଶଫିକ୍-୫୨, ଇଫତିଖାର ଅହମଦ-୪୭, ମଥୀଷା ପଥିରାନା-୩/୬୫, ପ୍ରମୋଦ ମଦୁଶାନ-୨/୬୫, ଦୁନିଥ ଓ୍ବେଲାଲାଗେ-୧/୪୦)। ଶ୍ରୀଲଙ୍କା୪୨ ଓଭରରେ ୨୫୨/୮(କୁଶାଲ ମେଣ୍ଡିସ୍-୯୧, ସାଦିରା ସମରବିକ୍ରମା-୪୮, ଚରିଥ୍ ଅସଲଙ୍କା-, ଶଦାବ ଖାନ୍-୧/୫୫,ଇଫତିଖାର ଅହମଦ-୩/୫୦, ଶାହିନ୍ ଆଫ୍ରିଦି-୨/୫୨)।
https://www.dharitri.com/who-will-be-the-chief-minister-soren-family-discord-out-now-the-elder-daughter-in-law-said-i-will-be-my-first-right-to-the-position/
କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର… ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ ଲାଗିଥିବା କଳୀ ପଦାରେ ପଡ଼ିଛି। ସୋରେନ ପରିବାରର ବଡ ବୋହୂ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି କଳ୍ପନା ସିଏମ ହେବା ତାଙ୍କ ପାଇଁ ଗ୍ରହଣୀୟ ନୁହେଁ। ବାସ୍ତବରେ ସୀତା ମୁର୍ମୁ ଓରଫ ସୀତା ସୋରେନ ହେଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତ୍ରୀ। ସେ ଝାଡଖଣ୍ଡର ଜାମାର ବିଧାୟିକା। ସୀତା ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ପୁଅ ସ୍ବର୍ଗତ ଦୁର୍ଗା ସୋରେନଙ୍କ ସ୍ତ୍ରୀ। ସୀତା କହିଛନ୍ତି ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସିଏମ ହେବା ଉଚିତ ନୁହେଁ। ଏହି ପଦବୀ ଉପରେ ମୋର ପ୍ରଥମ ଅଧିକାର ରହିଛି। ଭାବରେ ଗ୍ରହଣୀୟ ନୁହେଁ। ସେ କହିଛନ୍ତି ହେମନ୍ତ ପଦବୀରୁ ହଟିଲେ ମୋର ସିଏମ ଚେୟାରରେ ମୋର ପ୍ରଥମ ଦାବି ରହିବ।
https://www.dharitri.com/the-asi-will-examine-the-condition-of-the-srimandir/
୩ରେ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ଏଏସ୍‌ଆଇ ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶ୍ରୀମନ୍ଦିର ସ୍ଥିତି ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିବେ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)ର ମିଳିତ ବିଶେଷଜ୍ଞ ଟିମ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ । ଗର୍ଭଗୃହ ଓ ନାଟମଣ୍ଡପର ସ୍ଥିତି ପରଖିବେ। ୩ ତାରିଖ ସକାଳ ସାଢ଼େ ୧୦ଟାରେ ଏହି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରାଯିବ । ଗତ ୯ ତାରିଖରେ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା ।
https://www.dharitri.com/some-aap-mlas-are-out-of-touch-urgent-meeting-at-kejriwals-residence/
ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି, କେଜରିଓ୍ବାଲଙ୍କ ବାସଭବନରେ ଜରୁରୀ ବୈଠକ… ନୂଆଦିଲ୍ଲୀ, ୨୫।୮ : ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି। ବିଧାୟକ ଦିଲୀପ ପାଣ୍ଡେ କହିଛନ୍ତି ଯେ ଗତକାଲି ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଯେଉଁ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ସହ ଯୋଗାଯୋଗର ଉଦ୍ୟମ ହେଉଛି। ତାହା କରିବେ। ଭାଜପା ୪୦ ଜଣ ଏଏପି ବିଧାୟକଙ୍କୁ ନିଜ ଆଡ଼କୁ ନେବାର ଷଡ଼ଯନ୍ତ୍ର କରୁଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବାସଭବନରେ ଗୁରୁବାର ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି। ଆମ ଆଦମୀ ପାର୍ଟିର ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଭାଜପା କିଣିବାକୁ ପ୍ରସ୍ତାବ ଦେଇଥିବା ଅଭିଯୋଗ ହେବା ପରେ ଦଳର କିଛି ବିଧାୟକଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରି ନଥିଲା। ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟିର ୬୨ ଜଣ ବିଧାୟକ ଅଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ କେତେଜଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେଉଥିବା ବୈଠକରେ ପହଞ୍ଚିବେ ତାହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
https://www.dharitri.com/steel-open-boat/
ଷ୍ଟିଲ୍‌ ଓପନ ବୋଟ୍‌ ଉପରେ ପ୍ରଶାସନର ନଜର ପଡ଼ିଲା କାଏମା,୨୬ା୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟରେ ମୋଟର ଚାଳିତ ବୋଟ୍ ଏସ୍ଓବି(ଷ୍ଟିଲ ଓପନ ବୋଟ୍) ଦୀର୍ଘଦିନରୁ ଅବହେଳିତ ଭାବେ ପଡ଼ିରହିଥିଲା। ଏ ସଂକ୍ରାନ୍ତରେ ଗତ ୨୩ ତାରିଖ ଧରିତ୍ରୀରେ ‘ଅବହେଳିତ ଅବସ୍ଥାରେ ଷ୍ଟିଲ ଓପନ ବୋଟ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ଧର୍ମଶାଳା ବ୍ଲକ ପକ୍ଷରୁ ବୋଟ୍ର ଡ୍ରାଇଭର ସୁଶାନ୍ତ କୁମାର ବିଶ୍ବାଳ ଓ ଅନ୍ୟ ଜଣେ କର୍ମଚାରୀ ଆସି ଏହାର ଭିତର ଓ ଚାରିପାର୍ଶ୍ୱରୁ ଗଛଲତା ସଫା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ଅନେକ ମଦ ବୋତଲ ଓ ଆପତ୍ତିଜନକ ସାମଗ୍ରୀ ମିଳିଥିବା ଡ୍ରାଇଭର ବିଶ୍ବାଳ କହିଛନ୍ତି । ସୂଚନଯୋଗ୍ୟ, ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀରେ ବନ୍ୟା ଓ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକମାନଙ୍କ ସୁରକ୍ଷା ଓ ସ୍ଥାନାନ୍ତର ପାଇଁ ଏହି ବୋଟ୍କୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଡ୍ରାଇଭର ବ୍ୟବସ୍ଥା କରାଯାଇଥିଲା । ଡ୍ରାଇଭରଙ୍କ ରହିବା ପାଇଁ ସରକାରୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଇଥିଲା। ହେଲେ ଦୀର୍ଘଦିନ ହେବ ଉକ୍ତ ବୋଟ୍ଟି ପଡି ରହିବା ଯୋଗୁ ତଳ ଅଂଶରେ ଫାଟ ସୃଷ୍ଟି ହୋଇଥିଲା । ଏକଥା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ବୋଟ୍ର ମରାମତି କରାଯାଇଥିଲା। ଏହାପରେ ବି ରକ୍ଷଣାବେକ୍ଷଣ ଅଭାବରୁ ବୋଟ୍ଟି ସେହି ସ୍ଥାନରେ ପଡି ରହିଛି। ଫଳରେ ପୂର୍ବ ସ୍ଥିତିର ପୁନରାବୃତ୍ତି ହେବାକୁ ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଧର୍ମଶାଳା ଅଞ୍ଚଳରେ ଏହା ଏକମାତ୍ର ଷ୍ଟିଲ ଓପନ ବୋଟ ହୋଇଥିବାରୁ ଏହାକୁ ଧର୍ମଶାଳାର ଐତିହ ବୋଟ୍ ଭାବେ ପରିଚିତ ପାଇଛି । ଏହି ଐତିହ୍ୟ ବୋଟ୍କୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
https://www.dharitri.com/ପଦକ-ନିଶ୍ଚିତ-କଲେ-ପଙ୍ଘାଲ-କୌ/
ପଦକ ନିଶ୍ଚିତ କଲେ ପଙ୍ଘାଲ, କୌଶିକ ଏକଟେରିନବର୍ଗ, ୧୮।୯ (ପି.ଟି.): ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍ ପଙ୍ଘାଲ (୫୨ କିଗ୍ରା) ଓ ମନୀଷ କୌଶିକ (୬୩ କିଗ୍ରା) ଏଠାରେ ଚାଲିଥିବା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍ର ସେମିଫାଇନାଲରେ ପ୍ରବେଶ କରିବା ସହ ଦେଶପାଇଁ ୨ ପଦକ ନିଶ୍ଚିତ କରିଛନ୍ତି। ବୁଧବାର ଅନୁଷ୍ଠିତ ପୁରୁଷ ୫୨ କିଗ୍ରା ବର୍ଗର କ୍ୱାର୍ଟର ଫାଇନାଲ ମୁକାବିଲାରେ ଦ୍ୱିତୀୟ ସିଡ୍ ଅମିତ୍ ୪-୧ରେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ପରାସ୍ତ କରିଥିଲେ। ସେହିଭଳି ୬୩ କିଗ୍ରା ବର୍ଗରେ କୌଶିକ ୫-୦ରେ ବ୍ରାଜିଲର ଓ୍ବାଣ୍ଡରସନ ଡି ଓଲିଭରିଆଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏଥିସହ ବକ୍ସିଂର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ଅମିତ୍ ଓ କୌଶିକ ପ୍ରଥମଥର ଲାଗି ପଦକ ଜିତିବା ଏକପ୍ରକାର ନିଶ୍ଚିତ କରିଛନ୍ତି। ତେବେ ପୂର୍ବତନ ସ୍ବର୍ଣ୍ଣ ପଦକ ବିଜେତା ସଞ୍ଜୀତ୍ ୯୧ କିଗ୍ରା ବର୍ଗର ସେମିଫାଇନାଲରେ ୧-୪ ଏକ୍ୟୁଏଡର ବକ୍ସର ଜୁଲିଓ କାଷ୍ଟିଲୋଙ୍କ ନିକଟରୁ ହାରି ଯାଇଛନ୍ତି। ଏହି ସଂସ୍କରଣ ପୂର୍ବରୁ ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍ର ଗୋଟିଏ ସଂସ୍କରଣରେ ଭାରତ କେବେ ମଧ୍ୟ ଗୋଟିଏରୁ ଅଧିକ ବ୍ରୋଞ୍ଜ ପଦକ ଜିତିପାରି ନାହିଁ। ମୋଟ୍ ଉପରେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ଆଜି ପର୍ଯ୍ୟନ୍ତ ୪ ବ୍ରୋଞ୍ଜ ପଦକ ଜିତିପାରିଛି। ୨୦୦୯ରେ ବିଜେନ୍ଦର ସିଂ, ୨୦୧୧ରେ ବିକାଶ କ୍ରିଷ୍ଣା, ୨୦୧୫ରେ ଶିବ ଥାପ୍ପା ଓ ୨୦୧୭ରେ ଗୌରବ ବିଧୁରୀ ଭାରତ ପାଇଁ ଏହି ପଦକ ସଫଳତା ଆଣିଥିଲେ।
https://www.dharitri.com/air-force-c-17-aircraft-arrives-in-jamnagar/
ଜାମନଗର ପହଞ୍ଚିଲା ବାୟୁସେନା ସି-୧୭ ବିମାନ… ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ବିମାନରେ ୧୫୦ ଜଣ ଦୂତାବାସ କର୍ମଚାରୀ ଅଶାନ୍ତ ଆଫଗାନିସ୍ତାନରୁ ସ୍ବଦେଶ ଫେରିଛନ୍ତି। ୨ ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ସେମାନଙ୍କୁ ଚିକିତ୍ସା ଲାଗି ବାୟୁସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନଟି ଗାଜିଆବାଦର ହିଣ୍ଡନ ବନ୍ଦର ଅଭିମୁଖେ ଯାତ୍ରା କରିବ। ଏହାପୂର୍ବରୁ ବାୟୁସେନାର ୨୪୪ ବିମାନରେ କାବୁଲରୁ ୧୨୯ ଭାରତୀୟ ଦିଲ୍ଲୀରେ ପହଞ୍ଚିଥିଲେ।
https://www.dharitri.com/today-is-international-tiger-day-the-forest-service-has-not-been-able-to-provide-protection/
ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ସୁରକ୍ଷା ଦେଇପାରୁନି ବନ ବିଭାଗ ଅସମାପିକା ସାହୁ ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ବାଘ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜୁଲାଇ ୨୯ତାରିଖରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ୨୦୧୦ରେ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଏହି ସମ୍ପର୍କିତ ନିର୍ଣ୍ଣୟ ନିଆଯାଇଥିଲା। ଏହି ଦିବସର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେଇ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗରେ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା। ଭାରତରେ ବାଘ ସଂଖ୍ୟା ବଢ଼ିଛି। ଦେଶର ବାଘ ଗଣନା ପ୍ରକ୍ରିୟା ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି। କିନ୍ତୁ ଓଡ଼ିଶା ସ୍ଥିତି ଅତ୍ୟନ୍ତ ଶୋଚନୀୟ। ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା କ୍ରମାଗତ କମିବାରେ ଲାଗିଛି। ୨୦୧୯ ଜୁଲାଇ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ବ୍ୟାଘ୍ର ଗଣନା ଫଳାଫଳ ଘୋଷଣା କରିଥିଲେ। ଯେଉଁଥିରେ କି ଭାରତରେ ୨୯୬୭ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଥିଲା। ସେଥିରେ ଓଡ଼ିଶାରେ ୨୮ଟି ମହାବଳ ଥିବାର ଦର୍ଶାଯାଇଥିଲା। ଯଦି ଆମେ ପୂର୍ବ ବର୍ଷର ସଂଖ୍ୟାକୁ ଅବଲୋକନ କରିବା ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ମହାବଳ ଥିବାବେଳେ ୨୦୧୦ରେ ୩୨, ୨୦୧୪ରେ ୨୮ ବାଘ ଥିବା ଦର୍ଶାଯାଇଥିଲା। ଅର୍ଥାତ୍ ୨୦୦୬ରେ ଥିବା ବାଘ ସଂଖ୍ୟା ୨୦୧୮ବେଳକୁ ପ୍ରାୟ ୩୮%କୁ କମି ଆସିଥିଲା। କିନ୍ତୁ ଓଡ଼ିଶା ବନ ବିଭାଗ ଏହି ଗଣନା ଭୁଲ୍ ବୋଲି କହିବା ସହିତ ନିଜ ତରଫରୁ ଆଉ ଥରେ ଗଣନା କରିଥିଲା। ଶେଷରେ ଓଡ଼ିଶାରେ ୪୦ଟି ବାଘ ଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ)କୁ ଚ୍ୟାଲେଞ୍ଜ କରି ବନ ବିଭାଗ ରାଜ୍ୟରେ ବାଘ ଅଧିକ ଥିବା କହିଥିଲା ସତ, କିନ୍ତୁ ବାଘଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘକୁ ମାରି ପୋତି ଦିଆଯାଇଥିଲା। ଡିସେମ୍ବରରେ ମଧ୍ୟପ୍ରଦେଶରୁ ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ମହାବୀର ବାଘର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ରହସ୍ୟମୟ ମୃତ୍ୟୁ ଘଟିଥିଲା। ଏହି ୨ଟି ବାଘର ମୃତ୍ୟୁ ଓଡ଼ିଶା ବନ ବିଭାଗର ଅନେକ କଳାକାରନାମାକୁ ପଦାକୁ ଆଣିଥିଲା। ବରଗଡ଼ ମହାବଳ ମୃତ୍ୟୁ ବରଗଡ଼ ଜିଲାର ଦେବ୍ରୀଗଡ଼ ଅଭୟାରଣ୍ୟ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ। କ୍ୟାମେରା ଟ୍ରାପିଂରୁ ଏକ ଅଣ୍ଡିରା ମହାବଳ ବାଘର ଫଟୋ ଦେଖିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଦେବ୍ରୀଗଡ଼କୁ ଏକ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ହେଲେ ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘର ମୃତଦେହ ଠାବ କରାଯାଇଥିଲା। କିନ୍ତୁ ତତ୍କାଳୀନ ବରଗଡ଼ ଡିଏଫ୍ଓ ଏବଂ ଆରସିସିଏଫ୍ ତାକୁ ଏକ କଲରାପତରିଆ ବାଘର ମୃତଦେହ ବୋଲି ସରକାରଙ୍କୁ ରିପୋର୍ଟ ଦେଲେ। ଖାଲି ସେତିକି ନୁହେଁ ତତ୍କାଳୀନ ବରଗଡ଼ ଡିଏଫ୍ଓ ଅଭୟ ଦଳେଇ ଜଣେ ଫରେଷ୍ଟର ଏବଂ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ। ତେବେ ପାରିପାଶର୍ବିକ ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ବରଗଡ଼ ଡିଏଫ୍ଓଙ୍କ ରିପୋର୍ଟକୁ ବିଶ୍ୱାସ କରିପାରି ନ ଥିଲେ ଏବଂ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବରେ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା ହେବା ୨୪ଘଣ୍ଟା ନ ପୂରୁଣୁ ସେହି ଡିଏଫ୍ଓ ଏକ ମହାବଳ ବାଘର ପଞ୍ଝା ଏବଂ ନିଶ ଆଦି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଶେଷରେ ବିଭାଗ ପକ୍ଷରୁ କୁହଗଲା ଯେ, ଦେବ୍ରୀଗଡ଼ରେ ଦେଖାଦେଇଥିବା ମହାବଳ ବାଘକୁ ମାରି ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶିକାରୀମାନେ ବାଘଟିକୁ ମାରି ଥିଲେ ସୁଦ୍ଧା ଏଯାବତ୍ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ମହାବଳ ବାଘକୁ ମାରି ଶିକାରୀମାନେ ଯେତିକି ଦୋଷୀ ଥିଲେ, ତାଙ୍କ ଠାରୁ ଅଧିକ ଦୋଷୀ ଥିଲେ ବରଗଡ଼ର ତତ୍କାଳୀନ ଡିଏଫ୍ଓ ଏବଂ ସମ୍ବଲପୁରର ତତ୍କାଳୀନ ଆର୍ସିସିଏଫ୍। କାରଣ ସେମାନେ ମହାବଳ ବାଘର ପରିଚୟ ଲୁଚେଇବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ନା ବିଭାଗ ନା କ୍ରାଇମବ୍ରାଞ୍ଚ କେହି ବି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ମହାବୀର ମୃତ୍ୟୁ ସାତକୋଶିଆ ଟାଇଗର ରିଜର୍ଭରେ ବାଘ ବଂଶ ବିସ୍ତାର ପାଇଁ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରାୟ ୨୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ମଧ୍ୟ ହେଲା। ଏହି ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ‘ମହାବୀର’ ଓ ‘ସୁନ୍ଦରୀ’ ଦୁଇଟି ବାଘ ପର୍ଯ୍ୟାୟ କ୍ରମେ ଅଣାଯାଇଥିଲା। ତେବେ ‘ସୁନ୍ଦରୀ’ ମଣିଷମରା ଅଭିଯୋଗରେ ବନ୍ଦୀ ହୋଇ ରହିଥିବାବେଳେ ବନ ବିଭାଗର ଅବହେଳା କାରଣରୁ ‘ମହାବୀର’ର ମୃତ୍ୟୁ ଘଟିଲା। ‘ମହାବୀର’ର ଗତିବିଧି ମନିଟରିଂ କରିବା ପାଇଁ ତା’ର ବେକରେ ରେଡିଓ କଲାର ଲଗାଯିବା ସହ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ ମହାବୀରର ମୃତ୍ୟୁ ପାଇଁ କେହି ବି ଦାୟୀ ରହିଲେ ନାହିଁ। ନା କେଉଁ ଶିକାରୀ ଧରାପଡ଼ିଲେ ନା କେଉଁ ବନ କର୍ମଚାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା। ସବୁଠୁ ହାସ୍ୟାସ୍ପଦ କଥା ହେଲା, ତତ୍କାଳୀନ ସାତକୋଶିଆ ଫିଲ୍ଡ ଡାଇରେକ୍ଟର ଝିଙ୍କକାଠି ଖାଇ ମହାବୀର ମରିଛି ବୋଲି କହିଥିଲେ। ମହାବୀର ବେକରେ ଥିବା କ୍ଷତ ସ୍ପଷ୍ଟ ଦର୍ଶାଉଥିଲା କି ଫାଶରେ ପଡ଼ି ମରିଛି, କାରଣ ତା’ର ବେକ ଛିଣ୍ଡି ପଡ଼ିବା ଅବସ୍ଥାରେ ଥିଲା। ଘା ହୋଇଥିବା ସ୍ଥାନରେ ମ୍ୟାଗଟ୍ ମଧ୍ୟ ଲାଗିଥିଲେ। ଏହି ଭଳି ଅବସ୍ଥାରେ ବାଘଟି ଅତି କମ୍ରେ ୩-୪ ଦିନ ପୂର୍ବରୁ ଚଲାବୁଲା କରିପାରି ନ ଥିବ। ତେଣୁ ବିଭାଗୀୟ କର୍ମଚାରୀ କିପରି ବାଘକୁ ମନିଟରିଂ କରୁଥିଲେ, ତାହା ଏଥିରୁ ବାରି ହୋଇପଡ଼ିଥିଲା। ଯଦିଓ କିଛିମାସ ପରେ ଏନ୍ଟିସିଏ ତରଫରୁ ମହାବୀର ମୃତ୍ୟୁ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବନ ବିଭାଗକୁ ଅନୁରୋଧ କରାଯାଇଥିଲା, ହେଲେ ରାଜ୍ୟ ବନ ବିଭାଗ ସେହି ଫାଇଲ୍କୁ ଚାପି ଦେଇ ବସି ପଡ଼ିଲା। କିନ୍ତୁ କିଛି ଦିନ ପରେ ଏନ୍ଟିସିଏ ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ଆରମ୍ଭ କରିଥିବା ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପକୁ ବାତିଲ କଲା ଏବଂ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରେଇବା ପାଇଁ ଚିଠି ଲେଖିଲା। ଏହି ଦୁଇଟି ଘଟଣାକୁ ଦେଖିଲେ, ବନ ବିଭାଗର ଆଭିମୁଖ୍ୟ ସବୁବେଳେ ସନ୍ଦେହ ଘେରରେ ରହୁଛି। କୌଣସି ଘଟଣା ଘଟିଲେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ ବଡ଼ ଅଧିକାରୀଙ୍କୁ ମାଫ୍ କରାଯାଉଛି। ‘ମହାବୀର’ ମୃତ୍ୟୁ ଓ ‘ସୁନ୍ଦରୀ’କୁ ପ୍ରାୟ ଦେଢ଼ବର୍ଷ ବନ୍ଦୀ କରି ରଖି ଓଡ଼ିଶା ବନ ବିଭାଗ ଭୁଲ କରିଥିବା ଏନ୍ଟିସିଏ ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା। ଏପରି କି ସାତକୋଶିଆ ପ୍ରକଳ୍ପରେ ମିଳିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇ ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍ଟିସିଏ ସରକାରଙ୍କୁ କହିଥିଲା। କିନ୍ତୁ ଏପର୍ଯ୍ୟନ୍ତ କାହା ବିରୋଧରେ ସେମିତି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେଣୁ ରାଜ୍ୟର ବନ ବିଭାଗ ଯେତେ ବାହୁସ୍ଫୋଟ ମାରୁ ନା କାହିଁକି ପ୍ରକୃତରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ଆନ୍ତରିକତା ଦେଖାଉ ନ ଥିବା ଜଣାପଡ଼ିଛି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ ବିଭାଗର ମୁଣ୍ଡିଆଳ ଆଇଏଫ୍ଏସ୍ ଅଧିକାରୀଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବେ ସେ ପର୍ଯ୍ୟନ୍ତ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ଅସମ୍ଭବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଦାବି କରୁଛନ୍ତି। ରାଜ୍ୟରେ ବାଘଙ୍କ ପାଇଁ ପ୍ରଶସ୍ତ ବାସସ୍ଥାନ ରହିଛି। ବନ ବିଭାଗ ବାଘ ଶିକାରୀଙ୍କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବାରେ ଲାଗିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ବାଘ ସଂଖ୍ୟା ହ୍ରାସର ଆଉ ଏକ ପ୍ରମୁଖ କାରଣ। ଯେତେବେଳେ କୌଣସି ଘଟଣା ଘଟୁଛି ସେତେବେଳେ କୌଣସି ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉତ୍ତରଦାୟୀ ରହୁ ନାହାନ୍ତି। କେବଳ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସୀମିତ ରଖାଯାଉଛି। – ବିଶ୍ୱଜିତ୍ ମହାନ୍ତି, ବନ୍ୟପ୍ରାଣୀ ବିଶେଷଜ୍ଞ
https://www.dharitri.com/working-long-hours-life-can-go-on/
ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା ମହାମାରୀ ସମୟରେ ଲୋକଙ୍କ ଦୀର୍ଘ ଘଣ୍ଟା କାମ କରିବାର ପ୍ରବୃତ୍ତି ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ସୋମବାର କହିଛି ଯେ ଦୀର୍ଘ ଘଣ୍ଟା କାମ କରିବାର ପ୍ରବୃତ୍ତି ହେତୁ ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ନଷ୍ଟ ହୋଇଥାଏ। ମହାମାରୀ ସମୟରେ ଏହି ସଂଖ୍ୟା ହଜାରରୁ ଅଧିକରେ ପହଞ୍ଚିପାରେ। ‘ଦୀର୍ଘ କାର୍ଯ୍ୟ, ଜୀବନ ଉପରେ ପ୍ରଭାବ’ ବିଷୟରେ ଅନ୍ତର୍ଜାତୀୟ ପରିବେଶ ଜର୍ଣ୍ଣାଲରେ ଦୁନିଆର ପ୍ରଥମ ଅଧ୍ୟୟନ ପ୍ରକାଶ ପାଇଛି। ରିପୋର୍ଟ ହୋଇଛି ଯେ, ୨୦୧୬ ମସିହାରେ ଦୀର୍ଘ କାର୍ଯ୍ୟ ସମୟ ହେତୁ ଷ୍ଟ୍ରୋକ ଏବଂ ହୃଦରୋଗ ବୃଦ୍ଧି ପାଇଥିଲା, ଯାହା ଦ୍ୱାରା ସାରା ବିଶ୍ୱରେ ୭.୪୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା। ଡବ୍ଲ୍ୟୁଏଚ୍ଓର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେରା କହିଛନ୍ତି ଯେ, ସପ୍ତାହରେ ୫୫ ଘଣ୍ଟା କିମ୍ବା ଅଧିକ କାର୍ଯ୍ୟ କରିବା ସ୍ବାସ୍ଥ୍ୟ ପାଇଁ ଗୁରୁତର ବିପଦ ଅଟେ। ସେ କହିଛନ୍ତି ଯେ, ଏହି ସୂଚନା ସହିତ ଆମେ ଦୀର୍ଘ ଦିନ ଧରି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛୁ। ଡବ୍ଲ୍ୟୁଏଚ୍ଓ ଏବଂ ନ୍ତର୍ଜାତୀୟ ଶ୍ରମ ସଂଗଠନର ଏହି ମିଳିତ ଅଧ୍ୟୟନ ମୋଟ ୧୯୪ଟି ଦେଶର ତଥ୍ୟ ଉପରେ ଆଧାରିତ। ଏହି ଅଧ୍ୟୟନ ୨୦୦୦ରୁ ୨୦୧୬ ପର୍ଯ୍ୟନ୍ତ ତଥ୍ୟ ଅଧ୍ୟୟନ କରିଛି। ଏଥିରେ ଦର୍ଶାଯାଇଛି ଯେ ଯେଉଁମାନେ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କରନ୍ତି ସେମାନଙ୍କ ପ୍ରତି ସପ୍ତାହରେ ୩୫-୪୦ ଘଣ୍ଟା କାମ କରୁଥିବା ଲୋକଙ୍କ ତୁଳନାରେ ୩୫% ଷ୍ଟ୍ରୋକ ଏବଂ ୧୭% ଜୀବନ ହାନି ହେବାର ଆଶଙ୍କା ଥାଏ। ଦୀର୍ଘମିଆଦି ପାର୍ଶ୍ୱ ପ୍ରତିକ୍ରିୟାରେ ଚାଇନା, ଜାପାନ ଏବଂ ଅଷ୍ଟ୍ରେଲିଆ ସର୍ବାଧିକ ପ୍ରଭାବିତ ଦେଶ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କହିଛନ୍ତି ଯେ, କରୋନା ମହାମାରୀରେ ଦୀର୍ଘକାଳୀନ କାର୍ଯ୍ୟ ଧାରା ୯% ବୃଦ୍ଧି ପାଇଛି। ଏହି ଧାରାକୁ ସୁଧାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
https://www.dharitri.com/୧୨-ବର୍ଷ-ବୟସରେ-ପିତାଙ୍କୁ-ହର/
୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୨୨୫ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୧୧୧ ରନର ଲଢ଼ୁଆ ଶତକୀୟ ପାଳି ଖେଳିଥିଲେ। ଟେଷ୍ଟରେ ପ୍ରଥମ ଶତକ ହାସଲ କଲାପରେ ପଡ଼ିଆରେ ଭାବୁକ ହୋଇପଡିଥିଲେ ହନୁମା। ନିଜ ପ୍ରଥମ ଶତକ ସ୍ବର୍ଗତ ପିତାଙ୍କୁ ସେ ସମର୍ପିତ କରିଛନ୍ତି। ମାତ୍ର ୧୨ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠୁ ଜଣେ କ୍ରିକେଟର ହେବାର ସ୍ବପ୍ନ ଦେଖିଥିଲେ ହନୁମା। ଏହାକୁ ପୂରଣ କରିବା ପାଇଁ ଲାଗିପଡିଥିଲେ। ତାଙ୍କ ମା’ ପିଲାଙ୍କୁ ମଣିଷ କରିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡିଥିଲା। ଶତକ ହାସଲ ପରେ ହନୁମା କହିଛନ୍ତି, ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ୪୨ରନ୍ କରି ଅପରାଜିତ ରହିବା ପରେ, ସେଦିନ ରାତିରେ ମୋତେ ଆଉ ନିଦ ହୋଇ ନ ଥିଲା। ଏହି ପାଳିକୁ ବଡ଼ ସ୍କୋରରେ ପରିଣତ କରିବା କଥା ଭାବୁଥିଲେ। ଯାହା ଏବେ ପୂରଣ ହୋଇଛି।
https://www.dharitri.com/ଗାଙ୍ଗୁଲିଙ୍କ-ସେଲ୍‌ଫି-ଦର୍ଶ/
ଗାଙ୍ଗୁଲିଙ୍କ ସେଲ୍‌ଫି ଦର୍ଶକମୟ କୋଲକାତା,୨୨।୧୧- ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଚାଲିଥିବା ଐତିହାସିକ ଦିବରାତ୍ର ଟେଷ୍ଟ ଅବସରରେ ସେଲ୍ଫି ନେବାକୁ ଭୁଲି ନାହାନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ମ୍ୟାଚ୍ ଆରମ୍ଭ ହେବା ଆଗରୁ ପୂର୍ବତନ ଭାରତୀୟ ଅଧିନାୟକ ଷ୍ଟାଡିୟମର ଉପର ଫ୍ଲୋରରେ ଛିଡ଼ା ହୋଇ ଉପସ୍ଥିତ ଦର୍ଶକଙ୍କ ସହ ସେଲ୍ଫି ନେଇଥିଲେ। ଏହାକୁ ସେ ଟୁଇଟରରେ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ପିଙ୍କ ବଲ ଟେଷ୍ଟ ପାଇଁ ଇଡେନରେ ଚମତ୍କାର ପରିବେଶ ସୃଷ୍ଟି ହୋଇଛି।
https://www.dharitri.com/ai-takes-the-job/
ଏଆଇ ନେଉଛି ଚାକିରି ଖବର ମିଳିଛି ଯେ, ଗତ ମେ’ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଆମେରିକାରେ ୪ ହଜାର ଲୋକଙ୍କୁ ଛଟେଇ କରାଯାଇଛି। ମୁଖ୍ୟତଃ ସ୍ବାସ୍ଥ୍ୟସେବା , ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ କ୍ଷେତ୍ର ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ତେବେ ଉପରଲିଖିତ କ୍ଷେତ୍ରରେ ଏଆଇର ପ୍ରଭାବ ସୀମିତ ରହିବ ନାହିଁ ବରଂ ଏଥିରେ ସବୁ କ୍ଷେତ୍ର ପ୍ରଭାବିତ ହେବେ ଏପରିକି ଡାକ୍ତର, ଡ୍ରାଇଭର ଏବଂ ଅନ୍ୟ ପ୍ରକାରର ବିଭିନ୍ନ ସେବା। ଏଠାରେ ମନେରଖିବାକୁ ହେବ ଯେ, ଭାରତର ଅର୍ଥନୀତି ମୁଖ୍ୟତଃ ସେବା କ୍ଷେତ୍ର ଉପରେ ନିର୍ଭରଶୀଳ। ପୃଥିବୀରେ ଏଆଇ ବ୍ୟବହାର ଯେତିକି ବୃଦ୍ଧି ପାଇବ କର୍ମଚାରୀଙ୍କ ଚାହିଦା ସେତିକି କମିବ ଅର୍ଥାତ୍ ଅଧିକରୁ ଅଧିକ ଲୋକ ନିଯୁକ୍ତି ସୁଯୋଗରୁ ବଞ୍ଚତ୍ିତ ହେବେ। ସବୁଠୁ ବଡ଼ କଥା ହେଉଛି ଯଦି କେହି ଭାବୁଛନ୍ତି ଯେ, ଭାରତରେ ଅନେକ ବର୍ଷ ପରେ ଏଆଇର ପ୍ରଭାବ ଦେଖିବାକୁ ମିଳିବ, ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍, ବରଂ ଏହା ଖୁବ୍ ଶୀଘ୍ର ଆସିଯିବ। କାରଣ ଭାରତରେ କର୍ମଚାରୀଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ଦକ୍ଷ, ନିଷ୍ଠାପର ଏବଂ ଦୁର୍ନୀତିବିହୀନ ହେବା ଲକ୍ଷ୍ୟରେ ଏଆଇର ପ୍ରଚଳନ, କେହି ପସନ୍ଦ କରୁ ବା ନ କରୁ, ମନକୁ ମନ କାର୍ଯ୍ୟକାରୀ ହେବ। ଭାରତରେ ଆମେ ଦେଖିଛେ କର୍ମଚାରୀମାନେ ନିଜ କାମ ଭଲ ଭାବେ କରନ୍ତି ନାହିଁ। ସମସ୍ତେ ଚାହାନ୍ତି ଠକିବାକୁ। ଅଳ୍ପ ଅଳ୍ପ ଠକିବା, ଗୋଟିଏ ଗୋଟିଏ ଭୁଲ କରିବା ଭଳି ସେମାନଙ୍କ ମାନସିକତାକୁ ଏଆଇ ଦ୍ୱାରା ସହଜରେ ସମ୍ଭାଳିହେବ। ଏଆଇ ଯେତିକି ପ୍ରବେଶ କରିବ ତାହା ଦ୍ୱାରା ଖାମଖିଆଲ କର୍ମଚାରୀ ବଳିପଡ଼ିବା ସୁନିଶ୍ଚିତ। ତେଣୁ ଖବରକାଗଜଠାରୁ ଆରମ୍ଭକରି ସ୍ବାସ୍ଥ୍ୟସେବା, ପରିବହନ, ଫାଇନାନ୍ସ କ୍ଷେତ୍ରରେ ଏଭଳି କର୍ମଚାରୀଙ୍କ ଭୂମିକା ହ୍ରାସ ପାଇବ। ଉଦାହରଣସ୍ବରୂପ ଡାକ୍ତରମାନେ ଭାବନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ମଣିଷ ଜାତି ଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କର ଚାହିଦା ବୃଦ୍ଧିପାଇବ। କିନ୍ତୁ ବିଶ୍ୱର ସବୁ ଡାକ୍ତରୀ ବିଦ୍ୟାକୁ ଏକାଠି କରି ପ୍ରତ୍ୟେକ ରୋଗୀର ଚିକିତ୍ସା କରିପାରୁଥିବାର ସକ୍ଷମତା ରଖିଥିବା ଏଆଇ ଡାକ୍ତରଙ୍କୁ ବି ଅଦରକାରୀ କରିଦେଇପାରେ। ତାଙ୍କ ସ୍ଥାନରେ ଗବେଷକ, ବୈଜ୍ଞାନିକ ଏବଂ ବୈଷୟିକବିତ୍ଙ୍କ ଜ୍ଞାନକୁ ନେଇ ଡାକ୍ତରୀ ଚିକିତ୍ସା କରିବାରେ ଏଆଇ ଏବେଠାରୁ ସଫଳତା ପାଇଲାଣି। ଯେତେବେଳେ ମଣିଷର ସ୍ବାସ୍ଥ୍ୟକୁ ମଧ୍ୟ ଏଆଇ ଦ୍ୱାରା ସମ୍ଭାଳି ହେବ ସେତେବେଳେ ଅନ୍ୟ କୌଣସି ସେବା କ୍ଷେତ୍ର ବାଦ ପଡ଼ିବ ବୋଲି ଭାବିବା ବୋକାମୀ। ବିଶ୍ୱ ଦୃଶ୍ୟପଟରେ ଏଆଇର ପ୍ରଭାବକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ,ଏହି ନୂଆ ବୈଷୟିକ ନୂତନତ୍ୱ ମାନବତା ପ୍ରତି ବିପଦ ଆଣିବାର ସମ୍ଭାବନା ଅଧିକ। ଏପରିକି ଚାଟ୍ଜିପିଟି ସୃଷ୍ଟି କରିଥିବା ଓପନ୍ଏଆଇର ବସ୍ ସାମ୍ ଅଲ୍ଟମ୍ୟାନ ଏଆଇକୁ ଏବେ ଏକ ବିପଦ ଭାବେ ଦେଖିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ପେସ୍ଏକ୍ସର ମୁଖ୍ୟ ଏଲନ୍ ମସ୍କଙ୍କ ସମେତ ଅନ୍ୟ କେତେଜଣ ବିଶେଷଜ୍ଞ ମଧ୍ୟ ଅତ୍ୟାଧୁନିକ ଏଆଇ ବିକାଶକୁ ୬ ମାସ ଅଟକାଇବା ଲାଗି କହିଛନ୍ତି, ଯାହା ଫଳରେ ଏହାର ସୁରକ୍ଷିତ ଅଗ୍ରଗତି ଉପରେ ନେତୃବର୍ଗ ବିଚାର କରିପାରିବେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଅତ୍ୟାଧୁନିକ ଗବେଷଣାର କାର୍ଯ୍ୟକାରିତାକୁ ବନ୍ଦ କରିବାର କ୍ଷମତା କାହା ପାଖରେ ନାହିଁ। ତେବେ ଆଶଙ୍କା ମଧ୍ୟରେ ଏଆଇର ନକାରାତ୍ମକ ପ୍ରଭାବକୁ ପ୍ରତିପାଦିତ କରିଛି ଏବେକାର ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ୍ କ୍ରିଷ୍ଟମାସର ମାସିକ ରିପୋର୍ଟ ଯାହା ଆମେରିକାରେ ପାଖାପାଖି ୪ ହଜାର ଲୋକ ଛଟେଇ ହୋଇଥିବା ଦର୍ଶାଇଛି। ଏହା ବ୍ୟତୀତ ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ କରିବା ଲାଗି ଅତ୍ୟାଧୁନିକ ଏଆଇ ଚାଟ୍ଜିପିଟିର ବହୁଳ ବ୍ୟବହାର ଶ୍ରମ ବଜାରକୁ କ୍ରମଶଃ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗଣମାଧ୍ୟମ କ୍ଷେତ୍ରରେ ଏହାର ପ୍ରଭାବ ଅତ୍ୟଧିକ ପଡ଼ିବ। ଉଦାହରଣସ୍ବରୂପ, ଆମେରିକାନ ମିଡିଆ କମ୍ପାନୀ ସିଏନ୍ଇଟି ଏଆଇ ବ୍ୟବହାର କରିବା ପରେ କେତେଜଣ କର୍ମଚାରୀଙ୍କ ଛଟେଇ ଆରମ୍ଭ କଲାଣି। ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଏବେ ପ୍ରାୟ ୩୦ କୋଟି ପୂର୍ଣ୍ଣକାଳୀକ କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି ଗୋଲ୍ଡମ୍ୟାନ ସାକ୍ସ ପୂର୍ବାନୁମାନ କରିଛି। ଯେତେବେଳ ଏଆଇର ବହୁଳ ବ୍ୟବହାର ଆରମ୍ଭ ହୋଇଯିବ ସେତେବେଳେ ସମାଜ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପଡ଼ିପାରେ। କାରଣ, ଅନେକ ସୁସ୍ଥ ସବଳ ଲୋକଙ୍କ ପାଇଁ କାର୍ଯ୍ୟ କରିବାର ସମ୍ଭାବନା ରହିିବ ନାହିଁ। ଏହାଦ୍ୱାରା ଅସ୍ଥିରତା ବୃଦ୍ଧିପାଇବାର ସମ୍ଭାବନା ଦେଖାଦେଇପାରେ। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ଗୋଟିଏ ପଟେ ସେବା କ୍ଷେତ୍ରକୁ ଅତ୍ୟନ୍ତ ଉଚ୍ଚ୍କୁ ନେଇଯିବ, ଅନ୍ୟପଟେ ଘରୋଇ କମ୍ପାନୀ ଏବଂ ସରକାରଙ୍କୁ ଉଚ୍ଚକୋଟୀର ଲାଭଦାୟକ କରାଇଦେବ।
https://www.dharitri.com/budget-session-from-31-january-presentation-of-interim-budget-on-1-february/
୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ… ନୂଆଦିଲ୍ଲୀ,୧୧।୧ : ୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ ଫେବୃଆରୀ ୧ ରେ ଉପସ୍ଥାପିତ ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ। ଏହା ମଧ୍ୟ ୧୭ତମ ଲୋକସଭାର ଶେଷ ସଂସଦ ଅଧିବେଶନ ହେବ। ଏଥର ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନ କରାଯିବ। ଏହି ବଜେଟ ଅଧିବେଶନରେ ସରକାର ଅନେକ ପ୍ରକାରର ଯୋଜନା ଘୋଷଣା କରିବାର ଆଶା ରହିଛି। ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ସାଧାରଣ ବଜେଟ ହେବ।
https://www.dharitri.com/the-cremation-was-lifted-from-swargadwar/
ସ୍ବର୍ଗଦ୍ୱାରରୁ ଶବଦାହ କଟକଣା ହଟିଲା ପୁରୀ ଅଫିସ,୨୮।୧: ପୁରୀ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୁରୀ ଜିଲା ବାହାର ଲୋକଙ୍କୁ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ପୁରୀ ପ୍ରଶାସନ ପୁଣି ଅନୁମତି ଦେଇଛି। ଏଣିକି ଯେ କେହି ବ୍ୟକ୍ତି ସ୍ବର୍ଗଦ୍ୱାରରେ ଆତ୍ମୀୟସ୍ବଜନଙ୍କ ଶବଦାହ କରାଇପାରିବେ। କୋଭିଡ୍ କଟକଣା ଓ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ଅନୁଯାୟୀ ଶବଦାହ କରାଯାଇପାରିବ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଅଣକୋଭିଡ୍ ବ୍ୟକ୍ତିଙ୍କ ମୃତ୍ୟ ପରେ ତାଙ୍କ ସମ୍ପର୍କୀୟ ଆବଶ୍ୟକ ପ୍ରମାଣପତ୍ର ଓ କାଗଜପତ୍ର ଦେଖାଇ ଶବଦାହ କରିପାରିବେ। ଜଣେ ମୃତକଙ୍କ ସହ ସର୍ବାଧିକ ୧୦ଜଣ ବ୍ୟକ୍ତିଙ୍କୁ ସ୍ବର୍ଗଦ୍ୱାର ପ୍ରବେଶ ଲାଗି ଅନୁମତି ରହିବ। ମାସ୍କ, ସାନିଟାଇଜର ବ୍ୟବହାର ସହ ୨ମିଟରର ସାମାଜିକ ଦୂରତା ଭଳି କଟକଣାକୁ ଲୋକେ ପାଳନ କରିବାକୁ ବାଧ୍ୟ ବୋଲି ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।
https://www.dharitri.com/mythology-adoration-is-on-the-rise/
ପୌରାଣିକ ଧାରାବାହିକ: ବଢ଼ୁଛି ଆଦର ଘରେ ବସି ମନୋରଞ୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟେଲିଭିଜନ୍। ଦିନ ଥିଲା, ଖବର ଜାଣିବାକୁ ହେଉ ଅବା ଗୀତ-ନାଟକ ଶୁଣିବାକୁ ରେଡିଓ ଉପରେ ନିର୍ଭର କରିବାକୁ ପଡୁଥିଲା। ତା’ପରେ ଆସିଲା ଦୂରଦର୍ଶନ। ଏବେ ଅନେକ ଘରୋଇ ଚ୍ୟାନେଲ୍ରେ ପ୍ରସାରିତ ବିଭିନ୍ନ ପ୍ରୋଗ୍ରାମ ଦର୍ଶକଙ୍କୁ କେତେ ପ୍ରଭାବିତ କରିଛି ତାହା କହିବା ବାହୁଲ୍ୟ। ଏପରି କି କେବଳ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର ଚ୍ୟାନେଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରେ ଧାରାବାହିକ, ଚଳଚ୍ଚିତ୍ର, ରିୟଲିଟି ଶୋ’ ଆଦିର ପ୍ରସାରଣ ଘରେ ବସି ନିଜକୁ ଏଣ୍ଟରଟେନ୍ କରିବାର ସୁଯୋଗ ଦେଇଛି। ସାମାଜିକ କଥାବସ୍ତୁ, ନାରୀକୈନ୍ଦ୍ରିକ କାହାଣୀ ଉପରେ ଆଧାରିତ ଧାରାବାହିକ ବେଶ୍ ଲୋକପ୍ରିୟ ହୋଇପାରିଛି। ତା’ସହ ପୌରାଣିକ ବିଷୟ ଉପରେ ନିର୍ମିତ ଧାରାବାହିକର ରହିଛି ସ୍ବତନ୍ତ୍ର ମହତ୍ତ୍ୱ। ‘ରାମାୟଣ’ ‘ମହାଭାରତ’ ଧାରାବାହିକ ସେତେବେଳେ ଡିଡି ନ୍ୟାଶନାଲରେ ପ୍ରସାରିତ ହୋଇ ସୃଷ୍ଟି କରିଥିଲା ମାଇଲ୍ଷ୍ଟୋନ୍। ନିକଟରେ କରୋନା ମହାମାରୀ ସମୟରେ ଦୂରଦର୍ଶନରେ ରାମାୟଣ, ମହାଭାରତ, ବିଷ୍ଣୁ ପୁରାଣ, ଶ୍ରୀକ୍ରିଷ୍ଣା ପରି ପୌରାଣିକ ଧାରାବାହିକର ପୁନଃ ପ୍ରସାରଣ କରାଯାଇଥିଲା। ଖାସ୍ କଥା ହେଲା, ଏହି ସମୟରେ ଏହାର ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା। ୧୯୭୦-୯୦ରେ ଦୂରଦର୍ଶନରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା ପୌରାଣିକ ଧାରାବାହିକ। କାରଣ ଏହି ଦଶକ ମଧ୍ୟରେ ଦୁଇଟି ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ଏବଂ ‘ମହାଭାରତ’ ପ୍ରସାରିତ ହୋଇଥିଲା। ପୌରାଣିକ କଥାବସ୍ତୁକୁ ଧାରାବାହିକର ରୂପ ଦେବା ଏବଂ ତାହାକୁ ଜାତୀୟ ଚ୍ୟାନେଲ୍ରେ ପ୍ରସାରଣ କରିବାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇଥିଲେ ସେ ସମୟର ଆଗଧାଡ଼ିର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ରାମାନନ୍ଦ ସାଗର। ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସେ ଏପରି ଲୋକପ୍ରିୟ ବିଷୟକୁ ଧାରାବାହିକରେ ପରିଣତ କରି ପ୍ରସାରିତ କରିବାରେ ସକ୍ଷମ ହୋଇଥିଲେ। ୧୯୮୭ ଜାନୁୟାରୀ ୨୪ରେ ‘ରାମାୟଣ’ ଧାରାବାହିକର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଥିଲା। ୭୮ ଏପିସୋଡ୍ ବିଶିଷ୍ଟ ଏହି ମେଗା ପୌରାଣିକ ଧାରାବାହିକ ସେ ସମୟରେ ବେଶ୍ ଲୋକପ୍ରିୟ ହୋଇ ଧାରାବାହିକ ଦୁନିଆରେ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲା। ସେତେବେଳେ ଦର୍ଶକ ଏହାର ପ୍ରସାରଣ ଦେଖିବାକୁ ଏପରି ପାଗଳ ହୋଇଯାଉଥିଲେ ଯେ ରାସ୍ତାଘାଟ ଶୂନ୍ଶାନ ହୋଇଯାଉଥିଲା। ଏହି ଧାରାବାହିକର ରାମ-ସୀତା ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ୍ ଏବଂ ଦୀପିକା ଚିଖଲିୟାଙ୍କୁ ଅନେକେ ଜୀବନ୍ତ ରାମ-ସୀତା ଭାବରେ ଗ୍ରହଣ କରିନେଇଥିଲେ। କେବଳ ସେତିକି ନୁହେଁ, ସୁନୀଲ ଲାହିରି (ଲକ୍ଷ୍ମଣ), ଦାରା ସିଂ (ହନୁମାନ), ଅରବିନ୍ଦ ତ୍ରିବେଦୀ (ରାବଣ), ବିଜୟ ଆରୋରା (ଇନ୍ଦ୍ରଜିତ) ଏବଂ ଲଲିତା ପାଓ୍ବାର (ମନ୍ଥରା)ଙ୍କ ଅଭିନୟ ଧାରାବାହିକଟିକୁ ଆହୁରି ଲୋକପ୍ରିୟ କରାଇପାରିଥିଲା। ଏପରି କି ଚଳିତବର୍ଷ କରୋନା ମହାମାରୀ ସମୟରେ ଦୂରଦର୍ଶନ ପକ୍ଷରୁ ଏହାର ପୁନଃ ପ୍ରସାରଣ କରାଯାଇଥିଲା, ଯାହାକି ଆଶାତୀତ ସଫଳତା ହାସଲ କରିଥିଲା। ବି.ଆର. ଚୋପ୍ରାଙ୍କ ପ୍ରଯୋଜିତ ଏବଂ ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ମେଗା ତଥା ଦର୍ଶକାଦୃଶ ପୌରାଣିକ ଧାରାବାହିକ ‘ମହାଭାରତ’। ୧୯୮୮ ଅକ୍ଟୋବର ୨ରେ ଏହାର ପ୍ରଥମ ଏପିସୋଡ୍ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ୯୪ ଏପିସୋଡ୍ ବିଶିଷ୍ଟ ଏହି ଧାରାବାହିକକୁ ଦର୍ଶକ ଏପରି ଗ୍ରହଣ କଲେ ଯେ, ତାହା ସବୁଠାରୁ ଲୋକପ୍ରିୟ ପୌରାଣିକ ଧାରାବାହିକ ଆଖ୍ୟା ପାଇଥିଲା। ଉକ୍ତ ସିରିଏଲ୍ରେ ମୁକେଶ ଖାନ୍ନା (ଭୀଷ୍ମ), ନିତେଶ ଭରଦ୍ୱାଜ (କୃଷ୍ଣ), ରୂପା ଗାଙ୍ଗୁଲି (ଦ୍ରୌପଦୀ), ଗୁଫି ପେଣ୍ଟାଲ (ଶକୁନି), ପଙ୍କଜ ଧୀର (କର୍ଣ୍ଣ), ଗଜେନ୍ଦ୍ର ଚୌହାନ (ଯୁଧିଷ୍ଠିର), ପ୍ରବୀଣ କୁମାର (ଭୀମ) ଏବଂ ଅର୍ଜୁନ (ଅର୍ଜୁନ)ଙ୍କ ଭୂମିକା କେତେ ଜୀବନ୍ତ ଥିଲା, ତାହା ଯିଏ ଦେଖିଛି ସିଏ ଜାଣିଛି। ଚଳିତବର୍ଷ କୋଭିଡ୍ ଲକ୍ଡାଉନ୍ ସମୟରେ ଦୂରଦର୍ଶନ ପକ୍ଷରୁ ଏହାର ପୁନଃ ପ୍ରସାରଣ ମଧ୍ୟ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଏହାବ୍ୟତୀତ ଲୋକପ୍ରିିୟ ପୌରାଣିକ ଧାରାବାହିକଗୁଡ଼ିକ ମଧ୍ୟରେ ରହିଛି ‘ଶ୍ରୀକ୍ରିଷ୍ଣା’। କରୋନା ଲକ୍ଡାଉନ୍ ସମୟରେ ଦୂରଦର୍ଶନ ପକ୍ଷରୁ ଏହାର ମଧ୍ୟ ପୁଣି ଥରେ ପ୍ରସାରଣ କରାଯାଇଥିଲା। ଅନ୍ୟପକ୍ଷରେ ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ତଥା ୨୦୦୦ ମସିହାରେ ପ୍ରସାରିତ ଅନ୍ୟତମ ପୌରାଣିକ ଧାରାବାହିକ ‘ବିଷ୍ଣୁ ପୁରାଣ’ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏଥିରେ କୃଷ୍ଣ ଭୂମିକାରେ ନିତେଶ ଭରଦ୍ୱାଜ ଏବଂ ଲକ୍ଷ୍ମୀ ରୋଲ୍ରେ ବୈଦେହୀ ଅମୃତେ ଅଭିନୟ କରିଥିଲେ। ଚଳିତବର୍ଷ ଲକ୍ଡାଉନ୍ ସମୟରେ ଏହାର ପୁନଃ ପ୍ରସାରଣ ମଧ୍ୟ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା। ଏଗୁଡ଼ିକ ବ୍ୟତୀତ ‘ସଙ୍କଟମୋଚନ ମହାବଲୀ ହନୁମାନ’, ‘ମହିମା ଶନିଦେବ କି’, ‘ଜୟ ଗଙ୍ଗା ମୟା’, ‘ଓଁ ନମଃ ଶିବାୟ’, ‘ଜୟ ହନୁମାନ’ ଆଦି ପୌରାଣିକ ଧାରାବାହିକ ଦର୍ଶକଙ୍କୁ ସ୍ବତନ୍ତ୍ର ମନୋରଞ୍ଜନ ଯୋଗାଇବାରେ ସକ୍ଷମ ହୋଇଛି। ପୌରାଣିକ ଧାରାବାହିକ ସବୁବେଳେ ସ୍ବତନ୍ତ୍ର : ମହେଶ ହାଜ୍ରା (ନିର୍ଦ୍ଦେଶକ) ପୌରାଣିକ ଧାରାବାହିକ ସବୁବେଳେ ସ୍ବତନ୍ତ୍ର ବୋଲି କହିବି। କାରଣ ଏହାର କଥାବସ୍ତୁ ଦର୍ଶକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଥାଏ। ତା’ ହୋଇ ନ ଥିଲେ ପୂର୍ବରୁ ରେକର୍ଡ ସୃଷ୍ଟି କରିଥିବା ‘ରାମାୟଣ’, ‘ମହାଭାରତ’ ପରି ମେଗା ପୌରାଣିକ ଧାରାବାହିକ କରୋନା ସମୟରେ ପୁଣି ଥରେ ପ୍ରସାରିତ ହୋଇ ଦର୍ଶକାଦୃତ ହୋଇ ନ ଥାନ୍ତା। ଅନେକ ପୁରାଣ ପଢ଼ିବା ଅପେକ୍ଷା ଏହା ଉପରେ ଆଧାରିତ ଧାରାବାହିକ ଦେଖିବାକୁ ପସନ୍ଦ କରିଥାଆନ୍ତି। ଏପରି ସିରିଏଲର ସ୍ବତନ୍ତ୍ର ଦର୍ଶକ ଅଛନ୍ତି। ଏବେ ବିଶେଷଭାବରେ ଯୁବପିଢ଼ି ଏଭଳି ଧାରାବାହିକ ଦେଖିବାକୁ ପସନ୍ଦ କରୁଛନ୍ତି। ତାହା ବ୍ୟତୀତ ନୂଆ ଟେକ୍ନୋଲୋଜିକୁ ଆଧାର କରି ଏପରି ସିରିଏଲ ନିର୍ମାଣ କରାଯାଉଛି। ପୌରାଣିକ ଧାରାବାହିକ ଦର୍ଶକଙ୍କ ଦ୍ୱାରା ସବୁବେଳେ ଆଦୃତ ହୋଇଆସିଛି ଏବଂ ଏହି ଧାରା ଭବିଷ୍ୟତରେ ବଜାୟ ରହିବ ବୋଲି ମୋର ଦୃଢ଼ ବିଶ୍ୱାସ। ପୌରାଣିକ ଧାରାବାହିକ ଯେତେ ଦେଖିଲେ ନୂଆ ଲାଗିଥାଏ : ମନ୍ମଥ ମିଶ୍ର (ସଙ୍ଗୀତ ନିର୍ଦ୍ଦେଶକ) ଦର୍ଶକଙ୍କ ରୁଚିରେ ସବୁବେଳେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଦିନକୁ ଦିନ ଯୁଗ ବଦଳୁଛି। ଏବେ ତ ହାଇଟେକ୍ ଯୁଗ। ହେଲେ ପୌରାଣିକ କଥାବସ୍ତୁକୁ ଆଧାର କରି ନିର୍ମିତ ଧାରାବାହିକର ଚାହିଦା କେତେ ତାହା କହିବା ବାହୂୁଲ୍ୟ। ଏପରି ଧାରାବାହିକ ଦର୍ଶକଙ୍କୁ ଏକ ଭିନ୍ନ ଧରଣର ମନୋରଞ୍ଜନ ଯୋଗାଇଥାଏ। ଲୋକମାନଙ୍କର ମାନସିକତା ବଦଳିଯାଇପାରେ, ହେଲେ ଶାସ୍ତ୍ର, ପୁରାଣର ଚାହିଦା ସବୁବେଳେ ରହିଛି ଏବଂ ରହିଥିବ। ଓଡ଼ିଆ ଭାଷାରେ ନିର୍ମିତ ପୌରାଣିକ ଧାରାବାହିକ ‘ଶ୍ରୀ ଜଗନ୍ନାଥ’ର ସଙ୍ଗୀତ ଦାୟିତ୍ୱ ମୁଁ ତୁଲାଇଥିଲି। ମୁଁ ଗାଇଥିବା ଏହାର ଶୀର୍ଷକ ସଙ୍ଗୀତ ଦର୍ଶକଙ୍କୁ କେତେ ପ୍ରଭାବିତ କରିଥିଲା ତାହା ସମସ୍ତେ ଜାଣନ୍ତି। ଏହି ଧାରାବାହିକକୁ ଦର୍ଶକ ଯେପରି ପ୍ରଶଂସା କରିଥିଲେ ତାହାକୁ ମୁଁ ଏବେ ବି ବିଶ୍ୱାସ କରିପାରୁନି। କାରଣ, ପୌରାଣିକ ବିଷୟବସ୍ତୁ ଆମ ମନରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଥାଏ। ଏବେ ମଧ୍ୟ ଏହାର ଚାହିଦା ରହିଛି ଏବଂ ଭବିଷ୍ୟତରେ ରହିଥିବ। ଓଡ଼ିଆରେ ପୌରାଣିକ ଧାରାବାହିକ ଓଡ଼ିଆରେ ପୌରାଣିକ ଧାରାବାହିକ ‘ଶ୍ରୀଜଗନ୍ନାଥ’ ନିର୍ମାଣ କରିଥିଲେ ବିଜୟ କାନ୍ଦୋଇ। ହର ପଟ୍ଟନାୟକ-ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶନାରେ ଏହା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଜଗନ୍ନାଥଙ୍କ କଥାବସ୍ତୁକୁ ବେଶ୍ ସୁନ୍ଦର ଭାବରେ ଏଥିରେ ଉପସ୍ଥାପନା କରାଯାଇଥିଲା। ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ଏହି ଧାରାବାହିକରେ ମନ୍ମଥ ମିଶ୍ରଙ୍କର ସ୍ବର ସଂଯୋଜନାରେ ସଙ୍ଗୀତ କୌଣସି ଗୁଣରେ କମ୍ ନ ଥିଲା। ଧାରାବାହିକର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ବିଶିଷ୍ଟ ସଂଳାପକାର ବିଜୟ ମିଶ୍ର। ସେହି ସମୟରେ ଏହି ଧାରାବାହିକ ଦର୍ଶକଙ୍କୁ ଏକ ଭିନ୍ନ ସ୍ବାଦର ମନୋରଞ୍ଜନ ଯୋଗାଇଥିଲା। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମୀର ତ୍ରିପାଠୀ (ଜଗନ୍ନାଥ), ଡ. ଚିତ୍ତରଞ୍ଜନ ମିଶ୍ର (ବଳରାମ) ଏବଂ ମେଘନା ମିଶ୍ର (ଲକ୍ଷ୍ମୀ)। ନିକଟରେ ଜି ସାର୍ଥକ ପକ୍ଷରୁ ପ୍ରସାରିତ ହୋଇଥିଲା ଆଉ ଏକ ପୌରାଣିକ ଧାରାବାହିକ, ଯାହାର ଶୀର୍ଷକ ଥିଲା ‘ସୁଭଦ୍ରା’। ଚଳିତବର୍ଷ ଜୁନ୍ ମାସରୁ ଏହାର ପ୍ରସାରଣ ଆରମ୍ଭ ହୋଇ ନଭେମ୍ବର ୬ରେ ଶେଷ ହୋଇଛି। ୧୦୮ ଏପିସୋଡ୍ ବିଶିଷ୍ଟ ଏହି ଧାରାବାହିକର ଟାଇଟଲ (ସୁଭଦ୍ରା) ଭୂମିକାରେ ଅଭିନୟ କରିଥିଲେ ସୁମନ ପଟ୍ଟନାୟକ। ଅନ୍ୟପକ୍ଷରେ ନୀଲ୍ (ଶ୍ରୀକୃଷ୍ଣ) ଏବଂ ଦୀପିକା ତ୍ରିପାଠୀ (ଦ୍ରୌପଦୀ)ଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ ଅଜୟ ରଥ। ଏହାବ୍ୟତୀତ କେତୋଟି ହିନ୍ଦୀ ଧାରାବାହିକର ଓଡ଼ିଆ ଡବିଂ କରାଯାଇ ତାହାର ପ୍ରସାରଣ ଘରୋଇ ଚ୍ୟାନେଲଗୁଡ଼ିକରେ ଚାଲୁ ରହିଛି। ସେମାନଙ୍କ ମତରେ… ଆଧ୍ୟାତ୍ମିକ ଧାରାବାହିକ ମୋ ଜୀବନରେ ପରିବର୍ତ୍ତନ ଆଣିଛି (ସ୍ନେହଲତା ମହାନ୍ତି, ବିରିବାଟୀ, କଟକ) ଆଧ୍ୟାତ୍ମିକ ଧାରାବାହିକ ଦେଖିବାକୁ ମୁଁ କେତେ ଭଲ ପାଏ ତାହା ଭାଷାରେ ବର୍ଣ୍ଣନା କରିପାରିବି ନାହିଁ। ଯେତେବେଳେ ପ୍ରଥମେ ‘ରାମାୟଣ’ ଏବଂ ‘ମହାଭାରତ’ ପ୍ରସାରିତ ହୋଇଥିଲା ସେତେବେଳେ ମୁଁ ଏହି ଧାରାବାହିକଦ୍ୱୟର ସବୁ ଏପିସୋଡ ଦେଖିଲି। ପୁରାଣ ଉପରେ ଆଧାରିତ ସିରିଏଲଟିଏ ଦେଖିଲେ ମୋ ମନରେ ଶାନ୍ତି ଆସିଥାଏ। ଏବେ ମଧ୍ୟ ଘର କାମରେ ବ୍ୟସ୍ତ ରହିଥିଲେ ମଧ୍ୟ ମୁଁ କୌଣସି ପୌରାଣିକ ଧାରାବାହିକକୁ ଦେଖିବାକୁ ଭୁଲି ନ ଥାଏ। ସେଗୁଡିକରୁ ଅନେକ କିଛି ଶିଖିବାର ଅଛି। ମୋଟ ଉପରେ କହିବାକୁ ଗଲେ ଏପରି ଧାରାବାହିକ ମୋ ଜୀବନରେ ପରିବର୍ତ୍ତନ ଆଣିଛି। ମୋ ମତରେ ଏଭଳି ଧାରାବାହିକଗୁଡିକର ଚାହିଦା ପୂର୍ବରୁ ଥିଲା, ଏବେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ। ଶୁଭ୍ର ପ୍ରକାଶ ମହାପାତ୍ର
https://www.dharitri.com/ayush-visa-soon/
ଖୁବ୍‌ଶୀଘ୍ର ଆୟୁଷ ଭିଜା ଗାନ୍ଧୀନଗର, ୨୧ା୪: ପାରମ୍ପରିକ ଔଷଧ ଏବଂ ଆୟୁଷ ଉତ୍ପାଦଗୁଡ଼ିକ ମାଧ୍ୟମରେ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ କେନ୍ଦ୍ର ସରକାର ଆୟୁଷ ଭିଜା ଆଣିବେ। ଏହା ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭ ଉଠାଇବା ବିଦେଶୀ ନାଗରିକଙ୍କ ପାଇଁ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଆୟୋଜିତ ଗ୍ଲୋବାଲ ଆୟୁଷ ଇନ୍ଭେଷ୍ଟମେଣ୍ଟ ଆଣ୍ଡ୍ ଇନୋଭେଶନ ସମିଟ୍-୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘୋଷଣା କରିଛନ୍ତି। ଚିକିତ୍ସା ଟୁରିଜମ୍କୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ରର ସ୍ବତନ୍ତ୍ର ଯୋଜନା ରହିଛି। ଔଷଧୀୟ ଚାରାରୋପଣ କରିଥିବା ଚାଷୀଙ୍କୁ ସଂଯୋଗ କରିବା ପାଇଁ ଏକ ଡିଜିଟାଲ ପୋର୍ଟାଲ ଖୋଲାଯିବା ସହ ଅନ୍ୟ ଟେକ୍ନୋଲୋଜି ସଂଲଗ୍ନ ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। କୋଭିଡ୍-୧୯ ମହାମାରୀବେଳେ ଲୋକେ ବହୁଳ ମାତ୍ରାରେ ଆୟୁର୍ବେଦିକ୍ ପଦ୍ଧତିରେ ସ୍ବାସ୍ଥ୍ୟର ଯତ୍ନ ନେଇଥିଲେ। ତେଣୁ ଆୟୁଷ କ୍ଷେତ୍ରରେ ବିନିଯୋଗ ଓ ନୂତନତ୍ୱର ଅସୀମ ସମ୍ଭାବନା ରହିଛି। ଏହି ସେକ୍ଟରରେ ଯଥାସମ୍ଭବ ବିନିଯୋଗ କରିବାର ସମୟ ଉପନୀତ ବୋଲି ମୋଦି କହିଛନ୍ତି। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଟେଡ୍ରୋସ୍ ଅଧନୋମ୍ ଘେବ୍ରେୟସ୍, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗୁଜରାଟର ଜାମ୍ନଗରଠାରେ ମଙ୍ଗଳବାର ଡବ୍ଲ୍ୟୁଏଚ୍ଓ ମୁଖ୍ୟଙ୍କ ଉପସ୍ଥିତିରେ ଗ୍ଲୋବାଲ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନ୍ (ଜିସିଟିଏମ୍)ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
https://www.dharitri.com/denied-entry-to-public-toilets-light-house-disappointed/
ସର୍ବସାଧାରଣଙ୍କୁ ବତିଘର ପ୍ରବେଶ ମନା, ପର୍ଯ୍ୟଟକ ନିରାଶ ଗୋପାଳପୁର,୨୫।୪: (ଡି.ଏନ.ଏ.) ଗୋପାଳପୁର ବେଳାଭୂମି ନିକଟରେ ଥିବା ବତୀଘରକୁ ସର୍ବସାଧାରଣ ପାଇଁ ପ୍ରବେଶ ଉପରେ ରୋକ ଲାଗିଛି। ବେଳାଭୂମି ଭ୍ରମଣରେ ଆସୁଥିବା ଦେଶ ତଥା ବିଦେଶୀ ପର୍ଯ୍ୟଟକମାନେ ବତିଘର ଦେଖିବାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ର ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବତିଘର ପରିଚାଳିତ ହେଉଛି। ଜିଲାପ୍ରଶାସନ ଗୋପାଳପୁରକୁ ଏକ ପର୍ଯ୍ୟଟନ ସ୍ଥଳୀ ରୁପେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ହାତକୁ ନେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବତିଘରକୁ ନୁଆ ରୁପରେଖା କରିବା ପାଇଁ ସୂଚନା ମଧ୍ୟ ମିଳିଥିଲା। ୧୯୬୬ରେ ୩ ଏକର ପରିମିତ ଜମିରେ ବତିଘର ପ୍ରତିଷ୍ଠା ହୋଇଥିଲା। ଏହାର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୪୫ ମିଟର ଉଚ୍ଚ ରହିଛି। ଏହାଦ୍ୱାରା ଜାହାଜର ନାବିକକୁ ବତିଘର ଆଲୋକଦ୍ୱାରା ସ୍ଥାନ ଓ ଦିଗ ନିରୁପଣ ଦେଖାଇଥାଏ। ପୂର୍ବରୁ ବତୀଘର ପ୍ରବେଶ ନିମନ୍ତେ ଛୋଟ ଶିଶୁଙ୍କ ନିମେନ୍ତ ୩ ଟଙ୍କା ଓ ବୟସ୍କଙ୍କ ନିମନ୍ତେ ଟିକଟ ୧୦ଟଙ୍କା ରହିଥିଲା। ପର୍ଯ୍ୟଟକ ମାନେ ବତିଘର ଉପରେ ରହି ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ବତିଘର ଉପରେ ରାଡ଼ାର ଓ ଅତ୍ୟାଧୁନିକ ଯନ୍ତ୍ରପାତୀ ଲଗାଇବା ଦ୍ୱାରା ୨୦୧୩ ମସିହାଠାରୁ କେନ୍ଦ୍ରସରକାରଙ୍କ ପକ୍ଷରୁ ବତିଘର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି କଟକଣା ବର୍ତ୍ତମାନ ଯାଏ ବଳବତ୍ତର ରହିଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ପରବର୍ତ୍ତୀ ସମୟରେ ବତୀଘର ଆଖାପାଖରେ ଉଦ୍ୟାନ କରାଯିବା ସହ ଏଥିରେ ଲିଫ୍ଟ ଲଗାଯାଇ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଉପରେ ରାଡ଼ାର ଓ ଅତ୍ୟାଧିକ ଯନ୍ତ୍ରପାତି ଥିବାଯୋଗୁ ଜାଗା ଓ କୌଣସି ଦୁର୍ଘଟଣା ଘଟିବାର ଆଶାଙ୍କା ରହିଥିବା ନେଇ ପ୍ରବେଶକୁ ବାରଣ କରାଯାଇଥିବା ନେଇ ଜୈନିକ ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ଏକ ଟାୱାର ନିର୍ମାଣ ଯୋଜନା କରିଥିବା ବେଳେ ଉପର ରାଡ଼ାରକୁ ସ୍ଥାନାନ୍ତର କରାଯାଇ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ମତ୍ସ୍ୟଜୀବୀଙ୍କୁ ବତୀଘର ସହାୟକ ହେଉଛି। ତୁରନ୍ତ ବତୀଘରକୁ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ଖୋଲାଯିବାକୁ ସାଧାରଣରେ ଦାବି ହେଉଛି।
https://www.dharitri.com/jayanarayan-showed-influence/
ପ୍ରଭାବ ଦେଖାଇଲେ ଜୟନାରାୟଣ ସମ୍ବଲପୁର,୨୬।୬(ଭବାନୀ ଶଙ୍କର ଭୋଇ): ଦୀର୍ଘ ୫ ଥର ସମ୍ବଲପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ନିଜର ଖାସ ଅନ୍ଦାଜ ପାଇଁ ସାରା ରାଜ୍ୟରେ ପରିଚିତ। ବିଜେଡି -ଭାଜପା ମିଳିତ ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ପରେ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରି ସଶକ୍ତ ବିରୋଧୀ ଦଳର ନେତା ଭୂମିକା ନିଭେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ପଞ୍ଚମ ପାଳିରେ ଭାଜପା ସରକାରରେ ଦଳର ବରିଷ୍ଠ ଏବଂ ଅନୁଭବୀ ବିଧାୟକ ଭାବେ ସେ ମନ୍ତ୍ରୀ ହେବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ କୌଣସି କାରଣରୁ ମନ୍ତ୍ରୀ ପଦ ପାଇଲେ ନାହିଁ। ଏହା ପରେ ତାଙ୍କର ସମର୍ଥକ ନିରାଶ ହେଲେ। ଗତ କିଛି ବର୍ଷ ହେବ ଅସୁସ୍ଥତା କାରଣରୁ ସେ କିଛି ଦିନ ଚିକିତ୍ସାଧୀନ ରହି ସାମାଜିକ ଜୀବନରୁ ଦୂରେଇ ଯାଇଥିଲେ। ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ସେ ତାଙ୍କର ପୁରୁଣା ସ୍ଥିତିକୁ ଫେରିଥିବା ନେଇ ସମର୍ଥକ ଦାବି କରୁଥିଲେ। ବିଧାନସଭା ନିର୍ବାଚନ ପରେ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ପ୍ରଶାସନର ବିଭିନ୍ନ ବିଭାଗ ସହ ସମୀକ୍ଷା ବୈଠକରେ ଜୟନାରାୟଣ ନିଜର ପତିଆରା ଜାହିର କରି ବିଭିନ୍ନ ବିଭାଗର ଖାମଖିଆଲ କାର୍ଯ୍ୟଧାରାକୁ ଲୋକଲୋଚନକୁ ଆଣିଥିଲେ। ପୂର୍ବରୁ ମଧ୍ୟ ବିଧାୟକ ଥିବା ସମୟରେ ଲୋକଙ୍କ ବିଭିନ୍ନ ଅସୁବିଧା ବିଷୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ତାଗିତା କରୁଥିଲେ। ହେଲେ ବିରୋଧୀ ଦଳରେ ରହିଥିବା କାରଣରୁ ଅଧିକାରୀମାନେ ଖାମଖିଆଲ ମନୋଭାବ ପୋଷଣ କରୁଥିବା ଦେଖାଯାଉଥିଲା। ହେଲେ ଏବେ ସେ ସରକାରୀ ଦଳରେ ଆଉ ପୁରୁଣା ଫର୍ମରେ। ବିଭିନ୍ନ ବିଭାଗର ବିକାଶ କାମର ସମୀକ୍ଷା କରିବା ସମୟରେ ଅନେକ ଅଧିକାରୀ ଖାମଖିଆଲ ଭାବରେ ବିନା ତଥ୍ୟରେ ସମୀକ୍ଷା ବୈଠକକୁ ଆସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଜୟନାରାୟଣ ସିଧାସଳଖ ଅଧିକାରୀଙ୍କୁ ତାଗିଦା କରୁଥିଲେ ତଥ୍ୟ ନାହିଁ ତ କାହିଁକି ଆସିଛ। ଜଳସେଚନ ବିଭାଗର ଅଧିକାରୀ ଧୋବିଜୋର ନାଳା ସଫେଇ ଜାରି ରହିଥିବା ନେଇ ଖାମଖିଆଲ ଭାବେ ତଥ୍ୟ ଦେଇଥିଲେ। ଧୋବିଯୋରରୁ କେବଳ ଉପରେ ଭାସୁଥିବା ଦଳଗୁଡିକୁ ସଫା କରାଯାଉଥିବାବେଳେ ନାଳାରେ ଜମା ହୋଇଥିବା ମାଟି ଆଦୌ ଉଠାଯାଉ ନ ଥିବା ଅଭିଯୋଗ ହେଉଛି। ଜୟନାରାୟଣ ମିଶ୍ର ପଚାରିଥିଲେ, ଏବେ କେଉଁଠି ସଫା ହେଉଛି, ସେକଥା କୁହ ଆଉ ବୈଠକ ପରେ ଯାଇ ଦେଖିବା ଆପଣଙ୍କ ବିଭାଗର କାମ କେମିତି ଚାଲିଛି। ନାଳ ସଫା ଠିକ ଭାବରେ କରାଯାଉନାହିଁ। କାଲି ବନ୍ୟା ହେଲେ ଆମେ କି ଉତ୍ତର ଦେବୁ। ପୁଣି ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ ହେଉକି ସ୍ବରେଜ ବିଭାଗର କାମକୁ ନେଇ ସମୀକ୍ଷା ସମୟରେ ଜନସାଧାରଣଙ୍କ ଅସନ୍ତୋଷକୁ ନେଇ ଅଧିକାରୀମାନଙ୍କୁ ତାଗିଦା କରିଥିଲେ। ନବୀନ ସରକାର ଷ୍ଟାଡିୟମକୁ ଭାଙ୍ଗି ୩୦୦ କୋଟି ଟଙ୍କାରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ଘୋଷଣା କରିଥିଲେ। ତରବରିଆ ଭାବେ ଆଖପାଖର ସମସ୍ତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଦେଇଥିଲେ। ଜୟନାରାୟଣ ପଚାରିଥିଲେ, କେତେ ଟଙ୍କା ଆସିଛି ଆଉ ବର୍ତ୍ତମାନର ସ୍ଥିତ କଣ। ସବୁକିଛି ଯୋଜନାରେ ଅଟକିଥିବା ଜାଣିବା ପରେ ସବୁ ବିଭାଗୀୟ କାର୍ଯ୍ୟାଳୟକୁ ନିଜ ପୁରୁଣା ଜାଗାକୁ ଫେରାଇ ଆଣିବାକୁ ପ୍ରଶାସନକୁ କହିଥିଲେ। ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ରାସ୍ତାର ଅବସ୍ଥା ସୁଧୁରିଥିବା ନେଇ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ତଥ୍ୟ ଦେଇଥିଲେ। ଏହା ପରେ ଜାତୀୟ ରାଜପଥ ଅଧିକାରୀ ଖୁବ୍ଶୀଘ୍ର କାମ ସାରିବା ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ। ଏବେ ଜୟନାରାୟଣ ପୁରୁଣା ଫର୍ମକୁ ଫେରିବା ପରେ ବହୁ ଦିନରୁ ସମ୍ବଲପୁରରେ ଚାଲିଥିବା ଅଫିସର ବେଖାତିର ମନୋଭାବ ଦୂର ହେବ ବୋଲି ଆଶା କରାଯାଉଛି।
https://www.dharitri.com/oppressed-muslim-christians-are-not-recognized-as-schedule-groups/
ଦଳିତ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ନାହିଁ… ନୂଆଦିଲ୍ଲୀ,୧୦।୧୧ : ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଦେଶରେ ଅନୁସୂଚିତ ଜାତି (ଏସସି) ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ଏସସି ସଂରକ୍ଷଣ ଅଧୀନରେ ଚାକିରି ଏବଂ ଶିକ୍ଷା ଅନୁଷ୍ଠାନରେ କୌଣସି ସଂରକ୍ଷଣ ଦିଆଯାଇ ନଥାଏ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି। କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କେବଳ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଲୋକଙ୍କ ପାଇଁ ଉପଲବ୍ଧ। ସମ୍ବିଧାନ (ଅନୁସୂଚିତ ଜାତି) ଅର୍ଡର ୧୯୫୦ ଅନୁଯାୟୀ ଏହି ସଂରକ୍ଷଣ ପ୍ରଦାନ କରାଯାଇଛି । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଯେଉଁ ମାନଙ୍କୁ ଦଳିତ କୁହାଯାଉଥିଲା, କିନ୍ତୁ ପରେ ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମକୁ ଯାଇଥିଲେ, ଯେହେତୁ ଏହି ଦୁଇ ଧର୍ମରେ ସାମାଜିକ ଅସ୍ପୃଶ୍ୟତା ନାହିଁ। ତେଣୁ ଏସସି ମାନ୍ୟତା ନାହିଁ। ସମ୍ବିଧାନ (ଅନୁସୂଚିତ ଜାତି)ନିର୍ଦ୍ଦେଶ ୧୯୫୦କୁ ଅନେକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ପକ୍ଷ ଉପସ୍ଥାପନ କରି ଏଭଳି କହିଛନ୍ତି। ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ସଂରକ୍ଷଣ ପ୍ରଦାନ କରାଯିବାକୁ ଏହି ନିବେଦନ କରାଯାଇଛି। କେନ୍ଦ୍ର କହିଛି ଯେ ଅନୁସୂଚିତ ଜାତି ସ୍ଥିତି ଏକ ସାମାଜିକ ପଛୁଆବର୍ଗ ଉପରେ ଧ୍ୟାନ ଦେଇଥାଏ। ଏହି ସୁବିଧା ୧୯୫୦ର ନିର୍ଦ୍ଦେଶ ଅନୁଯାୟୀ ସ୍ବୀକୃତିପ୍ରାପ୍ତ ସମ୍ପ୍ରଦାୟ ମଧ୍ୟରେ ସୀମିତ। ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ସମାଜ କେବେହେଲେ ସାମାଜିକ ଅତ୍ୟାଚାରର ସମ୍ମୁଖୀନ ହୋଇ ନାହାନ୍ତି। କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ (ଅନୁସୂଚିତ ଜାତି)ନିର୍ଦ୍ଦେଶ, ୧୯୫୦ ଐତିହାସିକ ତଥ୍ୟ ଉପରେ ଆଧାରିତ। ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଖ୍ରୀଷ୍ଟିଆନ କିମ୍ବା ଇସଲାମ ସମାଜର ସଦସ୍ୟମାନେ ସାମାଜିକ ପଛୁଆ କିମ୍ବା ଅତ୍ୟାଚାରର ସମ୍ମୁଖୀନ ହୋଇନାହାଁନ୍ତି। ସରକାର ଯୁକ୍ତି ଦର୍ଶାଇଥିଲେ ଯେ ଅତୀତରେ ଅନୁସୂଚିତ ଜାତିମାନଙ୍କର ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାର ଅନ୍ୟତମ କାରଣ ହେଉଛି ଯେ ସେମାନେ ଅସ୍ପୃଶ୍ୟତାର ସମସ୍ୟାରୁ ମୁକ୍ତି ଚାହୁଁଥିଲେ। ଅସ୍ପୃଶ୍ୟତା ଖ୍ରୀଷ୍ଟିଆନ କିମ୍ବା ଇସଲାମରେ ଆଦୌ ନାହିଁ। ସରକାର ସର୍ବୋଚ୍ଚ ଅଦାଲତକୁ କହିଛନ୍ତି ଯେ ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦିଆଯାଇପାରିବ କି ନାହିଁ ଏହି ଆୟୋଗ ପରୀକ୍ଷା କରିବ ପାଇଁ ପୂର୍ବତନ ସିଜେଆଇ କେ କେ ବାଲାକ୍ରିଷ୍ଣନଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଶନ ଗଠନ କରାଯାଇଥିଲା।
https://www.dharitri.com/comedian-sunil-grover-shares-a-new-video-on-online-classes-goes-viral/
କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ ଶିକ୍ଷକମାନେ ପିଲାମାନଙ୍କର ଅନ୍ଲାଇନ୍ କ୍ଲାସ ନେଉଛନ୍ତି। ଏଭଳି ସମୟରେ ପିଲାମାନେ ଶିକ୍ଷକମାନଙ୍କୁ କିପରି ହଇରାଣ କରୁଛନ୍ତି ତାହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଗୁଥି ନାମରେ ଲୋକପ୍ରିୟ କମେଡି କଳାକାର ସୁନୀଲ ଗ୍ରୋଭର ଏବେ ଏକ ହାସ୍ୟାତ୍ମକ ଭିଡିଓକରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ସୁନୀଲ ଉଭୟ ଶିକ୍ଷକ ଏବଂ ଛାତ୍ର ଚରିତ୍ରରେ ନଜର ଆସୁଛନ୍ତି। ଏଥିରେ ସେ ଛାତ୍ରରେ ହିନ୍ଦୀ କ୍ଲାସ ନେଉଛନ୍ତି। ତେବେ ଛାତ୍ର ଜଣଙ୍କ ତାଙ୍କ ସହ କିପରି ବଦ୍ମାସୀ କରୁଛି ତାହା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓଟିକୁ ଖୁବ୍ କମ୍ ସମୟ ମଧ୍ୟରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଭିଡିଓଟିକୁ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ପୂର୍ବ ବିଶ୍ୱସୁନ୍ଦରୀ ନବନୀତ କୌର ମଧ୍ୟ ପସନ୍ଦ କରିଛନ୍ତି।
https://www.dharitri.com/plane-crashes-in-rural-area-of-australia-pilot-along-with-three-children-killed/
ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ବିମାନ ଦୁର୍ଘଟଣା, ୩ ଶିଶୁ ସମେତ ପାଇଲଟ ମୃତ ସିଡନୀ,୭।୧୦: ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଏକ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୁରୁଷ ପାଇଲଟ ଏବଂ ତିନି ଜଣ ଶିଶୁଙ୍କ ମତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଏହି ସୂଚନା ଦେଇଛି। ସାଇରସ ଏସଆର ୨୨ କାନବେରାରୁ ବାହାରି ପ୍ରାୟ ୩ ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିଡନୀ ଠାରୁ ପ୍ରାୟ ୨୯୦ କିଲୋମିଟର (୧୮୦ମାଇଲ) କୁଇନବେୟାନ ସହର ନିକଟରେ ସ୍ଥାନୀୟ ସମୟ (୦୪୦୦ ଜିଏମଟି) ସମୟରେ ଏହି ଦୁର୍ଘଟଣା ହୋଇଥିଲା। ପୋଲିସ କହିଛି ଯେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ନିଆଁ ଲାଗିଯାଇଥିଲା। ପରେ ଏହାକୁ ଜରୁରୀକାଳୀନ ସେବା ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇଥିଲେ ସୁଦ୍ଧା କାହାର ଜୀବନ ବଞ୍ଚାଇ ପାରି ନ ଥିଲେ।
https://www.dharitri.com/bride-was-picked-up-by-the-police/
ବରକୁ ଉଠାଇ ଆଣିଲା ପୋଲିସ ବଲାଙ୍ଗୀର ଅଫିସ, ୧୯ା୫: ବଲାଙ୍ଗୀର ସହର ଶ୍ରୀରାମ ନଗରଠାରେ ଗୁରୁବାର ମୁସଲମାନ ସମ୍ପ୍ରଦାୟର ଏକ ବିବାହ (ନିକାହ) ଉତ୍ସବରେ ଯୌତୁକ ଦାବିକୁ ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିବାହ ସରିବା ପରେ ବରପାତ୍ର ମୋଟର ସାଇକେଲ ଦାବି କରିବାରୁ ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଟାଉନ ଥାନାରେ ଖବର ପହଞ୍ଚତ୍ବା ପରେ ପୋଲିସ ବରକୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି। ଏପରି କି ଥାନାରେ ନବବିବାହିତ କନ୍ୟାକୁ ତଲାକ୍ ଦେବାକୁ କୁହାଯିବାରୁ ବର ବାଧ୍ୟ ହୋଇ ତଲାକ୍ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଶ୍ରୀରାମନଗରର ଜଣେ ଯୁବତୀଙ୍କ ବିବାହ ବୁର୍ଲା ଡେଲିମାର୍କେଟ ନିବାସୀ ଜଣେ ଯୁବକଙ୍କ ସହ ହୋଇଥିଲା। ଗୁରୁବାର ବର ବରଯାତ୍ରୀ ନେଇ ବଲାଙ୍ଗୀର ଆସି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ସରିବା ପରେ ବରପକ୍ଷଙ୍କୁ ଭୋଜି ଖାଇବାକୁ ଡାକିବାରୁ ବରପକ୍ଷ ଲୋକ ଭୋଜି ଖାଇବାକୁ ଯାଇ ନ ଥିଲେ। ଏପରି କି ବର ମଧ୍ୟ ଖାଇବାକୁ ଯାଇ ନ ଥିଲେ। କଥା କ’ଣ ବୋଲି କନ୍ୟାପକ୍ଷ ଲୋକେ ପଚାରିବାରୁ ମୋଟର ସାଇକେଲ ଯୌତୁକ ନ ଦେଲେ ସେମାନେ କନ୍ୟାକୁ ନେବେ ନାହିଁ ବୋଲି କହିଥିଲେ। ଏହି କଥାକୁ କେନ୍ଦ୍ର କରି ସେଠାରେ ଉଚ୍ଚବାଚ ହୋଇଥିଲା। ପୂର୍ବରୁ ବିନା ଯୌତୁକରେ ବିବାହ କରିବାକୁ ରାଜି ହୋଇଥିବା ବର ବିବାହ ସରିବା ପରେ କାହିଁକି ଯୌତୁକ ଦାବି କରୁଛି ବୋଲି କନ୍ୟାପକ୍ଷ ଲୋକ ପଚାରିଥିଲେ। ତେବେ ମୋଟର ସାଇକେଲ ନ ଦେଲେ କନ୍ୟାକୁ ନେବେ ନାହିଁ ବୋଲି କହିବାରୁ କନ୍ୟାପକ୍ଷ ଲୋକ ବାଧ୍ୟ ହୋଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିବାହ ସ୍ଥାନରୁ ବରଙ୍କୁ ଉଠାଇ ଆଣି ଥାନାରେ ରଖିଥିଲେ। ସେଠାରେ ବିବାଦର ସମାଧାନ ନ ହେବାରୁ ଥାନାକୁ କନ୍ୟା ସହ ପରିବାର ଲୋକ ଆସିଥିଲେ। ଥାନାରେ ସମ୍ପୃକ୍ତ ନବବିବାହିତ ଯୁବକଙ୍କୁ କନ୍ୟାକୁ ତଲାକ୍ ଦେବାକୁ କୁହାଯାଇଥିଲା। ସେଠାରେ ବର ତଲାକ୍ ଦେଇଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମୀମାଂସା ଚାଲିଥିବା ଜଣାପଡିଛି।
https://www.dharitri.com/new-zealand-youngest-mp-21-year-hana-rawhiti-maipi-clarke-perform-haka-dance-in-parliament-while-raising-issues-video-viral/
ସଂସଦରେ ଗର୍ଜିଲେ ମହିଳା ଏମପି, ନୃତ୍ୟ ସାଙ୍ଗକୁ ଦମଦାର ଭାଷଣ, ଭିଡିଓ ଭାଇରାଲ ଓ୍ବେଲିଂଟନ୍,୬।୧: ନେତାଙ୍କ ଦମଦାର ଭାଷଣ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ସହ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ। ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରନ୍ତ। ନିକଟରେ ଏପରି ଏକ ମହିଳା ଏମପିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ସଂସଦରେ ନାଚି ନାଚି ଜନସାଧାରଣଙ୍କ ଦାବି ଉପସ୍ଥାପନ କରିଛନ୍ତି। ଭାରତରେ ନୁହେଁ ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବ କନିଷ୍ଠ ଏମପି ହାନା ରହିତି ମାଇପି କର୍ଲାକେ। ନ୍ୟୁଜିଲାଣ୍ଡ ସଂସଦରେ ତାଙ୍କର ଦମଦାର ଭାଷଣ ସାଙ୍ଗକୁ ଦାବି ଉପସ୍ଥାପନ କରିବାର ପ୍ରଭାବଶାଳୀ ନୃତ୍ୟ ସାରା ବିଶ୍ୱକୁ ଚକିତ କରିଛି। ଏହି ଭିଡିଓଟି ହେଉଛି ୨୦୨୩ ଡିସେମ୍ବରର। ଦେଶର ସର୍ବ କନିଷ୍ଠ ୨୧ ବର୍ଷିୟ ହାନା ଭାଇରାଲ ଭିଡିଓରେ କହୁଛନ୍ତି, ଜନସାଧାରଣଙ୍କୁ ମୁଁ ପ୍ରତିଶ୍ରୁତି ଦେଇଛି, ସେମାନଙ୍କର କୌଣସି ସମସ୍ୟା ହେଲେ ମୁଁ ଆଗରେ ଠିଆ ହେବି। ସେମାନଙ୍କୁ ପାଇଁ ମୁଁ ଜୀବନ ମଧ୍ୟ ଦେଇପାରେ। କିନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କ ପାଇଁ ବଞ୍ଚିବାକୁ ଚାହୁଁଛି ଏବଂ ଆପଣଙ୍କ ପାଇଁ କାମ କରିବାକୁ ଚାହୁଁଛି। ତେବେ ଭାଷଣ ଦେବା ସମୟରେ ସେ ଅନେକ ଥର ଭାବପ୍ରବଣ ହୋଇଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସଂସଦରେ ନିଜ ଭାଷଣକୁ ସେ ନୃତ୍ୟ କରି ଉପସ୍ଥାପନ କରିଥିଲେ। ସେ ମାଓରି ସଂସ୍କୃତିର ‘ହାକା’ ନୃତ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। କହିରଖୁଛୁ କି, ଏହା ଏକ ଯୁଦ୍ଧଗୀତ। ଯାହାକୁ ବିଭିନ୍ନ ଭାବଭଙ୍ଗୀ ସହ ପ୍ରସ୍ତୁତ କରାଯାଇଥାଏ। ଭାଷଣ ଦେବା ସମୟରେ ସେ ଜନତାଙ୍କ ଦାବି ଉଠାଇ ସଂସଦରେ ଗର୍ଜୁ ଥିବାର ନଜିର ଆସିଛନ୍ତି।
https://www.dharitri.com/ନାଲ୍‌କୋ-ଅଧ୍ୟକ୍ଷ-ହେଲେ-ଶ୍ର/
ନାଲ୍‌କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର ଭୁବନେଶ୍ୱର,୧୭-୧୨: ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୋମବାର ଏକ ଅର୍ଡର ଜାରି ହୋଇଛି। ପାତ୍ର ବର୍ତ୍ତମାନ ନାଲ୍କୋର ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରେ ୩୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଟିଏଚ୍ଡିସି ଇଣ୍ଡିଆ ଲିମିଟେଡରେ ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିଛନ୍ତି। ଏହାସହ ଓଡିଶା ମାଇନିଂ କର୍ପୋରେଶନ(ଓଏମ୍ସି) ଲିମିଟେଡ, ଇଣ୍ଡିଆନ ରେୟାର ଆର୍ଥସ ଲିମିଟେଡ, ଓଏନ୍ଜିସିର ସହାୟକ କମ୍ପାନୀ ମାଙ୍ଗାଲୋର ରିଫାଇନେରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ ଭଳି କମ୍ପାନୀରେ କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ, ବିଦ୍ୟାସାଗର ୟୁନିଭର୍ସିଟିରୁ ଏମ୍ବିଏ ଡିଗ୍ରୀ ହାସଲ କରିଛନ୍ତି। ଏହାବାଦ ସେ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟର୍ଡ ଆକାଉଣ୍ଟାସ ଅଫ୍ ଇଣ୍ଡିଆର ସଦସ୍ୟ ମଧ୍ୟ ଅଛନ୍ତି।
https://www.dharitri.com/chittagong-tehsildar-in-action-land-mafia-cheated-out-of-lakhs-of-rupees-by-working-against-the-law/
ଆକ୍ସନ ମୋଡ଼ରେ ଚିତ୍ରକୋଣ୍ଡା ତହସିଲଦାର, ଆଇନ ବିରୋଧି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କାର ତଣ୍ଡ ଗଣିଲେ ଜମି ମାଫିଆ କୋରୁକୋଣ୍ଡା ୨୭।୦୬(ଅବିନାଶ ବେହେରା)ଜଙ୍ଗଲ କଡ଼ରେ ଥିବା ସରକାରୀ ଜମିରେ ଜେସିବି ମେସିନ ଲଗାଇ ରାତାରାତି ବେଆଇନ ଭାବେ ପୋଖରୀ ଖନନ କଲେ ଅସାଧୁ ବ୍ୟକ୍ତି। ଖବର ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର। ଆଜି ଏପରି ଏକ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମବେଡା ରାଜସ୍ବ ବିଭାଗ ଅନ୍ତର୍ଗତ ଏମଭି-୩୫ଗ୍ରାମରେ ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନାନୁଯାୟୀ ଏମଭି-୩୫ ଗ୍ରାମର ସତ୍ୟ ବିଶ୍ୱାସଙ୍କ ପୁଅ ମାଣିକ ବିଶ୍ୱାସ ପୂର୍ବରୁ ଜଙ୍ଗଲ ଜମି କଡେ ଏକ ଘର ତିଆରି କରିଥିଲେ ପରେ ସେଠାରେ ପୋଖରୀ ଖନନ କରିବା ନିମନ୍ତେ ପ୍ରୟାସ କରିଥିଲେ। ତେବେ ଏହି ଖବର ଶୁଣିବା ମାତ୍ରେ ରାଜସ୍ବ ନିରୀକ୍ଷକ ଆସି ଏପରି ଆଇନ ବିରୋଧୀ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ତଥାପି ଉକ୍ତ ଅସାଧୁ ବ୍ୟକ୍ତି ଜଣକ ରାଜସ୍ବ ନିରୀକ୍ଷକଙ୍କ କଥା ନ ଶୁଣି ନିଜ ମନ ମୁତାବକ ଏକ ବୃହତ ଅଞ୍ଚଳରେ ଜେସିବି ମେସିନ ଲଗାଇ ରାତାରାତି ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ସକାଳୁ ପୁଣି ଖବର ପାଇ ପ୍ରଥମେ କାମବେଡା ରାଜସ୍ବ ନିରୀକ୍ଷକ ବିଭୁଦତ୍ତ ଗୌଡ଼ ପହଞ୍ଚିଥିଲେ। ପରେ ଉକ୍ତ ଅଞ୍ଚଳ ବନ ବିଭାଗର ବନରକ୍ଷୀ ସୁବ୍ରତ ପରିଡା ମଧ୍ୟ ପହଞ୍ଚିଥିଲେ। ତେବେ ବନ ବିଭାଗର ଅନୁମତି ନ ନେଇ ବୃହତକାୟ ବୃକ୍ଷ ଗୁଡିକ ମାଟିରେ ମିଶାଇ ଦେଇଥିବା ହେତୁ ସେ ମାଣିକଙ୍କ ପିତା ସତ୍ୟ ବିଶ୍ୱାସଙ୍କ ଉପରେ ବହୁତ ବିରକ୍ତି ପ୍ରକାଶ କରିଥିଲେ। ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଏବଂ ଓରକେଲ ଥାନାର ଏକ ଟିମ ପହଞ୍ଚି ଆକ୍ସନ ମୋଡ଼ରେ ଜେସିବିକୁ ଜବତ କରାଇବା ସହ ମାଣିକ ବିଶ୍ୱାସ ନାମରେ ଏକ ଲକ୍ଷ ଟଙ୍କାର ଚାଲାଣ କାଟିଥିଲେ। ଓରକେଲ ଥାନାଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ଉକ୍ତ ଜେସିବି ମେସିନଟିକୁ ଜବତ କରି ଥାନାକୁ ନିଆଯାଇଥିଲା। ପୂର୍ବରୁ ଏହି ଅଞ୍ଚଳ ଗୁଡିକରେ ସରକାରୀ ଜାଗା ଏବଂ ଜଙ୍ଗଲ ଜମି ଗୁଡିକୁ ହଡପ କରି ଯେଉଁକିଛି ଅସାଧୁ ବ୍ୟକ୍ତିମାନେ ଏପରି ଆଇନ ବିରୋଧୀ କାର୍ଯ୍ୟ କରିଛନ୍ତି ଆଜି ଏପରି ଘଟଣା ଘଟିବା ଦ୍ୱାରା ସେମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏପରି ଅସାଧୁ ଜାଗା ମାଫିଆଙ୍କ ଉପରେ ଏହିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ସୂଚନା ଦେଇଛନ୍ତି।
https://www.dharitri.com/khaira-sanskrit-school-in-insecure/
ଅସୁରକ୍ଷିତ ଗୃହରେ ଖଇରା ସଂସ୍କୃତ ବିଦ୍ୟାଳୟ ଖଇରା, ୧୦।୭(ଉତ୍କଳବନ୍ଧୁ ପଣ୍ଡା) : ବାଲେଶ୍ୱର ଜିଲାର ଖଇରା ବଜାରଠାରୁ ପଳସା-ଡୁଙ୍ଗୁରା ରାସ୍ତାର ମାତ୍ର ୫ଶହ ମିଟର ଆଗକୁ ଗଲେ ପଡେ ଖଇରା ସଂସ୍କୃତ ବିଦ୍ୟାଳୟ। ଖଇରା ବଜାର ପଛ ପାର୍ଶ୍ୱରେ ଥିବା ଏହି ବିଦ୍ୟାଳୟ ଦୀପତଳ ଅନ୍ଧାର ଭଳି ପ୍ରଶାସନ ନଜର ଆଢୁଆଳରେ ରହିଛି। ପାଠ ପଢିବା ପାଇଁ ଉପଯୁକ୍ତ ଶ୍ରେଣୀକକ୍ଷ ନାହିଁ କି ଖାତାପତ୍ର ରଖିବା ଲାଗି କି ଶିକ୍ଷକମାନଙ୍କ ବସିବା ପାଇଁ ଆବଶ୍ୟକ ଅଫିସ ଗୃହ ନାହିଁ। ପାଠ ପଢିବା ଏବଂ ଅଫିସ ଗୃହ ଚାଲିବା ପାଇଁ ଗୋଟିଏ ଟାଇଲ ଛପର ଝାଟିମାଟି ଘର ଏବଂ ଅନ୍ୟ ଏକ ଅସମ୍ପୂର୍ଣ୍ଣ ପକ୍କାଗୃହ ଅଛି ା ବର୍ଷା ହେଲେ ଟାଇଲ ଛପର ଘରେ ପାଣି ପଡି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ପକ୍କାଘର ଛାତରୁ ପ୍ଳାଷ୍ଟର ଖସି ରଡ ଦେଖାଗଲାଣି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟାଳୟ ଶୈଖିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଘଟଣାକ୍ରମେ କିଛି ଦିନ ତଳେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଙ୍ଗନୱାଡି ଉଦ୍ଘାଟନ କରିବା ପାଇଁ ବିଦ୍ୟାଳୟ ପରିସରକୁ ଆସିଥିବା ବେଳେ ବିଦ୍ୟାଳୟର ଏଭଳି ଅବସ୍ଥା ଦେଖି ଉଦ୍ବେଗ ପ୍ରକାଶ କରିବା ସହ ଆବଶ୍ୟକ ଶ୍ରେଣୀ କକ୍ଷ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକଓ ଛାତ୍ରୀଛାତ୍ରଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ପ୍ରଚାର ପ୍ରସାର ଲକ୍ଷ୍ୟରେ ଖଇରା ଗାନ୍ଧୀ ଭାବେ ପରିଚିତ ଗୋବିନ୍ଦ ପଣ୍ଡା ଓ ନଗେନ୍ଦ୍ରନାଥ ମହାନ୍ତିଙ୍କ ପ୍ରଚେଷ୍ଟାରେ ଆଳଦା (ମଡାପଦା)ଠାରେ ୧୯୯୨ ମସିହାରେ ଏକ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା। ହେଲେ ଆରମ୍ଭରୁ ବିଦ୍ୟାଳୟ ପ୍ରତି କାହାରି ଶୁଭ ଦୃଷ୍ଟି ପଡିନାହିଁ। ୧୯୯୨ ମସିହାରୁ ଝାଟିମାଟି ଘରେ ଆରମ୍ଭ ହୋଇଥିବା ବିଦ୍ୟାଳୟ ଅବସ୍ଥାରେ ଆଜି ବି କିଛି ପରିବର୍ତ୍ତନ ହୋଇନାହିଁ। ୧୫ବର୍ଷ ତଳେ ଯଦିଓ ନୂତନ ଘର ପାଇଁ ଦେଢଲକ୍ଷ ମିଳିଥିଲା ହେଲେ ତାହା ନିଅଣ୍ଟିଆ ହେବାରୁ ଅସମ୍ପୂର୍ଣ୍ଣ ଘରେ ପିଲା ବସିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ବର୍ତ୍ତମାନ ୬ଷ୍ଠ ଓ ୭ମ ଦୁଇଟି ଶ୍ରେଣୀ ଥିବା ବେଳେ ପିଲା ସଂଖ୍ୟା ୩୦। ଗୋଟିଏ ଶ୍ରେଣୀର ପିଲା ଛାତ ଘରେ ବସୁଥିବା ବେଳେ ଅନ୍ୟ ଶ୍ରେଣୀର ପିଲା କେତେବେଳେ ଝାଟିମାଟି ଘରେ ତ ଆଉ କେତେବେଳେ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ବସି ପାଠ ପଢୁଛନ୍ତି। ପ୍ରତ୍ୟେକ ବାତ୍ୟା ପରେ ଭଙ୍ଗା ଘର ମରାମତି ପାଇଁ ପ୍ରଧାନଶିକ୍ଷକ ସୁଦର୍ଶନ ଦାଶ ଶିକ୍ଷାବିଭାଗକୁ ଲିଖିତ ଭାବେ ଜଣାଇଥାନ୍ତି। ହେଲେ କେବେ ବି ଏହାର ମରାମତି ପାଇଁ ଦୃଷ୍ଟି ଦିଆଯାଇ ନ ଥିବା ଶିକ୍ଷକ ଦାଶ କହିଛନ୍ତି। ସେହିଭଳି ପାଚେରି ନ ଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିମାନେ ଆଡ୍ଡା ଜମାଇଥାନ୍ତି। ସକାଳେ ପିଲାମାନେ ବିଦ୍ୟାଳୟକୁ ଆସିବା ପରେ ମଦବୋତଲ ବାହାରେ ପିଙ୍ଗିବା ପରେ ପ୍ରାର୍ଥନା କ୍ଲାସକୁ ଆସୁଥିବା ନେଇ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ମିଳୁ ନ ଥିବାରୁ ଖରାଦିନରେ ପିଲାମାନଙ୍କୁ ଗରମରେ ଡହଳବିକଳ ହେବାକୁ ପଡିଥାଏ। ଏସବୁ ସମସ୍ୟା ପାଇଁ ନିକଟସ୍ଥ ଗ୍ରାମବାସୀ ପିଲା ଛାଡ଼ିବାକୁ ଅନିଛା ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସଙ୍କୁ ଯୋଗାଯୋଗ କରିବାରେ ସେ ଏ ବିଷୟରେ ଅବଗତ ନାହାନ୍ତି। ତେବେ ନିଜେ ଯାଇ ସମସ୍ୟା ସମ୍ପର୍କରେ ବୁଝି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।
https://www.dharitri.com/air-force-has-approved-the-purchase-of-56-aircraft/
ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍-ଟର୍ମୋପ୍ରପ୍ ସି-୨୯୫ଏମ୍ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିଏସ୍) ମଞ୍ଜୁରୀ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ ସ୍ପେନ୍ର ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ କମ୍ପାନୀରୁ ବାୟୁସେନା ପାଇଁ ୧୬ଟି ପରିବହନ ବିମାନ କିଣାଯିବ। ଏହା ବ୍ୟତୀତ ଉକ୍ତ କମ୍ପାନୀ ଟାଟା ସହ ମିଶି ଭାରତରେ ଅନ୍ୟ ୪୦ଟି ବିମାନ ନିର୍ମାଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସି-୨୯୫ଏମ୍ଡବ୍ଲ୍ୟୁ ବିମାନର ପରିବହନ କ୍ଷମତା ୫ରୁ ୧୦ ଟନ୍। ଚୁକ୍ତି ସ୍ବାକ୍ଷର ହେବାର ୪୮ ମାସ ମଧ୍ୟରେ କମ୍ପାନୀ ସ୍ପେନ୍ରୁ ୧୬ଟି ବିମାନ ଯୋଗାଇଦେବ। ଏହା ବ୍ୟତୀତ ୧୦ ବର୍ଷ ମଧ୍ୟରେ ଟାଟା କନ୍ସୋଟିୟମ ଦ୍ୱାରା ଅବଶିଷ୍ଟ ୪୦ଟି ବିମାନ ନିର୍ମାଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।
https://www.dharitri.com/accused-was-arrested-on-the-basis-of-the-minors-statement/
ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ କହିବା ପରେ ମାଣିକଙ୍କୁ କାକିନାଡ଼ା ପୋଲିସ ଗିରଫ କରିଛି। ଶୁକ୍ରବାର ଲିପିକାଙ୍କ ମୃତଦେହ ଉମରକୋଟରେ ପହଞ୍ଚତ୍ବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୱାଇଁ ମାଣିକଙ୍କୁ ଫାଶୀ ଦିଆଯାଉ ବୋଲି ଲିପିକାଙ୍କ ବାପା ତପନ ଦାବି କରିଛନ୍ତି। ଲିପିକାଙ୍କ ନାଁରେ ଥିବା ୪ ଏକର ଜମିକୁ ମାଣିକ ତାଙ୍କ ଭିଣୋଇଙ୍କୁ ବିକ୍ରୀ କରିଦେଇଥିବା ତପନ ଅଭିଯୋଗ କରିଛନ୍ତି। ୭ ବର୍ଷ ତଳେ ଲିପିକା ଓ ମାଣିକଙ୍କ ବିବାହ ହୋଇଥିଲା। ମେ ୮ ତାରିଖରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ଲିପିକା ଉମରକୋଟ ଥାନାରେ ଏତଲା ଦେଇ ବାପଘରକୁ ପଳାଇଥିଲେ। ମାଣିକ ଲିପିକାଙ୍କୁ ନେବାକୁ ଆସିବାରୁ ଜୁନ୍ ମାସରେ ଗାଁରେ ଏକ ବୈଠକ କରାଯାଇ ଥିଲା। ଉକ୍ତ ବୈଠକ ନିଷ୍ପତ୍ତି ପରେ ଲିପିକା ତାଙ୍କ ଶାଶୁଘରକୁ ଯାଇଥିଲେ। ସେଠାରୁ ଉଭୟେ କାକିନାଡ଼ା ଯାଇଥିଲେ। ମାଣିକ କାକିନାଡ଼ାରେ ଏକ ହୋଟେଲରେ କାମ କରୁଥିଲେ। ସୋମବାର କାକିନାଡ଼ାରେ ରହୁଥିବା ଜଣେ ସାଙ୍ଗଙ୍କୁ ମାଣିକ ଫୋନ୍ କରି ମୂର୍ଚ୍ଛା ରୋଗରେ ଲିପିକାଙ୍କ ମୃତ୍ୟୁ ହୋଇଥିବା ଜଣାଇଥିଲେ। କିନ୍ତୁ ସାଙ୍ଗ ଜଣଙ୍କ ସେଠାରେ ପହଞ୍ଚତ୍ ଲିପିକାଙ୍କ ବେକରେ ଦାଗ ଥିବା ଦେଖିଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ତଦନ୍ତ କରିଥିଲା। ବାପା ହିଁ ମୋ ମା ର ଗଳାଚିପି ହତ୍ୟା କରିଛି ବୋଲି ଅଢ଼େଇବର୍ଷର ଝିଅ ମାହି ବୟାନ ଦେଇଥିଲେ। ଏହାପରେ ପୋଲିସ ମାଣିକଙ୍କୁ ଗିରଫ କରିଛି। ଲିପିକାଙ୍କୁ ମୂର୍ଚ୍ଛା ବେମାର ହେବା ପରେ ପାଟି ପାଖରେ ଆଙ୍ଗୁଠି ରଖିଥିଲି। ସେ ଆଙ୍ଗୁଠି କାମୁଡି ଦେବାରୁ ରାଗିକି ଗଳା ଚିପି ମାରିଦେଲି ବୋଲି ମାଣିକ କହିଛନ୍ତି। ଖବରପାଇ ଲିପିକାଙ୍କ ବାପା ତପନ କାକିନାଡ଼ା ଯାଇଥିଲେ। ସେଠାରୁ ଲିପିକାଙ୍କ ମୃତଦେହ ଓ ନାତୁଣୀଙ୍କୁ ଧରି କାରାଗାଁରେ ଫେରିଥିଲେ। ଲିପିକାଙ୍କ ମୃତଦେହ ସତ୍କାର ଶାଶୁଘର ଗାଁ ସିଲାଟିରେ କରାଯାଇଛି।
https://www.dharitri.com/private-freight-train-will-run/
ଗଡ଼ିବ ପ୍ରାଇଭେଟ ମାଲ୍‌ବାହୀ ଟ୍ରେନ ନୂଆଦିଲ୍ଲୀ,୨୭।୭: ଦେଶ ମଧ୍ୟରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ଲାଗି ରେଲଓ୍ବେ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଉଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଘରୋଇ ମାଲ୍ବାହୀ ଟ୍ରେନ ଚଳାଚଳ ନେଇ ରେଲଓ୍ବେର ମଧ୍ୟ ଯୋଜନା ରହିଥିବା ଜଣାପଡିଛି। ଯୋଜନା କାର୍ଯ୍ୟକାରୀ ହେଲେ ଏହି ଟ୍ରେନଗୁଡିକ ଡେଡିକେଟେଡ୍ ମାଲ୍ କରିଡରରେ ଚଳାଚଳ କରିପାରେ। ଡେଡିକେଟେଡ ମାଲ୍ ପରିବହନ କରିଡର କ୍ଷେତ୍ରରେ ରୁଟ୍ଗୁଡିକୁ ନିଲାମ ଲାଗି ବର୍ତ୍ତମାନ ପ୍ରକ୍ରିୟାକୁ ରେଲଓ୍ବେ ଜୋରଦାର କରିଥିବା ଜଣାପଡିଛି। ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ କହିଛନ୍ତି ଯେ, ୨୦୨୩ରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚାଲିବା ଆଗରୁ ରେଲଓ୍ବେ ରେଗୁଲେଟର ସ୍ଥାପନ କରାଯିବ। ଡେଡିକେଟେଡ୍ ମାଲ୍ କରିଡରଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ ମାଲ୍ ପରିବହନ ଲାଗି ଘରୋଇ ଅପରେଟରଙ୍କୁ ସୁଯୋଗ ଦେବାକୁ ଯୋଜନା କରାଯାଉଛି। ସେମାନେ ଓ୍ବାଗନ ଏବଂ କଣ୍ଟେନରରେ ମଧ୍ୟ ନିବେଶ କରିବେ। ଆଗକୁ ଆସିବାକୁ ଥିବା ରେଗୁଲେଟର ଉଭୟ ଯାତ୍ରୀବାହୀ ଏବଂ ମାଲ୍ ପରିଚାଳନା କ୍ଷେତ୍ରର ପ୍ରସଙ୍ଗଗୁଡିକୁ ନଜରରେ ରଖିବେ ବୋଲି ଯାଦବ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଆର୍ଥତ୍କ ପ୍ରସଙ୍ଗକୁ ବିଚାର କରିବା ପରେ ସଚିବଙ୍କ ଏକ ଗ୍ରୁପ ଘରୋଇ ମାଲବାହୀ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୦୬ ପରଠାରୁ ଘରୋଇ କଣ୍ଟେନର ଟ୍ରେନ ଚଳାଚଳ କରୁଛି। ମାତ୍ର ଏଗୁଡିକର ସଂଖ୍ୟା ସ୍ବଳ୍ପ ରହିଛି। ଅନ୍ୟ ବର୍ଗରେ ଘରୋଇ ମାଲବାହୀ ଟ୍ରେନ ଚଳାଚଳ ନେଇ ବର୍ତ୍ତମାନ ନିଯୁକ୍ତି ଦିଆଯାଇ ନାହିଁ। ଦେଶରେ ୧୦୯ ଯୋଡା ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଚଳ କରାଇବା ଲାଗି ସରକାର କମ୍ପାନୀଗୁଡିକଠାରୁ ବିଡ୍ ଆହ୍ବାନ କରିଛନ୍ତି। ଏହାଦ୍ୱାରା ଦେଶରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ନିବେଶ ହେବ ବୋଲି କୁହାଯାଉଛି। ପ୍ରକଳ୍ପ ଲାଗି ରିହାତି ସମୟ ୩୫ ବର୍ଷ ରହିଛି। ଘରୋଇ ଫାର୍ମଗୁଡିକ ଟ୍ରେନ ଲାଗି ପୁଞ୍ଜି ଲଗାଣ, ସାମଗ୍ରୀ ସଂଗ୍ରହ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦିଗରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ରେଲଓ୍ବେ ପକ୍ଷରୁ କୁହାଯାଇଛି ଯେ, ଏଭଳି ପଦକ୍ଷେପ ଦ୍ୱାରା ଅତ୍ୟାଧୁନିକ ଟେକ୍ନୋଲୋଜିର ରୋଲିଂ ଷ୍ଟକ, ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହ୍ରାସ, ଟ୍ରାଞ୍ଜିଟ ସମୟ ହ୍ରାସ, ନିରାପତ୍ତା, ନିଯୁକ୍ତି ସୃଷ୍ଟି, ଲୋକଙ୍କୁ ବିଶ୍ୱସ୍ତରୀୟ ଯାତ୍ରୀସେବା ଅଭିଜ୍ଞତା ପ୍ରଦାନ ଦିଗରେ ସହାୟକ ହୋଇପାରିବ।
https://www.dharitri.com/amitabh-bachchan-does-this-work-at-3-am/
ରାତି ୩ରେ ଏହି କାମ କରନ୍ତି ଅମିତାଭ ବଚ୍ଚନ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ କୁଇଜ୍ ଶୋ’ କୌନ ବନେଗା କରୋଡପତି ୧୩ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଶୋ’ ହୋଷ୍ଟିଂ କରୁଥିବା ବିଗ୍ ବି’ ନିଜର ପୁରୁଣା ସ୍ମୃତିକୁ ପ୍ରଶଂସକ ଏବଂ ଦର୍ଶକଙ୍କ ସହ ଶେୟାର କରନ୍ତି। ନିକଟରେ ଏକ ଚାଟ ଶୋ’ରେ ସେ ଏକ ଖୁଲାସା କରିଥିଲେ। ବିଗ ବି ରାତି ୩ଟାରେ ଉଠନ୍ତି ଏବଂ ଶାନ୍ତ ପରିବେଶରେ ସୋସିଆଲ ମିଡିଆ ପାଇଁ ବ୍ଲଗ ଲେଖନ୍ତି। ଏକ ଚାଟ ସୋ ସମୟରେ ଅମିତାଭ ବଚ୍ଚନ କହିଥିଲେ, ମୁଁ ମୋର ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ କଥା ହୁଏ। ମୁଁ ମୋ ପ୍ରଶଂସକଙ୍କଠାରୁ ନିଜ ବିଷୟରେ ବହୁତ କିଛି ଜାଣେ । ମୁଁ କିପରି ଯୋଗାଯୋଗ କରିବି ଜାଣେ ନାହିଁ । ଆମେ ଷ୍ଟୁଡିଓ ଭିତରେ ବସିଥାଉ ଏବଂ ଆମର ପ୍ରଶଂସକଙ୍କୁ ଭେଟିବାର ସୁଯୋଗ ଆମେ କେବେ ପାଇନାହୁଁ, ତେଣୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥା ହୋଇ ବହୁତ କିଛି ଜାଣିପାରେ। ରାତିରୁ ଉଠି ମୁଁ ବ୍ଲଗ କରେ, କାରଣ ସେତେବେଳେ ସମସ୍ତେ ମୋ ଘରେ ଶୋଇଥା’ନ୍ତି। ସେଥିପାଇଁ ମୁଁ ରାତି ୩ଟାରେ ଉଠି ଏକ ଶାନ୍ତ ପରିବେଶରେ ଏସବୁ କରେ ବୋଲି କହନ୍ତି ବିଗ୍ ବି’। ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଝୁଣ୍ଡ’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହା ବ୍ୟତୀତ ଅମିତାଭଙ୍କ ବ୍ରହ୍ମାସ୍ତ୍ର, ଗୁଡବୟ, ଦ ଇଣ୍ଟର୍ନ ଭଳି ଫିଲ୍ମରେ ମଧ୍ୟ ରିଲିଜ୍ ଅପେକ୍ଷାରେ ରହିଛି।
https://www.dharitri.com/the-state-government-announced-the-incentive-amount-for-national-sports-winners/
ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦକ ପାଇଁ କେତେ… ଭୁବନେଶ୍ୱର,୨୧ା୧୦: ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଆଥ୍ଲେଟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅକ୍ଟୋବର ୨୬ରୁ ଗୋଆରେ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେବ। ଏହି କ୍ରୀଡ଼ାର ୩୧ ବିଭାଗରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍ଲେଟ ଭାଗ ନେବେ। ସେମାନଙ୍କ ମଧ୍ୟରେ ୧୮୦ ମହିଳା ଅଛନ୍ତି। ଏଥିରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୫ ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।
https://www.dharitri.com/dr-to-the-satisfied-the-countrys-glory-and-honor/
ଡ. ସନ୍ତୃପ୍ତଙ୍କୁ ରୁଚି ଦେଶ ଗୌରବ ସମ୍ମାନ କଟକ,୩।୯: (କାର୍ତ୍ତିକ ସାହୁ): ରୁଚି ଫୁଡ୍ଲାଇନର ସାମାଜିକ ପ୍ରତିଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ରେଭେନ୍ଶା ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର୍ସ ଅଫ୍ ଓି୍ବଜ୍ଡମ୍ର ମୁଖ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦ୍ଦେଶକ ଡ. ସନ୍ତୃପ୍ତ ବି.ମିଶ୍ରଙ୍କୁ ଚଳିତ ବର୍ଷର ରୁଚି ଦେଶ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିର ସହ ପ୍ରତିଷ୍ଠାତା ଏବଂ ସିଇଓ ଅରବିନ୍ଦ ପାଣିଙ୍କୁ ରୁଚି ଦେଶ ଜ୍ୟୋତି ସମ୍ମାନ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ରୁଚି ଦେଶ ସେବାଜ୍ୟୋତି ସମ୍ମାନ, ଓଡ଼ିଶାର ୨୦୨୧ ଆଇଏଏସ୍ ଟପ୍ପର ଜୁବିନ୍ ମହାପାତ୍ରଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ, କ୍ରୀଡ଼ାବିତ ଚିନ୍ମୟୀ ଭୂୟାଁଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ ଦିଆଯାଇଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟରେ ବିପନ୍ନଙ୍କୁ ଉତ୍ସର୍ଗୀକୃତ ସେବା ଓ ସହାୟତା ଯୋଗାଉଥିବା ଓଡ୍ରାଫ କଟକ ଟିମ୍କୁ ରୁଚି ସେବା ଜ୍ୟୋତି ସମ୍ମାନ ଏବଂ ୨୦୨୩ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଶ୍ରେୟାଶ୍ରୀ ଜେନା ଓ ସିବିଏସ୍ଇ ୨୦୨୧ରେ ସର୍ବଭାରତୀୟ ଟପ୍ପର ନିଶିତା ଦାସଙ୍କୁ ରୁଚି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଉକ୍ତ ସମ୍ମାନ ସମାରୋହରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଆଭାସିରେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଡିଆର୍ଡିଓର ମହାନିର୍ଦ୍ଦେଶକ ଡ.ବିନୟ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ,ରେଭେନ୍ଶା ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ନାୟକ,ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ପ୍ରମୁଖ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅପରପକ୍ଷରେ ରୁଚି ପ୍ରତିଭା ଫାଉଣ୍ଡେଶନର ଅଧ୍ୟକ୍ଷ ଡ.ଶରତ କୁମାର ସାହୁ ସ୍ବାଗତ ଅଭିଭାଷଣ ଦେଇ ସମାରୋହାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେଶନର ସମ୍ପାଦକ ଅରବିନ୍ଦ ସାହୁ, ରୁଚି ଫୁଡ୍ଲାଇନର ନିର୍ଦ୍ଦେଶିକା ରଶି୍ମ ସାହୁ, ସଙ୍ଗୀତା ସାହୁ, ସଲୀନା ସାହୁ, ବରିଷ୍ଠ ସୂଚନା ଅଧିକାରୀ ନିହାର ରଞ୍ଜନ ସାହୁ ଓ ରୁଚିର ମାର୍କେଟିଂ ହେଡ୍ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷର ଫାଉଣ୍ଡେଶନର ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।
https://www.dharitri.com/ଭାଜପାର-ଉତ୍ଥାନ/
ଭାଜପାର ଉତ୍ଥାନ **ଆକାର ପଟେଲ** ଶୁକ୍ରବାର ଏନ୍ଡିଏ ୧୦୦ଟି ରାଜ୍ୟସଭା ଆସନ ଅତିକ୍ରମ କରି ଭାଜପାକୁ ଏହାର ୪୦ତମ ବର୍ଷରେ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଆହୁରି ଦୃଢ଼ କରିପାରିଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ଜନ୍ମ ଏପ୍ରିଲ, ୧୯୮୦ରେ ହୋଇଥିଲା। ଏକଚ୍ଛତ୍ରବାଦୀ ଇନ୍ଦିରା ଗାନ୍ଧୀଙ୍କ ମୁକାବିଲା ପାଇଁ ଏହାର ତିନିବର୍ଷ ପୂର୍ବରୁ ମିଳିତ ବିରୋଧୀ ଦଳ ଭାବେ ଗଠିତ ଜନତା ପାର୍ଟିରୁ ବହିଷ୍କୃତ ହେବା ପରେ ସେହି ସଦସ୍ୟମାନଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା। ଜନତା ପାର୍ଟିର ଅନ୍ୟତମ ସହଯୋଗୀ ଥିଲା ୧୯୫୧ରେ ଗଠିତ ଭାରତୀୟ ଜନସଂଘ। ଏହାର ନିଜସ୍ବ ରେକର୍ଡ ଅନୁଯାୟୀ ତିନିଟି ଘଟଣାର ଫଳସ୍ବରୂପ ଜନସଂଘ ସୃଷ୍ଟି ହୋଇଥିଲା। ପ୍ରଥମେ ଡିସେମ୍ବର ୧୯୫୦ରେ ବଲ୍ଲଭଭାଇ ପଟେଲଙ୍କ ମୃତ୍ୟୁ, ଦ୍ୱିତୀୟରେ ସେହି ବର୍ଷ ନେହେରୁ ସରକାରରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଇସ୍ତଫା ଏବଂ ୧୯୫୦ ମସିହାରେ ନିର୍ବାଚନ ଓ ତତ୍ସହ ପି.ଡି. ଟଣ୍ଡନଙ୍କୁ କଂଗ୍ରେସ ସଭାପତି ପଦରୁ ଜୋରକରି ବାହାର କରିଦେବା। ନେହେରୁଙ୍କ ଧର୍ମନିରପେକ୍ଷତାକୁ ବିରୋଧ କରୁଥିବା ଟଣ୍ଡନଙ୍କୁ ହିନ୍ଦୁ ରକ୍ଷଣଶୀଳ ଭାବରେ ଦେଖାଯାଉଥିଲା ଏବଂ ପଟେଲଙ୍କ ମୃତ୍ୟୁ ପରେ ନେହେରୁ ଟଣ୍ଡନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ଆଉ ଏକ ଘଟଣା, ଯାହାକୁ ଜନସଂଘର ଗଠନ ପାଇଁ ଅନ୍ୟତମ କାରଣ ଭାବେ ବିବେଚନା କରାଯାଏ, ତାହା ହେଉଛି ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଉପରେ ନିଷେଧାଜ୍ଞା ଜାରି ଏବଂ ଏହାର ନେତା ଏମ୍.ଏସ୍. ଗୋଲ୍ୱାଲ୍କରଙ୍କୁ ଗିରଫ କରାଯିବା। ଆର୍ଏସ୍ଏସ୍ ଏକ ରାଜନୈତିକ ସଂଗଠନ ଭାବରେ ପଞ୍ଜୀକୃତ ହୋଇ ନ ଥିଲା ଏବଂ ଏହା ଉପରେ ଜାରି ନିଷେଧାଜ୍ଞାକୁ ୧୯୪୯ରେ ହଟାଇ ଦିଆଯାଇଥିଲା। ସର୍ତ୍ତ ଥିଲା ଆର୍ଏସ୍ଏସ୍ ନିଜର ଏକ ସମ୍ବିଧାନ ତିଆରି କରିବ ଏବଂ ଏହି ସର୍ତ୍ତକୁ ସଂଘ ଗ୍ରହଣ କରିଥିଲା। ଏହି ସମୟରେ ଆର୍ଏସ୍ଏସ୍ କାହିଁକି ରାଜନୀତିରେ ଭାଗ ନେବା ଉଚିତ ସେ ନେଇ ଆର୍ଏସ୍ଏସ୍ ଭିତରେ ଅନେକ ଯୁକ୍ତି ଚାଲିଲା ଏବଂ ଏହାର ମୁଖପତ୍ର ‘ଦି ଅର୍ଗାନାଇଜର୍’ରେ ଅନେକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଶେଷରେ ଗୋଲ୍ୱାଲ୍କର ଏକ ସମାଧାନ ଦେଲେ ଯେ, ଆର୍ଏସ୍ଏସ୍କୁ ନିଜେ ଏକ ରାଜନୈତିକ ଦଳ ଭାବେ ନ ଗଢ଼ି ବରଂ ଏହାର ସଦସ୍ୟମାନଙ୍କୁ ଏକ ରାଜନୈତିକ ଦଳ ଗଠନ କରିବାକୁ ଅନୁମତି ଦିଆଯାଉ। ସେମାନେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ ଯୋଗଦେଲେ, ଯିଏକି ପୂର୍ବରୁ ହିନ୍ଦୁ ମହାସଭାର ମୁଖ୍ୟ ଥିଲେ ଏବଂ ଭାରତୀୟ ଜନସଂଘ ମୁଖାର୍ଜୀଙ୍କ ନେତୃତ୍ୱରେ ଗଢ଼ାହେଲା। ଗୋଲ୍ୱାଲ୍କର ଆର୍ଏସ୍ଏସ୍ର ଉତ୍ତରପ୍ରଦେଶ ପ୍ରଚାରକ ଦୀନ ଦୟାଲ ଉପାଧ୍ୟାୟଙ୍କ ସମେତ ତାଙ୍କର କିଛି ଲୋକଙ୍କୁ ଜନସଂଘରେ ଯୋଗଦେବାକୁ କହିଲେ। ତା’ପରେ ଦି ଅର୍ଗାନାଇଜର ପାଇଁ ଚଳଚ୍ଚିତ୍ର ସମୀକ୍ଷା ଲେଖୁଥିବା ଅଟଳବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଯୋଗଦେବାକୁ କୁହାଯାଇଥିଲା। ସେତେବେଳକୁ ଆର୍ଏସ୍ଏସ୍ ୨୫ ବର୍ଷର ପୁରୁଣା ହେବା ସହ ନାଗପୁର ବାହାରେ ବି ବିସ୍ତାର ଲାଭ କରିଥିଲା। ଏହା ଜନସଂଘର ମୂଳଦୁଆକୁ ସୁଦୃଢ଼ କରିବା ସହ ବିଭିନ୍ନ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବାରେ ସହାୟକ ହୋଇଥିଲା। ୧୯୫୩ରେ ମୁଖାର୍ଜୀଙ୍କ ମୃତ୍ୟୁ ପରେ ଦଳକୁ ଆର୍ଏସ୍ଏସ୍ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଭାରତର ପ୍ରଥମ ନିର୍ବାଚନଗୁଡ଼ିକରେ ଜନସଂଘ ମାତ୍ର ଅଳ୍ପ କିଛି ଆସନ ଜିତିଥିଲା ଏବଂ ୧୯୭୦ ଦଶକ ପର୍ଯ୍ୟନ୍ତ ଏମିତି ଚାଲିଥିଲା, ଯେତେବେଳେ ବାଜପେୟୀଙ୍କ ଅଧୀନରେ ଏହା ଅନ୍ୟ ବିରୋଧୀ ଦଳ ସହିତ ଜନତା ପାର୍ଟିରେ ମିଶିଥିଲା। ଯେତେବେଳେ ଜନତା ପାର୍ଟିରୁ ସଂଘର ସଦସ୍ୟମାନଙ୍କୁ ବହିଷ୍କାର କରାଗଲା ଏବଂ ୧୯୮୦ରେ ଏକ ନୂତନ ଦଳ ଗଠନ କରିବାକୁ ପଡ଼ିଲା, ସେତେବେଳେ ବାଜପେୟୀ ଏହାର ନାମ ଭାରତୀୟ ଜନସଂଘ ରଖିବାକୁ ରାଜି ହେଲେ ନାହିଁ। ସେ ନୂତନ ଦଳର ନାମ ଦେଲେ ଭାରତୀୟ ଜନତା ପାର୍ଟି (ଭାଜପା)। ଦଳର ନାମ ପରିବର୍ତ୍ତନ ସହିତ ଆଉ ଗୋଟିଏ ନିୟମ କରାଗଲା ଯେ ଅଣ-ଆର୍ଏସ୍ଏସ୍ ବ୍ୟକ୍ତିଙ୍କୁ ବି ଦଳର ସଦସ୍ୟ ଭାବେ ଗ୍ରହଣ କରାଯିବ। ଦ୍ୱିତୀୟରେ, ଜନସଂଘଠାରୁ ଭାଜପାର ସମ୍ବିଧାନ ଭିନ୍ନ ହେବ ଏବଂ ଏହା ଭାରତର ଧର୍ମନିରପେକ୍ଷତା ଓ ସମାଜବାଦ ପ୍ରତି ପ୍ରତିବଦ୍ଧ ରହିବ। ଏହି ଦଳ ମଧ୍ୟ ୧୯୮୪ ନିର୍ବାଚନରେ ଭଲ ପ୍ରଦର୍ଶନ କରି ନ ଥିଲା ଏବଂ କେବଳ ୨ଟି ଆସନ ଜିତିଥିଲା, ଯେଉଁଥିରେ ରାଜୀବ ଗାନ୍ଧୀଙ୍କ ଅଧୀନରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଥିଲା। ଯାହା ଦଳର ଭାଗ୍ୟ ବଦଳାଇ ଦେଇଥିଲା, ତାହା ହେଉଛି ବାବ୍ରି ମସ୍ଜିଦରେ ଯେଉଁଠାରେ ଡିସେମ୍ବର ୧୯୪୯ରେ ରାମ ଓ ସୀତାଙ୍କର ଦୁଇଟି ମୂର୍ତ୍ତି ରଖାଯାଇଥିଲା, ସେଠାରେ ପ୍ରାର୍ଥନା କରିବାକୁ ଅନୁମତି ଦେବା ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ। ଧର୍ମନିରପେକ୍ଷତାର ପ୍ରତିବଦ୍ଧତାକୁ ଅଣଦେଖା କରାଯାଇ ନୂତନ ସଭାପତି ଆଡ୍ଭାନୀଙ୍କ ଅଧୀନରେ ଦଳ ବିଶ୍ୱହିନ୍ଦୁ ପରିଷଦର ଦାବିକୁ ଗ୍ରହଣ କରିଥିଲା, ଯଦିଓ ଅଯୋଧ୍ୟା ଜନସଂଘର ବା ସେପର୍ଯ୍ୟନ୍ତ ଭାଜପାର କାର୍ଯ୍ୟସୂଚୀ ଭିତରେ ନ ଥିଲା। ଅଯୋଧ୍ୟା ବାବଦରେ ନିଷ୍ପତ୍ତି ନେଇ ଆଡ୍ଭାନୀ ଆର୍ଏସ୍ଏସ୍ର ଲକ୍ଷ୍ୟ ପୂରଣରେ ତଥା ଭାଜପାକୁ ସଫଳତା ଦେବାରେ ସାହାଯ୍ୟ କରିଥିଲେ ଏବଂ ୧୯୮୯ରେ ଭାଜପା ୮୫ଟି ଆସନ ଜିତିଥିଲା। ସେମାନେ ଜନତା ଦଳ ନାମକ ଅନ୍ୟ ଏକ ମିଳିତ ମଞ୍ଚରେ ସାମିଲ ହୋଇଥିଲେ କିନ୍ତୁ ଏଥର ଏହାକୁ ବାହାରୁ ସମର୍ଥନ କରିଥିଲେ। ଯେତେବେଳେ ସରକାର ଭୁଶୁଡ଼ି ପଡ଼ିଲା, ଆଡଭାନୀ ପୁଣି ବାବ୍ରି ପ୍ରସଙ୍ଗକୁ ଫେରିଥିଲେ ଏବଂ ଶେଷରେ ଡିସେମ୍ବର ୧୯୯୨ରେ ବିକ୍ଷୁବ୍ଧ ଜନତା ଏହାକୁ ଭାଙ୍ଗି ଦେଇଥିଲେ। ଏହାପରେ ହୋଇଥିବା ଦଙ୍ଗାରେ ୨୦୦୦ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ବାବ୍ରି ଭଙ୍ଗା ଓ ହିଂସା ପରେ ଦଳ ଏହାର ଲୋକପ୍ରିୟତାକୁ ଆହୁରି ବଢ଼ାଇ ଦେଇଥିଲା ଏବଂ ବାଜପେୟୀଙ୍କ ଅଧୀନରେ ୧୯୯୮ ନିର୍ବାଚନରେ ଏହା ଦୁଇଗୁଣ ବୃଦ୍ଧି ପାଇ ୧୮୨ଟି ଆସନ ପାଇଥିଲା। ୧୯୯୯ରେ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ଏହା ୧୮୦ରେ ଅଟକି ରହିଲା ଏବଂ ୨୦୦୪ରେ ୧୩୮କୁ ଖସିଗଲା। କ୍ଷମତାରେ ଥିବାବେଳେ ଭାଜପା ଏହାର ଅଯୋଧ୍ୟା ଏବଂ ମୁସଲମାନ ବିରୋଧୀ ଆଭିମୁଖ୍ୟଠାରୁ ସବୁବେଳେ ଦୂରରେ ରହିଆସିଛି। ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗା ପରେ ବାଜପେୟୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ଦଳରେ ପ୍ରମୁଖତା ମିଳିଲା। ଭାଜପା ଧର୍ମନିରପେକ୍ଷତା ପ୍ରତିବଦ୍ଧତାରୁ ଦୂରେଇ ଯିବା ପରେ ଅଧିକ ସଫଳତା ପାଇଲା ଏବଂ ୨୦୧୯ରେ ମୋଦିଙ୍କ ନେତୃତ୍ୱରେ ଏହା ୩୦୦ରୁ ଅଧିକ ଆସନ ଜିତିଲା। ଦଳର କାହାଣୀ ଅତ୍ୟନ୍ତ ଜଟିଳ, କିନ୍ତୁ କେତେକ ଦିଗରୁ ଖୁବ୍ ସରଳ। ଯେଉଁ କାହାଣୀ ମୁଖାର୍ଜୀଙ୍କ ଦ୍ୱାରା ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିଲା, ତାହା ପୁଣି ସେହି ରାଜ୍ୟକୁ ଖୁବ୍ଶୀଘ୍ର ଫେରିବାକୁ ଯାଉଛି।
https://www.dharitri.com/the-vibrant-poet-of-linguistics-is-gajanana/
ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ଗଜାନନ ମିଶ୍ର। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର ଓ ନିଷ୍ଠାପର। ତାଙ୍କ ପାଇଁ ତାଙ୍କ ସିଦ୍ଧାନ୍ତ ହିଁ ତାଙ୍କ ସାଧନାର କ୍ଷେତ୍ର ଯାହା ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ… ଯିଏ କମନୀୟ କବିତା ଲେଖି କିଣି ନିଅନ୍ତି ଅଗଣିତ ପାଠକଙ୍କ ମନ, ସେ ପୁଣି ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ପାଇଁ ଡାକ ଦିଅନ୍ତି ଉଦ୍ଦାତ୍ତ ସ୍ବରରେ, ଓଡ଼ିଆ ଭାଷାରେ ଦାପ୍ତରିକ କାମ ହେଉ ବୋଲି କରିପାରନ୍ତି ଆମରଣ ଅନଶନ। ଯେ କବିତାର କାନ୍ତ କୋମଳ ଦୁନିଆରୁ ରସ ଖୋଜନ୍ତି ସେ ପୁଣି ଓଡ଼ିଆ ଭାଷାରେ ଓକିଲାତି ସପକ୍ଷରେ ବାଢ଼ନ୍ତି ବଜ୍ର କଠୋର ଯୁକ୍ତି। ଯିଏ ଓଡ଼ିଆ କବିତାରେ ଧୂରନ୍ଧର ସେ ପୁଣି କୋଶଳୀ କବିତାରେ ତିଆରି କରନ୍ତି ନୂଆ କଥ୍ୟ। ସେ ଆଉ କେହି ନୁହନ୍ତି କବି, ଭାଷା କର୍ମୀ, ଅଧିବକ୍ତା ଗଜାନନ ମିଶ୍ର। ପିତା ଭଗବାନ ମିଶ୍ର, ମାତା ରାଧିକା ଦେବୀଙ୍କ ସୁପୁତ୍ର ଗଜାନନଙ୍କ ଜନ୍ମ ଟିକାପାଲି, ପାଟଣାଗଡ଼, ବଲାଙ୍ଗୀର ଜିଲ୍ଲାରେ। ତିନି ଏପ୍ରିଲ, ୧୯୬୦ ମସିହାରେ। ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ବ୍ୟକ୍ତିତ୍ୱ ସେ। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର ଓ ନିଷ୍ଠାପର। ତାଙ୍କ ପାଇଁ ତାଙ୍କ ସିଦ୍ଧାନ୍ତ ହିଁ ତାଙ୍କ ସାଧନାର କ୍ଷେତ୍ର ଯାହା ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ। ତାଙ୍କର ସରଳ ସାବଲୀଳ ପ୍ରକାଶଭଙ୍ଗୀ ପଛରେ ଥାଏ ସ୍ପଷ୍ଟତା ଓ ବ୍ୟଞ୍ଜନା। ଅଜସ୍ର କବିତା ରଚନା କରିଥିବା କବି ଗଜାନନ ସାହିତ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନାଁ । ତାଙ୍କର ଅନେକ କବିତା ହିନ୍ଦୀ ଭାଷାରେ ଅନୁଦିତ ହୋଇ ସର୍ବଭାରତୀୟ ସ୍ବୀକୃତି ଲାଭ କରିଛି। ସର୍ବନାମ, ନଥିବା ଚିତ୍ର, ଷ୍ଟେସନ, କବିତାଘର, ଅହର୍ନିଶି, ଚରୈବେତୀ, ଗୋଟାପଣେ, କାଳକାଳ, ନାବ, ମହାରେଖା, ସଙ୍କେତ ଉଦ୍ଧବ, ପଞ୍ଚରାମା, କୁଶେର ପନା, ଦେଖନାବାଲା ଏକ୍ଲା, ଅମୃତସବୁ, ନଥିବା ଚିତ୍ର, ଅବ୍ଗି ନୂଆଁ, ଓଡ଼ିଆରେ ଓକିଲାତି, ଅବ୍ୟୟ, ଦେୱାନୀ ଏବଂ ଫୌଜଦାରୀ, ଅନଲି ହିଅର ଏବଂ କଣ୍ଟିଲୋ ଭାୟା ଭଳି ଅନେକ ପୁସ୍ତକ ତାଙ୍କ ସର୍ଜନଶୀଳତାର ସ୍ବାକ୍ଷର ବହନ କରେ। ସର୍ଜନା କ୍ଷେତ୍ରରେ ନିଜର ଅବଦାନ ପାଇଁ ଗଜାନନ ମିଶ୍ର ଅନେକ ସାହିତ୍ୟାନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ । ସେ ମଧ୍ୟ କୋଶଳୀ ଭାଷାରେ ରଚନା କରିଛନ୍ତି ଅନେକ ସାର୍ଥକ କବିତା । ଗଦ୍ୟ ରୀତିରେ କୋଶଳୀ ଭାଷାରେ କରିଛନ୍ତି ଅନେକ ପରୀକ୍ଷା ନିରୀକ୍ଷା । ଏ ସବୁ ବାଦ ଗଜାନନ ମିଶ୍ର ଜଣେ ଭାଷା କର୍ମୀ । ଭାଷା ଆନ୍ଦୋଳନରେ ଜଣେ ନେତା ଓ କର୍ମୀ ଭାବେ ସେ ଉତ୍ସର୍ଗ କରିଛନ୍ତି ସମୟ ଓ ବ୍ୟକ୍ତିଗତ ସ୍ବାଛନ୍ଦ୍ୟ। ସାଧାରଣ ଓ ସରଳ ଢଙ୍ଗରେ ଦାବୀ କରନ୍ତି ଅଥଚ କାର୍ଯ୍ୟକାରି କରିବାକୁ ଅଡ଼ି ବସନ୍ତି ସେ ଦୃଢ଼ ଭାବରେ। କୁହନ୍ତି ,‘ମୋ ଦାବି ଛୋଟିଆ। ବିଦେଶୀ ଭାଷା ବୁଝି ପାରୁନି, ମୋ ଭାଷାରେ ଲେଖି କରିଦିଅ। ବାସ୍। ହେଉନି। ଟଙ୍କା ସୁନା ରୂପା ଚାକିରୀ ମାଗୁନି। ମୋ ଭାଷାରେ କଥାବାର୍ତ୍ତା କର । ସମ୍ବିଧାନ ତ ଏଇଟା କହୁଛି, ଆଇନ ତ ଏଇଟା କହୁଛି । କୋଉ ବଡ କଥା ମୋ ଦ୍ୱାରା କହି ହେଉଛି ଯେ !’ ପୁଣି କୁହନ୍ତି ,‘ଭାଷା ପାଇଁ ରାଜ୍ୟ। ଭାଷାହୀନ ଜୀବନ କି ଜୀବନ! ଏଇଥିପାଇଁ ଅନଶନ! ସମ୍ବିଧାନର ଅଷ୍ଟମ ସୂଚୀରେ ଇଂରାଜୀ ଭାଷାର ସ୍ଥାନ ନାହିଁ। ଇଂରାଜୀ କାହାର ଭାଷା ? ସେଇ ଉପନିବେଶବାଦୀ, ଶୋଷଣକାରୀ, ଲୁଣ୍ଠନକାରୀଙ୍କ ନୁହଁକ? ଏଇ ବିଦେଶୀ ଭାଷା ଦ୍ୱାରା ଆମେ ସାର୍ବଭୌମ ଦେଶର ଲୋକଙ୍କୁ ଅନ୍ଧାରରେ ରଖି ଶୋଷି ଚାଲିଥିବା?’ ଓଡ଼ିଆ ଭାଷାରେ ବିଚାରକଙ୍କ ବିଚାର ଜାଣିବାର ଅଧିକାର ମହକିଲର ଅଛି ବୋଲି ସେ ଦୃଢୋକ୍ତି କରନ୍ତି । ସେଥିଲାଗି ସେ କେଶ ଲଢ଼ି ସଫଳ ହୋଇଛନ୍ତି । ‘ଓଡ଼ିଆରେ ଓକିଲାତି’ ନାମରେ ଏକ ବହି ଲେଖି ସେ ଭାଷା ଏବଂ ଓକିଲାତି କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି । ସରକାରୀ କାମ ଓଡ଼ିଆ ଭାଷାରେ ହେଉ ବୋଲି ବ୍ୟକ୍ତିଗତ ସୁଖସୁବିଧାକୁ ପଛରେ ପକେଇ ଅନଶନ କରିଛନ୍ତି । ଥିବା ସାରାଟା ଜୀବନରେ ଯେଉଁ ଅପ୍ରାପ୍ତି, ଅବସୋସ ଗଜାନନ ମିଶ୍ରଙ୍କୁ ଚିନ୍ତାଶୀଳ କରିଛି, ସେହି ଭିତ୍ତିରେ ସେ ତିଆରି କରିଛନ୍ତି ତାଙ୍କ ସ୍ବପ୍ନ ତପୋବନ ଏକାଡେମୀ ନାଁରେ। ପିଲାଏ ପଢିବେ, ଗଢିହେବେ। ମୂଳଦୁଆ ଦୃଢ଼ ହେଲେ ନିବାସ ଆପେ ଶକ୍ତ ହେବ, ଏହି ସ୍ବପ୍ନରେ ତାଙ୍କ ସ୍ବପ୍ନର ବିଦ୍ୟାଳୟ ତପୋବନ ଏକାଡେମୀ ଯାହାକୁ ସେ ଆରମ୍ଭ କରିଛନ୍ତି ଏଇ ଦୁଇ ବର୍ଷ ହେଲା ସିରୋଲ, ଟିଟିଲାଗଡ଼ରେ। ଏକାଡ଼େମୀର ଜନକ ଭାବରେ ସେ କୁହନ୍ତି , ‘ସୃଜନଶୀଳତାର ପ୍ରତୀକ ହେବ ତପୋବନ ଏକାଡେମୀ। ଭାଷାର ପ୍ରତିବନ୍ଧକ ନ ଥିବ। ବହୁତ ଭାଷା ଉପରେ ଗବେଷଣା ଚାଲିବ। ଭାଷା ତ ମାତ୍ର ଗୋଟିଏ ମାଧ୍ୟମ ନିଜକୁ ପ୍ରକାଶ କରିବାର। ମଣିଷତ୍ୱ ଖୋଜା ଚାଲିବ। ମଣିଷ ଗଢା କାରଖାନା ହେବ। ନିଶ୍ଚୟ ହେବ। ବିଶ୍ୱକୁ ନୂଆ ରୂପରେ ଦେଖେଇବ ତପୋବନ ଏକାଡେମୀ। ପ୍ରେମମୟ ଜୀବନ, ଶାନ୍ତି ପୂର୍ଣ୍ଣ ଜୀବନଶୈଳୀ, ପ୍ରକୃତିର ନିକଟତର ହୋଇ ବଞ୍ଚିବାର ମାନେ ବୁଝାଯିବ।’ -ମାନମୟୀ ରଥ ସେଣ୍ଟଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
https://www.dharitri.com/delhi-capitals-field-only-two-foreign-players-vs-mumbai/
ଦିଲ୍ଲୀ ପାଖରେ ନାହାନ୍ତି ବିଦେଶୀ ଖେଳାଳି ମୁମ୍ବାଇ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବ୍ରାବୋର୍ନେ ଷ୍ଟାଡିୟମରେ ରବିବାର ଅପରାହ୍ନରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ମାତ୍ର ୨ ବିଦେଶୀ ଖେଳାଳି(ଟିମ୍ ସେଫର୍ଟ ଓ ରବମାନ ପାଓ୍ବେଲ)ଙ୍କ ସହ ଓହ୍ଲାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏପର୍ଯ୍ୟନ୍ତ ସମସ୍ତ ବିଦେଶୀ ଖେଳାଳି ଭାରତ ଆସି ନାହାନ୍ତି ଏବଂ କିଛି ଖେଳାଳି ଆହତ ଥିବାରୁ ଉପଲବ୍ଧ ହୋଇ ନ ଥିବାରୁ ଦିଲ୍ଳୀକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଆଇପିଏଲରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିନାହିଁ। ୨୦୧୧ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ମ୍ୟାଚ୍ରେ ଦୁଇ ବିଦେଶୀ (ଜ୍ୟାକ୍ସ କାଲିସ ଏବଂ ଇଆନ ମୋର୍ଗାନ)ଙ୍କ ସହ ଓହ୍ଲାଇଥିଲା।
https://www.dharitri.com/ଥମୁନି-ଲଜ୍ଜା-ବର୍ବରତା/
ଥମୁନି ଲଜ୍ଜା, ବର୍ବରତା ଲକ୍ଷ୍ନୌ,୨୩ା୬(ପି.ଟି./ ଆଇଏଏନ୍ଏସ୍): ଉତ୍ତରପ୍ରଦେଶ(ୟୁପି)ରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଉନ୍ନାଓ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ଇଟାରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଫିପୁର ଥାନା ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏହି ଘଟଣାକୁ ନେଇ ଉନ୍ନାଓ ପୁଣିଥରେ ବଦନାମ ମୁଣ୍ଡାଇଛି। ବର୍ଷୀୟା ଝିଅ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ ଶୋଇଥିଲେ। ତାଙ୍କ ବାପା ମଧ୍ୟରାତ୍ରିରେ ଉଠି ଦେଖିଲା ବେଳକୁ ଖଟରେ ଝିଅ ନ ଥିଲେ। ସେ ପାଖ ପଡ଼ିଆକୁ ଝାଡ଼ା ଯାଇଥିବେ ଭାବି ବାପା ଅପେକ୍ଷା କରିଥିଲେ। ହେଲେ ଦୀର୍ଘସମୟ ପରେ ବି ନ ଫେରିବାରୁ ବାପାଙ୍କ ମନରେ ସନ୍ଦେହ ହେଲା। ପରିବାର ସଦସ୍ୟ ଓ ପଡ଼ୋଶୀଙ୍କୁ ଜଣାଇବା ପରେ ଝିଅଙ୍କୁ ସମସ୍ତେ ଖୋଜାଖୋଜି କରିଥିଲେ। ଶେଷରେ ଏକ ବଗିଚାରେ ଝିଅଙ୍କ ଅନାବୃତ ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଲେ। ତାଙ୍କୁ ଇଟାରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ତାଙ୍କ ଗୁପ୍ତାଙ୍ଗ ଓ ବେକରେ ଅନେକ କ୍ଷତଚିହ୍ନ ମଧ୍ୟ ଥିଲା। ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତନାଘନା ଚଳାଇଛି ବୋଲି ଉନ୍ନାଓ ଏସ୍ପି ପି.ଏମ୍. ବର୍ମା ସୂଚନା ଦେଇଛନ୍ତି। ଯେ, ୟୁପିରେ ଦିନକୁ ଦିନ ବଳାତ୍କାର ଘଟଣା ବଢ଼ିବାରେ ଲାଗିଛି। ୨୦୧୭ ଜୁନ୍ ୪ରେ ଉନ୍ନାଓର ଜଣେ ୧୭ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର କରାଯାଇଥିଲା। ଭାଜପା ବିଧାୟକ କୁଲଦୀପ ସିଂ ସେନ୍ଗାର, ତାଙ୍କ ଭାଇ, ୩ ପୋଲିସ କର୍ମୀ ଓ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୮ ଏପ୍ରିଲ ୮ରେ ନାବାଳିକା ଜଣକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ପୋଲିସ ନାବାଳିକାଙ୍କ ବାପାଙ୍କୁ ହାଜତକୁ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା।
https://www.dharitri.com/mother-and-daughter-death/
ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ ଗାଡ଼ି ମଡ଼ାଇ ସେହି ମା’ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି। ମୃତକ ହେଲେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ରଥପଡ଼ିଆର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ତାଙ୍କ ଝିଅ ସୋମାଲୀ ଚକ୍ରବର୍ତ୍ତୀ(୨୬)। ଏନେଇ ପୋଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ଗୁରୁବାର ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଚାଳକ ହେଲେ ଉକ୍ତ ଥାନା ଅଧୀନ ସଂପାରୁ ପଞ୍ଚାୟତ ତୋଟାକଣ ଗ୍ରାମର ଅମର ସ୍ବାଇଁ। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯିବ। ଚାଳକଙ୍କୁ ପଚରାଉଚରା ବେଳେ ସେ ନିଜ ଭୁଲ୍ ସ୍ବୀକାର କରିଥିବା କଥା ଏସ୍ପି ରାହୁଲ୍ ପିଆର୍ ସୂଚନା ଦେଇଛନ୍ତି। ଏଥିସହିତ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ଆରୁହା ଛକରେ ପହଞ୍ଚତ୍ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ କହିଛନ୍ତି, ଶ୍ରୀତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଗ୍ରାମକୁ ଝିଅ ସହ ଯାଇଥିଲେ। ଶୁଦ୍ଧିକ୍ରିୟା ସାରି ମା’,ଝିଅ ବୁଧବାର ଅପରାହ୍ନରେ ଏକ ସ୍କୁଟି(ନଂ.ଓଡି୦୬ଜି ୭୯୨୯)ରେ ଘରକୁ ଫେରୁଥିଲେ। ଆରୁହା ଛକ ନିକଟରେ ଶ୍ରୀତିକା,ସୋମାଲୀ ଓ ଟ୍ରକ୍ ଚାଳକ ଅମରଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ତେବେ କ’ଣ ପାଇଁ ଏହି ବଚସା ଚାଲିଛି ବୋଲି ପଚାରିବାରୁ ଶ୍ରୀତିକା, ସୋମାଲୀ କହିଥିଲେ, ସ୍କୁଟିରରେ ଆସୁଥିବା ବେଳେ ଟିପ୍ପର ଚାଳକ ସେମାନଙ୍କୁ ସାଇଡ୍ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସେମାନେ ଆରୁହା ଛକରେ ଟ୍ରକ୍କୁ ଅଟକାଇ ସମ୍ପୃକ୍ତ ଚାଳକଙ୍କୁ ପଚାରିବାରୁ ଚାଳକ ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ଥାନୀୟ ଲୋକେ ଏହି ଘଟଣାର ଆପୋସ ସମାଧାନ କରି ଶ୍ରୀତିକା ଓ ସୋମାଲୀଙ୍କୁ ବିଦା କରିଦେଇଥିଲେ। ତେବେ ଏହାର କିଛି ସମୟ ପରେ ଟିପ୍ପର ଚାଳକ ସେହି ରାସ୍ତାରେ ଗାଡ଼ି ନେଇ ଯାଇଥିଲେ। ମାତ୍ର ୧୫ରୁ ୨୦ ମିନିଟ ପରେ ସେମାନଙ୍କୁ ବରଡ଼ା ଛକରେ ଦେଖି ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଚାଳକ ଜାଣିଶୁଣି ଗାଡ଼ି ଚଢ଼ାଇ ହତ୍ୟା କରି ଦୁର୍ଘଟଣାର ରୂପଦେବାକୁ ଚେଷ୍ଟା କରିଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣା ନେଇ ପୂର୍ବରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ତେବେ ପୋଲିସ ସମସ୍ତ ବିଷୟରେ ଅବଗତ ହେବା ପରେ ଏକ ହତ୍ୟା ମାମଲା(ନଂ.୨୦୭/୨୨) ରୁଜୁ କରିଛି। ଅନ୍ୟପକ୍ଷେ ବଡ଼ଚଣା ଡାକ୍ତରଖାନାରେ ଶ୍ରୀତିକା,ସୋମାଲୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟିପ୍ପର (ନଂ.ଓଆର୍-୧୬-ଡି-୬୪୦୮)କୁ ଜବତ କରି ତଦନ୍ତ ଚଳାଇଛି।
https://www.dharitri.com/ବିଶ୍ବ-ସେବିକା-ଦିବସ-୨୯ବର୍ଷ/
ବିଶ୍ବ ସେବିକା ଦିବସ: ୨୯ବର୍ଷ ଧରି ଗରିବଙ୍କ ସେବାରେ ଉଷାରାଣୀ ଗୋପ,୧୨ା୫(ଡି.ଏନ.ଏ): ମହାମାରୀ କରୋନା ଭଳି ବିପତ୍ତି ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ଯୋଦ୍ଧା ବୋଲି ସରକାର ଘୋଷିତ କରିଛନ୍ତି। ଏଭଳି ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ରୁହନ୍ତି। ଏଭଳି ଜଣେ ସ୍ବାସ୍ଥ୍ୟକର୍ମୀ ଦୀର୍ଘ ୨୯ବର୍ଷ ହେବ ଗରିବଙ୍କ ସେବା କରି ଆସୁଥିବାବେଳେ ଲକଡାଉନ ସମୟରେ ମଧ୍ୟ ଲୋକଙ୍କ ସେବାକୁ ପ୍ରଥମ ଗୁରୁତ୍ୱ ଦେଇଛନ୍ତି। ସେ ହେଲେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ କୋଣାର୍କର ଉଷାରାଣୀ ମହାନ୍ତି। ସେ ଗରିବ ଲୋକଙ୍କ ଲାଗି ଉଷା ଦିଦି ସେବିକା ଭାବେ ଖୁବ ପରିଚିତ। ମଙ୍ଗଳବାର ବିଶ୍ୱ ସେବିକା ଦିବସ ହୋଇଥିବାରୁ ତାଙ୍କ କାର୍ଯ୍ୟକୁ ଦେଖି ଲୋକେ ପ୍ରଶଂସା ସହ କୃତଜ୍ଞତା ଜଣାଇଛନ୍ତି। ସକାଳଠାରୁ ରାତି ପର୍ଯ୍ୟନ୍ତ ସମସ୍ତେ ପ୍ରତିିଟି ରୋଗ କ୍ଷେତ୍ରରେ ଉଷାଦିଦିଙ୍କୁ ଖୋଜିଥାନ୍ତି।ଗରିବଙ୍କ ପ୍ରତି ପ୍ରଥମ ପ୍ରାଥମିକତା ଦେଉଥିବାରୁ ସେ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଇଥାନ୍ତି, ତାଙ୍କ ଫେରିବା ବାଟକୁ ଲୋକେ ଚାହିଁ ରହିଥାନ୍ତି। ସେହିପରି ଦିଦି ରୋଗୀମାନଙ୍କ ଘରେ ପହଞ୍ଚି ରୋଗୀର ସମସ୍ୟା ବୁଝିବା ସହ ଔଷଧ, ଇଞ୍ଜେକ୍ସନ ଦେଇଥାନ୍ତି। ଉଷାରାଣୀ ପାଠପଢ଼ା ସମୟରେ ଜଣେ ଶିକ୍ଷକଙ୍କ ସେବା କରିବାର ଦେଖି ସେବେଠାରୁ ସାଧାରଣ ଲୋକଙ୍କ ସେବା କରିବାର ସ୍ବପ୍ନ ଦେଖିଥିଲେ। ବିଏ ପାସ କରିବା ପରେ ସ୍ବାସ୍ଥ୍ୟ ବିଭାଗରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିଲେ। ପ୍ରଥମେ ୧୯୯୧ ଫେବୃୟାରୀ ୫ ରେ ଗଞ୍ଜାମ ଜିଲାର ହୁମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚାକିରି ଆରମ୍ଭ କରିବା ପରେ ଦୀର୍ଘ ୨୯ବର୍ଷ ଧରି ଆଉ ପଛକୁ ଫେରି ଚାହିଁ ନାହାନ୍ତି।
https://www.dharitri.com/ସମସିଆ-ଘେରରେ-ଅତାବିରା-ସରକା/
ସମସିଆ ଘେରରେ ଅତାବିରା ସରକାରୀ ବାଳିକା ହାଇସ୍କୁଲ:ଖରାରେ ସିଝୁଛନ୍‌, ବରଷାରେ ଭିଜୁଛନ୍‌ ଛାତ୍ରୀଛାତ୍ର ଜାମଟିକ୍ରା, ୩୦।୬ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ସରକାରୀ ବାଳିକା ହାଇସ୍କୁଲ ଏହେଦେ ନାନା ସମସିଆ ଘେରରେ ରହିଛେ। ଇଠାନେ ୧ମରୁ ୧୦ମ ଶ୍ରେଣୀ ତକ୍ ଶିକ୍ଷାଦାନ୍ର ବେବସ୍ତା ରହିଥିଲାବେଲେ ୨୮୦ ଛାତ୍ରୀଛାତ୍ର ପାଠ୍ପଢ଼ୁଛନ୍। ସେନ୍ତା ଛାତ୍ରୀଛାତ୍ରକୁଁ ଶିକ୍ଷାଦାନ ଲାଗି ସ୍କୁଲରେ ୧୬ ଝନ୍ ଶିକ୍ଷୟିତ୍ରୀ, ଶିକ୍ଷକ ରହିଛନ୍। ୧୯୬୫ ସାଲେ ଥାପନା ହେଇଥିବାର ଇ ସ୍କୁଲରେ ସେ ସମିଆରେ ପଢ଼ାକୁଠିମାନ ଟିନ୍ ଚଦର ଛାଉନି କରାଯାଇଥିଲା। ବହୁତ୍ ବଛର ହେବାର ଲାଗି ଏହେଦେ ଟିନ୍ ଚଦରମାନ୍ ମୁରଚା ଖାଇ କଣା ହେଇଗଲାନ। ଇଆଡ଼େ ଖରାହେଲେ ଟିନ୍ ଚଦର ଛାଉନିରେ ଛାତ୍ରୀଛାତ୍ର ସିଝି ଯାଉଥିଲାବେଲେ ବରଷା ହେଲେ କୁଠିମାନକେ ଦରୋଦରୋ ପାଏନ୍ ଗଲୁଛେ। ଏନ୍ତାଥି ପାଠ୍ପଢ଼ାରେ ବହୁତ୍ ଖଏଁଚା ହେଉଛେ। ଇଆଡ଼େ ଘରମାନେ ବହୁତ ପୁରନା ହେବାର ଲାଗି ସବୁ ବିପଦ୍ ଅବସ୍ତାରେ ରହିଛେ। ସେନ୍ତା ସ୍କୁଲରେ ତିଆର ହେଉଥିବାର ଗୁଟେ ସଭାକୁଠି ଦରଖଁଡ଼ିଆ ଅବସ୍ତାରେ ପଡ଼ିଛେ। ଛାତ୍ରୀଛାତ୍ରକଁର ସଂଖ୍ୟାକେ ଦେଖ୍ଲେ ସେ ହିସାବେ ଶୌଚାଲୟର ବେବସ୍ତା ନଁାଇଁନ। ସ୍କୁଲରେ ଅନେକ ଦିନୁ ୩ ଝନ୍ ଶିକ୍ଷକ, ରାଏତ୍ ଜୁଗାଲି ଆର ଜନେ ପୁରୁଷ ପିଅନ୍ ପଦବୀ ଖାଲି ପଡ଼ିଛେ। ଇ ସମସିଆ ବାବ୍ଦେ ସ୍କୁଲ କମିଟି ଅଧ୍ୟକ୍ଷ ବୈକୁଣ୍ଠ ସେଠକଁର ସମେତ ଉନିଅଁା ମେମରମାନେ ଜିଲା ଶିକ୍ଷା ଅଧ୍କାରୀକୁଁ କହିଥିଲେ ବି କିଛି ଲାଭ ନାଇଁ ହେବାର। ଇ ବାବ୍ଦେ ସ୍କୁଲର ପ୍ରଧାନଶିକ୍ଷକ ସୁରେନ୍ଦ୍ର ବେହେରାକୁଁ ପଚରାଲାରୁ ଆମେ ଖରାରେ ସିଝି ଯାଉଛୁଁ ଆର ବରଷାରେ ଭିଜୁଛୁଁ। ସମସିଆ ବାବ୍ଦେ ଡିଇଓକୁଁ ବି ଜନେଇଛୁଁ ବଲି ସେ କହିଥିଲେ।
https://www.dharitri.com/modi-sees-bharat-shakti-in-pokhran/
ପୋଖରାନରେ ମୋଦି ଦେଖିଲେ ‘ଭାରତ ଶକ୍ତି’ ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ମାର୍ଚ୍ଚରେ ରାଜସ୍ଥାନରେ ପହଞ୍ଚିଥିଲେ। ଏହି ସମୟରେ ସେ ପୋଖରାନରେ ତ୍ରି-ସେବା ଜୀବନ୍ତ ଅଗ୍ନି ଏବଂ ଯୁଦ୍ଧ ବ୍ୟାୟାମ ଆକାରରେ ସ୍ବଦେଶୀ ପ୍ରତିରକ୍ଷା କ୍ଷମତାର ସମନ୍ବୟ ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ୍‘ଭାରତ ଶକ୍ତି’ର ସାକ୍ଷୀ ରହିଛନ୍ତି। ସେ ୩୦ ରୁ ଅଧିକ ଦେଶର ପ୍ରତିନିଧୀଙ୍କ ସହ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ‘ଭାରତ ଶକ୍ତି’ ବ୍ୟାୟାମ ଦେଖୁଛନ୍ତି। ସ୍ଥଳ, ବାୟୁ, ସମୁଦ୍ର, ସାଇବର ଏବଂ ସ୍ପେସ ଡୋମେନରେ ବିପଦକୁ ପ୍ରତିହତ କରିବା ପାଇଁ ଏହା ଭାରତୀୟ ସଶସ୍ତ୍ର ବାହିନୀର ସମନ୍ବିତ କାର୍ଯ୍ୟକ୍ଷମ କ୍ଷମତାକୁ ଦର୍ଶାଉଥିବା ମଲ୍ଟି ଡୋମେନ ଅପରେସନ୍ସର ଏକ ପ୍ରଦର୍ଶନ।
https://www.dharitri.com/shopian-encounter-encounter-between-security-forces/
ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ ଶ୍ରୀନଗର,୨୮।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ସଫା ମିଶନ ଜାରି ରହିଛି। ଶୁକ୍ରବାର ଶୋପିଆନ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୋପିଆନ ଜିଲାର କିଲୋରା ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଏହାପରେ ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଭୟଭୀତ ହୋଇପଡ଼ି ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟରେ ୪ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି।
https://www.dharitri.com/ଐତିହାସିକ-ଟେଷ୍ଟ-ମ୍ୟାଚ୍‌-ପ/
ଐତିହାସିକ ଟେଷ୍ଟ ମ୍ୟାଚ୍‌ ପୂର୍ବ ପ୍ରସ୍ତୁତି: ଗୋଲାପୀ ରଙ୍ଗରେ ସଜେଇ ହେଉଛି ଇଡେନ ଗାର୍ଡେନ୍ସ କୋଲକାତା,୨୦।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ କୋଲକତାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପିଙ୍କ୍ ବଲ୍ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ପାଇଁ ପୂରା ଷ୍ଟାଡିୟମକୁ ଗୋଲାପୀ ରଙ୍ଗରେ ସଜାଯାଇଛି। ଏହି ଐତିହାସିକ ଟେଷ୍ଟ ପାଇଁ ମଙ୍ଗଳବାର ସକାଳେ ଭାରତୀୟ କ୍ରିକେଟ ଟିମ କୋଲକାତାରେ ପହଞ୍ଚିଛି। ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଭାଇସ କ୍ୟାପଟେନ ଆଜିଙ୍କ୍ୟ ରାହାଣେ ସକାଳ ୯.୪୦ରେ କୋଲକାତାରେ ପହଞ୍ଚିଥିଲେ। ଏୟାରପୋର୍ଟରେ ପ୍ରଶଂସକ ପିଙ୍କ ଟି-ଶାର୍ଟ ପିନ୍ଧି ଟିମକୁ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଅଢେଇ ଦିନରେ ଇନିଂସ ଓ ୧୩୦ ରନରେ ପରାସ୍ତ କରିଥିଲା।
https://www.dharitri.com/after-two-days-babusan-will-tell-everything/
ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍‌ ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍ ସିଧା ଘରକୁ ଯାଇଥିଲେ। ଗଣମାଧ୍ୟମ ଆଗରେ ସେ କିଛି କହି ନ ଥିଲେ। କିନ୍ତୁ ତାଙ୍କ ମା’ ଅପରାଜିତା ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି, ବାବୁ ତା’ ମନର କଥା କହିବ। ସେ ଦୁଇଦିନ ସମୟ ନେଇଛନ୍ତି। ଅପରାଜିତା କହିଛନ୍ତି, ‘ଦୁଇ ଦିନ ସମୟ ଦିଅନ୍ତୁ । ବାବୁସାନ ତା’ ମନର ସମସ୍ତ କଥା ଆପଣମାନଙ୍କୁ କହିବ। ଆପଣମାନଙ୍କ ଭଲ ପାଇବା ପାଇଁ ସେ ଫେରି ଆସିଛି। ଏବେ ସେ ରେଷ୍ଟ ନେଉଛି, ଦୟାକରି ଘର ଆଗରେ ଭିଡ଼ କରନ୍ତୁ ନାହିଁ ।’
https://www.dharitri.com/the-young-man-married-the-goat/
ଛେଳିକୁ ବିବାହ କଲେ ଯୁବକ ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ ଛେଳିକୁ ବିବାହ କରିଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ରିପୋର୍ଟ ଅନୁଯାୟୀ, ମୀରପୁରଖାସର ଡିଗରୀରେ ଜଣେ ଯୁବକ ଏକ ଛେଳିକୁ ବିବାହ କରିଥିଲେ। ଏହି ଯୁବକଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ କହିଛିି, ଭିଲ ସମ୍ପଦ୍ରାୟର ଏହି ଯୁବକ ଜଣକ ହିନ୍ଦୁ ରୀତିନୀତିରେ ଛେଳିକୁ ବିବାହ କରିଛନ୍ତି। ଏହି ବିବାହରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସ ଗୋଡ଼ାଇ ତାଙ୍କୁ ଧରିବା ସହ ଗିରଫ କରିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବ୍ରାଜିଲର ଜଣେ ବ୍ୟକ୍ତି ଛେଳିକୁ ମଧ୍ୟ ବିବାହ କରିଥିଲେ। ସେ କହିଥିଲେ, ଛେଳିକୁ ବିବାହ କରିବାର ତାଙ୍କର ଅନେକ କାରଣ ଥିଲା। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଏଥିରେ କିନ୍ତୁ ଛେଳି ସହ ଛେଳିର ବିବାହ ହୋଇଥିଲା।
https://www.dharitri.com/୨୭-ବଦଳରେ-ଏବେ-କାର୍ଯ୍ୟକାରୀ/
୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍‌ବି: ଅର୍ଥମନ୍ତ୍ରୀ ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ(ପିଏସ୍ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ କାମ କରୁଥିବା ବେଳେ ଏଣିକି ୧୨ଟି ପିଏସ୍ବି କାମ କରିବ ବୋଲି ସେ କହିଛନ୍ତି। କାରଣ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ(ଓବିସି) ଓ ୟୁନାଇଟେଡ୍ ବ୍ୟାଙ୍କ ସହ ମିଶିଯିବ। ସେହିପରି କାନାରା ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ସହ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆନ୍ଧ୍ର ବ୍ୟାଙ୍କ ସହ ମିଶିଯିବା ବେଳେ ଇଣ୍ଡିଆନ୍ ବ୍ୟାଙ୍କ ଏଥର ଆହ୍ଲାବାଦ ବ୍ୟାଙ୍କ ସହ ମିଶିଯିବ। ଏହାପରେ ପିଏନ୍ବି ଦେଶର ଦ୍ୱିତୀୟ ବୃହତ୍ତମ ପିଏସ୍ବି ତାଲିକାରେ ସ୍ଥାନ ପାଇବ। ତେବେ ମୋଦି ସରକାର ୫ ଟ୍ରିଲିୟନ୍ ଡଲାର ଇକୋନମି ସହ ଦେଶକୁ ଆଗକୁ ବଢିବା ଉଦ୍ଦେଶ୍ୟରେ କାମ କରୁଥିବା କହିଛନ୍ତି ସିଥାରମଣ।
https://www.dharitri.com/congress-leader-shivraj-patil-controversial-statement-comparing-the-teachings-of-gita-with-jihad/
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ ନୂଆଦିଲ୍ଲୀ,୨୧ ।୧୦: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶିବରାଜ ପାଟିଲ ଗୀତାକୁ ନେଇ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ଶିବରାଜ ପାଟିଲ ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୦ରେ ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଛନ୍ତି, ମହାଭାରତରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ କଥା କହୁଥିଲେ । ମୋହସିନା କିଦୱାଇଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ପାଟିଲ କହିଛନ୍ତି, ଜିହାଦର କଥା ସେତେବେଳେ ଆସେ ଯେତେବେଳେ ସ୍ୱଚ୍ଛ ମନ ରହିବା ପରେ ମଧ୍ୟ ସମସ୍ତ ଚେଷ୍ଟା କରିବା ପରେ କେହିବି ବୁଝିପାରନ୍ତି ନାହିଁ । ତା’ପରେ କୁହାଯାଏ, ଯଦି ଆପଣ ଶକ୍ତି ବ୍ୟବହାର କରିବାକୁ ଚାହାଁନ୍ତି ତେବେ ତୁମେ ଏହା କରିବା ଉଚିତ । ଏହା କେବଳ କୋରାନ ସରିଫ ଭିତରେ ନୁହେଁ, ଏହା ମହାଭାରତ ଭିତରେ ଗୀତାର ଯେଉଁ ଭାଗ ରହିଛି ସେଥିରେ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ଜିହାଦର କଥା କହିଛନ୍ତି । ଏହା କେବଳ କୋରାନ ବା ଗୀତା ନୁହେଁ ଯୀଶୁ ମଧ୍ୟ ଏହା ଲେଖିଛନ୍ତି ।
https://www.dharitri.com/2-villages-are-declared-as-micro-containment-zone/
୨ ଗ୍ରାମ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍ଏସି ଅଧୀନ ମିରିଗିଣି ଗ୍ରାମରେ ୩୧ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ୨ ଗ୍ରାମକୁ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଦୁଇ ଗ୍ରାମରେ ବ୍ୟାରିକେଡ୍ କରାଯାଇ ଯାତାୟାତ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ବିଡିଓ ଅନିତା ନାୟକ, ଆଇଆଇସି ପ୍ରଭଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ।
https://www.dharitri.com/ଭରତପୁର-ଚୋରି-ଘଟଣା-୨-ଗିରଫ/
ଭରତପୁର ଚୋରି ଘଟଣା: ୨ ଗିରଫ ଆଳି, ୨୬।୯ (ଡି.ଏନ୍.ଏ.): ଆଳି ଥାନା ଅଧୀନ ଭରତପୁର ଗ୍ରମର ଦୁଇ ଜଣଙ୍କ ଘରୁ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଟ୍ଟାମୁଣ୍ଡାଇ ବଡମୂଳବସନ୍ତର ମୁନା ଦାସ ଓ ଭଦ୍ରକ ଧାମନଗରର ନୂଆପଡା ଗ୍ରାମର ବବ ଦାସ। ମଙ୍ଗଳବାର ରାତିରେ ପାଟ୍ରୋଲିଂ ବେଳେ ପୋଲିସ ମୁନା ଓ ବବଙ୍କୁ ସନ୍ଦେହରେ ଉଠାଇ ଆଣି ପଚରଉଚୁରା କରୁଥିଲା। ଉଭୟେ ଭରତପୁର ଡକାୟତି ଘଟଣାରେ ସାମିଲ ଥିବା ପୋଲିସ ଜାଣିପାରିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଏମାନେ ଆଳି ଥାନା ମୂଳସାହି ଗ୍ରାମ ଚୋରି ଘଟଣା ଏବଂ ରାଜକନିକା ଓ ପଟ୍ଟାମୁଣ୍ଡା ଅଞ୍ଚଳରେ ହୋଇଥିବା ଏକାଧିକ ଚୋରିରେ ସାମିଲ ଥିବା ଆଇଆଇସି ସଲିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭରତପୁର ଚୋରି ଘଟଣାରେ ପୋଲିସ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିଲା।
https://www.dharitri.com/ଷ୍ଟାଚ୍ୟୁ-ଅଫ୍‌-ୟୁନିଟିରେ-ବ/
ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା ଗାନ୍ଧିନଗର,୪।୨: ସରକାର ବେଟି ବଚାଓ-ବେଟି ପଢ଼ାଓ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପି ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଲେଜର ଲାଇଟ୍ ମାଧ୍ୟମରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା ଦିଆଯାଇଛି। ୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ପ୍ରତିମାରେ ଏଭଳି କରାଯାଇଛି। ସର୍ଦ୍ଦାରଙ୍କ ପ୍ରତିଭାର ହୃଦୟସ୍ଥଳରେ ବାଳିକା ଫଟୋ ରହିଥିବାବେଳେ ଏଥିରେ ବେଟି ବଚାଓ-ବେଟି ପଢ଼ାଓ ସଚେତନତା ବାର୍ତ୍ତା ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହି ବାର୍ତ୍ତା ନେଇ ସଚେତନତା ସୃଷ୍ଟି କରାଯିବାର ପ୍ରୟାସ କରାଯାଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗୋଟିଏ ବର୍ଷରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବା ପାଇଁ ୪୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି।
https://www.dharitri.com/ଚିତ୍ରକୋଣ୍ଡା-ବିଚ୍ଛିନ୍ନାଞ/
ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଚ୍ଛିନ୍ନାଞ୍ଚଳ ଗସ୍ତ ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଯା’ ଆସ କରିବାରେ ଅସୁବିଧା ହେଉଛି। ଯିବା ଆସିବାରେ ଛଅ ଘଣ୍ଟା ସମୟ ଲାଗୁଛି। ତେଣୁ କ୍ଲଷ୍ଟରରେ ଆଠରୁ ଦଶଟି କ୍ୱାଟର ରହିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଶହେ କୋଟି ଟଙ୍କାରୁ ଦଶ କୋଟି ଟଙ୍କାରେ ଖୁବ୍ଶୀଘ୍ର ଏହି କ୍ଲଷ୍ଟର ନିର୍ମାଣ ହେବ ବୋଲି ସେ ସୂଚନା ଦେଇଛନ୍ତି।
https://www.dharitri.com/indian-army-agniveer-common-entrance-test-result-2024/
ପ୍ରକାଶ ପାଇଲା ଅଗ୍ନିବୀର ନିଯୁକ୍ତି ପରୀକ୍ଷା ଫଳାଫଳ, ଏମିତି କରନ୍ତୁ ଚେକ୍‌ ନୂଆଦିଲ୍ଲୀ,୨୮।୫: ଭାରତୀୟ ସେନା ଅଗ୍ନିବୀର କମନ ଏଣ୍ଟ୍ରାସ୍ ଟେଷ୍ଟ ୨୦୨୪ର ଫଳାଫଳ ପ୍ରକାଶ କରିଛ। ରାଜସ୍ଥାନର ବିଭିନ୍ନ ସେନା ନିଯୁକ୍ତି କାର୍ଯ୍ୟାଳୟ ପାଇଁ ଏହି ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଉପସ୍ଥିତ ଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ ୱେବସାଇଟ joinindianarmy.nic.in ଯାଇ ଫଳାଫଳ ଯାଞ୍ଚ କରିପାରିବେ। ଏହି ଫଳାଫଳଗୁଡିକ ଆର୍ମି ଅଗ୍ନିବୀର ଏଆର୍ଓ ଅଲୱାର୍ ପରୀକ୍ଷା ୨୦୨୪ର ଅଟେ। ସମ୍ପ୍ରତି ୱେବସାଇଟ କାମ କରୁନାହିଁ, ଆପଣ କିଛି ସମୟ ପୁନର୍ବାର ଚେଷ୍ଟା କରିପାରିବେ।
https://www.dharitri.com/ipl-14-hyderabad-are-on-their-way-to-their-first-victory/
ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନବମ ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଦଳରେ ସନ୍ତୁଳନ ଆଣିବାକୁ ଚେଷ୍ଟା କରିବ। ଦୁଇଟି ମ୍ୟାଚ୍ ଖେଳି ହାଇଦ୍ରାବାଦ ଦୁଇଟିରେ ପରାଜୟ ବରଣ କରି ଚାପରେ ରହିଛି। ଅପରପକ୍ଷରେ ମୁମ୍ବାଇ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ବରଣ କରିଛି। ଚେନ୍ନାଇର ଏହି ଟ୍ରାକ୍ରେ ହାଇଦ୍ରାବାଦ ୧୫୦ ରନର ଟାର୍ଗେଟକୁ ଚେଜ୍ କରିବାରେ ବିଫଳ ହୋଇଥିଲା। ହାଇଦ୍ରାବାଦ ତା’ର ଦ୍ୱିତୀୟ ମ୍ୟାଚ୍ରେ ୧୫୦ ରନ ଚେଜ୍ କରି ନ ପାରି ବାଙ୍ଗାଲୋରଠାରୁ ୬ ରନରେ ପରାସ୍ତ ହୋଇଥିଲା। ସେହିପରି ପ୍ରଥମ ମ୍ୟାଚ୍ରେ ୧୮୮ ରନର ପିଛା କରି କୋଲକାତାଠାରୁ ୧୦ ରନରେ ପରାସ୍ତ ହୋଇଥିଲା। ତେଣୁ ଚେଜ୍ କରିବା ଏବେ ହାଇଦ୍ରାବାଦ ପାଇଁ ସମସ୍ୟା ସୃଷ୍ଟି କରିଛି। ଦଳରେ ସାମର୍ଥ୍ୟ ଓ ଗଭୀରତା ନାହିଁ ଓ ବେଞ୍ଚ୍ ଷ୍ଟ୍ରେନ୍ଥ ମଧ୍ୟ ଭଲ ନାହିଁ ବୋଲି କୁହାଯାଇପାରେ। ଏପରି ସ୍ଥଳେ ମୁମ୍ବାଇ ଭଳି ଶକ୍ତିଶାଳୀ ଦଳକୁ ଭେଟିବା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଅନ୍ତିମ ଦଳ ଚୟନ ନେଇ ଅଧିନାୟକ ଓ୍ବାର୍ନରଙ୍କ ସମ୍ମୁଖରେ କେତୋଟି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ତିମ ଦଳ ଚୟନରେ ହାଇଦ୍ରାବାଦ ସେତେଟା ପରିପକ୍ୱତା ପ୍ରଦର୍ଶନ କରିନାହିଁ ବୋଲି କେତେକ ଭାବୁଛନ୍ତି। ଦୁଇ ଉଇକେଟକିପର ଜନି ବେୟାରଷ୍ଟୋ ଓ ରିଦ୍ଧିମାନ ଶାହାଙ୍କୁ ଏକାଠି ଖେଳାଇବାର ଅର୍ଥ କିଛି ନାହିଁ। ପୁଣି ରିଦ୍ଧିମାନ ଓପନର ଭାବେ ବିଫଳ ହୋଇଛନ୍ତି। ୨୦୦୮ରୁ ପ୍ରଥମ ସଂସ୍କରଣରୁ ଆଇପିଏଲ୍ ଖେଳୁଥିଲେ ମଧ୍ୟ ରିଦ୍ଧିମାନ ରନ ସଂଗ୍ରହରେ ଆଦୌ ସ୍ଥିରତା ପ୍ରଦର୍ଶନ କରିନାହାନ୍ତି। ସେପଟେ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନ ଓ ଅଭିଜ୍ଞ କେଦାର ଯାଦବ ଡଗ୍ ଆଉଟ୍ରେ ବସିଛନ୍ତି। ତେଣୁ ଦଳରେ ଶାହାଙ୍କ ଭୂମିକା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କେଦାର ଓ ଅଭିଷେକ ଅଫ୍ ବ୍ରେକ୍ ବୋଲିଂ କରିବାର କ୍ଷମତା ରଖନ୍ତି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଓ୍ବାର୍ନର ଓ ରସିଦ ଖାଁ ଖେଳିବା ନିଶ୍ଚିତ ମନେହେଉଛି। ସେହିପରି ଫିଟ୍ନେସ୍ ହାସଲ କରିଥିବା କେନ୍ ଓ୍ବିଲିୟମସନ ଖେଳିବା ନିଶ୍ଚିତ। ସ୍ପିନ୍ ବୋଲିଂକୁ ଖେଳିବାରେ ଓ୍ବିଲିୟମସନ ସିଦ୍ଧହସ୍ତ। ସେହିପରି ମନୀଷ ପାଣ୍ଡେ ଓ ଅବଦୁଲ ସମାଦ ବାଙ୍ଗାଲୋର ବାମହାତୀ ସ୍ପିନର ଶାହାବାଜ ଅହମଦଙ୍କ ବୋଲିଂ କ୍ରସ୍- ବ୍ୟାଟେଡ୍ ଶଟ୍ ଖେଳି ଓ୍ବାର୍ନରଙ୍କୁ ଖୁସି କରିଛନ୍ତି। ପାଣ୍ଡେ ଇତିମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡିଛନ୍ତି। ତେଣୁ ଏତେ ଶୀଘ୍ର ଭାରତୀୟ ଦଳରେ ସେ ସ୍ଥାନ ହାସଲ କରିବାକୁ ଯାଉ ନ ଥିବା ବେଳେ ଏବେ ହାଇଦ୍ରାବାଦ ପାଇଁ ମ୍ୟାଚ୍ ଫିନିଶର ଭୂମିକା ନିଭାଇବାକୁ ପ୍ରୟାସ କରିବେ। ଆଇପିଏଲ ଏବେ ତାଙ୍କୁ ନିଜ ତ୍ରୁଟି ସୁଧାରିବାକୁ ଓ ନିଜର ଦକ୍ଷତା ପ୍ରମାଣ କରିବାକୁ ସୁଯୋଗ ସୃଷ୍ଟି କରିଛି। ୩୦୦୦ ଆଇପିଏଲ୍ ରନ ସଂଗ୍ରହ କରିବାରେ ସେ ଅତ୍ୟନ୍ତ ମନ୍ଥରତା ଅବଲମ୍ବନ କରିଛନ୍ତି। ଚିପକ ଷ୍ଟାଡିୟମରେ ଲେଟ୍ ଖେଳିବା ଓ କ୍ରିଜ୍ର ଡେପ୍ଥରୁ ଫାଇଦା ଉଠାଇବାର ଆବଶ୍ୟକତା ରହିଛି। ଓ୍ବିଲିୟମସନ ଏହା ଅବଶ୍ୟ କରି ଦେଖାଇଛନ୍ତି। ବୋଲିଂରେ ଟି. ନଟରାଜନ ଗତ ସଂସ୍କରଣ ଭଳି ଫର୍ମରେ ନାହାନ୍ତି। ଭୁବନେଶ୍ୱର କୁମାର ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି। ସନ୍ଦୀପ ଶର୍ମା ଓ ସିଦ୍ଧାର୍ଥ କାଉଲ ବିକଳ୍ପ ସୃଷ୍ଟି କରିଥିଲେ ମଧ୍ୟ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍କୁ ସେତେଟା ସମସ୍ୟାରେ ପକାଇବେ ନାହିଁ ବୋଲି ମନେହେଉଛି। ରୋହିତ ଶର୍ମା, କ୍ୱିଣ୍ଟନ ଡିକକ, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ନେଇ ମୁମ୍ବାଇ ଟପ୍ ଅର୍ଡର ବେଶ୍ ଶକ୍ତିଶାଳୀ ମନେହେଉଛି। ମୁମ୍ବାଇ ତା’ର ପ୍ରଥମ ମ୍ୟାଚରେ ବାଙ୍ଗାଲୋରଠାରୁ ୨ ରନରେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମୁକାବିଲାରେ ମୁମ୍ବାଇ କୋଲକାତାକୁ ୧୦ ରନରେ ହରାଇଥିଲା। ଏହି ବିଜୟ ପରେ ମୁମ୍ବାଇ ତା’ର ଦଳରେ ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ତେବେ ପର୍ଯ୍ୟାପ୍ତ ବିକଳ୍ପ ଥିବାରୁ ମୁମ୍ବାଇ ବ୍ୟାଟିଂ ଲାଇନଅପ୍ରେ ସାମାନ୍ୟ ପରିବର୍ତ୍ତନ କରିପାରେ। ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଧବଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷନ, ଯଶପ୍ରୀତ ବୁମ୍ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ ଲିନ୍, ସୌରଭ ତିଓ୍ବାରୀ, ମୋହସିନ ଖାଁ, ଆଡମ ମିଲନେ, ନାଥନ କୁଲଟର ନାଇଲ, ପୀୟୂଷ ଚାଓ୍ବଲା, ମାର୍କ ଜନସନ, ୟୁଧବୀର ସିଂ, ଜେମ୍ସ ନିଶାମ ଓ ଅର୍ଜୁନ ତେନ୍ଦୁଲକର ା ସନରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ। ମ୍ୟାଚ୍ ଆରମ୍ଭ: ୭.୩୦ ସ୍ଥାନ: ଚେପକ ଷ୍ଟାଡିୟମ, ଚେନ୍ନାଇ ପ୍ରସାରଣ: ଷ୍ଟାର ସ୍ପୋଟର୍ସ
https://www.dharitri.com/ବିଶ୍ୱବ୍ୟାଙ୍କ-ନିର୍ଦ୍ଦେଶକ/
ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ(ଭାରତ) ଜୁନୈଦ କମାଲ୍ ଅହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଅପରାହ୍ନରେ ହୋଇଥିବା ଏହି ସାକ୍ଷାତ୍କାର ସମୟରେ ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ ଭାବେ ବିଶ୍ୱବ୍ୟାଙ୍କ୍ ସହଯୋଗରେ ଓଡ଼ିଶା ବିକାଶ ପ୍ରକ୍ରିୟା କିପରି ତ୍ୱରାନିତ ହେବ ସେ ନେଇ ଆଲୋଚନା କରାଯାଇଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଗୁଡିକର ଅଧିକ ଭାଗୀଦାରି, ଦାରିଦ୍ର୍ୟ ଦୂରୀକରଣ ଏବଂ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରିତା ଉପରେ ରାଜ୍ୟ ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଦାରିଦ୍ର୍ୟ ଦୂରୀକରଣ ସହ ସାମାଜିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଞ୍ଜୀକରଣ ଉପରେ ଉଭୟ ଗୁରୁତ୍ୱ ଦେଇଥିଲେ। ବିଶ୍ୱବ୍ୟାଙ୍କ୍ର କଣ୍ଟ୍ରି ପାର୍ଟନରଶିପ୍ ଫ୍ରେମ୍ୱାର୍କ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ କାମ ଚାଲୁଅଛି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆସନ୍ତା ୨୦୨୨ ଯାଏ ଚାଲିବ। ଏହି ସମୟ ମଧ୍ୟରେ କେଉଁ କ୍ଷେତ୍ରକୁ ବିଶ୍ୱବ୍ୟାଙ୍କ୍ର ଅଧିକ ଆବଶ୍ୟକତା ରହିଛି, ତାହା ନିରୂପଣ କରାଯାଇ କାର୍ଯ୍ୟ କରାଯିବ। ଏଥିପାଇଁ ବିଶ୍ୱବ୍ୟାଙ୍କ୍ ପକ୍ଷରୁ ରାପିଡ୍ ଷ୍ଟେଟ୍ ଡାଇଗ୍ନୋଷ୍ଟିକ୍ ଷ୍ଟଡି କରାଯାଇଥିଲା। ନବୀନ-ଜୁନେଦଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକାର ସମୟରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
https://www.dharitri.com/ଶିକ୍ଷାନୀତିର-ପରିବର୍ତ୍ତନ-ଜ/
ଶିକ୍ଷାନୀତିର ପରିବର୍ତ୍ତନ ଜରୁରୀ: ଅନନ୍ତ ଭୋଗରାଇ, ୫।୮(ଡି.ଏନ.ଏ.)- ଶିକ୍ଷାନୀତିର ପରିବର୍ତ୍ତନ କରାଯାଇ ସାରାଦେଶରେ ଏକକ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ଦିଆଯାଇ ପାରୁ ନାହିଁ । ଅନେକ ଛାତ୍ରୀଛାତ୍ର ବିଷୟବସ୍ତୁକୁ କେବଳ ମୁଖସ୍ତ କରି ପାଠ ପଢୁଛନ୍ତି। ଫଳରେ ହାଇସ୍କୁଲ ପାସ କରିଥିବା କିମ୍ବା କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ଶୁଦ୍ଧ ଭାବେ ଓଡ଼ିଆରେ ଦରଖାସ୍ତ ଲେଖିପାରୁନାହାନ୍ତି । ମାତୃଭାଷାରେ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଏଭଳି ଘଟଣା ଭାଷା ଓ ଜାତି ପ୍ରତି ଲଜ୍ଜାଜନକ ବୋଲି ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ୨୭ତମ ସ୍ବନକ୍ଷତ୍ର ଦିବସ ଓ ପ୍ରବେଶ ଉତ୍ସବରେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବିଧାୟକ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଛନ୍ତି। ଶିକ୍ଷାବିତ୍ ପଙ୍କଜାକ୍ଷ ପଣ୍ଡାଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଆହୁରି କହିଥିଲେ, ଶିକ୍ଷକ ଓ ଛାତ୍ରୀଛାତ୍ର ଶିକ୍ଷାର ମାନ ବୃଦ୍ଧି ଲାଗି ପ୍ରଚେଷ୍ଟା କରିବା ଦରକାର। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିପାରିବ। ଉତ୍ସବରେ ପୂର୍ବତନ ଜିଲାପରିଷଦ ସଦସ୍ୟ ହେମନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମାନନୀୟ ଅତିଥି ଭାବେ ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜ, ରାଜୀବ ଲୋଚନ ପରିଡ଼ା, ଶିକ୍ଷାବିତ୍ ଲୋକନାଥ ପାଣିଗ୍ରାହୀ, ସରପଞ୍ଚ ପ୍ରବୀର କୁମାର ଗିରି, ସମିତିସଦସ୍ୟ ସୁନୀଲ କର, ଅଧ୍ୟକ୍ଷା କଳ୍ପନାରାଣୀ ଭଞ୍ଜ ପ୍ରମୁଖ ଭାଷଣ ଦେଇ ଛାତ୍ରୀଛାତ୍ର ଏକାଗ୍ରତା ରଖି ଜିଜ୍ଞାସାବୋଧର ସହ ଅଧ୍ୟୟନ କଲେ ଶିକ୍ଷାନୁଷ୍ଠାନ ସମେତ ଅଞ୍ଚଳର ଗୌରବ ବଢାଇ ପାରିବେ କହିଥିଲେ। ଏହି ଅବସରରେ ମୁଖ୍ୟଅତିଥି କଲେଜର ପ୍ରତିଷ୍ଠା ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷାବିତ୍ ବିଜୟ କୁମାର ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରୀ ଉପସ୍ଥିତ ଥିଲେ। ଅଧ୍ୟାପକ ବିମଳ କୁମାର ନନ୍ଦୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
https://www.dharitri.com/kl-rahul-fails-to-impress-in-2nd-odi-against-zimbabwe/
ଫ୍ଲପ୍‌ ହେଲେ କେ.ଏଲ୍‌. ରାହୁଲ ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍ର ଅଧିନାୟକ କେ.ଏଲ୍. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍ରେ ୧ ରନ୍ କରି ଆଉଟ୍ ହୋଇଥିଲେ। ତିନି ମାସ ପରେ ରାହୁଲ ଅନ୍ତର୍ଜାତୀୟ ମ୍ୟାଚ୍କୁ ଫେରିଥିବା ବେଳେ ଏବେ ତାଙ୍କର ଫର୍ମ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଆଗକୁ ଏସିଆ କପ୍ ଖେଳାଯିବାକୁ ଥିବା ବେଳେ କେ.ଏଲ୍. ଫର୍ମକୁ ଫେରିବା ଜରୁରୀ। କାରଣ ସେ ରୋହିତଙ୍କ ସହ ସେ ଓପନିଂ କରିବାକୁ ଆସିପାରନ୍ତି। ଏଣୁ ଜିମ୍ବାଓ୍ବେ ଗସ୍ତରେ ତାଙ୍କୁ ସୁଯୋଗ ମିଳିଛି। ପ୍ରଥମ ଦିନିକିଆରେ କେ.ଏଲ୍.ଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଦ୍ୱିତୀୟ ଦିନିକିଆରେ ସେ ତୃତୀୟ ସ୍ଥାନରେ ମଇଦାନକୁ ଓହ୍ଲାଇଥିଲେ। ହେଲେ ଦ୍ୱିତୀୟ ଓଭରର ଚତୁର୍ଥ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏବେ ତୃତୀୟ ଦିନିକିଆରେ ସେ ଯଦି ଫର୍ମକୁ ନ ଫେରୁଛନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ ବୋଲି କୁହାଯାଉଛି।
https://www.dharitri.com/the-temple-attendants-came-down-to-protest/
ଆନ୍ଦୋଳନକୁ ଓହ୍ଲାଇଲେ ମନ୍ଦିର ସେବାୟତ ବାରିପଦା ଅଫିସ,୯।୨: ୬୫୦ବର୍ଷର ଐତିହ ବହନ କରୁଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରିହର ପୀଠ ମାଣତ୍ରୀ ବିଜେ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତ ଗଣ ଗୁରୁବାର ମନ୍ଦିର ପ୍ରବେଶ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦୀର୍ଘ ଦୁଇବର୍ଷ ଧରି ଅଧପନ୍ତରିଆ ଭାବେ ପଡିଥିବା ମନ୍ଦିର ମେଜିଆ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଉ ନ ଥିବାରୁ ସେମାନେ ସମୂହ ଭାବେ ଠାକୁରଙ୍କ ନୀତିକାନ୍ତି ବନ୍ଦରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେବତ୍ତୋର ବିଭାଗ ଅଧୀନ ପରିଚାଳିତ ଏହି ମନ୍ଦିରରେ ନିୟୋଜିତ ୭୧ଜଣ ସେବାୟତ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ଜିଲା ଦେବତ୍ତର ବିଭାଗକୁ ବିଭିନ୍ନ ସୁତ୍ରରୁ ମିଳୁଥିବା ରାଜସୱର ସିଂହ ଭାଗ ରାଜସ୍ବ ମାଣତ୍ରୀ ମନ୍ଦିର ପ୍ରଦାନ କରିଥାଏ। ମନ୍ଦିରଟି ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଟଙ୍କା ଟିଏ ଅନୁଦାନ ମିଳିନାହିଁ। ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଅଭାବ ହେତୁ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହେବାକୁ ଗଲାଣି। ତେବେ ୨୦୧୯ମସିହାରେ ମନ୍ଦିର ବେଢା ମଧ୍ୟରେ ଥିବା ମେଜିଆ କାମ ଅଧପନ୍ତରିଆ ହୋଇ ଦୁଇ ବର୍ଷ ହେଲା ପଡିରହିଛି। କରୋନା ସଂକ୍ରମଣ ଜନିତ ଦୁଇ ବର୍ଷ ଧରି ମନ୍ଦିରରେ ଜାଗର ଯାତ୍ରା କଟକଣା ମଧ୍ୟରେ ପାଳିତ ହେଇଥିବା ବେଳେ ଚଳିତ ବର୍ଷ ଆସନ୍ତା ୧୮ତାରିଖରୁ ଦୁଇ ସପ୍ତାହ ବ୍ୟାପି ପାଳିତ ହେବ। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ମେଜିଆ କାମ ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ସେବାୟତଙ୍କ ମଧ୍ୟ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଏନେଇ ମନ୍ଦିର ସେବାୟତଙ୍କ ପ୍ରତିନିଧି ଦଳ ମନ୍ଦିର ପରିଛା ପ୍ରଦୀପ କୁମାର ପଣ୍ଡାଙ୍କୁ ସାଙ୍ଗରେ ଧରି ସୋମବାର ବାରିପଦା ଠାରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଭେଟି ଦାବି ଜଣାଇଥିଲେ। ଦାବି ଅନୁଯାୟୀ, ମନ୍ଦିରର ମେଜିଆ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ହାତ ପାଣ୍ଠିରୁ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନର ବିଧାୟକ ସନାତନ ବିଜୁଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ ଅଧାରୁ ବନ୍ଦ କରିବା ଦ୍ୱାରା ଭକ୍ତ ଓ ସେବାୟତ ଉଭୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଧାୟକ ସନାତନ ବିଜୁଳି ଏ ଦିଗରେ ପଦକ୍ଷେପ ନେବେ ବୋଲି ମନ୍ଦିର ସେବାୟତଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ବହୁବାର ଅନୁରୋଧ କରିବା ସତ୍ତ୍ବେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ମନ୍ଦିର ଭିତରପାଖର ବିଭିନ୍ନ ସ୍ଥାନ ଖୋଳାହୋଇ ପଡି ଥିବାରୁ ସେଥିରେ ଦୈନିକ ନୀତିକାନ୍ତି ସମ୍ପନ୍ନରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ଅତିଶୀଘ୍ର ସମୂହ ସ୍ବାର୍ଥ ରକ୍ଷାପାଇଁ ନିର୍ମାଣ କାର୍ଯ୍ୟ କରୁଥିବା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବିଭାଗଙ୍କୁ ଉକ୍ତ କାର୍ଯ୍ୟର ଅଗ୍ରଗତି ତଥା ସମାପନ ପାଇଁ ଦାବି ଜଣାଇଛନ୍ତି। ତେବେ ଦାବି ପୂରଣ ନହେବାରୁ ସେବାୟତ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲାପାଳ ବିନୀତ ଭରଦ୍ବାଜ ଅଧପନ୍ତରିଆ ଥିବା ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜୟନ୍ତ କୁମାର ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, କେଶବ ଦାସ, ବାବୁଲି ରଣା, ଯୋଗେନ୍ଦ୍ର ଖଟୁଆ, ପଙ୍କଜିନୀ ପଣ୍ଡା ଓ ଭଗବାନ ପତିଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
https://www.dharitri.com/today-is-international-yoga-day/
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’ ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତବର୍ଷର ଥିମ୍ ରହିଛି ‘ବି ଓ୍ବିଥ୍ ଯୋଗ, ବି ଆଟ୍ ହୋମ୍’। ଅର୍ଥାତ୍ ମହାମାରୀ କରୋନା ନିୟମ ପାଳନ କରି ସମ୍ପୂର୍ଣ୍ଣ ପରିବାର ସହିତ ଯୋଗ ବନ୍ଧନରେ ବାନ୍ଧି ହୋଇଯିବା। ପ୍ରତିବର୍ଷ ଏହି ଦିବସରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯୋଗାସନ କରୁଥିଲେ। ମାତ୍ର ଚଳିତ ବର୍ଷର ଯୋଗ ଦିବସ ଅନେକାଂଶରେ ସ୍ବତନ୍ତ୍ର। କରୋନା କାଳରେ ଏହା ଲୋକଙ୍କ ପାଇଁ ସଞ୍ଜୀବନୀ ବୋଲି କୁହାଯାଉଛି। କ’ଣ କୁହନ୍ତି ଏମାନେ… ଯୋଗ ଦିବସକୁ ଏବେ ଆମେ ଏକ ଉତ୍ସବ ଭଳି ପାଳନ କରୁଛୁ। ଏହାଦ୍ୱାରା ଲୋକଙ୍କୁ ଯୋଗ ସୂତ୍ରରେ ନିଜକୁ ବାନ୍ଧିବା ପାଇଁ ପ୍ରେରଣା ମିଳିଥାଏ। ଶାରୀରିକ ସୁସ୍ଥତା ସହ ଅବସାଦରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ସମାଧାନ। ବର୍ତ୍ତମାନର କୋଭିଡ୍ ମହାମାରୀ ସମୟରେ ଯୋଗ ଦ୍ୱାରା ଜଣେ ମନୁଷ୍ୟ ସହଜରେ ନିଜକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖି ପାରିବ। – ପ୍ରଫୁଲ୍ଲ କୁମାର ବେହେରା, ଯୋଗ ପ୍ରଶିକ୍ଷକ ମନ, ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକମାତ୍ର ମାଧ୍ୟମ। ବହୁ ଡାକ୍ତରଙ୍କ ସମେତ ବିଶେଷଜ୍ଞମାନେ ମଧ୍ୟ ଏହାକୁ ସ୍ବୀକାର କରି ସାରିଲେଣି। ପ୍ରତ୍ୟେକ ମାତା, ପିତା ନିଜର ପିଲାଙ୍କୁ ଛୋଟ ବେଳୁ ହିଁ ଯୋଗଶିକ୍ଷା ପ୍ରତି ପ୍ରେରଣା ଦେବା ଆବଶ୍ୟକ। କରୋନା ସମୟରେ ଘରୁ ନ ବାହାରି ପରିବାର ସହ ଆମେ କିପରି ଯୋଗ କରିବା ଏବଂ ସୁସ୍ଥ ରହିବା ତାହା ହିଁ ମୁଖ୍ୟ ଲକ୍ଷ୍ୟ। – ଡ. ପ୍ରସନ୍ନ କୁମାର ପ୍ରଧାନ, ସଭାପତି, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀ ଆମେ ପୂରା ପରିବାର ଯୋଗ ଶିକ୍ଷା କରୁଛୁ। ସକାଳ ୬ଟାରୁ ପ୍ରତିଦିନ ୧ଘଣ୍ଟା ପାଇଁ ଯୋଗ କରୁଛୁ। ଏହାଦ୍ୱାରା ମୋ ବାପା, ମା’ଙ୍କ ବହୁ ପୁରୁଣା ଅସୁସ୍ଥତା କମିଛି। ଯୋଗ କରିବା ଦ୍ୱାରା ମୁଁ ପୂର୍ବାପେକ୍ଷା ପତଳା ହୋଇ ପାରିଛି। ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ରୁଟିନ୍ରେ ସାମିଲ କରିବା ଆବଶ୍ୟକ। ବିଶେଷକରି ଟେନ୍ସନ୍ରେ ରହୁଥିଲେ ଯୋଗ ବେଶ୍ ଫଳପ୍ରଦ। – ଅଙ୍କିତା ଦଧିଚ, ପ୍ରଶିକ୍ଷାର୍ଥୀ ମୁଁ ପିଲାବେଳୁ ଯୋଗ କରୁଛି। ଏହା ମୋ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନୀରୋଗ ରହିବା ପାଇଁ ଯୋଗାଭ୍ୟାସ କରିବା ଦରକାର। କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ଯୋଗ ହେଉଛି ସବୁଠାରୁ ଉତ୍ତମ ମାଧ୍ୟମ। ପ୍ରତିଦିନ ପ୍ରାଣାୟାମ, ଯୋଗାଭ୍ୟାସ କରିବା ଦ୍ୱାରା ନିଜର ଇମ୍ୟୁନିଟି ବଢାଇପାରିବେ। – ଦିବ୍ୟାଂଶୁ ସ୍ବାଇଁ, ପ୍ରଶିକ୍ଷାର୍ଥୀ ୧୪ ବର୍ଷରୁ ମୁଁ ଯୋଗ କରୁଛି। ଆମେ ଯାହା କିଛି କରୁଛେ ତାହା ହିଁ ଯୋଗ। କେବଳ ଯୋଗାସନ ଓ ପ୍ରାଣାୟାମ ଭିତରେ ଯୋଗ ସୀମିତ ନୁହେଁ। ଅଷ୍ଟାଙ୍ଗ ଯୋଗକୁ ଆମେ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବା। ଏହାଦ୍ୱାରା ଆମେ ସୁସ୍ଥ ରହିବା ସହିତ ଅନ୍ୟମାନେ ମଧ୍ୟ ସୁସ୍ଥ ରହିବେ। – କଳ୍ପନା ବଳିୟାରସିଂ, ପ୍ରଶିକ୍ଷାର୍ଥୀ
https://www.dharitri.com/ଜଙ୍ଗଲରେ-ରହୁଥିବା-ଅସହାୟ-ବୃ/
ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦) ଦୀର୍ଘ ୧୦ ବର୍ଷ ହେବ ସାହାଜଖୋଲ ଜଙ୍ଗଲ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଏକ କୁଡିଆ କରି ରହୁଛନ୍ତି । ବୟସର ଅପରାହ୍ନରେ ଏହି ଦମ୍ପତ୍ତି ପହଞ୍ଚି ସାରିଥିବା ବେଳେ ଏମାନଙ୍କୁ ସରକାରୀ ଯୋଜନାରେ କିଛି ମଧ୍ୟ ମିଳୁ ନ ଥିଲା । ଏହି ବୃଦ୍ଧ ଦମ୍ପତ୍ତି ଜଙ୍ଗଲରେ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିଲେ କିମ୍ବା ଡୋକରୀ ଚଞ୍ଚରା କୁ ପର୍ଯ୍ୟଟକ ଆସିଲେ ସେମାନଙ୍କୁ କିଛି ରନ୍ଧା ଖାଦ୍ୟ ମିଳୁଥିଲା । ଏମାନେ ପଞ୍ଚାୟତ ପ୍ରତିନିଧିଙ୍କ ନିକଟରେ ଅନେକ ଥର ଆବାସ , ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ସାମଗ୍ରୀ ପାଇଁ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ମିଳୁ ନ ଥିଲା । କରୋନା ଯୋଗୁ ଲକ୍ ଡାଉନ୍ ହେବା ଫଳରେ ଡୋକରୀ ଚଞ୍ଚରାକୁ ପର୍ଯ୍ୟଟକ ଆଉ ଆସି ନ ଥିଲେ । ଏହା ଫଳରେ ଦୁଇ ପ୍ରାଣୀ ଭୋକ ଉପାସରେ ଦିନ କାଟୁଥିଲେ । ତେବେ କିଛି ଗଣମାଧ୍ୟମ ପ୍ରତିନିଧି ଏହି ବୃଦ୍ଧ ଦମ୍ପତ୍ତିଙ୍କ ସମସ୍ୟାକୁ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ଜଣାଇଥିଲେ । ଏହାକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ଡୁଡୁକାଠେଙ୍ଗା ସରପଞ୍ଚ ଓ ପଞ୍ଚାୟତ ପିଇଓ ସହଦେବ ଭଏଁସାଲଙ୍କୁ ନିର୍ଦ୍ଦେଶ ଦେବା ସହ ବୃଦ୍ଧ ଦମ୍ପତ୍ତିଙ୍କ ଆବଶ୍ୟକ କାଗଜ ପତ୍ର ଆଣି ତୁରନ୍ତ ଭତ୍ତା ଓ ରାସନ ସାମଗ୍ରୀ ଦେବାକୁ କହିଥିଲେ । ପଞ୍ଚାୟତ ପିଇଓ ସହଦେବ ଭଏଁସାଲ ଓ ସରପଞ୍ଚଙ୍କ ପ୍ରତିନିଧି ଗଙ୍ଗାରାମ ବାଣୁଆ ଡୋକରୀ ଚଞ୍ଚରା ପହଞ୍ଚି ବୃଦ୍ଧ ଦମ୍ପତ୍ତିଙ୍କୁ ଭତ୍ତା ବାବଦରେ ୫ ହଜାର ଟଙ୍କା, ୩୦ କେଜି ଚାଉଳ ଓ ସାବୁନ ଦେଇ ସରକାରଙ୍କ “ମୋ ଜୀବନ” କାର୍ଯ୍ୟକ୍ରମରେ ଶପଥ କରାଇଥିଲେ । । ବ୍ଲକ ପ୍ରଶାସନର ସହାୟତା ପାଇ ଏବେ ବୃଦ୍ଧ ଦମ୍ପତ୍ତିଙ୍କ ଖୁସି କହିଲେ ନ ସରେ । ଏହା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ । ବ୍ଲକ ପ୍ରଶାସନର ଏଭଳି ତୁରନ୍ତ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱାଗତ କରିଛନ୍ତି ।
https://www.dharitri.com/5-agricultural-workers-dismissed/
୫ କୃଷି କର୍ମଚାରୀ ବହିଷ୍କୃତ ଭୁବନେଶ୍ୱର,୩୧ା୧(ଅସମାପିକା ସାହୁ): ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ। ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ସେହିପରି ପୂର୍ବତନ ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ଯ୍ୟରେ ଖିଲାପ ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟରଙ୍କୁ ଆଗୁଆ ଅବସର ଦିଆଯାଇଛି।
https://www.dharitri.com/amid-russia-ukraine-war-india-continues-to-help-needy-countries-with-food-supplies-india-says-at-un/
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ… ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ପଡୋଶୀ ଦେଶ ସମେତ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ ଜାରି ରଖିଛି। ମିଳିତ ଜାତିସଂଘର ଦେଶର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଜାରି ରହିଥିବା ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଏହାର ପଡ଼ୋଶୀ ଦେଶ ସମେତ ଅଭାବୀ ଦେଶମାନଙ୍କୁ ଆର୍ଥିକ ତଥା ଖାଦ୍ୟ ସହାୟତା ଯୋଗାଇ ଖାଦ୍ୟ ଏବଂ ଦ୍ରବ୍ୟ ଯୋଗାଣ ଶୃଙ୍ଖଳାରେ ସକ୍ରିୟ ଭାବରେ କାର୍ଯ୍ୟ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଶାନ୍ତି ପ୍ରତିଷ୍ଠା ଏବଂ ନିରନ୍ତର ଶାନ୍ତି ଉପରେ ବିତର୍କରେ ଭାଷଣ ଦେଇଥିଲେ। ସେ କହିଛନ୍ତି ଗ୍ଲୋବାଲ ସାଉଥରେ ଭାରତର ୪୦ ବିଲିୟନ ଡ଼ଲାରର ବିକାଶ ପ୍ରକଳ୍ପ ମାନବ-କେନ୍ଦ୍ରିକ ବିଶ୍ୱ ପ୍ରତି ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଥିସହ ସେ ମିଳିତ ଜାତିସଂଘର ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଦୋହରାଇଛନ୍ତି।
https://www.dharitri.com/ଡିସ୍‌କାଉଣ୍ଟ-ଉପରେ-ଲାଗିଛି/
ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଙ୍କ ଉପରେ ଲଗାମ ଲଗାଇବାକୁ ଯାଇ ଚଳିତ ବର୍ଷ ଫେବୃୟାରୀରେ ନୂଆ ଏଫ୍ଡିଆଇ ନୀତି ଲାଗୁ କରିଛନ୍ତି। ଫଳରେ ଇ-କମର୍ସ କମ୍ପାନୀମାନେ ଆଉ ଭାରି ଡିସ୍କାଉଣ୍ଟ ଦେଇପାରୁନାହାନ୍ତି। ଏଥିଯୋଗୁ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଫ୍ଲିପକାର୍ଟ ଓ ଆମାଜନ। ସେମାନେ ନିଜ ପ୍ଲାଟଫର୍ମରେ ସର୍ବାଧିକ ଛାଡ଼ ଘୋଷଣା କରୁଥିଲେ। ଫଳରେ ସେମାନଙ୍କ ବେପାର ବେଶ୍ ଜମୁଥିଲା। ସରକାରଙ୍କ ଉକ୍ତ ନିଷ୍ପତ୍ତି କାରଣରୁ ଇ-କମର୍ସ କମ୍ପାନୀମାନଙ୍କ କାରବାର ହ୍ରାସ ପାଇଥିବା ବେଳେ ଗତ ୩ ମାସ ହେବ କ୍ଷୁଦ୍ର ବେପାରୀ ଏବେ ବେଶ ଦିପଇସା ଆୟ କରିପାରୁଛନ୍ତି। ଏବେ ଉକ୍ତ ଦୁଇ ଇ-କମର୍ସ କମ୍ପାନୀ ନୂଆ ସରକାର ଆସିବା ଅପେକ୍ଷାରେ ରହିଛନ୍ତି। କାରଣ ନୂଆ ସରକାର ଆସିବା ପରେ ଇ-କମର୍ସ ନୀତିକୁ କୋହଳ କରାଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏନ୍ଡିଏ ସରକାର ଖୁଚୁରା ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିଲେ। କାରଣ ସରକାରୀ ଦଳ ପାଇଁ ସେମାନେ ବଡ଼ ଭୋଟ୍ ବ୍ୟାଙ୍କ କୁହାଯାଉଛି। ସୂଚନାଯୋଗ୍ୟ, ଇ-କମର୍ସ କମ୍ପାନୀଗୁଡ଼ିକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ ଭଳି ସେଗମେଣ୍ଟରେ ଲୋକଙ୍କୁ ଭାରିମାତ୍ରାରେ ଛାଡ଼ ଘୋଷଣା କରୁଥିଲେ। ଏହି କାରଣରୁ ଲୋକେ ଅନ୍ଲାଇନରେ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଥିଲେ। ଛାଡ଼ ମାତ୍ରା ଏତେ ଅଧିକ ରହୁଥିଲା ଯେ, ଖୁଚୁରା ବ୍ୟବସାୟୀ ତାହା ଦେଇପାରୁ ନ ଥିଲେ।
https://www.dharitri.com/twitter-temporarily-banned-donald-trump/
ଟୁଇଟ୍‌ କରିପାରିବେନି ଟ୍ରମ୍ପ! ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ ଟୁଇଟର ଆକାଉଣ୍ଟରେ ଭୁଲ୍ ତଥ୍ୟ ଦିଆଯାଇଥିବାରୁ ଏମିତି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଟୁଇଟରର ଜଣେ ପ୍ରବକ୍ତା କହିଛନ୍ତି ରାଷ୍ଟ୍ରପତିଙଙ୍କ ଟୁଇଟର ଆକାଉଣ୍ଟରୁ କରୋନା ମହାମାରୀକୁ ନେଇ ଯେଉଁ ଟୁଇଟ୍ କରାଯାଇଥିଲା ତାହା କମ୍ପାନୀର ଗାଇଡ୍ ଲାଇନ୍ ବାହାରେ ଥିଲା। ତେଣୁ ଟୁଇଟର ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛି।