url
stringlengths
29
226
text
stringlengths
7
18.1k
https://www.dharitri.com/ଏଣିକି-ଡ୍ରାଇଭରଙ୍କୁ-ଶୋଇବାକ/
ଏଣିକି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ ଇସ୍ରାଏଲ ସେନ୍ସର ଡିଭାଇସ୍‌ ଲକ୍ଷ୍ନୌ,୧୫।୭: ରାଜ୍ୟରେ ବୃଦ୍ଧି ପାଇଥିବା ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ ଯମୁନା ଏକ୍ସପ୍ରେସ ହାଇଓ୍ବେରେ ହୋଇଥିବା ଦୁର୍ଘଟଣା ଯୋଗୁ ଉତ୍ତରପ୍ରଦେଶ ପରିବହନ ବିଭାଗ ହରଡ଼ଘଣାରେ ପଡ଼ିଯାଇଥିଲା। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭାଗ ପକ୍ଷରୁ ଏଭଳି ଏକ ଡିଭାଇସ୍ ଉପରେ କାମ କରାଯାଉଛି ଯାହା ଦୁର୍ଘଟଣାକୁ ଅଟକାଇବାକୁ ସକ୍ଷମ ହେବ। ଏହି ନୂଆ କୌଶଳ ଯାତ୍ରା ସମୟରେ ବସ୍ରେ ଥିବା ୩ଟି ବଟନ ୟୁପିଏସ୍ଆରଟିସି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ। ନିଦ ଆସିବା ମାତ୍ରେ ହିଁ ବସ୍ରେ ଲାଗିଥିବା ସେନ୍ସର ଡିଭାଇସ୍ରୁ ଆଲାମ ବାଜି ଉଠିବ। ଏଥିସହ ଯଦି ଡ୍ରାଇଭର ଆଳସ୍ୟ ହୁଅନ୍ତି ତେବେ ଏହି ଯନ୍ତ୍ର ପ୍ରତି ୧ କିଲୋମିଟରରେ ତାଙ୍କୁ ଆଲର୍ଟ କରିବ। ଯଦି ବସ୍ର ୨୫ମିଟର ଆଗରେ କୌଣସି ଗାଡି ଆସେ ତେବେ ଗ୍ରୀନ୍ ଆଲାମ୍ ବାଜିବ। ସେହିପରି ୧୨ ମିଟର ଦୂରରେ ପିଙ୍କ୍ ଏବଂ କୌଣସି ବାହନ ଗାଡିର ପୂରା ସମ୍ମୁଖକୁ ଆସିଲେ ରେଡ ଆଲାମ୍ ବାଜିବ। ଏହି ଡିଭାଇସ୍ର ମୂଲ୍ୟ ୨୦ରୁ ୨୫ହଜାର ଟଙ୍କା ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେଲା ଗାଜିଆବାଦ ଡିପୋରୁ ଚଳାଚଳା କରୁଥିବା ବସ୍ରେ ଏଭଳି ଏକ ଇସ୍ରାଇଲ ଡିଭାଇସ୍ର ବ୍ୟବହାର କରାଯାଉଛି। ଯଦି ସବୁ କିଛି ଠିକ୍ ଠାକ୍ ରହେ ତେବେ ଉତ୍ତରପ୍ରଦେଶ ସରକାର ଏହି ସେନ୍ସରକୁ ଇସ୍ରାଏଲ କମ୍ପାନୀଠାରୁ କିଣିବା ପାଇଁ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିିବ ।
https://www.dharitri.com/1-dead-in-the-state/
ଆଉ ଜଣଙ୍କ ଜୀବନ ନେଲା କରୋନା ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୧୪୧ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ୪୦ ବର୍ଷିୟା ମହିଳା। ଅନ୍ୟପଟେ, ରାଜ୍ୟରେ ୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
https://www.dharitri.com/କ୍ବାରାଣ୍ଟାଇନ-ଫାଟକ-ଜଗିଲେ/
କ୍ବାରାଣ୍ଟାଇନ ଫାଟକ ଜଗିଲେ ସରପଞ୍ଚ ଗୋପ,୧୧ା୫(ଡି.ଏନ.ଏ): ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ନିଜ ଗ୍ରାମକୁ ବହୁ ସଂଖ୍ୟାରେ ଫେରୁଥିବାରୁ ରାଜ୍ୟ ସରକାର ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଥିଲେ। ତେବେ ପ୍ରଥମ କରି ଗୋପ ବ୍ଲକ ସୁତନ ପଞ୍ଚାୟତର ସରପଞ୍ଚ ବିଳାସିନୀ ବେହେରା ଏହି କ୍ଷମତାକୁ କାର୍ଯ୍ୟରେ ଲଗାଇବା ସହ କ୍ବାରାଣ୍ଟାଇନ ସମ୍ମୁଖରେ ବାଡ଼ି ଧରି ଜଗି ରହିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ସୁତନ ପଞ୍ଚାୟତରେ ଥିବା ଅସ୍ଥାୟୀ କ୍ବାରାଣ୍ଟାଇନ ସେଣ୍ଟରରେ ଏବେ ପ୍ରବାସୀମାନେ ରହିବା ପରେ ପ୍ରବାସୀଙ୍କ ସମ୍ପର୍କୀୟମାନଙ୍କ ଭିଡ଼ ଲାଗିରହିଥିଲା। ଏପରି ଘଟଣାକୁ ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇଥିଲା। ଏପରି ଅଭିଯୋଗକୁ ନେଇ ସରପଞ୍ଚ ବେହେରା ସୋମବାର ସକାଳେ ଏକ ବାଡ଼ି ଧରି ଫାଟକ ସମ୍ମୁଖରେ ବସି ରହିବା ସହ ରହିଥିବା ପ୍ରବାସୀଙ୍କ ସମ୍ପର୍କୀୟମାନଙ୍କୁ ଏଠାକୁ ଆସିଲେ ତୁମମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସରପଞ୍ଚଙ୍କ ଏପରି କ୍ଷମତାକୁ ନେଇ ଏବେ ବ୍ଲକ ଅଞ୍ଚଳରେ ଲୋକେ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରି କରିଥିବା କଥା କହିଥିବାବେଳେ ଯେପରି ମୋ ପଞ୍ଚାୟତରେ କରୋନା ମହାମାରୀ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦେବି ବୋଲି କହିଥିଲେ।
https://www.dharitri.com/suryakumar-achieved-great-success/
ବଡ଼ ଉପଲବ୍ଧି ହାସଲ କଲେ ସୂର୍ଯ୍ୟକୁମାର ନୂଆଦିଲ୍ଲୀ,୯।୮: ତୃତୀୟ ଟି-୨୦ରେ ଭାରତ ୱେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଫେରିଛି, କିନ୍ତୁ ୱେଷ୍ଟଇଣ୍ଡିଜ ଦଳ ଏପର୍ଯ୍ୟନ୍ତ ୨-୧ରେ ଆଗରେ ରହିଛି। ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇଟି ମ୍ୟାଚ ଜିତିଥିଲା। ୱେଷ୍ଟଇଣ୍ଡିଜ୍ର ୧୬୦ ରନ୍ର ଲକ୍ଷ୍ୟ ୧୮ତମ ଓଭରରେ ଭାରତ ହାସଲ କରିଥିଲା। ଟିମ ଇଣ୍ଡିଆ ପାଇଁ ସୁର୍ଯ୍ୟକୁମାର ଯାଦବ ସର୍ବାଧିକ ସ୍କୋରର ହୋଇଥିଲେ। ସେ ୧୦ ଚୌକା ଓ ଚାରି ଛକା ସହାୟତାରେ ୪୪ ବଲରେ ୮୩ ରନ ସଂଗ୍ରହ କରିଥିଲେ। ଚାରି ଛକା ସହିତ ସୂର୍ଯ୍ୟ ଏକ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଥିଲେ। ସୂର୍ଯ୍ୟକୁମାର ଅନ୍ତର୍ଜାତୀୟ ଟି-୨୦ ୧୦୦ଟି ଛକା ପୂରଣ କରିଛନ୍ତି। ସେ ଦ୍ରୁତତମ ଅନ୍ତର୍ଜାତୀୟ ଟି-୨୦ ଛକା ମାରିବାରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜର ଇଭିନ ଲୁଇସ ଅଛନ୍ତି, ଯିଏ ୪୨ ତମ ଇନିଂସରେ ଏହା କରିଥିଲେ। ଏଥି ସହିତ ସୂର୍ଯ୍ୟକୁମାର ୪୯ ତମ ଇନିଂସରେ କ୍ରିସ ଗେଲଙ୍କ ସହ ୧୦୦ଟି ଛକା ପୂରଣ କରିଥିଲେ। ସୂର୍ଯ୍ୟ ବିଶ୍ୱର ୧୪ତମ ଏବଂ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ। ଏହି ତାଲିକାର ଶୀର୍ଷରେ ରହିଛି ଭାରତର ରୋହିତ ଶର୍ମା, ଯିଏ ୧୪୮ ମ୍ୟାଚର ୧୪୦ ଇନିଂସରେ ୧୮୨ ଛକା ମାରିଛନ୍ତି। ୧୭୩ ଛକା ସହ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପିଲ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆରୋନ ଫିଞ୍ଚ ୧୨୫ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତଙ୍କ ବ୍ୟତୀତ ବିରାଟ ମଧ୍ୟ ଭାରତ ପାଇଁ ୧୦୦ ଛକା ମାରିଛନ୍ତି। ୧୧୫ ଟି-୨୦ ମ୍ୟାଚରେ ସେ ୧୧୭ ଛକା ମାରିଛନ୍ତି। ଏହା ବ୍ୟତୀତ କ୍ରିସ ଗେଲ, ପଲ ଷ୍ଟିରଲିଂ, ଇଏନ ମୋର୍ଗାନ, ଜୋସ ବଟଲର୍, ଇଭିନ ଲୁଇସ, କଲିନ ମୁନ୍ରୋ, ଗ୍ଲେନ ମ୍ୟାକ୍ସୱେଲ, ଡେଭିଡ ମିଲର ଏବଂ ଡେଭିଡ ୱାର୍ନର ମଧ୍ୟ ଅନ୍ତର୍ଜାତୀୟ ୧୦୦ ଛକା ମାରିଛନ୍ତି।
https://www.dharitri.com/indigo-flight-going-to-ranchi-made-emergency-landing-in-delhi/
ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ କଲା ଜରୁରୀ ଅବତରଣ ନୂଆଦିଲ୍ଲୀ,୫।୮: ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ଏହାକୁ ନେଇ ଯାଞ୍ଚ କରାଯାଉଛି। ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀରୁ ରାଞ୍ଚି ପାଇଁ ଇଣ୍ଡିଗୋ ବିମାନ ଶନିବାର ସକାଳ ପ୍ରାୟ ୭ଟାରେ ଉଡାଣ ଭରିଥିଲା। ତେବେ ଉଡାଣ ଭରିବାର ଏକ ଘଣ୍ଟା ପରେ ବିମାନ ଭିତରେ କମ୍ପନ ଅନୁଭୂତ ହୋଇଥିଲା। ଯାହା ପରେ ପାଇଲଟ ଯାନ୍ତ୍ରିକ ତ୍ରୁଟି ଥିବା ସୂଚନା ଦେଇଥିଲେ, ଏବଂ ପରେ ଦିଲ୍ଲୀକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ସମୟ ପରେ ବିମାନଟି ଦିଲ୍ଲୀରେ ଜରୁରୀ ଅବତରଣ କରିଛି।
https://www.dharitri.com/offer-sandals-hats-to-goddess/
ଦେବୀ ମା’ଙ୍କୁ ଚପଲ, ଟୋପି ଉପହାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କୋଲାର ଅଞ୍ଚଳର ଏକ ଛୋଟ ପାହାଡ ଉପରେ ଅଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଯାହା ‘ସିଦ୍ଧଦାତ୍ରୀ ପହାଡାବାଲା’ ମନ୍ଦିର ନାମରେ ପରିଚିତ। ତା’ସହ କେହି କେହି ଉକ୍ତ ମନ୍ଦିରକୁ ‘ଜୀଜୀବାଈ’ ମନ୍ଦିର ବି କୁହନ୍ତି। ଏହି ମନ୍ଦିରକୁ ଭକ୍ତମାନେ ବିଭିନ୍ନ ସ୍ଥାନରୁ ଆସି ବିଭିନ୍ନ ମାସିକ ରଖିଥାନ୍ତି। ଆଉ ମାନସିକ ପୂରଣ ହେଲାପରେ ସେମାନେ ମା’ ଦୁର୍ଗାଙ୍କୁ ଚପଲ ଉପହାରସ୍ବରୂପ ଦେଇଥାନ୍ତି। ଚପଲ ସହ ଖରାଦିନେ ଭକ୍ତମାନେ ମା’ଙ୍କୁ ଚଷମା, ଟୋପି ଓ ଘଣ୍ଟା ବି ଉପହାସ୍ବରୂପ ପ୍ରଦାନ କରନ୍ତି। ଏହି ନିଆରା ପରମ୍ପରା ଦୀର୍ଘ ୨୦ ବର୍ଷ ଧରି ଚାଲି ଆସୁଛି। ତେବେ ଆପଣମାନେ ଭାବୁଥିବେ ସାଧାରଣତଃ ମନ୍ଦିର ଭିତରକୁ ଚପଲ ପିନ୍ଧିକି ଯିବା ମନା ହୋଇଥାଏ। ଆଉ ଏଠାରେ କିଭଳି ଉପହାରସ୍ବରୂପ ମା’ ଚପଲ ପ୍ରଦାନ କରାଯାଉଛି? ତେବେ ଏହା ପଛର କାହାଣୀ ହେଉଛି ଯେ, ଓମପ୍ରକାଶ ମହାରାଜ ନାମକ ଜଣେ ବ୍ୟକ୍ତି ଏଠାରେ ମା’ଙ୍କର ମୂର୍ତ୍ତି ସ୍ଥାପନ କରିଥିଲେ। ତା’ସହ ଶିବ ପାର୍ବତୀଙ୍କର ବିବାହ କରାଇ ନିଜେ କନ୍ୟାଦାନ ବି କରିଥିଲେ। ସେବେଠାରୁ ସେ ସିଦ୍ଧଦାତ୍ରୀ ମା’ଙ୍କୁ ନିଜ ଝିଅ ମନେକରି ପୂଜା କରିଆସୁଛନ୍ତି। ଆଉ ସବୁ ବାପାଙ୍କ ପରି ଝିଅର ସବୁ ଇଛା ସେ ପୂରଣ କରୁଛନ୍ତି। ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛନ୍ତି ଓ ତାଙ୍କର ବହୁତ ଯତ୍ନ ବି ନେଉଛନ୍ତି। କେତେବେଳେ ଯଦି ତାଙ୍କୁ ଆଭାସ ହୁଏ ମା’ ସିଦ୍ଧଦାତ୍ରୀ ପିନ୍ଧିଥିବା ପୋଷାକରେ ସନ୍ତୁଷ୍ଟ ନୁହନ୍ତି ସେ ସଙ୍ଗେ ସଙ୍ଗେ ତାକୁ ବଦଳାଇ ଦିଅନ୍ତି। ଖାଲି ଯେ, ସେ ମା’ଙ୍କୁ ନିଜ ଝିଅ ଭାବି ସବୁ ଜିନିଷ ଦିଅନ୍ତି ତାହା ନୁହେଁ ଭକ୍ତମାନେ ମଧ୍ୟ ମା’ଙ୍କୁ ଚପଲଠୁ ଆରମ୍ଭ କରି ଚଷମା, ଟୋପି ଆଦି ଉପହାର ପ୍ରଦାନ କରନ୍ତି। ଅନେକ ବିଦେଶୀ ଭକ୍ତ ମଧ୍ୟ ମା’ଙ୍କ ପାଇଁ ଚପଲ ପଠାଇଥାନ୍ତି। ତେବେ ମା’ଙ୍କୁ ଚପଲ ଚଢାଯିବାର ଦିନକ ପରେ ସେଗୁଡିକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ।
https://www.dharitri.com/ବାରଙ୍ଗ-ଧନ୍ଦାମୂଳକ-ତାଲିମ-କ/
ବାରଙ୍ଗ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଉତ୍ପାଦନମୁଖୀ କରାଯିବ ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହିତ ସେଠାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ତାଲିମ ବ୍ୟବସ୍ଥାକୁ ଦୃଢ଼ କରାଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ନିତେନ୍ ଚନ୍ଦ୍ର ବୁଧବାର ଏହି ତାଲିମ କେନ୍ଦ୍ର ପରିଦର୍ଶନ କରିବା ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ତାଲିମ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ନିମନ୍ତେ ଅଧିକ ବନ୍ଦୋବସ୍ତ କରିବା ଉପରେ ସେ ଗୁରୁତ୍ୱରୋପ କରିଛନ୍ତି। ୨୦୦୩ରୁ ନିଷ୍କ୍ରିୟ ହୋଇଯାଇଥିବା ଏହି ତାଲିମ କେନ୍ଦ୍ରକୁ ୨୦୧୭ରୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଚଳିତ ବର୍ଷ ଏଠାରେ ଭିନ୍ନକ୍ଷମମାନଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି। ପ୍ରାୟ ୬ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ତାଲିମ କେନ୍ଦ୍ରରେ ବିଭିନ୍ନ ପ୍ରାକୃତିକ ଚାଷ ତଥା ଆନୁଷଙ୍ଗିକ ଜୀବିକା କୌଶଳଭିତ୍ତିକ କାର୍ଯ୍ୟ କରାଯାଇପାରିବ। ବର୍ତ୍ତମାନ ଏଠାରେ ଛତୁଚାଷ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ମହୁଚାଷ କରାଯିବ। ଏହା ବ୍ୟତୀତ ମଶାମରା ଅଗରବତୀ ଉତ୍ପାଦନ ସହିତ ଏକ ଡାଏରୀ ଫାର୍ମ ଖୋଲାଯିବାର ପ୍ରସ୍ତାବ ରହିଛି। ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଠାରେ ଏକ ପ୍ରାକୃତିକ ଉଦ୍ୟାନ ଆରମ୍ଭ କରାଯିବ। ବର୍ତ୍ତମାନ ଛତୁ ଚାଷ ପାଇଁ ୧୦ଜଣ ପ୍ରଶିକ୍ଷାର୍ଥୀ ୧୫ ଦିନିଆ ତାଲିମ ନେଉଥିବାବେଳେ ପ୍ରତି ୧୫ ଦିନରେ ଭିନ୍ନକ୍ଷମଙ୍କ ନିମନ୍ତେ ବିଭିନ୍ନ ବର୍ଗରେ ତାଲିମର ବ୍ୟବସ୍ଥା କରାଯାଉଛି। ପରବର୍ତ୍ତୀ ସମୟରେ ତାଲିମ କେନ୍ଦ୍ରରୁ ଉତ୍ପାଦିତ ସାମଗ୍ରୀର ବିପଣନ ସହ ଏକ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ର, ବିଭାଗୀୟ ଉପଶାସନ ସଚିବ ଅମ୍ବିକା ପଟ୍ଟନାୟକ, କଟକର ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ବାରଙ୍ଗ ବିଡିଓ ଆକୁଳ ମଲ୍ଲିକ ଓ ତହସିଲଦାର ରମେଶ ଚନ୍ଦ୍ର ଜେନା ଓ ପ୍ରମୁଖ ଉପସ୍ଥିତ ଥିଲେ।
https://www.dharitri.com/ବାଜିବଲୋ-ସାହାନାଇ/
ବାଜିବଲୋ ସାହାନାଇ ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ ହୁଏ ତାହାକୁ ନେଇ କାହାଣୀ ଗତିଶୀଳ। ଏହି କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ବାଜିବଲୋ ସାହାନାଇ’ର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବେଶ୍ କିଛିବର୍ଷ ପୂର୍ବେ ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବଲୋ ସାହାନାଇ’ ସୁପରହିଟ୍ ହୋଇଥିଲା। ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟରେ ଭରି ରହିଥିଲା ଫୁଲ୍ ଏଣ୍ଟରଟେନମେଣ୍ଟ। ହେଲେ ଏବେ ବଡ଼ ପରଦାରେ ଆଶୁତୋଷଙ୍କ ସାହାନାଇ ପୁଣି ଥରେ ବାଜିବାକୁ ଯାଉଛି। ଅପରପକ୍ଷରେ ଏହାକୁ କିପରି ଏକ ସୁନ୍ଦର ସିନେମାଟିଏ କରାଯାଇପାରିବ ସେ ନେଇ ପୂରା ଦମ୍ରେ ଅଣ୍ଟା ଭିଡିଛନ୍ତି ଅପେରା ଜଗତର ଆଗଧାଡିର ନିର୍ଦ୍ଦେଶକ ଆଶୁତୋଷ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ସମ୍ବିତ, ଅମ୍ଳାନ କୁମାର ଏବଂ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍। ଏମାନଙ୍କ ବ୍ୟତୀତ ରାଇମୋହନ, ଅଶ୍ରୁମୋଚନ ମହାନ୍ତି, ଆଶୁତୋଷ, ଭୂପତି ତ୍ରିପାଠୀ, ସୁମନ, ପ୍ରତିଭା ପଣ୍ଡା, ଜୟୀରାମ ସାମଲ ଏବଂ ଅପେରା ଅଭିନେତା ହୃଷୀକେଶ ମଧ୍ୟ କାଷ୍ଟିଂରେ ଅଛନ୍ତି। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ (ଟିଟନ)। ଚଳଚ୍ଚିତ୍ରର ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସୁରେଶ ଦାସ।
https://www.dharitri.com/odissis-faintness-to-sitas-friend/
ସିତାର ସାଙ୍ଗକୁ ଓଡ଼ିଶୀର ମୂର୍ଚ୍ଛନା ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଯନ୍ତ୍ର ସଙ୍ଗୀତ ସୀତାର ବାଦନ ସାଙ୍ଗକୁ ଓଡ଼ିଶୀ ସଙ୍ଗିତର ମୂର୍ଚ୍ଛନାରେ ମୁଖରିତ ହୋଇଥିଲା ରାଜାରାଣୀ ମନ୍ଦିର ପ୍ରାଙ୍ଗଣ। ଅବସର ଥିଲା ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା। ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୂକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ବହୁସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ବିଖ୍ୟାତ ଗାୟକ ତଥା ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପରିବେଷଣ। ଶେଷରେ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ରଚନାରେ ଛାନ୍ଦ ଆହା ଧନୁର୍ଦ୍ଧର ବୀର ପରିବେଷିତ ହୋଇଥିଲା। ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଗୁରୁ ରାମହରି ଦାସ ଓ ସାଥୀ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମର୍ଦ୍ଦଳରେ ଗୁରୁ ନିରଞ୍ଜନ ପାତ୍ର, ହାରମୋନିୟମ୍ରେ ଅଜୟ କୁମାର ଦାଶ ଏବଂ ତାନପୁରା ଓ କଣ୍ଠରେ ମାତୃ ପ୍ରସାଦ ଦାସ ଓ ସୃଷ୍ଟି ସ୍ବରୂପା ମିଶ୍ର ସହଯୋଗ କରିଥିଲେ। ଦ୍ୱିତୀୟ ପ୍ରସ୍ତୁତି ଥିଲା ସିତାର ବାଦନ। ବିଖ୍ୟାତ ସିତାର ବାଦକ ପଣ୍ଡିତ ପୁରବାୟାନ ଚାଟାର୍ଜୀଙ୍କ ସିତାର ବାଦନ ଉପସ୍ଥିତ ଶ୍ରୋତାଙ୍କୁ ବେଶ୍ କିଛି ସମୟ ଧରି ବାନ୍ଧି ରଖିଥିଲା। ପ୍ରଥମେ ସେ ରାଗ ପୁରିଆ କଲ୍ୟାଣ ସହିତ ବିଭିନ୍ନ ତାଳ ଓ ରାଗ ସମନ୍ବୟରେ ସୀତାର ବାଦନ କରିଥିଲେ। ତବଲାରେ ଓଜସ ଆଢିଆ ସହଯୋଗ କରିଥିଲେ। ଅତିଥିଭାବେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ଯୋଗଦେଇଥିଲେ। ଡ. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
https://www.dharitri.com/former-cricketer-virender-sehwags-sister-anju-sehwag-joins-aap/
ଏଏପିରେ ଯୋଗଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ନୂଆଦିଲ୍ଲୀ,୩୧।୧୨: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ ଶୁକ୍ରବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ। ଅଞ୍ଜୁ ଏହା ପୂର୍ବରୁ ମଦନଗୀର ୱାର୍ଡରେ କଂଗ୍ରେସ ପକ୍ଷରୁ କାଉନ୍ସିଲର ରହିଥିଲେ । ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରଣିତ ହୋଇ ଏଏପ୍ରେ ଯୋଗ ଦେଇଥିବା ଅଞ୍ଜୁ କହିଛନ୍ତି। ନଗରନିଗମ ନିର୍ବାଚନ ପୂର୍ବରୁ ସମାଜସେବୀ ଅଞ୍ଜୁ ସେହ୍ବାଗ ଦଳରେ ଯୋଗ ଦେବା ନିଶ୍ଚିତ ଭାବେ ଲାଭ ମିଳିବ ବୋଲି ଏଏପ୍ ପକ୍ଷରୁ କୁହାଯାଇଛି। ସେହ୍ବାଗଙ୍କ ୨ ଜଣ ବଡ ଭଉଣୀ ଥିବା ବେଳେ ବିନୋଦ ସାନ ଭାଇ ଅଛନ୍ତି। ଅଞ୍ଜୁ ୨୦୧୨ରେ କଂଗ୍ରେସ ଟିକେଟରୁ ଦକ୍ଷିଣପୁର ଏକ୍ସଟେସନ ୱାର୍ଡରୁ କାଉନସିଲର ଭାବେ ନିର୍ବାଚନ ଲଢି ଭାଜପାର ଆରତୀ ଦେବୀଙ୍କୁ ୫୫୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
https://www.dharitri.com/ଚାଷୀ-ଚିନ୍ତା-ବଢାଇଛି-କରୋନା/
ଚାଷୀ ଚିନ୍ତା ବଢାଇଛି କରୋନା ବାଲିଗୁଡା ୨୬ା୩(ଡି.ଏନ୍.ଏ.)- କରୋନା ପ୍ରଭାବରେ ଚାଷୀ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶ୍ରମିକ ମିଳୁ ନ ଥିବାରୁ ଚାଷୀ ଫସଲ ଅମଳ କରିପାରୁନାହିଁ। ବାଲିଗୁଡା ଅଞ୍ଚଳରେ ପନିପରିବା ସହିତ ବାଦାମ, ମୁଗ, ବିରି, ହରଡ଼ ଭଳି ଡାଲିଜାତୀୟ ଫସଲ ଅମଳ ନ ହୋଇ ବିଲରେ ପଡିରହିଛି। ପରିବା ବିକ୍ରୀ ହୋଇପାରୁ ନ ଥିବାରୁ ଚାଷୀ କିପରି ଗୁଜରାଣ ମେଣ୍ଟାଇବେ ସେ ନେଇ ଏବେ ଚିନ୍ତାରେ। ଡାଲି, ଆଳୁ, ପିଆଜ, ରସୁଣ, ତେଲ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଅଁା ହେଲାଣି। ଶ୍ରମିକ ଓ ଚାଷୀ ପରିବାର ଏଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବଜାରରୁ କ୍ରୟ କରିବା ଦିଗରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଏସବୁ ଅତ୍ୟାବଶ୍ୟକ ସାମଗ୍ରୀକୁ ରିଲିଫ ଆକାରରେ ପ୍ରଦାନ କରିବା ପାଇଁ ଦାବି ହେଉଛି।
https://www.dharitri.com/୭୭ତମ-ଅଗଷ୍ଟ-କ୍ରାନ୍ତି-ଦିବସ/
୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ:ମୁକ୍ତି ସଂଗ୍ରାମରେ ଓଡ଼ିଶାର ବଳିଷ୍ଠ ଭୂମିକା ଥିଲା ଭୁବନେଶ୍ୱର,୧୦ା୮(ବ୍ୟୁରୋ): ମୁକ୍ତି ସଂଗ୍ରାମରେ ଓଡ଼ିଶାର ଭୂମିକା ଯଥେଷ୍ଟ ଥିଲା। ଓଡ଼ିଶାର ବରପୁତ୍ରମାନେ ନିଜ ତ୍ୟାଗ ଓ ବଳିଦାନ ପାଇଁ ଚିରକାଳ ମନେରହିବେ। ସେହି ମହାନ ବରପୁତ୍ରମାନଙ୍କ ଜୀବନକୁ ଅନୁଶୀଳନ କରି ବର୍ତ୍ତମାନର ପିଢ଼ି ନିଜର ଚେତାନକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ଅଭିଲେଖାଗାର ପରିସରରେ ଆୟୋଜିତ ଉସତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ସ୍ବାଧୀନତା ସଂଗ୍ରାମୀଙ୍କ ଅସୀମ ଦେଶଭକ୍ତି ଓ ବଳିଦାନକୁ ସ୍ମରଣ କରିଥିଲେ। କ୍ରାନ୍ତିର ଅର୍ଥ ରକ୍ତପାତ ନୁହେଁ। ଏହାର ଅର୍ଥ ପରିବର୍ତ୍ତନ। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଜୀବନରେ କ୍ରାନ୍ତି ଆଣିଥିଲେ। ସେହିପରି ଛତ୍ରପତି ଶିବାଜୀଙ୍କ ଜୀବନରେ ତାଙ୍କ ଗୁରୁ ସ୍ବାମୀ ରାମଦାସ ନିଜର ଶିକ୍ଷା ଦ୍ୱାରା କ୍ରାନ୍ତି ଜାଗ୍ରତ କରାଇଥିଲେ। ବିଂଶ ଶତାବ୍ଦୀରେ ମହାମତ୍ା ଗାନ୍ଧୀ ସତ୍ୟାଗ୍ରହ ଓ ଅହିଂସା ମାର୍ଗ ଜରିଆରେ ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଦେଶବାସୀଙ୍କ ମଧ୍ୟରେ କ୍ରାନ୍ତିର ଚେତନା ଜାଗ୍ରତ କରାଇଥିଲେ। ଗାନ୍ଧିଜୀଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୯ ତାରିଖରେ ଆରମ୍ଭ ହୋଇଥିବା ‘ଭାରତ ଛାଡ଼ ଆନ୍ଦୋଳନ’ ଭାରତର ମୁକ୍ତି ସଂଗ୍ରାମରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। ଉସତ୍ବରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଥିଲେ, ଓଡ଼ିଶା ଗସ୍ତ ସମୟରେ ଗାନ୍ଧିଜୀ ଏଠାକାର ଦାରିଦ୍ର୍ୟକୁ ଦେଖି ବିଚଳିତ ହୋଇଥିଲେ। ଗରିବ ଓ ଅବହେଳିତଙ୍କୁ ସାହାଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଗାନ୍ଧିଜୀ ଗସ୍ତ କରିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏକ ସର୍କିଟ୍ରେ ପରିଣତ କରି ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବା ମନ୍ତ୍ରୀ କହିଥିଲେ। ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରତ ଛାଡ଼ ଆନ୍ଦୋଳନର ଇତିହାସ ସମ୍ପର୍କରେ ଆଲୋକପାତ କରି ଏହି ଆନ୍ଦୋଳନରୁ ବ୍ରିଟିଶ୍ ସାମାଜ୍ର୍ୟବାଦ ବିଲୋପର ବୀଜ ସ୍ଥାପିତ ହୋଇଥିଲା ବୋଲି କହିଥିଲେ। ଓଡ଼ିଶା ଡାକ ସର୍କଲର ମହାଡାକପାଳ ସନ୍ତୋଷ କୁମାର କାମିଲା କାର୍ଯ୍ୟକ୍ରମରେ ଯୋଗଦେଇ ଡାକ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଏବଂ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ନେଇ ଡାକଟିକେଟ ଓ ଫଟୋ ପ୍ରଦର୍ଶନୀ ଆୟୋଜନ କରୁଥିବା କହିଥିଲେ। ଏହି ଅବସରରେ ରାଜ୍ୟପାଳ ୩ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ତଥା ଭଦ୍ରକ ଜିଲାର ରାମହରି ଗୋସ୍ବାମୀ ଓ ଶ୍ୟାମସୁନ୍ଦର ବେହେରା ଏବଂ ସମ୍ବଲପୁର ଜିଲାର ଦେବାନନ୍ଦ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡାକ ବିଭାଗ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ଲଫାପା ଉନ୍ମୋଚନ କରିବା ସହ ରାଜ୍ୟ ଅଭିଲେଖାଗାରର ସୋସିଆଲ ମିଡ଼ିଆ ଦୃଶ୍ୟ ଶ୍ରାବ୍ୟ ଅଭିଲେଖାକୁ ଲୋକାପର୍ଣ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଏବଂ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ମଞ୍ଚାସୀନ ଥିଲେ। ଗାନ୍ଧିଜୀ, ଓଡ଼ିଶା ଓ ଭାରତଛାଡ଼ ଆନ୍ଦୋଳନକୁ ନେଇ ଆୟୋଜିତ ଫଟୋ ଓ ଡାକଟିକେଟ ପ୍ରଦର୍ଶନୀକୁ ରାଜ୍ୟପାଳ ବୁଲି ଦେଖିଥିଲେ।
https://www.dharitri.com/plane-crash-russian-air-force-plane-crashed-on-the-border-of-ukraine-65-dead/
Plane Crash: ୟୁକ୍ରେନ ସୀମାରେ ରୁଷିଆ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ,୬୫ ମୃତ… ମସ୍କୋ,୨୪।୧ : ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବିମାନର ଦୁର୍ଘଟଣାକୁ ନିଶ୍ଚିତ କରିଛି। ସୂଚନା ଅନୁଯାୟୀ, ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ରୁଷିଆର ଇଲିୟୁସିନ -୭୬ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରିପୋର୍ଟରେ କୁହାଯାଇଛି ଏହି ବିମାନରେ ୟୁକ୍ରେନ ଯୁଦ୍ଧ ବନ୍ଦୀମାନେ ଥିଲେ। ଯୁଦ୍ଧବନ୍ଦୀଙ୍କୁ ବିନିମୟ ପାଇଁ ବେଲଗୋରୋଡକୁ ନିଆଯାଉଥିଲା। ବିମାନଟି ମଧ୍ୟଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସମସ୍ତ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ହୋଇଥିଲା। ୬ ଜଣ କ୍ରୁ ସଦସ୍ୟଙ୍କ ସହିତ ଦୁର୍ଘଟଣାଗ୍ରସ୍ତ ବିମାନରେ ତିନିଜଣ ଏସକର୍ଟ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବେଲଗୋରୋଡ ରାଜ୍ୟପାଳ ୟଶେସ୍ଲାଭ ଗ୍ଲାଡକୋଭ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ଏହି ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏପର୍ଯ୍ୟନ୍ତ ରୁଷିଆ ଦ୍ୱାରା କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ଏଥି ସହିତ ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଏକ ବିମାନ ଆକାଶରେ ଉଡୁଛି ଏବଂ ଏହା ପରେ ୟାବଲୋନୋଭୋ ଗାଁ ନିକଟରେ ଜଳି ଖସିବା ଆରମ୍ଭ କରୁଛି। କିଛି ସେକେଣ୍ଡ ମଧ୍ୟରେ ବିମାନଟି ତଳେ ପଡି ପ୍ରଚଣ୍ଡ ବିସ୍ଫୋରଣ ସହିତ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
https://www.dharitri.com/terrorists-shoot-and-kill-police/
ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ… ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପୋଲିସ ସୈଫୁଲ୍ଲା କାଦ୍ରି ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣରେ ତାଙ୍କ ୭ ବର୍ଷର ଝିଅ ମଧ୍ୟ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ସୂତ୍ରରୁ ପ୍ରକାଶ ଯେ ସୈଫୁଲ୍ଲା କାଦ୍ରିଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଡାକ୍ତର ଜିଏଚ ୟାଟୁ କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ପରେ ସାଇଫୁଲ୍ଲା କାଦ୍ରିଙ୍କ ପରୀକ୍ଷା କରାଯାଇଥିଲା। ତେବେ ସେତେବେଳକୂ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସୈଫୁଲାଙ୍କ ଝିଇଙ୍କର ଅବସ୍ଥା ସ୍ଥିର ରହିଛି। ଘଟଣାର କିଛି ସମୟ ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରଖିଛି। ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀମାନେ ସ୍ଥାନୀୟ ସେନା ଯବାନ, ପୋଲିସ ଏବଂ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ରାଜ୍ୟର ପ୍ରବାସୀଙ୍କ ଉପରେ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ଅପରେଶନ ଅଲ ଆଉଟ ଯୋଗୁ ସୁରକ୍ଷା ବାହିନୀଙ୍କ ଉପରେ ପ୍ରତିହିଂସା ପରାୟଣ ବଶତଃ ଆତଙ୍କବାଦୀମାନେ ଏପରି ଆକ୍ରମଣ କରୁଛନ୍ତି ଯାହା ଦ୍ୱାରା ଭୟର ବାତାବରଣ ସୃଷ୍ଟି ହୋଇପାରିବ। କଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ, ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଅଂଶଗ୍ରହଣ ମଧ୍ୟ ଆତଙ୍କବାଦୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ସେମାନେ ଟାର୍ଗେଟ୍ କିଲିଂ ଆରମ୍ଭ କରିଛନ୍ତି।
https://www.dharitri.com/srh-make-134-on-another-slow-sharjah-wicket/
ସିଏସ୍‌କେ ଆଗରେ ୧୩୫ ରନ୍‌ର ଟାର୍ଗେଟ ଶାରଜା,୩୦।୯: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍ (୩ ଉଇକେଟ), ଡ୍ବେନ ବ୍ରାଭୋ (୨), ଶାର୍ଦ୍ଦୁଳ ଠାକୁର (୧) ଓ ରବୀନ୍ଦ୍ର ଜାଡେଜା (୧) କ୍ରମାଗତ ବ୍ୟବଧାନରେ ଉଇକେଟ ନେବାରୁ ସନରାଇଜର୍ସ ହାଇଦ୍ରାବାଦ୍ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍ କରିଛି। କେବଳ ରିଦ୍ଦିମାନ ଶାହ (୪୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇ ନ ଥିଲେ। ଶେଷ ଆଡ଼କୁ ରଶିଦ ଖାନ ୧୭ ରନ୍ କରିବାରୁ ଏସ୍ଆର୍ଏଚ୍ ଏକ ସମ୍ମାନଜନକ ଟାର୍ଗେଟ ଛିଡ଼ା କରିପାରିଛି।
https://www.dharitri.com/united-youth-sporting-won-4-3/
ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟିଂ ୪-୩ରେ ବିଜୟୀ ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍ର ବୁଧବାର ଅନୁଷ୍ଠିତ ମ୍ୟାଚରେ ୟୁନାଇଟେଡ ୟୁଥ୍ ସ୍ପୋର୍ଟିଂ ବିଜୟୀ ହୋଇଛି। ଏକଦା ୦-୩ ଗୋଲରେ ପଛୁଆ ରହିବା ସତ୍ତ୍ୱେ ଏହି ଦଳ ୪-୩ ଗୋଲରେ ମଦର୍ସ ଫୁଟବଲ କ୍ଲବକୁ ପରାସ୍ତ କରିଛି। ମ୍ୟାଚ ଆରମ୍ଭରେ ମଦର୍ସ ଦଳ ଚମତ୍କାର ଖେଳିଥିଲା। ୧ମ, ୯ମ ଓ ୧୫ଶ ମିନିଟରେ ରୋହିତ ସଇଶ, ସୁଶାନ୍ତ ବେହେରା ଓ ଜାନୋପ ସୋନମ ଗୋଟିଏ ଲେଖାଏ ଗୋଲ ଦେଇ ମସର୍ଦକୁ ୩-୦ରେ ଅଗ୍ରଣୀ କରାଇଥିଲେ। ଚାପର ବଶବର୍ତ୍ତୀ ହୋଇଥିବା ୟୁନାଇଟେଡ ସ୍ପୋର୍ଟିଂ ପକ୍ଷରୁ ଜଗନ୍ନାଥ ବାରିକ ୩୪ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ୟୁନାେଇଟଡ ସ୍ପୋର୍ଟିଂ। ୪୮ତମ ମିନିଟେjର ଅଭିଷେକ ପଢ଼ିଆରୀ, ୫୪ତମ ମିନିଟରେ ଟିପୁନା ରାଉତ ଗୋଟିଏ ଲେଖାଏ ଗୋଲ ଦେବାରୁ ମ୍ୟାଚ ୩-୩ ସ୍ଥିତିକୁ ଚାଲି ଆସିଥିଲା। ୬୬ତମ ମିନିଟରେ ବାପୁନି ବିନ୍ଧାଣୀ ସ୍କୋର କରିଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ଗୋଲ ପରିଶୋଧ କରିବାକୁ ମଦର୍ସ ଖେଳାଳିମାନେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଆୟୋଜକ ଆସୋସିଏଶନର ଉପସଭାପତି ରାଧାନାଥ ମହାପାତ୍ର ଉପସ୍ଥିତ ରହି ୟୁନାଇଟେଡ ସ୍ପୋର୍ଟିଂର ବାପୁନି ବିନ୍ଧାଣୀଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ରାଜେନ୍ଦ୍ର ବାରିକ। ସୁଶାନ୍ତ ମିଶ୍ର ଓ ଆଲୋକ ଦେହୁରୀ ତାଙ୍କୁ ସହାୟତା କରିଥିଲେ। ଶିବ ସାମନ୍ତରାୟ ୪ର୍ଥ ରେଫରି ଥିଲେ। ଗୁରୁବାର ଆର୍ଡୋର ଫୁଟବଲ ଏକାଡେମୀ ସିନିୟର ଓ ଲିଙ୍ଗରାଜ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।
https://www.dharitri.com/sonu-sood-reacts-to-ranveer-singhs-nude-photoshoot/
ରଣବୀରଙ୍କ ଫଟୋଶୁଟ୍‌କୁ ନେଇ ଜାଣନ୍ତୁ କ’ଣ କହିଲେ ସୋନୁ ସୁଦ୍‌ ବଲିଉଡ୍ ଅଭିନେତା ରଣବୀର ସିଂ ଏବେ ତାଙ୍କ ନ୍ୟୁଡ୍ ଫଟୋଶୁଟ୍କୁ ନେଇ ଚର୍ଚ୍ଚାରେ। କେତେକ ରଣବୀରଙ୍କର ଏଭଳି ଫଟୋଶୁଟ୍କୁ ପସନ୍ଦ କରୁଥିବା ବେଳେ ଆଉ କେତେକ ସମାଲୋଚନା କରୁଛନ୍ତି। ପ୍ରସଂଶକ ଏବଂ ସେଲିବ୍ରିଟି ଏହ ଉପରେ ନିଜର ମତାମତ ମଧ୍ୟ ରଖୁଛନ୍ତ। ଏହାରି ମଧ୍ୟରେ ଅଭିନେତା ସୋନୁ ସୁଦ୍ ରଣବୀରଙ୍କ ନ୍ୟୁଡ୍ ଫଟୋଶୁଟ୍କୁ ସମର୍ଥନ କରିଛନ୍ତି। ଆଉ କହିଛନ୍ତି, ଫଟୋଶୁଟ୍ କରିବା ଜଣଙ୍କର ପସନ୍ଦ ହେବା ଉଚିତ୍। ନିଜ ମନ ପସନ୍ଦର ଫଟୋଶୁଟ୍ କରିବା କୌଣସି ଅପରାଧ ନୁହେଁ ବୋଲି ଅଭିନେତା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମେ ଗୋଟିଏ ସମାଜରେ ରହୁଛନ୍ତି, ଯେଉଁଠାରେ ଯଦି ଆପଣ କିଛି କରିବାକୁ ଚାହାନ୍ତି କିମ୍ବା କରନ୍ତି, ସେଠାରେ ବହୁତ ଲୋକ ଆପଣଙ୍କ ଆଡକୁ ଆଙ୍ଗୁଳି ଉଠାଇବେ। କିନ୍ତୁ ମୁଁ ଭାବୁଛି ଯେତେବେଳେ ତୁମେ ଯାହା ବି କିଛି କର, ସେତେବେଳେ ନିଜକୁ ପ୍ରସ୍ତୁତ କରିବା ଶିଖ।
https://www.dharitri.com/renewable-energy-capacity-to-increase-by-50/
୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି ରଖି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। ଭାରତର ଦୃଷ୍ଟିଭଙ୍ଗୀକୁ ବିଶ୍ୱ ନେତାଙ୍କ ନିକଟରେ ଉପସ୍ଥାପନ କରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅଗ୍ରସର ହେଉଥିବା ମଧ୍ୟ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତରେ ଅକ୍ଷୟ ଶକ୍ତି କ୍ଷମତାକୁ ୪୦ରୁ ୫୦%କୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିକଳ୍ପ ଶକ୍ତି ୫୦୦ ଗିଗାଓ୍ବାଟକୁ ବୃଦ୍ଧି କରାଯିବ। ସବୁଜ ଶକ୍ତିର ବ୍ୟବହାର ବଢ଼ାଯାଇ ୨୦୩୦ ସୁଦ୍ଧା ଭାରତ କାର୍ବନ ନିର୍ଗମନକୁ ଏକ ବିଲିୟନ ଟନ୍ ହ୍ରାସ କରିବ। ବିକଶିତ ଦେଶଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକୁ ୧୦୦ ବିଲିୟନ ଡଲାର ବଦଳରେ ୧ ଟ୍ରିଲିୟନ ଡଲାର ପ୍ରଦାନ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ପରିବେଶ ସମ୍ବନ୍ଧୀୟ ଭାରତ ୩ଟି ଗୁରୁତ୍ୱପୂର୍ଣ୍ଣ ଫୋରମ୍ ଆରମ୍ଭ କରିଛି। ସେଗୁଡ଼ିକ ହେଲା ବ୍ରିଟେନ୍ ସହ ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ଗଠବନ୍ଧନ (ସିଡିଆର୍ଆଇ) ଫ୍ରାନ୍ସ ସହ ଅନ୍ତର୍ଜାତୀୟ ସୌରମେଣ୍ଟ (ଆଇଏସ୍ଏ) ଏବଂ ସୁଇଡେନ୍ ସହ ଶିଳ୍ପ ପରିବର୍ତ୍ତନ ନିମନ୍ତେ ନେତୃତ୍ୱ ଗୋଷ୍ଠୀ ଗଠନ। ଭାରତ ‘ୱାନ୍ ସନ୍-ୱାନ୍ ୱାଲର୍ଡ-ୱାନ୍ ଗ୍ରୀଡ୍’ ପ୍ରସ୍ତାବକୁ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା ଭଳି ଦେଶ ସମର୍ଥନ ଦେଇଛି। ଇସ୍ରୋ ମାଧ୍ୟମରେ ଭାରତ ଛୋଟ ଦେଶଗୁଡ଼ିକୁ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ଆଗଭର ହୋଇଛି। ପରିବେଶ ସୁରକ୍ଷା ସମ୍ବନ୍ଧରେ ଉଜ୍ଜ୍ୱଳା, ଉଜାଲା ଭଳି ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହାସହ ବନୀକରଣ ପ୍ରସଙ୍ଗରେ ମଧ୍ୟ ଭାରତ ଭଲ କାମ କରିଛି।
https://www.dharitri.com/bjd-is-having-a-hard-time-when-the-opposition-asked-bjp/
ବିରୋଧୀ ଦଳ ପ୍ରଶ୍ନ କଲେ ବିଜେଡିକୁ କଷ୍ଟ ହେଉଛି: ଭାଜପା ଭୁବନେଶ୍ବର, ୭ା୨(ବ୍ୟୁରୋ): ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଆତଙ୍କିତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ନ ଦେଇ ବିଜେଡି ‘ଦୋଷାରୋପର ଖେଳ’ ଆରମ୍ଭ କରିଛି। ବିଶେଷକରି ନବ ଦାସଙ୍କୁ ତାଙ୍କ ସୁରକ୍ଷା ଅଧିକାରୀ ଗୁଳିକରି ହତ୍ୟା କରିବା ପରେ ଗୃହ ବିଭାଗର ମୁଖା ଖୋଲିଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ଠିକ୍ ଭାବେ ନିଶ୍ଚିତ ହେବା ଉଚିତ୍। କିନ୍ତୁ ଏହା ହେଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଭାବେ ଭାଜପା ପ୍ରଶ୍ନ ପଚାରିଲେ ବିଜେଡିକୁ କଷ୍ଟ ହେଉଛି। ପ୍ରଶ୍ନର ଜବାବ ଦେବା ବଦଳରେ ଶାସକ ଦଳର ନେତାମାନେ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ଭାଜପାର ନେତୃବୃନ୍ଦଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହିତ ମୂଳ ପ୍ରସଙ୍ଗରୁ ଓହରିଯାଇ କୁତ୍ସାରଟନା କରୁଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନୋଜ କହିଛନ୍ତି ଯେ, ୨୦୦୭ରେ ଘଟିଥିବା କନ୍ଧମାଳ ଘଟଣାକୁ ବୋଧହୁଏ ବିଜେଡି ଏମ୍ପି ସସ୍ମିତ ପାତ୍ର ଭୁଲିଯାଇଛନ୍ତି। ରାଜ୍ୟ ରାଜନୀତିରେ ଅପରାଧୀକରଣର ଅଧ୍ୟାୟ ଏଇଠୁ ଆରମ୍ଭ ହୋଇଥିଲା। ୨୦୦୭ର ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ କମିଶନ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସତ୍ତ୍ୱେ ଏହାକୁ ସାର୍ବଜନୀନ କରାଗଲା ନାହିଁ। ଏହାକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି। ଏହାର ଜବାବ୍ ସସ୍ମିତ ପ୍ରଥମେ ରଖିବା ଉଚିତ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସର ପକ୍ଷପାତିତା ଏବଂ ନ୍ୟାୟାଳୟର ହସ୍ତକ୍ଷେପ ଯୋଗୁ ତଦନ୍ତ ହେଉଥିବା ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାବେଳେ ସୋମବାର ଆଉ ଏକ ନୂଆ ଅଧ୍ୟାୟ ଏଥିରେ ଯୋଡ଼ିହୋଇଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା କ’ଣ ମିଛ ବୋଲି ମନୋଜ ପ୍ରଶ୍ନ କରିଛନ୍ତି।
https://www.dharitri.com/jageshwar-dham/
ଜାଗେଶ୍ୱର ଧାମ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ୍ ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା ଜିଲା ଅନ୍ତର୍ଗତ ଏକ ପବିତ୍ର ଆଧ୍ୟାତ୍ମିକ ପୀଠ। ଏହି ପୀଠରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ… ଉତ୍ତରାଖଣ୍ଡର ଅଲମୋଡ଼ା ଜିଲାଠାରୁ ପ୍ରାୟ ୩୬ କି.ମି ଦୂରରେ ରହିଛି ଏହି ଆଧ୍ୟାତ୍ମିକ ପୀଠଟି। ଏହି ପୀଠରେ ଛୋଟବଡ଼ ହୋଇ ଅନେକ ମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅଧିକାଂଶ ମନ୍ଦିରରେ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଉଥିବାବେଳେ ଅନ୍ୟ ମନ୍ଦିରମାନଙ୍କରେ ଭଗବାନ ବିଷ୍ଣୁ, ଦେବୀ ମାତା, ସୂର୍ଯ୍ୟ ଦେବତା ତଥା ଅନ୍ୟାନ୍ୟ ଦେବଦେବୀଙ୍କୁ ଉପାସନା କରାଯାଇଥାଏ। ଖାସ୍ ସେଥିପାଇଁ ବର୍ଷକ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କର ଗହଳି ଦେଖିବାକୁ ମିଳିଥାଏ। ମନ୍ଦିରକୁ ନେଇ ଲୋକକଥା ପୁରାଣ ଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ସ୍ଥାନରେ କୁଆଡ଼େ ଭଗବାନ ଶିବ ଓ ସପ୍ତଋଷି ତପସ୍ୟା କରିଥିଲେ। ସେଥିପାଇଁ ଏହି ସ୍ଥାନର ମାହାତ୍ମ୍ୟ ବେଶ୍ ଉଚ୍ଚକୋଟୀର। କୁହାଯାଏ, ପ୍ରାଚୀନ କାଳରେ ଏହି ଜାଗେଶ୍ୱର ଧାମରେ ଯିଏ ଯାହା ମନୋସ୍କାମନା କରୁଥିଲେ ତାଙ୍କୁ ଠିକ୍ ସେହି ରୂପରେ ଫଳପ୍ରାପ୍ତି ହେଉଥିଲା; ଯେଉଁଥିପାଇଁ ଅନେକେ ସେହି ଆର୍ଶୀବାଦର ଦୂରପଯୋଗ କରିବାକୁ ମଧ୍ୟ ପଛାଉ ନଥିଲେ। ଖାସ୍ ସେହି କାରଣ ପାଇଁ ଆଦି ଶଙ୍କରାଚାର୍ଯ୍ୟ କୁଆଡ଼େ ଏହି ସ୍ଥାନକୁ ଆସି ଉକ୍ତ ଅଘଟଣକୁ ରୋକିବାକୁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଇଥିଲେ ବୋଲି ସୂଚନା ରହିଛି। ଆଉ ସେବେଠାରୁ ଏଠାରେ ଯେଉଁ ବ୍ୟକ୍ତି ନିଃସ୍ବାର୍ଥପର ହୋଇ ନିଜ ମନରେ ସର୍ବମଙ୍ଗଳକାରୀ ମନୋସ୍କାମନା ରଖି ପ୍ରଭୂଙ୍କୁ ଡାକିଥାନ୍ତି କେବଳ ତାଙ୍କରି ହିଁ ଇଚ୍ଛା ପୂରଣ ହୋଇଥାଏ। ମନ୍ଦିରର କାରୁକାର୍ଯ୍ୟ ନାଗରା ଶୈଳୀରେ ନିର୍ମିତ ହୋଇଥିବା ଏଠାକାର ମନ୍ଦିରଗୁଡ଼ିକର ଅପୂର୍ବ ଶୋଭା ଦେଖିବାକୁ ଅତ୍ୟନ୍ତ ମନୋରମ ହୋଇଥାଏ। ଅପୂର୍ବ ବାସ୍ତୁକଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ଧାର୍ମିକ ପୀଠକୁ ଖାସ୍ କରି ଭଗବାନ ଶିବଙ୍କ ତପସ୍ଥଳୀ ବୋଲି କୁହାଯାଇଥାଏ। ପୂଜାବିଧି ଏହି ପବିତ୍ର ଧାମରେ ପ୍ରତିଦିନ ବେଶ୍ ନିଷ୍ଠାର ସହ ପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ତା’ଛଡ଼ା ଯଦି କୌଣସି ଶ୍ରଦ୍ଧାଳୁ ଏଠାରେ ରୁଦ୍ରାଭିଷେକ ପୂଜା କିମ୍ବା ମହା ମୃତ୍ୟୁଞ୍ଜୟ ପୂଜା ଅଥବା କାଳସର୍ପ ପୂଜା, ନବଗ୍ରହ ପୂଜା, ମହାଲକ୍ଷ୍ମୀ ପୂଜା ତଥା ରାହୁ ପୂଜା ଆଦି କରିବାକୁ ଇଚ୍ଛା ରଖିଥାନ୍ତି, ତା’ହେଲେ ଉକ୍ତ ପୂଜାଗୁଡ଼ିକୁ ମଧ୍ୟ ଏଠାରେ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ। ଟ୍ରେକିଂ ସହ ଯୋଗ ବି କରିବେ ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଜାଗେଶ୍ୱର ଧାମକୁ ବୁଲି ଯାଉଥିବା ଶ୍ରଦ୍ଧାଳୁ ଚାହିଁଲେ ଏଠାରେ ଟ୍ରେକିଂର ମଜା ମଧ୍ୟ ନେଇପାରିବେ। ସେହିପରି ଏଠାକାର ପାହାଡ, ଜଙ୍ଗଲ ପରିବେଶଦ୍ୱାରା ଆକର୍ଷିତ ହୋଇ ଅନେକ ସମୟରେ ଜାତିଜାତିକା ପକ୍ଷୀ ବି ଏଠାକୁ ଉଡ଼ି ଆସିଥାନ୍ତି; ଶ୍ରଦ୍ଧାଳୁମାନେ ଉକ୍ତ ପକ୍ଷୀଙ୍କୁ ଦେଖିବାର ସୂଯୋଗ ମଧ୍ୟ ଲଭି ପାରିବେ। ତା’ଛଡ଼ା ଏଠାକାର ଶାନ୍ତ ପରିବେଶରେ ଯୋଗ ଓ ପ୍ରାଣାୟମ କରି ନିଆରା ଅନୁଭୂତି ବି ସାଉଁଟି ପାରିବେ। ମୁଖ୍ୟକଥା ହେଉଛି ଏଠାରେ ଯୋଗ ଓ ପ୍ରାଣାୟମ ପାଇଁ ସ୍ବତନ୍ତ୍ର ତାଲିମ ଦେବାର ସୁବିଧା ରହିଛି। କେମିତି ଯିବେ ଉତ୍ତରାଖଣ୍ଡର ସାଂସ୍କୃତିକ ରାଜଧାନୀ ଭାବେ ପରିଚିତ ଅଲମୋଡ଼ା ନିକଟରେ ଥିବା ଏହି ଜାଗେଶ୍ୱର ଧାମକୁ କାଠଗୋଦାମ ତଥା ଡେରାଡୁନ୍ ଦେଇ ଯାଇହେବ। ପ୍ରଥମେ ରେଳମାର୍ଗ ଦେଇ କାଠଗୋଦାମରେ ପହଁଞ୍ଚତ୍ ସେଠାରୁ ଟାଉନ୍ ବସ୍ ହେଉ ଅବା ଟ୍ୟାକ୍ସି ଦ୍ୱାରା ଆରାମରେ ଯାଇ ଜାଗେଶ୍ୱର ଧାମରେ ପହଁଞ୍ଚତ୍ହେବ। ଅନ୍ୟପକ୍ଷେ ଡେରାଡୁନ୍ ଦେଇ ଗଲେ ରେଳ ତଥା ବସ୍ର ସୁବିଧା ମଧ୍ୟ ରହିଛି।
https://www.dharitri.com/jawan-craze-the-audience-danced-in-the-hall/
‘ଯବାନ’ କ୍ରେଜ୍‌, ହଲ୍‌ରେ ନାଚିଲେ ଦର୍ଶକ ଶାହରୁଖ ଖାନ୍ଙ୍କୁ ବହୁପ୍ରତିକ୍ଷୀତ ଫିଲ୍ମ ‘ଯବାନ’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ଯୁବକଙ୍କ ମଧ୍ୟରେ ବହୁତ୍ କ୍ରେଜ ରହିଛି। ବହୁ ସଂଖ୍ୟାରେ ଦର୍ଶକ ସକାଳେ ପ୍ରଥମ ଶୋ’ ଦେଖିବା ପାଇଁ ପହଞ୍ଚିଛନ୍ତି। କେତେକ ହଲ୍ରେ ଦର୍ଶକ ନାଚୁଥିବାର ଦେଖାଯାଇଛି। ଯିଏ ଏହି ଫିଲ୍ମ ଦେଖୁଛି ସେ ଏହାକୁ ପ୍ରଶଂସା କରୁଛି। ‘ଯବାନ’ର ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ଫିଲ୍ମ ବୋଲି କହୁଛନ୍ତି। ୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମରେ ସୁପରଷ୍ଟାର ଶାହରୁଖ ଦମଦାର ଆକ୍ସନ ରହିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିବ। ସାରାଦେଶରେ ‘ଯବାନ’ ଫିଲ୍ମ ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଛି। ପ୍ରଥମ ଦିନରେ ଫିଲ୍ମ ‘ଯବାନ’ ୭୦ କୋଟି ଊର୍ଦ୍ଧ୍ୱ ଆୟ କରିବ ବୋଲି ସମ୍ଭାବନା ରହିଛି।
https://www.dharitri.com/ସମ୍ବିତ୍‌ଙ୍କ-ନାଁରେ-ମାନହାନ/
ସମ୍ବିତ୍‌ଙ୍କ ନାଁରେ ମାନହାନି ମାମଲା କଲ୍ୟାଣ,୧୩ା୫: ଭାଜପା ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ବିରୋଧରେ ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ମାନହାନି ମାମଲା ଦାଏର କରିଛନ୍ତି। ସମ୍ବିତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଟୁଇଟର୍ରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ନେତା ବ୍ରଜକିଶୋର ଦତ୍ତ ମଙ୍ଗଳବାର କଲ୍ୟାଣସ୍ଥିତ ମହାତ୍ମା ଫୁଲେ ଥାନାରେ ଏତଲା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସମ୍ବିତ୍ ଉଦ୍ଦେଶ୍ୟମୂଳକ ଭାବେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟୁଇଟ୍ କରିଥିଲେ। ପ୍ରକାଶ ଯେ, ସମ୍ବିତ୍ ହିନ୍ଦୀରେ କରିଥିବା ତାଙ୍କର ସଦ୍ୟ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ଯେ, ଯଦି କରୋନା ଭାଇରସ୍ କଂଗ୍ରେସ ସମୟରେ ଆସିଥାଆନ୍ତା ତେବେ ୫,୦୦୦ କୋଟି ଟଙ୍କାର ମାସ୍କ ଘୋଟାଲା, ୭,୦୦୦ କୋଟିର କରୋନା ଟେଷ୍ଟ କିଟ୍ ଦୁର୍ନୀତି, ୨୦,୦୦୦ କୋଟିର ଜବାହର ସାନିଟାଇଜର୍ ଭ୍ରଷ୍ଟାଚାର ଓ ୨୬,୦୦୦ କୋଟି ଟଙ୍କାର ରାଜୀବ ଗାନ୍ଧୀ ଭାଇରସ୍ ରିସର୍ଚ୍ଚ ଘୋଟାଲା ହୋଇଥାନ୍ତା। ବ୍ରଜକିଶୋରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ଦାଏର କରିଛି। ଇତିମଧ୍ୟରେ ସମ୍ବିତ୍ ପୁଣି ଏକ ଟୁଇଟ୍ କରି କହିଛନ୍ତି, ରାଜୀବ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ପାଇଁ ଦାୟୀ ଥିଲେ ବୋଲି କହିବା କ’ଣ ଅପମାନ? ନା, ଏହା ଏକ ବାସ୍ତବତା। ଏବେ ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତି ଚାଲିନାହିଁ। ତେଣୁ ଏଭଳି ଏଫ୍ଆଇଆର୍କୁ ନେଇ କିଛି ଘଟିବାକୁ ଯାଉନାହିଁ।
https://www.dharitri.com/g-udayagiri-badshahi-became-content-zone-after-3-corona-cases-were-identified/
୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜି ଉଦୟଗିରି ବଡ଼ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌ ଜି ଉଦୟଗିରି, ୨।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ସହରରେ କିଛିଦିନ ହେବ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ବେଳେ ବୁଧବାର ପୁଣିଥରେ ସହରର ସବୁଠାରୁ ବଡ଼ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଉକ୍ତ ସାହିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପାଳଙ୍କ ଆର୍ଦ୍ଦେଶ କ୍ରମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜି ଉଦୟଗିରି ବିଡିଓ ତଥା ଏନଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି । ଘର ଘର ବୁଲି ସ୍କ୍ରିନିଂ କରାଯିବା ସହିତ ସାହିକୁ ସାନିଟାଇଜ୍ କରାଯିବ। କଣ୍ଟାକ୍ଟ ଟ୍ରେସିଂ କରାଯାଇ ସମସ୍ତଙ୍କ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।
https://www.dharitri.com/constable-abuses-woman-in-train-after-drinking-liquor/
ମଦ ପଇ ଟ୍ରେନ୍‌ରେ ମହିଳାଙ୍କୁ କନଷ୍ଟେବଳଙ୍କ ଦୁର୍ବ୍ୟବହାର ଟିକିରି,୯ା୨(ଡି.ଏନ୍.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ବୁଧବାର ରାତିରେ ଜଣେ କନଷ୍ଟେବଳ ଅତ୍ୟଧିକ ମଦ୍ୟପାନ ରାଉରକେଲା ଯାଉଥିବା ଟ୍ରେନରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ କନଷ୍ଟେବଳଙ୍କୁ ଲକ୍ଷ୍ମୀପୁର ରେଳ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଏହା ପରେ ପୁଣି ଥରେ ସେହି କନଷ୍ଟେବଳ ହୀରାଖଣ୍ଡ ଟ୍ରେନ୍ରେ ଚଢ଼ିଥିଲେ। ଏଥିରେ ମଧ୍ୟ ସେ ମହିଳାମାନଙ୍କୁ ଖରାପ ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ ତାଙ୍କୁ ପ୍ରବଳ ମାଡ଼ ମାରି ଟିକିରି ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଟିକିରି ଷ୍ଟେଶନ ସେ ପଡ଼ିରହିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହା ପରେ ପୋଲିସ ତାଙ୍କ ପକେଟ ଯାଞ୍ଚ କରିବାରୁ ସେ ଓଡ଼ିଶା ପୋଲିସର ଜଣେ କନଷ୍ଟେବଳ ଥିବା ଜଣାପଡ଼ିଥିଲା। ବହୁ କଷ୍ଟରେ ପୋଲିସ ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏହି କନଷ୍ଟେବଳ ଜଣଙ୍କ। ଏହାପରେ ତାଙ୍କୁ ତୁରନ୍ତ ଉଷାପଡ଼ାସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଟିକିରି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ସକାଳୁ ତାଙ୍କ ପରିବାର ଲୋକେ ଟିକିରି ଥାନାରେ ପହଞ୍ଚି ନିଜ ଘରକୁ ନେବା ପାଇଁ ଆସିଛନ୍ତି। କନଷ୍ଟେବଳଙ୍କ ନାମ କାହ୍ନୁ କୈବର୍ତ୍ତ ବୋଲି ଜଣାପଡ଼ିଛି।
https://www.dharitri.com/repo-rate-unchanged-at-6-5/
ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ମୁମ୍ବାଇ,୯ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗୁରୁବାର କ୍ରମାଗତ ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ଆଣିନାହିଁ। ଗତ ୬ ତାରିଖରୁ ଚାଲିଥିବା ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକରେ ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରିପର୍ଚେଜ୍ ରେଟ୍ (ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଦେଉଥିବା ଋଣ ଉପରେ ସୁଧ)କୁ ୬.୫୦%ରେ ସୀମିତ ରଖିବା ସପକ୍ଷରେ ଭୋଟ ଦେଇଥିଲେ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନକରି ଶକ୍ତିକାନ୍ତ କହିଛନ୍ତି, ୨୦୨୩ ମାର୍ଚ୍ଚ-ଏପ୍ରିଲରେ ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି (ସିପିଆଇ) ହ୍ରାସ ପାଇଥିଲେ ହେଁ ଧାର୍ଯ୍ୟ ଲକ୍ଷ୍ୟ ୪% ଉପରେ ରହିଛି। ଚଳିତ ଆର୍ଥିକବର୍ଷର ଅବଶିଷ୍ଟ ସମୟରେ ଏଥିରେ ବିଶେଷ ପରିବର୍ତ୍ତନ ଆସି ନ ପାରେ। ମୌସୁମୀଜନିତ ବୃଷ୍ଟିପାତ ଅନୁମାନ ଏବଂ ଏଲ୍ ନିନୋର ପ୍ରଭାବ ଅପରିବର୍ତ୍ତିତ ରହିଥିବାରୁ ମୁଦ୍ରାସ୍ଫୀତି ଉପରେ କଡ଼ା ନଜର ରହିବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକବର୍ଷ (୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ)ରେ ମୋଟ ଘରୋଇ ଉତ୍ସାଦ (ଜିଡିପି) ଅଭିବୃଦ୍ଧି ୬.୫% ରହିବା ଆକଳନ କରିଛି। ତେବେ ଖୁଚୁରା ମୁଦ୍ରାସ୍ଫୀତି ୫.୨%ରୁ ୫.୧%କୁ ଖସିବା ଅନୁମାନ କରିଛି। ଗତ ଆର୍ଥିକବର୍ଷରେ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାରତର ଅଭିବୃଦ୍ଧି ୭.୨% ରହିଥିଲା। କମୋଡିଟିଜ୍ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବାରୁ ବିଶ୍ୱର ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ବନ୍ଦ କରିଥିବା ଅଷ୍ଟ୍ରେଲିଆ ଓ କାନାଡା ସୁଧହାର ବଢ଼ାଇଚାଲିଛନ୍ତି, ଯାହାକୁ ନେଇ ଆର୍ଥିକ ବଜାର ଚକିତ ହୋଇଯାଇଛି। ଆର୍ବିଆଇ ୨୦୨୨ ମେ’ରୁ ଅଦ୍ୟାବଧି ରେପୋ ରେଟ୍ରେ ୨୫୦ ବେସିସ୍ ପଏଣ୍ଟ୍ସ (ବିପିଏସ୍) ବୃଦ୍ଧି କରିସାରିଥିବାରୁ ଆଉ ନ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଗର୍ଭନର ଶକ୍ତିକାନ୍ତ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ପରବର୍ତ୍ତୀ ଏମ୍ପିସି ବୈଠକ ଅଗଷ୍ଟ ୮ରୁ ୧୦ ପର୍ଯ୍ୟନ୍ତ ଚାଲିବ।
https://www.dharitri.com/black-market-nacs-stern-warning-to-curb-inflation-strict-action-will-be-taken-in-case-of-breach/
କଳାବଜାର, ଦରବୃଦ୍ଧି ରୋକିବା ପାଇଁ ଏନ୍‌ଏସିର କଡ଼ା ନିର୍ଦ୍ଦେଶ: ଖିଲାପ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୁଗୁଡ଼ା,୭।୫(ଡି.ଏନ୍.ଏ.):କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହି ଲକ୍ଡାଉନ୍ ର ଫାଇଦା ନେଇ କିଛି ଅସାଧୁ ବେପାରୀ ନିତ୍ୟ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । କଳାବଜାର ଓ ଦରବୃଦ୍ଧି ରୋକିବା ପାଇଁଏ ନେଇ ଗଞ୍ଜାମ ଏନ୍ଏସି ପକ୍ଷରୁ ବିକ୍ରେତାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏ ଥିରେ ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଏସି ନୀର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।
https://www.dharitri.com/ignorance-of-the-administration-towards-kalua-city-basudeva-city/
କାଳୁଆ ନଗର, ବାସୁଦେବ ନଗର ପ୍ରତି ପ୍ରଶାସନର ଅଣଦେଖା ବ୍ରହ୍ମପୁର ଅଫିସ, ୨୭ା୯: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ଲୋଚାପଡା ପଞ୍ଚାୟତ ଅଧୀନ କାଳୁଆନଗର ଓ ବାସୁଦେବନଗର ଅଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରାଯାଉଥିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। କମିଟି ପକ୍ଷରୁ କୁହାଯାଇଛି, ଉପରୋକ୍ତ ୨ଟି ଅଞ୍ଚଳ ସହର ସନିକଟରେ ଅବସ୍ଥିତ ଥିଲେ ମଧ୍ୟ ଏହା କୁକୁଡାଖଣ୍ଡି ବ୍ଲକ ଅଧୀନ ଲୋଚାପଡା ପଞ୍ଚାୟତରେ ରହିଛି। କାଳୁଆନଗରରେ ୫ ସାହି ଥିବା ବେଳେ ବାସୁଦେବନଗରରେ ୭ଟି ସାହି ରହିଛି। ଉକ୍ତ ୨ଟି ସାହିରେ ୫ ହଜାର ଜନସଂଖ୍ୟା ରହିଛି। କିନ୍ତୁ ଏତେ ସଂଖ୍ୟକ ଜନ ବସତି ସତ୍ତ୍ୱେ ସାହି ଗୁଡିକରେ ଖାଲ ଖମା ରାସ୍ତା ଯୋଗୁ ସାଧାରଣ ଜନତା ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏଥିସହ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲୋକେ ଜଳବନ୍ଦୀ ହେଉଛନ୍ତି। ତତସହିତ ସାହି ମଧ୍ୟରେ ଷ୍ଟ୍ରିଟ ଲାଇଟ ନ ଥିବାରୁ ବିଷାକ୍ତ ସରୀସୃପଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିକି ସାହି ୨ଟିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପଟେ ପଞ୍ଚାୟତ ପକ୍ଷରୁ ନିୟମିତ ସଫେଇ ଓ ଆବର୍ଜନା ସଫେଇ ହେଉ ନ ଥିବାରୁ ପରିବେଶ ପ୍ରଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସହରତଳି ଅଞ୍ଚଳ ବ୍ରହ୍ମପୁର ମହାନଗରରେ ମିଶ୍ରଣ ନେଇ ନିଷ୍ପତ୍ତି ଅଧାପନ୍ତରିଆ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ମାୈଳିକ ସୁବିଧା ନ ମିଳିବା କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଏଣୁ ଉପରୋକ୍ତ ୨ଟି ସାହିରେ ଥିବା ସମସ୍ୟାର ସମାଧାନ ପାଇଁ ସହରତଳି ଅଞ୍ଚଳ ମିିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଦାବି କରିଛନ୍ତି।
https://www.dharitri.com/mission-power-will-be-found-in-unused-government-assets/
ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି ଭୁବନେଶ୍ୱର,୯ା୪(ବ୍ୟୁରୋ):ରାଜ୍ୟରେ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲାର ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ଥିବା ମିଶନ ଶକ୍ତି ମହାସଂଘକୁ ପ୍ରଦାନ କରାଯିବ। ଜମି ହସ୍ତାନ୍ତର କାର୍ଯ୍ୟ ୨ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜିଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲାଗୁଡ଼ିକରେ ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା, ଦୋକାନ ଘର, ଗାଡ଼ିଆ ପୋଖରୀ ଇତ୍ୟାଦି ରହିଛି। ଏଗୁଡ଼ିକର ବ୍ୟବହାର ନିମନ୍ତେ ସମ୍ପୃକ୍ତ ଜିଲା, ବ୍ଲକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘଗୁଡ଼ିକୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏସ୍ଜି)ଗୁଡ଼ିକ ଏହାକୁ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇପାରିବେ। ସାଧାରଣ ଲୋକେ ଏହାଦ୍ୱାରା ବିଶେଷ ଉପକାର ପାଇବେ। ମିଶନ ଶକ୍ତିର ମା’ମାନେ ସେସବୁକୁ ଆର୍ଥିକ ବିକାଶରେ ଲଗାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳାମାନଙ୍କ ସଶକ୍ତୀକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହି ଆସିଛି। ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି। ମା’ମାନଙ୍କ ଏହି ନୀରବ ଆନ୍ଦୋଳନକୁ ଆହୁରି ମଜଭୁତ କରିବାରେ ଉକ୍ତ ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ୭୦ ଲକ୍ଷ ମା’ମାନଙ୍କୁ ସଶକ୍ତ କରିବାରେ ଏହା ଆହୁରି ଦକ୍ଷତାର ସହ ସେବା ଯୋଗାଇବ ବୋଲି ଆଶା କରାଯାଉଛି। ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ନେଇ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ପିଲାମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଧାନ ସଂଗ୍ରହ ଇତ୍ୟାଦି କାର୍ଯ୍ୟରେ ମହିଳାମାନଙ୍କୁ ସାମିଲ କରାଯାଉଛି।
https://www.dharitri.com/turkey-issues-orders-to-expel-ambassadors-of-10-countries/
୧୦ ଦେଶର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ନିର୍ଦ୍ଦେଶ ଜାରି କଲା ତୁର୍କୀ… ଆଙ୍କ୍ରା,୨୪।୧୦: ମାନବାଧିକାର କର୍ମୀ ଓସମାନ କଓ୍ବାଲାଙ୍କୁ ମୁକ୍ତ କରିବାକୁ ଦାବି କରୁଥିବା ୧୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ନିର୍ଦ୍ଦେଶ ଦେଇଛନ୍ତି। ଏହି ୧୦ ଦେଶ ମଧ୍ୟରେ କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ନରୱେ, ସ୍ବିଡେନ ଏବଂ ଆମେରିକା ରହିଛନ୍ତି। ଚାରି ବର୍ଷ ଧରି ଜେଲରେ ଥିବା ଓସମାନଙ୍କୁ ମୁକ୍ତ କରିବା ପାଇଁ ୧୦ଟି ଦେଶର ମିଳିତ ଆବେଦନ ପରେ ଏହି ବହିଷ୍କାର ନିର୍ଦ୍ଦେଶ ଜାରି ହୋଇଛି। ତୁର୍କୀ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ବୈଦେଶିକ ମନ୍ତ୍ରଣାଳୟକୁ ରାଷ୍ଟ୍ରଦୂତଙ୍କୁ ଡକାଯାଇଥିଲା ଏବଂ ପରେ ସେମାନେ କୂଟନୈତିକ ସମ୍ପର୍କର ଭିଏନା କନଭେନସନ ଉଲ୍ଲଂଘନ କରିଥିବା ଅଭିଯୋଗ ଅଣାଯାଇ ଦେଶରୁ ବହିଷ୍କାର କରାଯାଇଛି। ଆମେରିକା ସମେତ ଏସବୁ ଦେଶଗୁଡିକ ସାମାଜିକ କାର୍ଯ୍ୟକର୍ତ୍ତା ଉସମାନଙ୍କ ମୁକ୍ତିକୁ ସମର୍ଥନ କରିଛନ୍ତି। ଏହା ପରେ ତୁର୍କୀର ରାଷ୍ଟ୍ରପତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଭାଲା ଚାରି ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି। ଉସମାନଙ୍କ ବିରୋଧରେ କ୍ଷମତା ଦଖଲ ଅଭିଯୋଗ ରହିଛି। ୨୦୧୩ରେ ଦେଶବ୍ୟାପୀ ହୋଇଥିବା ବିରୋଧ ପ୍ରଦର୍ଶନ ସହିତ ଉସମାନ ଜଡିତ ଥିବା ଦର୍ଶାଇ ତାଙ୍କୁ ଜେଲରେ ରଖାଯାଇଛି। ପରେ ତାଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଏହା ପୁଣି ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଏର୍ଦୋଗନ ସରକାରକୁ ହଟାଇବାକୁ ଉଦ୍ୟମ ଅଭିଯୋଗରେ ଉସମାନଙ୍କୁ ୨୦୧୬ରେ ପୁନର୍ବାର ଗିରଫ କରାଯାଇଥିଲା। ଉସମାନ କହିଛନ୍ତି ଯେ ସେ କିଛି ଭୁଲ କରିନାହାଁନ୍ତି। ତୁର୍କୀ ସରକାରରେ ସମାଲୋଚକମାନଙ୍କର ନିଜସ୍ବ ମତାମତ ଦେବାର ଅଧିକାର ରହିଛି। ସେ କହିଛନ୍ତି ଯେ ତୁର୍କୀରେ ବିରୋଧ ସ୍ବରକୁ ଦମନ କରିବା ଲାଗି ତାଙ୍କୁ ଗିରଫ କରାଯାଇଛି।
https://www.dharitri.com/୪-ଆତଙ୍କବାଦୀଙ୍କୁ-ମୃତ୍ୟୁ-ଦ/
୪ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଜୟପୁର, ୨୧ା୧୨(ପି.ଟି.): ରାଜସ୍ଥାନର ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର କୋର୍ଟ ପକ୍ଷରୁ ୪ ଦୋଷୀସାବ୍ୟସ୍ତ ଆତଙ୍କବାଦୀଙ୍କୁ ଶୁକ୍ରବାର ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଏହି ଆତଙ୍କବାଦୀ ବିସ୍ଫୋରଣରେ ୭୧ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୧୮୫ ଜଣ ଆହତ ହୋଇଥିଲେ। ୮ଟି ଭୟଙ୍କର ବିସ୍ଫୋରଣ ସହରକୁ ସ୍ତବ୍ଧ କରିପକାଇଥିଲା। ଗତ ବୁଧବାର ସ୍ବତନ୍ତ୍ର ବିଚାରପତି ଅଜୟ କୁମାର ଶର୍ମା ମାମଲାର ଶୁଣାଣି କରି ୪ ଅଭିଯୁକ୍ତ ମହମ୍ମଦ ସୈଫ୍, ଶାହ୍ଫର ରହମାନ, ସର୍ଓ୍ବାର ଆଜ୍ମି ଓ ମହମ୍ମଦ ସଲ୍ମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟତମ ଅଭିଯୁକ୍ତ ଶାହବାଜ୍ଙ୍କୁ ପ୍ରମାଣ ଅଭାବରୁ ଖଲାସ୍ କରିଥିଲେ। ଦଣ୍ଡବିଧାନ ଲାଗି କୋର୍ଟ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଥିବା ବେଳେ ୪ ଦୋଷୀ ଆତଙ୍କ ବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି।
https://www.dharitri.com/should-the-death-penalty-be-done-in-one-day-hearing-in-january-2024/
ମୃତ୍ୟୁ ଦଣ୍ଡାଦେଶ ଗୋଟିଏ ଦିନରେ ହେବା ଉଚିତ କି ? ଜାନୁୟାରୀ ୨୦୨୪ରେ ଶୁଣାଣି… ନୂଆଦିଲ୍ଲୀ,୨୩।୧୧ : ମୃତ୍ୟୁ ଦଣ୍ଡାଦେଶ ଗୋଟିଏ ଦିନରେ ହେବା ଉଚିତ କି ? ଏନେଇ କରାଯାଇଥିବା ଆବେଦନର ଶୁଣାଣି ଜାନୁୟାରୀ, ୨୦୨୪ରେ କରିବା ଲାଗି ସୁପ୍ରିମକୋର୍ଟ ଆବେଦନପତ୍ରକୁ ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତ୍ୟୁଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମାମଲାରେ ଗୋଟିଏ ଦିନରେ ଦଣ୍ଡାଦେଶ ପାଇଁ ଅନୁମତି ଦିଆଯାଇପାରିବ କି ନାହିଁ ତାହାର ବିଚାର ହେବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ରେଜିଷ୍ଟ୍ରି ଜାନୁଆରୀ ୨୦୨୪ ରେ ମାମଲାର ଶୁଣାଣିର ପ୍ରକୃତ ତାରିଖ ଜଣାଇବେ। ସୂଚନାଯୋଗ୍ୟ ଏହାପୂର୍ବରୁ ତତ୍କାଳୀନ ସିଜେଆଇଇ ୟୁୟୁ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ବେଞ୍ଚ କହିଥିଲେ ମୃତ୍ୟୁ ଦଣ୍ଡାଦେଶ ଦେବା ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ଶୁଣିବାକୁ ସୁଯୋଗ ଦେବା ସମ୍ପର୍କରେ ବିରୋଧୀ ନିଷ୍ପତ୍ତି ନିଆଯାଇଛି। ମୃତ୍ୟୁଦଣ୍ଡ ମାମଲାରେ ପୃଥକ ଶୁଣାଣି ସମ୍ବନ୍ଧରେ ସମାନ ଢାଞ୍ଚାର ଅଭାବକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ମାମଲାକୁ ୫ ଜଣିଆ ଜଜ ବେଞ୍ଚକୁ ପଠାଇ ଦେଇଛନ୍ତି। ଏହି ମାମଲାରେ ବରିଷ୍ଠ ଆଡଭୋକେଟ ସିଦ୍ଧାର୍ଥ ଡେଭ (ଆମିକ୍ସ କ୍ୟୁରି)ଙ୍କ ସହାୟତା କରୁଥିବା ଆଡଭୋକେଟ ବିଦ୍ୟା ଠାକୁରଙ୍କୁ ନୋଡାଲ ଭାବେ ନିଯୁକ୍ତ କରିଥିଲେ ଏବଂ ୧୫ ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ସଂକଳନ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକ୍ରିୟାର ପରିସରକୁ ବର୍ଣ୍ଣନା କରି ସିନିୟର ଆଡଭୋକେଟ ଡେଭ ଏନେଇ ସ୍ବଂୟକ୍ରିୟ ଭାବେ ପ୍ରକ୍ରିୟା ଆରମ୍ଭ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବହୁ ସଂଖ୍ୟକ ମୃତ୍ୟୁଦଣ୍ଡ ମାମଲାରେ କଏଦୀମାନଙ୍କର କୌଣସି ମାନସିକ ମୂଲ୍ୟାଙ୍କନ ନ କରାଯିବା ପରେ ଏହି ପ୍ରସଙ୍ଗ ଉଠିଛି ବୋଲି ସେ କହିଛନ୍ତି। ମୃତ୍ୟୁଦଣ୍ଡ ମାମଲାରେ ଗୋଟିଏ ଦିନରେ ଦଣ୍ଡବିଧାନ ଅନୁମତି ଦିଆଯାଇପାରିବ ନାହିଁ। କେବଳ ଅଭିଯୁକ୍ତଙ୍କ ଠାରୁ ନୁହେଁ ଜେଲ କର୍ତ୍ତୃପକ୍ଷଙ୍କ ଉପରୁ ମଧ୍ୟ ଚାପ କମାଇବା କୋର୍ଟର କର୍ତ୍ତବ୍ୟ। ଜଣେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯିବା ପୂର୍ବରୁ ପରାମର୍ଶ ଦେବା ଅଧିକାରକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଯଦି ପ୍ରତିରକ୍ଷା ଅଧିକାରର ଏକ ଅତ୍ୟାବଶ୍ୟକ ଅଂଶ, ପରାମର୍ଶ ମାଧ୍ୟମରେ ନ୍ୟାୟପୂର୍ଣ୍ଣ ଶୁଣାଣି କରିବାର ଅଧିକାର ମଧ୍ୟ ଯୁକ୍ତିଯୁକ୍ତ କ୍ଷତିକାରକ ସହାୟତା ଅନ୍ତର୍ଭୂକ୍ତ କରାଯିବ। କେବଳ ସେତେବେଳେ ହିଁ ଏକ ନ୍ୟାୟପୂର୍ଣ୍ଣ ବିଚାର ନିଶ୍ଚିତ ହେବ।
https://www.dharitri.com/the-ukraine-crisis-and-indias-approach/
ୟୁକ୍ରେନ୍‌ ସଙ୍କଟ ଓ ଭାରତର ଆଭିମୁଖ୍ୟ ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍ ସଙ୍କଟ ୨୦୧୪ରୁ ଚାଲିଆସୁଛି, ତଥାପି ଏଥର ନାଟୋ ବିସ୍ତାରକୁ ନେଇ ରୁଷର ଚିନ୍ତା, ବିଶେଷକରି ୟୁକ୍ରେନ୍ର ସମ୍ଭାବ୍ୟ ନାଟୋ ସଦସ୍ୟତା ଏବଂ ପୂର୍ବ ୟୁରୋପରେ ନାଟୋର ସୈନ୍ୟ ବାହିନୀର ଉପସ୍ଥିତି ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁଖ୍ୟ କାରଣ। ୟୁକ୍ରେନ୍ ସହିତ ଏହାର ସୀମାରେ ରୁଷ ପ୍ରାୟ ଏକ ଲକ୍ଷରୁ ଅଧିକ ସୈନ୍ୟ ଓ ବହୁ ମାତ୍ରାରେ କ୍ଷେପଣାସ୍ତ୍ର ମୁତୟନ କରିଛି। ସେହିପରି ସହଯୋଗୀ ରାଷ୍ଟ୍ର ବେଲାରୁଷରେ ମଧ୍ୟ ରୁଷ ପ୍ରାୟ ୩୦ହଜାର ସେନା ମୁତୟନ କରିବା ସହିତ ଯୁଦ୍ଧ ଅଭ୍ୟାସ ଜାରି ରଖିଛି। ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ସେମାନଙ୍କର ପୂର୍ବ ୟୁରୋପୀୟ ସଦସ୍ୟ ରାଷ୍ଟ୍ର – ରୋମାନିଆ, ବୁଲଗେରିୟା ଏବଂ ପୋଲାଣ୍ଡରେ ସେନା ମୁତୟନ ଓ ସମରସଜ୍ଜା ଚଳାଇଛନ୍ତି। ଉତ୍ତେଜନାକୁ ଦୂର କରିବା ପାଇଁ କୂଟନୈତିକ ପଦକ୍ଷେପ ନିଆଯାଉଛି, ଯଦିଓ ଏଥିରେ ଏଯାବତ ବିଶେଷ ସଫଳତା ମିଳିନି ଓ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ରୁଷ ସହିତ ସମୟ ପରୀକ୍ଷିତ ସମ୍ପର୍କ ଏବଂ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ସହିତ ସମ୍ପର୍କରେ ଗତ କିଛିବର୍ଷ ମଧ୍ୟରେ ହୋଇଥିବା ସୁଧାରକୁ ଆଖିରେ ରଖି ଭାରତ ନିଜ ଆଭିମୁଖ୍ୟରେ ସତର୍କତା ଅବଲମ୍ବନ କରୁଛି। ଗୋଟିଏ ପଟେ ରୁଷ ହେଉଛି ଭାରତର ଘନିଷ୍ଠ ବନ୍ଧୁ। ଦୁର୍ଦ୍ଦିନରେ ରୁଷ ଭାରତ ସହିତ ଛିଡ଼ା ହୋଇଆସିଛି। ଆର୍ଥିକ ଓ ବାଣିଜି୍ୟକ ସମ୍ପର୍କ ବ୍ୟତୀତ, ଭାରତୀୟ ସଶସ୍ତ୍ର ବାହିନୀର ୬୦ପ୍ରତିଶତ ସରଞ୍ଜାମ ରୁଷ ନିର୍ମିତ। ନିକଟ ଭବିଷ୍ୟତରେ, ଭାରତ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏସ୍-୪୦୦ ଟ୍ରାଇମ୍ଫ ଭଳି ଅସ୍ତ୍ର ରୁଷଠାରୁ ପାଇବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ, ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ସହିତ ଆର୍ଥିକ, ବାଣିଜି୍ୟକ, ପ୍ରଯୁକ୍ତିବିଦ୍ୟା ଓ ପ୍ରତିରକ୍ଷା ପରି କ୍ଷେତ୍ରରେ ଭାରତର ସମ୍ପର୍କ ଯଥେଷ୍ଟ ଉନ୍ନତ ହୋଇଛି ଏବଂ ନିୟମିତ କୂଟନୈତିକ ଓ ରଣନୈତିକ ସହଯୋଗ ଜାରି ରହିଛି। ତେଣୁ ୟୁକ୍ରେନ୍ ସଙ୍କଟ ପରିପ୍ରେକ୍ଷୀରେ ଭାରତର ଏହି ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଜଟିଳ ହୋଇପାରେ। ଖାସ କରି ରୁଷଠାରୁ ଅସ୍ତ୍ରଶସ୍ତ୍ର ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇପାରେ। ୟୁକ୍ରେନ୍ ସଙ୍କଟ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟରେ ଭାରତ ଅନୁପସ୍ଥିତ ରହିଥିଲା। ଏହା ମସ୍କୋ ଏବଂ ୱାଶିଂଟନ ସହିତ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ରଣନୀତି ଭାବରେ ଦେଖାଯାଉଛି। ୨୦୧୪ରେ, ଯେତେବେଳେ ରୁଷ କ୍ରିମିଆକୁ ୟୁକ୍ରେନ୍ରୁ ବିଚ୍ଛିନ କରି ନିଜ ଅକ୍ତିଆରକୁ ନେଲା ସେତେବେଳେ ମଧ୍ୟ ଭାରତ ସୁରକ୍ଷା ପରିଷଦର ଏଥିପାଇଁ ହୋଇଥିବା ବିଚାର ବିମର୍ଶରେ ଅନୁପସ୍ଥିତ ରହିଥିଲା। ଆଉ ଏକ ଚିନ୍ତାର ବିଷୟ ହେଉଛି ଭାରତର ଚାଇନା ସହ ସମ୍ପର୍କ ତିକ୍ତ ଅବସ୍ଥାରେ ରହିଛି। ଚାଇନାକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡୋ-ପାସିଫିକ କ୍ଷେତ୍ର ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ଭାରତ ଅନେକାଂଶରେ ସଫଳ ହୋଇଛି। କିନ୍ତୁ ୟୁକ୍ରେନ୍ ସଙ୍କଟ ଯୋଗୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ଧ୍ୟାନ ଏବଂ ସମ୍ବଳ ବର୍ତ୍ତମାନ ୟୁରେସିୟା ଅଞ୍ଚଳରେ କେନ୍ଦ୍ରିତ ହୋଇଛି। ଏ ପରିସ୍ଥିତିରେ ଭାରତ ଯଦି ରୁଷ ବିରୋଧରେ ଛିଡ଼ା ହୁଏ, ତେବେ ରୁଷ ଚାଇନାର ଅଧିକ ନିକଟତର ହେବାର ସମ୍ଭାବନା ରହିଛି । ଏହା ଚାଇନା ବିରୋଧରେ ଭାରତର ରଣକୌଶଳକୁ ଦୁର୍ବଳ କରିପାରେ। ନିଜ ବିରୋଧରେ ପ୍ରସ୍ତାବିତ ଆର୍ଥିକ ପ୍ରତିବନ୍ଧକର ପ୍ରଭାବକୁ ଦୂର କରିବା ପାଇଁ ଏବଂ ପ୍ରତିରକ୍ଷା-ଶିଳ୍ପ କ୍ଷେତ୍ରକୁ ଦେବାଳିଆ ହେବାରୁ ବଞ୍ଚାଇବା ପାଇଁ ରୁଷ ମଧ୍ୟ ପାକିସ୍ତାନକୁ ଅଧିକ ଅସ୍ତ୍ର ଯୋଗାଇବା ଆରମ୍ଭ କରିପାରେ । ଯଦି ଏପରି ହୁଏ ତେବେ ଏହା ଭାରତର ସ୍ବାର୍ଥର ଅନୁକୂଳ ହେବ ନାହିଁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅନେକ ୟୁରୋପୀୟ ନେତା ବାରମ୍ବାର ଚେତାବନୀ ଦେଇଛନ୍ତି ଯେ, ରୁଷ ୟୁକ୍ରେନ୍ରେ ସାମରିକ ହସ୍ତକ୍ଷେପ କଲେ ତାହା ବ୍ୟାପକ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବ। ଅନ୍ତର୍ଜାତୀୟ ସ୍ତରରେ ରୁଷକୁ ଏକଘରକିଆ କରିବା ପାଇଁ ଆମେରିକା ଭାରତ ସମେତ ଅନେକ ନିରପେକ୍ଷ ରାଷ୍ଟ୍ରଙ୍କ ଉପରେ କୂଟନୈତିକ ଚାପ ପକାଇବ। ଆଣବିକ କାର୍ଯ୍ୟକ୍ରମ ପାଇଁ ଇରାନ ଉପରେ ବିଭିନ୍ନ କଟକଣା ଓ ଆର୍ଥିକ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ସେତେବେଳେ ଇରାନ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଭାରତ ଉପରେ ଚାପ ପକାଇଥିଲା। ରୁଷ ଉପରେ ଯେ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପଡ଼ିବ। ସମ୍ଭାବ୍ୟ ଆର୍ଥିକ ପ୍ରତିବନ୍ଧକର ପ୍ରତିଶୋଧ ନେବାକୁ ରୁଷ ସୀମିତ ସମୟ ପାଇଁ ତା’ ଉପରେ ନିର୍ଭରଶୀଳ ୟୁରୋପକୁ ତୈଳ ଓ ଗ୍ୟାସ୍ ଆମଦାନୀରେ ରୋକ ଲଗାଇ ପାରେ; ଯାହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱରେ ତୈଳ ଦରରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। କେତେକ ରିପୋର୍ଟ ଅନୁଯାୟୀ ଗତ ଏକ ମାସ ମଧ୍ୟରେ ତୈଳ ଦର ବ୍ୟାରେଲ ପିଛା ୧୪ ପ୍ରତିଶତ ବୃଦ୍ଧି ପାଇଛି। ଏହା ଆକଳନ କରାଯାଉଛି ଯେ, ଯଦି ପରିସ୍ଥିତି ଏଇଭଳି ଜଟିଳ ରହେ ତେବେ ତୈଳ ଦର ବର୍ତ୍ତମାନର ବ୍ୟାରେଲ ପିଛା ୯୦ ଡଲାରକୁ ପାର କରି ନିକଟ ଭବିଷ୍ୟତରେ ୧୨୫ ଡଲାରକୁ ଛୁଇଁବା ଅସମ୍ଭବ ନୁହେଁ। ଯଦିଓ ୟୁକ୍ରେନ୍ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଏତେ ବିସ୍ତୃତ ନୁହେଁ, ତଥାପି ସେଠାରେ କୋଡିଏ ହଜାରରୁ ଅଧିକ ପ୍ରବାସୀ ଭରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ର, ତଥା ଆଇଟି ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟରତ। ଅଶାନ୍ତ ପରିସ୍ଥିତି ଯୋଗୁ ଭାରତ ସରକାର ସେମାନଙ୍କର ସୁରକ୍ଷାକୁ ନେଇ ଚିନ୍ତିତ ଥିବାବେଳେ ଆବଶ୍ୟକ ସ୍ଥଳେ ନିଜ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି। ଭାରତ ନିଜର ଘରୋଇ ମାମଲାରେ ବାହ୍ୟ ଶକ୍ତିମାନଙ୍କର ହସ୍ତକ୍ଷେପକୁ ପସନ୍ଦ କରେ ନାହିଁ ଏବଂ ଅନ୍ୟ ଦେଶର ପ୍ରସଙ୍ଗରେ ପ୍ରାୟତଃ ନିରପେକ୍ଷ ନୀତି ଆପଣାଏ। କିନ୍ତୁ ୟୁକ୍ରେନ୍ ସଙ୍କଟ ଉପରେ ଭାରତ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ। ଏହାର କାରଣ ହେଉଛି ବର୍ତ୍ତମାନ ଭାରତର ଉଭୟ ପକ୍ଷ ସହିତ ଭଲ ସମ୍ପର୍କ ରହିଛି। ୟୁକ୍ରେନ୍ ସଙ୍କଟ ଆଉ ଏକ ଦେଶ ବିଶେଷ କିମ୍ବା ଆଞ୍ଚଳିକ ସଙ୍କଟ ହୋଇ ରହିନାହିଁ, ବରଂ ବର୍ତ୍ତମାନ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇସାରିଛି। ଯଦିଓ, ଭାରତ ଏବେ ‘ୱେଟ ଏଣ୍ଡ ୱାଚ’ ନୀତି ଆପଣେଇଛି, ବିକଶିତ ହେଉଥିବା ନିଜର ବିଶ୍ୱସ୍ତରୀୟ ନେତୃତ୍ୱକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନ୍ ସଙ୍କଟର ସମାଧାନ ଦିଗରେ ଅଧିକ ଅବଦାନ କରିବା ଉଚିତ। ଭାରତ କୌଣସି ପକ୍ଷ ନେବ ନାହିଁ, କିନ୍ତୁ କୂଟନୀତିକୁ ସୁଯୋଗ ଦେଇ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ସମ୍ପୃକ୍ତ ରାଷ୍ଟ୍ରମାନଙ୍କୁ ପ୍ରବର୍ତ୍ତାଇପାରିବ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ
https://www.dharitri.com/ବିଦ୍ୟୁତ-ସମସ୍ୟାର-ସମାଧାନ-କ/
ବିଦ୍ୟୁତ ସମସ୍ୟାର ସମାଧାନ କର ବରଗଡ଼ ଅଫିସ୍,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ସଂଘ ଏବଂ ୱେସ୍କୋ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପଭୋକ୍ତା ସଂଘର ପ୍ରତିନିଧିମାନେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ସେହିପରି ବିଭିନ୍ନ ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ବିଦ୍ୟୁତ ବିଭ୍ରାଟର କାରଣ ଉପରେ କହିବା ସହିତ ସେହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ବୈଠକରେ ବିଦ୍ୟୁତ ଉପଭୋକ୍ତା ସଂଘର ସମ୍ପାଦକ ପ୍ରିତମ ସିଂ, କୃଷ୍ଣଚନ୍ଦ୍ର ପଣ୍ଡା, ଲିପସିତ୍ ମିଶ୍ର, ଅଭିଜିତ୍ ପ୍ରତିହାର, ଦିପ୍ତୀମୟୀ ମିଶ୍ର, ରାଧାରାଣୀ ମିଶ୍ର ଉପସ୍ଥିତ ଥିଲେ । ସେହିପରି ୱେସ୍କୋର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଅନୁପମ ଦାଶ, ଏସଡ଼ିଓ ହିମାଂଶୁ ଶେଖର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ମହାରଣା, ଲକ୍ଷ୍ମଣ ପ୍ରଧାନ, ମନୋଜ ସେଠୀ ପ୍ରମୁଖ ଆଲୋଚନରେ ଅଂଶଗ୍ରହଣ କରିଥିଲେ।
https://www.dharitri.com/46-out-of-100-people-die-in-india-due-to-ozone-pollution-experts-warning/
ଓଜୋନ ପ୍ରଦୂଷଣ କାରଣରୁ ୧୦୦ରେ ୪୬ ଜଣଙ୍କର ମୃତ୍ୟୁ ଭାରତରେ ହେଉଛି… ବିଶେଷଜ୍ଞଙ୍କ ଚେତାବନୀ ନୂଆଦିଲ୍ଲୀ,୫।୨ ଭାରତ ସମେତ ସମଗ୍ର ବିଶ୍ୱରେ ଓଜୋନ ପ୍ରଦୂଷଣର ଆଶଙ୍କା ବୃଦ୍ଧି ପାଉଛି। ଏକ ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଜଳବାୟୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଧ୍ୟାନ ଦିଆଯାଏ ନାହିଁ, ତେବେ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଓଜୋନ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଓଜୋନ ପ୍ରଦୂଷଣରୁ ଭାରତ ଅଧିକ ବିପଦରେ ବୋଲି କୁହାଯାଉଛି। ଷ୍ଟେଟ ଅଫ ଗ୍ଲୋବାଲ ଏୟାରର ତଥ୍ୟ ଅନୁଯାୟୀ, ଓଜୋନ ପ୍ରଦୂଷଣ ହେତୁ ଭାରତରେ ପ୍ରତିବର୍ଷ ୧୬୮,୦୦୦ ଲୋକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ବିଶ୍ୱରେ ଓଜୋନ ଯୋଗୁଁ ୪୬ ପ୍ରତିଶତ ମୃତ୍ୟୁ ହୋଇଥାଏ। ଭାରତ ପରେ ଚାଇନାରେ ସର୍ବାଧିକ ୯୩,୩୦୦ମୃତ୍ୟୁ ଘଟିଛି। କାରଣ ଉଭୟ ଦେଶରେ ଓଜୋନ ପ୍ରଦୂଷଣର ସ୍ତର ବହୁତ ଅଧିକ ଏବଂ ଜନସଂଖ୍ୟା ମଧ୍ୟ ଅଧିକ। ୨୦୧୯ରେ ଓଜୋନ ସଂସ୍ପର୍ଶରେ ଆସିବା ହେତୁ ବିଶ୍ୱର ପ୍ରାୟ ୩୬୫,୦୦୦ଲୋକଙ୍କର ମୃତ୍ୟୁ ହୋଇଛି। ସାରା ବିଶ୍ୱରେ ସିଓପିଡି(କ୍ରନିକ ଅବଷ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ) ହେତୁ ଏହି ମୃତ୍ୟୁ ପ୍ରାୟ ୧୧ ପ୍ରତିଶତ ଅଟେ। ଏହାର ଅର୍ଥ ହେଉଛି ସିଓପିଡି କାରଣରୁ ପ୍ରତି ୯ ମୃତ୍ୟୁ ମଧ୍ୟରୁ ୧ପାଇଁ ଓଜୋନ ଦାୟୀ। ସିଓପିଡି ଏକ ଗମ୍ଭୀର ରୋଗ ଯାହା ଫୁସଫୁସକୁ ପ୍ରଭାବିତ କରିଥାଏ ଏବଂ ଶ୍ୱାସକ୍ରିୟାକୁ କଷ୍ଟକର କରିଥାଏ। ସିଓପିଡିର ମୁଖ୍ୟ କାରଣ ହେଉଛି ଧୂମପାନ ଏବଂ ଆଜମା। ଏହା ବ୍ୟତୀତ ପ୍ରଦୂଷଣ ବୃଦ୍ଧି ଏହି ରୋଗର ମୁଖ୍ୟ କାରଣ ପାଲଟିଛି। ଓଜୋନର ସଂସ୍ପର୍ଶରେ ଆସିବା କାରଣରୁ ସିଓପିଡିର ବିପଦ ଆହୁରି ବଢିଯାଏ। ଓଜୋନ ହେଉଛି ବାୟୁ ପ୍ରଦୂଷଣକାରୀ ଯାହା ଫୁସଫୁସକୁ କ୍ଷତି ପହଞ୍ଚାଇପାରେ। ସିଓପିଡିଥିବା ଲୋକମାନଙ୍କରେ, ଓଜୋନ ଏକ୍ସପୋଜର ନିଶ୍ୱାସ ପ୍ରଶ୍ୱାସ, କାଶ ଏବଂ ଛାତି ଟାଣିବା ଭଳି ଲକ୍ଷଣ ବଢାଇପାରେ। ଏହା ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ବଢାଇପାରେ।
https://www.dharitri.com/bhubneswar-tempture-cross-41-today/
ରାଜଧାନୀ ତାତି ଟପିଲା ୪୧ ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝର ୪୦.୬, ବାଲେଶ୍ବର ୪୦.୧, ସମ୍ବଲପୁର ୪୦ ଡିଗ୍ରୀ, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬ ଡିଗ୍ରୀ, ଗୋପାଳପୁର ଓ ପୁରୀ ୩୪.୪, ପାରାଦୀପ ୩୩.୫ ଡିଗ୍ରୀ ରେକର୍ଡ ହୋଇଛି।
https://www.dharitri.com/family-members-preserve-sperm-of-dead-youth-killed-in-hamas-attack/
ମୃତ ଯୁବକଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି ପରିବାର ସଦସ୍ୟ, ହମାସ ଆକ୍ରମଣରେ ହୋଇଥିଲା ମୃତ୍ୟୁ… ଜେରୁଜେଲମ,୨।୧୨ : ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି। ଏହି କାରଣରୁ ଇସ୍ରାଏଲରେ ଲୋକମାନେ ନିଜ ନିଜ ପରିବାର ବଢ଼ାଇବାର ଏହି ବିକଳ୍ପ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଅକ୍ଟୋବର ୭ ହମାସ ଆକ୍ରମଣରେ ଯେଉଁମାନେ ପ୍ରିୟଜନଙ୍କୁ ହରାଇଥିଲେ ସେମାନଙ୍କୁ ସାନ୍ତ୍ୱନା ଦେବା ଏବଂ ବୁଝାଇବା ଦାୟିତ୍ୱ ଇସ୍ରାଏଲର ପ୍ରଫେସର ଶିର ଡାଫନା ଟେକୋଙ୍କୁ ଦିଆଯାଇଥିଲା। ଶିର ଡାଫନା କହିଛନ୍ତି ହମାସ ଆକ୍ରମଣ ପରେ ଡାକ୍ତରଖାନାରେ ମୃତଦେହ ଗଦା ହୋଇ ରହିଥିଲା ଏବଂ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପରିବାର ନିରାଶା ଓ ଅନ୍ଧକାରରେ ବୁଡି ରହିଥିବାର ଦେଖାଯାଇଥିଲା। ଏହି ସମୟରେ, ସେ ଜଣେ ମହିଳାଙ୍କୁ ପଚାରିଥିଲେ ସେ କହିଥିଲେ ଏକ ସଙ୍ଗୀତ ମହୋତ୍ସବରେ ପୁଅକୁ ହରାଇଛନ୍ତି। ମୃତ୍ୟୁ ପରେ ସେ ପୁଅର ଶୁକ୍ରାଣୁ ସଂରକ୍ଷଣ କରିବାକୁ ଚାହୁଁଛନ୍ତି କି? ଡାଫନା କହିଛନ୍ତି ଏହା ଶୁଣିବା ପରେ ମହିଳାଙ୍କ ଆଖି ଉଜ୍ଜଳ ହୋଇ ଉଠିଥିଲା ଏବଂ ସେ ପୁଅର ଶୁକ୍ରାଣୁ ସଂରକ୍ଷଣ କରିବାକୁ ରାଜି ହୋଇଥିଲେ। ଡଫନା କହିଛନ୍ତି ଏହା ପରେ ସେ ଡାକ୍ତରଖାନା ପ୍ରଶାସନ ସହ କଥା ହୋଇଥିଲେ ଏବଂ କିଛି ଘଣ୍ଟା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ମୃତ ଶରୀରର ଶୁକ୍ରାଣୁ ସଂରକ୍ଷିତ କରାଯାଇଥିଲା। ଏହା ପରେ ବିଭିନ୍ନ ପରିବାରର ଅନେକ ସଦସ୍ୟ ମଧ୍ୟ ସମାନ ଦାବି କରିଥିଲେ। ଇସ୍ରାଏଲ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ବର୍ତ୍ତମାନ ବହୁ ସଂଖ୍ୟକ ଲୋକ ଏହି ଦାବି କରୁଛନ୍ତି। ବର୍ତ୍ତମାନ ଏହି ଶୁକ୍ରାଣୁ ଦ୍ୱାରା ଗର୍ଭଧାରଣ କରି ପିଲାମାନେ ଜନ୍ମ ହେବେ। ମୃତ ଶରୀରରୁ ଶୁକ୍ରାଣୁ ବାହାର କରିବା ଏବଂ ଏହାକୁ ସଂରକ୍ଷଣ କରିବାର ପ୍ରକ୍ରିୟାକୁ ପୋଷ୍ଟମ୍ୟୁମସ ଶୁକ୍ରାଣୁ ପୁନରୁଦ୍ଧାର (ପିଏସଆର) କୁହାଯାଏ । ଏହି ପ୍ରକ୍ରିୟାରେ ଶୁକ୍ରାଣୁକୁ ମୃତ ଶରୀରରୁ ବାହାର କରି ତରଳ ନାଇଟ୍ରୋଜେନରେ ଫ୍ରିଜ କରି ରଖାଯାଇଥାଏ । ଏହି ପ୍ରକ୍ରିୟା ପାଇଁ ପୂର୍ବରୁ କୋର୍ଟଙ୍କ ଅନୁମୋଦନ ନେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଇସ୍ରାଏଲ ସରକାର ଡାକ୍ତରଖାନାଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯଦି ପରିବାର ସଦସ୍ୟ ଦାବି କରନ୍ତି ତେବେ ତୁରନ୍ତ ଶୁକ୍ରାଣୁ ବାହାର କରି ମୃତ ଶରୀରରୁ ସଂରକ୍ଷଣ କରାଯିବା ଉଚିତ। ମୃତ୍ୟୁ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୁକ୍ରାଣୁ ସକ୍ରିୟ ରହିଥାଏ ।
https://www.dharitri.com/gender-discrimination-in-pakistan-less-than-5-female-media-representation-in-the-country/
ପାକିସ୍ତାନରେ ଲିଙ୍ଗଗତ ଭେଦଭାବ, ଦେଶରେ ୫ ପ୍ରତିଶତରୁ କମ୍‌ ମହିଳା ଗଣମାଧ୍ୟମ ପ୍ରତିନିଧି… ଇସଲାମାବାଦ, ୩୦।୮ : ପାକିସ୍ତାନରେ ମହିଳା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି। ଦେଶରେ ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ, ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା ସୃଷ୍ଟି କରିଛି। ଦେଶରେ ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି ସଙ୍କଟରେ ରହିଛି। ଅଭିବ୍ୟକ୍ତିର ସ୍ବାଧୀନତା ରେଟିଂରେ ପାକିସ୍ତାନ କ୍ରମାଗତ ଭାବେ ନିମ୍ନ ମାନ୍ୟତା ପାଇବାରେ ଲାଗିଛି। ଅନଲାଇନ କ୍ଷେତ୍ରରେ ମଧ୍ୟ ଏହା ତାଲିକାରେ ନିମ୍ନରେ ରହିଛି। ପାକିସ୍ତାନରେ ମହିଳା ଗଣମାଧ୍ୟମ ପ୍ରତିନିଧିମାନେ ହିଂସା ଏବଂ ଧମକର ସମ୍ମୁଖୀନ ହେଉଛନ୍ତି। ଜଣେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁଯାୟୀ, ପାକିସ୍ତାନୀ ଗଣମାଧ୍ୟମରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରିପୋର୍ଟର ସମ୍ବେଦନଶୀଳତା ଏବଂ ଆନ୍ତରିକ ଲେଖା ଶୈଳୀ ମହିଳାଙ୍କ ପ୍ରଗତିର ସଙ୍କେତ ଦେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସତ୍ତ୍ୱେ ଅନ-ସ୍କ୍ରିନ ଏବଂ ଅଫ ସ୍କ୍ରିନ୍ରେ ସେମାନଙ୍କର ପ୍ରତିନିଧିତ୍ୱ କମ ରହିଛି। ଦେଶରେ ପ୍ରାୟ ୨୦ ହଜାର ଗଣମାଧ୍ୟମ ପ୍ରତିନିଧି ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ରା ୫ ପ୍ରତିଶତରୁ କମ ଅଛି। ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ ଲିଙ୍ଗଗତ ପକ୍ଷପାତିତା ବଢ଼ିବାରେ ଲାଗିଛି। ପାକିସ୍ତାନର ଏକ ଅଗ୍ରଣୀ ଖବରକାଗଜର ରିପୋର୍ଟ ଅନୁଯାୟୀ, ଏହାର ସାଧାରଣ କାରଣ ଲିଙ୍ଗ ଭିତ୍ତିକ ରୁଢ଼ିବାଦୀ ଚିନ୍ତାଧାରା। ଏହି ରିପୋର୍ଟରେ ମିଡିଆ ୱାଚଡଗ ଫ୍ରିଡମ ନେଟୱାର୍କର ଏକ ରିପୋର୍ଟକୁ ଦର୍ଶାଇ ଲେଖକ କହିଛନ୍ତି ଯେ ମିଡିଆ ଇଣ୍ଡଷ୍ଟ୍ରିରେ ବରିଷ୍ଠ ପରିଚାଳନା ପଦବୀରେ ବହୁତ କମ ମହିଳା ଅଛନ୍ତି। ଏହାକୁ ନେଇ ଦେଶରେ ବୁଦ୍ଧିଜୀବୀମାନେ ସରକାରଙ୍କୁ ବିରୋଧ କରିଛନ୍ତି। ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସୁବିଧା ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି।
https://www.dharitri.com/lashkar-joins-taliban-afghan-government-seeks-indias-help/
ତାଲିବାନ ସହିତ ହାତ ମିଳାଇଲା ଲଶ୍କର, ଭାରତର ସହାୟତା ଲୋଡ଼ିଲେ ଆଫଗାନିସ୍ତାନ ସରକାର… କାବୁଲ/ନୂଆଦିଲ୍ଲୀ,୪।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ସାଧାରଣ ଜନତାଙ୍କ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି। ତାଲିବାନ ସହିତ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ହାତ ମିଳାଇଛି। ତାଲିବାନ ହିଂସା ସମ୍ପର୍କରେ ଆଫଗାନିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ହନିଫ ହନିଫ ମଙ୍ଗଳବାର ଦିନ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହିତ କଥା ହୋଇଛନ୍ତି। ହନିଫ ବିଦେଶୀ କୂଟନୀତିଜ୍ଞଙ୍କ ସହ ସାକ୍ଷାତ କରି କହିଛନ୍ତି ଯେ ତାଲିବାନ ହିଂସାରେ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଆଫଗାନିସ୍ତାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ତାଲିବାନର ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା, ତେହେରିକ-ଇ-ତାଲିବାନ ପାକିସ୍ଥାନ, ଅଲ କାଏଦା, ପୂର୍ବ ତୁର୍କସ୍ତାନ ଇସଲାମ ଆନ୍ଦୋଳନ ସଂଗଠନ, ଅନସରୁଲ୍ଲା ଆଦି ସଂଗଠନର ୧୦ ହଜାର ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛନ୍ତି। ହନିଫ ଜୟଶଙ୍କରଙ୍କ ସହ କଥା ହୋଇ ତାଲିବାନ ହିଂସାକୁ ରୋକିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ଅଧିବେଶନ ଲାଗି ଦାବି କରିଛନ୍ତି। ମଙ୍ଗଳବାର ଦିନ ହନିଫ ଜୟଶଙ୍କରଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ କାବୁଲ ସ୍ଥିତ ବାସଭବନରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତି ଏବଂ ଲଶ୍କର-୍ଇ-ତାଇବା ଏବଂ ତାଲିବାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ହନିଫ ଜୟଶଙ୍କରଙ୍କୁ ସୂଚନା ଦେଇଥିଲେ।
https://www.dharitri.com/ଝାଡ଼ଖଣ୍ଡ-ବିଧାନସଭା-ନିର୍ବ-3/
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫୯.୨୭ ପ୍ରତିଶତ ମତଦାନ ଜାମସେଦପୁର,୭।୧୨: ଝାଡ଼ଖଣ୍ଡ ବିଧାନସଭା ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ୫୯.୨୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏଠାରେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ତେବେ ୧୮ଟି ଆସନରେ ଭୋଟ ଗ୍ରହଣ ସରିଥିବା ବେଳେ ଅନ୍ୟ ୨ଟିରେ ଭୋଟ ଗ୍ରହଣ ଜାରି ରହିଛି। କେବଳ ଗୋଟିଏ ବୁଥ୍ରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି।
https://www.dharitri.com/ସ୍ନାନ-ବେଦୀରେ-ଚାରୁଦିଅଁ/
ସ୍ନାନ ବେଦୀରେ ଦାରୁଦିଅଁ ପୁରୀ ଅଫିସ୍,୫।୬: ଶେଷ ହୋଇଛି ପ୍ରତୀକ୍ଷା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ନିର୍ଘଣ୍ଟ ସମୟରେ ଠାକୁରଙ୍କ ରାତି ୩ଟା ୧୦ରେ ପହଣ୍ଡି ହୋଇଥିଲା। ସ୍ନାନବେଦୀରେ ବିଜେ କରିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି। ମଙ୍ଗଳାର୍ପଣ ରାତି ୧ଟା ୨୫, ପହଣ୍ଡି ୧ଟା ୪୦ ରୁ ଆରମ୍ଭ ହୋଇ ୩ଟା ୧୦ରେ ଶେଷ ହୋଇଥିଲା। ମଦନମୋହନ ବିଜେ ୩ଟା ୪୦, ମଙ୍ଗଳଆଳତି ଭୋର ୪ଟା ୨୦, ମଇଲମ ଓ ତଡପଲାଗି ୪ଟା ୩୫, ଅଧରପୋଛା ୪ଟା ୫୦, ଅବକାଶ ୫ଟା ୩୦, ରୋଷହୋମ ୫ଟା ୪୦ରେ ସରିଛି।
https://www.dharitri.com/changed-decision-students-will-participate-in-independence-day-celebrations/
ବଦଳିଲା ନିଷ୍ପତ୍ତି: ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରୀଛାତ୍ର ଭୁବନେଶ୍ୱର,୧୦।୮(ବ୍ୟୁରୋ): ବଦଳିଲା ନିଷ୍ପତ୍ତି। ସ୍ବାଧୀନତା ଦିବସରେ ଛାତ୍ରୀଛାତ୍ର ସାମିଲ ହେବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ୍ରେ ଛାତ୍ରୀଛାତ୍ର ସାମିଲ ହେବେନି ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ଏହାକୁ ଗ୍ରୀନ ସିଗ୍ନାଲ ମିଳିଛି। ଛାତ୍ରୀଛାତ୍ର ସାମିଲ ହୋଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମହାମାରୀ କରୋନା ପାଇଁ ଗତ ୨ ବର୍ଷ ହେଲା ସ୍ବାଧୀନତା ଦିବସରେ ପିଲାମାନେ ସାମିଲ ହୋଇ ପାରୁ ନଥିଲେ। କେବଳ ଶିକ୍ଷକମାନେ ହିଁ ଉପସ୍ଥିତ ରହୁଥିଲେ। ହେଲେ ଏବେ ଛାତ୍ରୀଛାତ୍ର ସାମିଲ ସରକାର ନିଷ୍ପତ୍ତି ନେଇଛନ୍ତି।
https://www.dharitri.com/boil-in-the-bag-uk-introduces-eco-friendly-water-cremation/
ଜଳରେ ଶବଦାହ ଲଣ୍ଡନ,୪।୭: ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଅନେକ ଦେଶ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ବିଶେଷ ଭାବେ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ଅଧିକ ବିଷାକ୍ତ କରୁଛି। ଏହାର ନିରାକରଣ ପାଇଁ ବ୍ରିଟେନ୍ର କୋ-ଓପି ଫ୍ୟୁନେରାଲ କେୟାର ପକ୍ଷରୁ ଆଗାମୀ ଦିନରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସଲୀଳ ବା ଜଳ ସମାଧି (ଓ୍ବାଟର କ୍ରିମେଶନ୍) ମେଥଡ୍ ଆରମ୍ଭ କରାଯିବ। ଶବଦାହ ପାଇଁ ବ୍ୟବହାର ହେବାକୁ ଥିବା ଏହି ନୂଆ ପ୍ରଣାଳୀରେ ନିଆଁ ପରିବର୍ତ୍ତେ ପୋଟାସିୟମ୍ ପେରୋକ୍ସାଇଡ୍ ଏବଂ ଜଳର ବ୍ୟବହାର କରାଯିବ, ଯାହା ମନୁଷ୍ୟ ଶରୀରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ। ତେବେ ଶବଦାହର ଏହି ମେଥଡ୍କୁ ରିଜୋମେଶନ ବୋଲି କୁହାଯାଏ। ପ୍ରଥମେ ବାୟୋଡିଗ୍ରେଡେବୁଲ ବ୍ୟାଗ୍ରେ ମୃତଦେହକୁ ଏକ ବାୟୋଗ୍ରେଡେବୁଲ ବ୍ୟାଗ୍ରେ ଭର୍ତ୍ତି କରି ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍ ଓ ପ୍ରେସରାଇଜ୍ଡ ଓ୍ବାଟର (ଆବଶ୍ୟକସ୍ଥଳରେ ଜଳ ପ୍ରବାହକୁ କମ୍ ବା ବେଶି କରାଯାଇପାରିବ) ବ୍ୟବସ୍ଥା ଥିବା ଏକ କଣ୍ଟେନରରେ ରଖାଯାଏ। ୪ ଘଣ୍ଟାର ଏହି ପ୍ରଣାଳୀରେ ଅସ୍ଥି ପାଉଁଶ ହୋଇ ବାହାରିଯାଏ। ଏହାକୁ ‘ବଏଲ୍ ଇନ୍ ଦ ବ୍ୟାଗ୍’ ବୋଲି ମଧ୍ୟ କୁହାଯାଏ। ତେବେ ଏହାଦ୍ୱାରା ଶବ ସଂସ୍କାର କଲେ ବାୟୁ ପ୍ରଦୂଷଣ କଲା ଭଳି କୌଣସି ବିଷାକ୍ତ ଗ୍ୟାସ୍ କିମ୍ବା ପ୍ରଦୂଷକ ଉତ୍ପନ୍ନ ହେଉ ନ ଥାଏ। ଏହି ପ୍ରଣାଳୀରେ ଦାହ ସଂସ୍କାର କରିବା ଖର୍ଚ୍ଚ ସାପେକ୍ଷ।
https://www.dharitri.com/irregularities-in-exam-paper/
ପରୀକ୍ଷାଖାତା ଦେଖାରେ ଅନିୟମିତତା ଘଟଗାଁ,୪ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ଦେଖାରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର +୩ ପରୀକ୍ଷା ଖାତା ମୂଲ୍ୟାଙ୍କନ ଜୋନ୍କୁ ପ୍ରତ୍ୟାହାର କରାଯାଇଛି। ପରୀକ୍ଷା ଖାତା ଘରକୁ ନେଇଯାଇଥିବା ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଅନୁଯାୟୀ, ଗତମାସରେ ଇଂରାଜୀ ଖାତା ମୂଲ୍ୟାଙ୍କନ ବେଳେ ଜଣେ ଅଧ୍ୟାପିକା ପରୀକ୍ଷାଖାତା ପରୀକ୍ଷା ହଲରେ ନ ଦେଖି ଲୁଚାଇ ଘରକୁ ନେଇଯାଇଥିଲେ। ଉକ୍ତ ଖାତା ନେଇ ସେ ଅନ୍ୟଜଣଙ୍କୁ ଦେଖିବାକୁ ଦେଇଥିଲେ। ଖାତା ଜଣଙ୍କ ନିକଟରୁ ମିଳିବା ପରେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୂଲ୍ୟାଙ୍କନ କେନ୍ଦ୍ର ଜୋନ୍ର ସୁପରଭାଇଜର ରଞ୍ଜନ କୁମାର ପଣ୍ଡା ଉତ୍ତରଓଡ଼ିଶା ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଥିଲେ। ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଚ୍ଚ କର୍ତ୍ତୃପକ୍ଷ ପ୍ରଥମେ ଉକ୍ତ ମୂଲ୍ୟାଙ୍କନ କେନ୍ଦ୍ରକୁ ପ୍ରତ୍ୟାହାର କରିନେଇଛନ୍ତି। ଉକ୍ତ ମୂଲ୍ୟାଙ୍କନ କେନ୍ଦ୍ରକୁ ଆସିଥିବା ପରୀକ୍ଷା ଖାତା ଆନନ୍ଦପୁର ସବ୍ଡ଼ିଭିଜିନ ଅନ୍ତର୍ଗତ ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟ କେନ୍ଦ୍ରକୁ ପଠାଯାଇ ବୁଧବାରଠାରୁ ଖାତା ଦେଖାଯାଉଛି। ଏଥିରେ ମହାବିଦ୍ୟାଳୟର ସମ୍ମାନହାନୀ ହୋଇଥିବାରୁ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅଧ୍ୟକ୍ଷ ପଣ୍ଡା କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସମ୍ପୃକ୍ତ ଅଧ୍ୟାପିକାଙ୍କୁ କୈଫତ ମଗାଯାଇଛି ବୋଲି ସେ କହିଥିଲେ।
https://www.dharitri.com/coordination-of-all-departments-will-reduce-accidents/
ସବୁ ବିଭାଗର ସମନ୍ବୟ ରହିଲେ ଦୁର୍ଘଟଣା କମିବ ପୁରୀ ଅଫିସ,୧୭।୨: ସଡ଼କ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ। ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସୁସମନ୍ବୟ ରଖି କାର୍ଯ୍ୟ କଲେ ଏହାର ସୁଫଳ ମିଳିବା ସହ ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି ସଡ଼କ ସୁରକ୍ଷାର ସୁପ୍ରିମକୋର୍ଟ ମନିଟରିଂ କମିଟିର ସେକ୍ରେଟାରୀ ସଞ୍ଜୟ ମିତ୍ତଲ ମତବ୍ୟକ୍ତ କରିଛନ୍ତି। ଗୁରୁବାର ସର୍କିଟ ହାଉସରେ ପରିବହନ ବିଭାଗ ପକ୍ଷରୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମିତ୍ତଲ ପ୍ରତି ରାଜ୍ୟର ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାକୁ ଅନୁପାଳନ କରାଗଲେ ନିଶ୍ଚିତ ଦୁର୍ଘଟଣା ହ୍ରାସ ପାଇବ। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗ ପାଇଁ ସେ ବିଶେଷ ଭାବେ ପରାମର୍ଶ ଦେଇଥିଲେ। ଏସ୍ପି କନୱର ବିଶାଲ ସିଂ ଯୋଗଦେଇ କହିଥିଲେ, ସଡ଼କ ସୁରକ୍ଷା ପାଇଁ ନିୟମିତ ଧରପଗଡ଼ ଜାରି ରହିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ ରାସ୍ତା ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ଏହାର ମାତ୍ରା ହ୍ରାସ କରିବା ଜରୁରୀ। ପ୍ରତ୍ୟେକ ସ୍ତରରେ ଏହାକୁ ପ୍ରତିହତ ପାଇଁ ପଦକ୍ଷେପ ନେବାକୁ ମତ ଦେଇଥିଲେ। ପରିବହନ ବିଭାଗର ଯୁଗ୍ମ ସଚିବ ବିଷଦ ତଥ୍ୟ ପ୍ରଦାନ କରି ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ, ବ୍ୟାପକ ସଚେତନତା ସୃଷ୍ଟି, ଦୁର୍ଘଟଣା ପରେ ଆହତଙ୍କୁ ଚିକିତ୍ସା ଦେବା ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ପରିବହନ ବିଭାଗ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର କରି ରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଜିଲା ପରିବହନ କାର୍ଯ୍ୟାଳୟର ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଏନ୍ଏଚ୍ ୩୧୬ରେ ୪୩ଟି ଦୁର୍ଘଟଣାସ୍ଥଳ ଚିହ୍ନଟ କରାଯାଇ ହମ୍ପ୍ସ, ସାଇନେଜ କରାଯାଇଛି। ୧୦ ସ୍ଥାନରେ ବେଗ ନିୟନ୍ତ୍ରଣ ସାଇନେଜ ସ୍ଥାପନ ହୋଇଛି। ସତ୍ୟବାଦୀ, ସାତସଙ୍ଖ, ପଟନାୟିକିଆ, ମାଳତିପାଟପୁର ଓ ହରେକୃଷ୍ଣପୁର ଛକରେ ଆଲୋକ ବ୍ୟବସ୍ଥା କରାଯାଇଛି। ଜିଲାରେ ୨୦୨୧ରେ ୧୯୭ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୨ଜଣଙ୍କ ର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୨ରେ ୧୯୭ ଦୁର୍ଘଟଣା ହୋଇ ୧୪୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁୟାରୀରେ ୧୮ଟି ଦୁର୍ଘଟଣା ହୋଇଥିବାବେଳେ ୧୩ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୨ରେ ୩୪୧୩ଟି ବିନା ହେଲମେଟ ଯାଞ୍ଚ କରାଯାଇ ୨୩୮ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତି କ୍ଷେତ୍ରରେ ୯୪୭ ଲାଇସେନ୍ସ ରଦ୍ଦ କରାଯାଇଛି। ସିଟବେଲ୍ଟ ଉଲ୍ଲଂଘନ କ୍ଷେତ୍ରରେ ୧୧ଜଣ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୫, ମଦ ପିଇ ଗାଡି ଚଳାଇବା କ୍ଷେତ୍ରରେ ୯୯ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ପରିବହନ ବିଭାଗ ସୂଚନା ଦେଇଛି। ବୈଠକରେ ଅତିରିକ୍ତ ଏସ୍ପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ପୌରନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ, ତହସିଲଦାର କ୍ଷୀରୋଦ ବେହେରା, ଯନ୍ତ୍ରୀ ଅଜିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
https://www.dharitri.com/angel-turns-murderer-doctor-arrested-for-killing-100-people/
ଦେବଦୂତ ପାଲଟିଲେ ହତ୍ୟାକାରୀ: ୧୦୦ଜଣଙ୍କ ଜୀବନ ନେଇଥିବା ଡାକ୍ତର ଗିରଫ ଚଣ୍ଡିଗଡ଼, ୩୦।୭: ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ସଭିଏଁ ଦେବଦୂତ ବୋଲି ମନେ କରିଥାନ୍ତି। ତେବେ ହରିୟାଣାର ୬୨ ବର୍ଷ ବୟସ୍କ ଡାକ୍ତର ଦେବେନ୍ଦ୍ର ଶର୍ମା ଦେବଦୂତ ବଦଳରେ ହତ୍ୟାକାରୀ ପାଲଟିଛନ୍ତି। ସେ ୧୦୦ଜଣ ଟ୍ରକ୍ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ପାରୋଲ୍ରେ ଆସିବା ପରେ ଆଉ ଜେଲ୍କୁ ଫେରି ନ ଥିଲେ। ଜୁଲାଇ ୨୮ରେ ଏନେଇ ଇନସ୍ପେକ୍ଟର ମନୋହରଙ୍କୁ ସୂଚନା ମିଳିଥିଲା। ସେ ଦିଲ୍ଲୀର ବାପରୋଲାରେ ଲୁଚିଥିବା ଜଣାପଡ଼ିଥିଲା। ସେଠାରେ ବିବାହ କରି ସେ ରହୁଥିବା ପୋଲିସ ଜାଣିପାରିଥିଲା। ପରେ ଡିସିପି ରାକେଶ ପାଓ୍ବରିଆଙ୍କ ନିର୍ଦ୍ଦେଶରେ ନାରକୋଟିକ୍ସ୍ ଟିମ୍ ଦେବେନ୍ଦ୍ରଙ୍କୁ ଗିରଫ କରିଛନ୍ତି। ଦେବେନ୍ଦ୍ର ଜଣେ ସିରିଏଲ୍ କିଲର ବୋଲି ପୋଲିସ କହିଛି। ସେ ଦେଶର ବିଭିନ୍ନ ରାଜ୍ୟର ଚୋରା କିଡ୍ନୀ ର଼୍ୟାକେଟ ସହିତ ଯୋଗାଯୋଗରେ ରହିଥିଲେ। ଟ୍ରକ୍ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିବା ପରେ କିଡ୍ନୀ ସହିତ ଶରୀରର ଅନ୍ୟ ଅଙ୍ଗ କାଢ଼ି ନେଇ ବିକ୍ରି କରୁଥିବା ପୋଲିସ କହିଛି। ଦେବେନ୍ଦ୍ର ଚୋରାରେ ୧୨୫ କିଡ୍ନୀ ପ୍ରତିରୋପଣ କରସାରିଛନ୍ତି। ହତ୍ୟା କରିବା ପରେ ସେ ମୃତଦେହଗୁଡ଼ିକୁ କୁମ୍ଭୀର ଥିବା ନାଳରେ ଫିଙ୍ଗି ଦେଉଥିଲେ। ପରେ ସମ୍ପୃକ୍ତ ଡ୍ରାଇଭରଙ୍କ ଟ୍ରକ୍ ଏବଂ ଟ୍ୟାକ୍ସି ବିକ୍ରି ହେବା ପରେ ଦେବେନ୍ଦ୍ରଙ୍କୁ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା।
https://www.dharitri.com/screams-of-dust-storms-more-than-4000-hospitalizations-school-college-office-closures/
ଧୂଳିଝଡ଼ ନେଇ ହାହାକାର, ୪ ହଜାରରୁ ଅଧିକ ହସ୍ପିଟାଲରେ ଭର୍ତ୍ତି, ସ୍କୁଲ-କଲେଜ-ଅଫିସ ବନ୍ଦ… ବାଗ୍ଦାଦ, ୧୮।୫ : ଇରାକରେ ଭୟଙ୍କର ଧୂଳିଝଡ଼ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁୁ ୪ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ସୋମବାର ଘଟିଥିବା ଧୂଳିଝଡ଼ ଯୋଗୁ ସମଗ୍ର ଦେଶରେ ବିମାନବନ୍ଦର, ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ ପରଠାରୁ ଇରାକରେ ଏହା ଅଷ୍ଟମ ଧୂଳିଝଡ଼। ଚଳିତ ମାସର ଆରମ୍ଭରେ ଧୂଳିଝଡ଼ରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ହଜାରରୁ ଅଧିକ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ସୋମବାର ଧୂଳିଝଡ଼ ଯୋଗୁ ରାଜଧାନୀ ବାଗଦାଦର ଆକାଶ କମଳା ରଙ୍ଗ ପାଲଟିିଥିଲା। ଏହାର ପ୍ରଭାବ ଦକ୍ଷିଣ ଇରାକର ଶିଆ-ପ୍ରାଧାନ୍ୟ ନାଜାଫ ଏବଂ ଉତ୍ତର କୁର୍ଦ୍ଦ ସ୍ବୟଂଶାସିତ ଅଞ୍ଚଳର ସୁଲେମାନିଆ ସମେତ ଅନ୍ୟାନ୍ୟ ସହରରେ ଦେଖିବାକୁ ମିଳିଥିଲା। ଧୂଳିଝଡ଼ ଯୋଗୁ କୋଠା, କାର ଏବଂ ଘରେ ବାଲି ପ୍ରବେଶ କରିଥିଲା। ରାଜଧାନୀ ବାଗଦାଦ ସମେତ ଇରାକର ୧୮ ଟି ପ୍ରଦେଶ ମଧ୍ୟରୁ ସାତଟିରେ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରଖାନାଗୁଡ଼ିକ ଖୋଲା ରଖାଯାଇଥିଲା ଯାହାଦ୍ୱାରା ବୃଦ୍ଧ ଓ ହୃଦ୍ରୋଗରେ ପୀଡ଼ିତ ବୃଦ୍ଧ ଓ ଲୋକମାନଙ୍କର ଚିକିତ୍ସା ହୋଇପାରିବ। ଇରାକର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ସୈଫ ଅଲ-ବଦରଙ୍କ ଅନୁଯାୟୀ, ୪ ହଜାରରୁ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକଙ୍କୁ ଆଇସିୟୁରେ ରଖାଯାଇଛି। ବରିଷ୍ଠ ନାଗରିକଙ୍କୁ ଧୂଳିଝଡ଼ ଯୋଗୁ ଅଧିକ କଷ୍ଟ ଭୋଗୀବାକୁ ପଡ଼ିଛି। ମୃତ୍ତିକା କ୍ଷୟ, ପ୍ରବଳ ମରୁଡ଼ି ଏବଂ ଅଳ୍ପ ବର୍ଷା ଯୋଗୁ ଇରାକରେ ଏହି ଅବସ୍ଥା ସୃଷ୍ଟି ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।
https://www.dharitri.com/ପୁରୀରୁ-ଫେରି-ପାରୁ-ନାହାନ୍ତ/
ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ ବରଗଡ଼ ଅଫିସ୍,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ସେମାନେ ସମସ୍ତେ ଗୋପ ବ୍ଲକ ଅଚ୍ୟୁତପୁରଠାରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ । ମାତ୍ର ଲକ୍ଡାଉନ୍ ଯୋଗୁ ଇଟା ଗଢ଼ିବା କାମ ବନ୍ଦ ହୋଇଯାଇଛି । ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଲକ୍ଡାଉନ ଯୋଗୁ ଏଠାକୁ ଆସି ପାରୁ ନାହାନ୍ତି। ସେଠାକାର ଏକ ଅସୁରକ୍ଷିତ ସ୍ଥାନରେ ତମ୍ବୁ ଗାଡ଼ି ଶ୍ରମିକମାନେ ଆଶ୍ରୟ ନେଇଛନ୍ତି । ଏପରିକି ସେଠାରେ ସେମାନଙ୍କ ଖାଇବା, ପିଇବା କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିଛି । ଫଳରେ ସେମାନଙ୍କ ଖାଇବା, ପିଇବା ବନ୍ଦୋବସ୍ତ କରିବା ସହିତ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରାଇବା ଦିଗରେ ପଦକ୍ଷେପ ନେବା ପାଇଁ ସେମାନେ ଜିଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ।
https://www.dharitri.com/imran-khan-gives-absurd-statement-on-india-lost-to-new-zealand-in-wtc-final/
ପରାଜୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଜବ ବୟାନ: କହିଲେ ‘୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଭାରତକୁ ହରାଇ ଦେଲା’ ନୂଆଦିଲ୍ଲୀ,୩।୭: ଗତ ମାସରେ ଭାରତର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଟାଇଟଲ ଜିତିବାର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। ଭାରତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧନ ନ୍ୟୁଜିଲାଣ୍ଡ ବାଜିମାତ କରିଥିଲା। ସାଉଥାମ୍ପଟନରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାଜିତ କରିଥିଲା। ହେଲେ ପୂର୍ବରୁ ବହୁ ପୂର୍ବତନ କ୍ରିକେଟ ବିଶେଷଜ୍ଞ ବିରାଟ କୋହଲିଙ୍କ ଦଳକୁ ବିଜୟ ପାଇଁ ଶକ୍ତିଶାଳୀ ପ୍ରତିନ୍ଦ୍ୱନ୍ଦ୍ୱୀ ବୋଲି କହିଥିଲେ। ୨୦୧୩ରେ ଭାରତ ଶେଷଥର ପାଇଁ ଆଇସିସି ଟ୍ରଫି ଜିତିଥିଲା। ୮ ବର୍ଷ ପରେ ଭାରତ ପୁଣି ଥରେ ଜିତି ଇତିହାସ ରଚିବ ବୋଲି ସେମାନେ ଆଶା କରିଥିଲେ। ମାତ୍ର ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହି କ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାନ୍ ମଧ୍ୟ ଡବ୍ଲୁଟିସି ଫାଇନାଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ସେ ଏକ ରାଜନୈତିକ ଆଲୋଚନା ବେଳେ ନ୍ୟୁଜିଲାଣ୍ଡର ବିଜୟକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ୫ ମିଲିୟନ(୫୦ ଲକ୍ଷ) ଜନସଂଖ୍ୟା ଥିବା ଏକ ଛୋଟ ଦେଶ କିଛି ସମୟ ପୂର୍ବରୁ ୧.୩ ବିଲିୟନ(୧୩୦ କୋଟିରୁ ଉର୍ଦ୍ଧ୍ୱ) ଜନସଂଖ୍ୟା ବିଶିଷ୍ଟ ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଜିତିଛି। ପ୍ରତିଭାମାନଙ୍କୁ ଖୋଜିବା ଏବଂ ସେମାନଙ୍କ ପ୍ରତିପୋଷଣ ପାଇଁ ବହୁତ ଭଲ ବ୍ୟବସ୍ଥା ଥିବାରୁ ଏହା ଘଟିଛି ବୋଲି ସେ କହିଥିଲେ।
https://www.dharitri.com/india-the-modi-question-is-based-on-lies/
‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍‌’ ମିଥ୍ୟା ଉପରେ ଆଧାରିତ ନୂଆଦିଲ୍ଲୀ,୧୧।୫:ଫିଲ୍ମ ଦ କେରଲା ଷ୍ଟୋରି ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଦୀପ୍ତୋ ସେନଙ୍କ୍ ନିର୍ଦ୍ଦେଶିତ ଏହି ଫିଲ୍ମରେ କେରଳର ହିନ୍ଦୁମାନଙ୍କର କାହାଣୀ ଅଛି ଯେଉଁମାନଙ୍କର ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସ୍ରେ ଯୋଗ ଦେବାକୁ ସିରିଆକୁ ନିଆଯାଇଥିଲେ। ଏହି ଫିଲ୍ମକୁ କେତେକ ରାଜ୍ୟରେ ନିଷେଧ କରାଯାଇଛି ଏବଂ କେତେକ ସ୍ଥାନରେ ଏହାକୁ ଟିକସମୁକ୍ତ କରାଯାଇଛି। ବର୍ତ୍ତମାନ ଏହି ସମୟରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ନ୍ୟୁଜର ଏକ ଟୁଇଟ୍ର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍ରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରିଲିଜ୍ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍’ ମିଥ୍ୟା ଉପରେ ଆଧାରିତ। କେବଳ ଏତିକି ନୁହେଁ, ଏହି ଟୁଇଟରେ ଲୋକଙ୍କୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ କେରଲା ଷ୍ଟୋରିକୁ ଦେଖିବା ପାଇଁ ଉତ୍ସାହିତ କରିଛି ଏବଂ ଏହା ଫିଲ୍ମଟି ବାସ୍ତବ ଘଟଣା ଉପରେ ଆଧାରିତ ବୋଲି ଦାବି କରିଛି।
https://www.dharitri.com/anand-will-be-the-chairman-of-the-rcb/
ଆର୍‌ସିବି ଅଧ୍ୟକ୍ଷ ହେବେ ଆନନ୍ଦ ନୂଆଦିଲ୍ଲୀ,୧୯।୯(ପି.ଟି.): ଡିଆଜିଓ ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଆନନ୍ଦ କ୍ରିପାଳୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (ଆର୍ସିବି) ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବେ। ସଞ୍ଜୀବ୍ ଚୁରିଓ୍ବାଲାଙ୍କ ବଦଳରେ ସେ ଏହି ଗୁରୁଦାୟିତ୍ୱ ଅକ୍ଟୋବର ୧ ତାରିଖରୁ ସମ୍ଭାଳିବେ। ଆନନ୍ଦ ଏବେ ଡିଆଜିଓ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ପଦରେ ରହିଛନ୍ତି। ଚୁରିଓ୍ବାଲା ଏପିଏସି ରିଜିଅନର ଫାଇନାନ୍ସ ଡାଇରେକ୍ଟର ପଦ ସମ୍ଭାଳିବା ପାଇଁ ସିଙ୍ଗାପୁର ଯାତ୍ରା କରିବେ। ଆର୍ସିବି ଡିଆଜିଓ ଇଣ୍ଡିଆର ଅବିଚ୍ଛେଦ୍ୟ ଅଙ୍ଗ ରହି ଆସିଛି। ପରଦା ପଛରେ ମଧ୍ୟ ଗତ ୬ ବର୍ଷ ହେବ ଆରସିବି ସହିତ ଜଡିତ ରହିଆସିଛି ବୋଲି ଆନନ୍ଦ କହିଛନ୍ତି। ଆନନ୍ଦ ଆଇଆଇଟି ମାଡ୍ରାସ୍ ଓ ଆଇଆଇଏମ୍ କୋଲକାତାର ଗ୍ରାଜୁଏଟ୍। ୨୦୧୪ ପରଠାରୁ ସେ ଡିଆଜିଓ ଇଣ୍ଡିଆ ସହିତ ଜଡିତ ରହି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦରେ ସଫଳତାର ସହ ଦାୟିତ୍ୱ ସମ୍ଭାଳିଛନ୍ତି।
https://www.dharitri.com/ବର୍ଷକରେ-୬-ବିଡିଓଙ୍କ-ବଦଳି-ବ/
ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ ଭାବେ ରହୁ ନ ଥିବାରୁ ଉନ୍ନୟନ କାମରେ ବାଧା ସୃଷ୍ଟି ହେଉଛି। ୨୦୧୨ ଅଗଷ୍ଟ ୩ ତାରିଖରେ ମୈତ୍ରୀ ଭଟ୍ଟାଚାର୍ଯ୍ୟ ବିଡିଓ ଭାବେ ଯୋଗଦେଇ ଦୀର୍ଘ ୨ବର୍ଷ କାର୍ଯ୍ୟ କରିଥିଲେ। ୨୦୧୪ ଡିସେମ୍ବର ୧୮ତାରିଖରେ ତାଙ୍କର ବଦଳି ହୋଇଥିଲା। ସେ ଯିବା ପରେ ସେହିବର୍ଷ ଡିସେମ୍ବରରେ ଉମାକାନ୍ତ ନାୟକ ବିଡିଓ ଭାବେ ଯୋଗ ଦେଇଥିଲେ। ତେବେ ତାଙ୍କର ବଦଳି ୨୦୧୮ ସେପ୍ଟେମ୍ବର ୪ ତାରିଖରେ ହେବା ପରେ ସେହି ମାସ ୧୮ତାରିଖରେ ବିଡିଓ ଭାବେ ରାମଦାସ ଟୁଡୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ କାର୍ଯ୍ୟରେ ଯୋଗଦେବାର ୧୭ଦିନ ପରେ ତାଙ୍କର ମଧ୍ୟ ବଦଳି ହୋଇଥିଲା। ୨୦୧୮ ସେପ୍ଟେମ୍ବର ୧୭ ତାରିଖରେ ନିରଞ୍ଜନ ସାହୁ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୪ମାସ ପରେ ଅର୍ଥାତ୍ ୨୦୧୯ ଜାନୁୟାରୀ ୩୧ତାରିଖରେ ତାଙ୍କର ବଦଳି ହୋଇଥିଲା। ପୁନର୍ବାର ବିଡ଼ିଓ ଭାବେ ରାମଦାସ ଟୁଡୁ ୩ ମାସ ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ୨୦୧୯ ମାର୍ଚ୍ଚ ୮ ତାରିଖରେ ବିଡ଼ିଓ ଭାବେ ରବିନାରାୟଣ ତ୍ରିପାଠୀ କାର୍ଯ୍ୟରେ ଯୋଗଦେଇଥିଲେ। ସେ ମଧ୍ୟ ଦୀର୍ଘ ୫ମାସ କାର୍ଯ୍ୟ ତୁଲାଇବା ପରେ ସେପ୍ଟେମ୍ବର ୧ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ତେବେ ତାଙ୍କର ବଦଳି ହେବା ପରେ ବାହାନଗା ତହସିଲଦାର ଦେବଯାନୀ ଭୂୟଁା ବିଡ଼ିଓ ଭାବେ କାର୍ଯ୍ୟ ତୁଲାଉଛନ୍ତି। ମାତ୍ର ଦେବଯାନୀ ଭୂୟଁାଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ନୂତନ ବିଡିଓ ଭାବେ ଶିବାଶିଷ ବରାଳଙ୍କୁ ଏଠାକାର ବିଡ଼ିଓ ଭାବେ ଯୋଗଦେବା ପାଇଁ ନିର୍ଦ୍ଦେଶ ହୋଇଛି। ସେ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନ ଥିବାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବାରମ୍ବାର ବିଡିଓଙ୍କ ବଦଳି ଯୋଗୁ ବ୍ଲକ କର୍ମଚାରୀମାନେ ଠିକ୍ ଭାବେ ସହଯୋଗ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଯଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଗୋପବନ୍ଧୁ ଗ୍ରାମୀଣ ସଡ଼କ ଯୋଜନା ଆଦି କାମରେ ଅଗ୍ରଗତି ହୋଇପାରୁନାହିଁ। ସାଧାରଣ ଲୋକ ଓ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲୋକମାନେ ଅଭିଯୋଗ କରିବାକୁ ଆସି ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ତୁରନ୍ତ ଜଣେ ସ୍ଥାୟୀ ବିଡ଼ିଓଙ୍କୁ ନିଯୁକ୍ତି ଦେଲେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରନ୍ତା ବୋଲି ରାଜନୈତିକ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏ ବିଷୟରେ ଏବିଡିଓ ମାନସ କୁମାର ଚୌଧୁରୀ କହିଛନ୍ତି ଯେ, ୧ବର୍ଷ ମଧ୍ୟରେ ୬ ଜଣ ବିଡ଼ିଓ ଗଲା ପରେ ଏବେ ଅନ୍ୟ ଜଣେ ବିଡ଼ିଓ ଭାବେ ଏଠାକୁ ଆସିବା ପାଇଁ ଅର୍ଡ଼ର ହୋଇଛି। ତେବେ ଜଣେ ସ୍ଥାୟୀ ବିଡ଼ିଓ ନ ରହିବାରୁ କିଛି ମାତ୍ରାରେ ବିଭିନ୍ନ କାର୍ଯ୍ୟରେ ବାଧା ଦେଖାଦେଉଛି। କେବଳ ବିଡିଓ ନୁହେଁ ା ଜେଇ, ଜିଆର୍ଏସ୍, ଭିଏଲଡ଼ବ୍ଲ୍ୟୁ ପ୍ରମୁଖ ଯେତିକି ଆବଶ୍ୟକ ତା’ ଠାରୁ କମ୍ ଥିବାରୁ କାମରେ ବାଧା ଦେଖାଦେଉଛି ବୋଲି ପ୍ରକାଶ କରିଛନ୍ତି।
https://www.dharitri.com/yuvraj-singh-appointed-ambassador-for-t20-world-cup-2024/
ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ ଜୁନ୍ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍ ୨୯ ଯାଏ ଏହା ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟକୁ ନେଇ ଆଇସିସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଇସିସି ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ତାଙ୍କ ପୂର୍ବରୁ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଥିଲା। ଏପରି ନିଯୁକ୍ତି ପରେ ଯୁବରାଜ ଖୁସି ପ୍ରକାଶ କରି କହିଛନ୍ତି, ଟି-୨୦ ବିଶ୍ୱକପର କିଛି ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ପଡ଼ି ଯାଉଛି। ଏହା ମଧ୍ୟରେ ଗୋଟିଏ ଓଭରରେ ୬ ଛକା ରହିଛି। ଏବେ ଏହି ସଂସ୍କରଣର ଅଂଶିଦାର ହେବାକୁ ଉତ୍ସାହିତ ଅଛି। ଏହା ଏଯାବତ ଖେଳାଯାଇଥିବା ସବଠାରୁ ବଡ଼ ସଂସ୍କରଣ ହେବ ବୋଲି ସେ କହିଛନ୍ତି। ତେବେ ୨୦୦୭ ଟି-୨୦ ବିଶ୍ୱକପ୍ର ପ୍ରଥମ ସଂସ୍କରଣ ଭାରତ ଜିତିଥିବା ବେଳେ ଯୁବରାଜ ୬ ବଲରେ ୬ ଛକା ମାରି ରେକର୍ଡ କରିଥିଲେ। ଏବେ ସେ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଥିବାରୁ ଆମେରିକାରେ ହେବାକୁ ଥିବା ପ୍ରମୋସନାଲ କାର୍ଯ୍ୟକ୍ରମରେ ଭାଗ ନେବେ। ଏଥିସହ ଜୁନ ୯ରେ ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ର ମଧ୍ୟ ସେ ପ୍ରମୋସନ କରିବେ।
https://www.dharitri.com/ନୀତୀଶଙ୍କ-ନେତୃତ୍ୱରେ-ବିହାର/
ନୀତୀଶଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ଏନ୍‌ଡିଏ: ଶାହ ନୂଆଦିଲ୍ଲୀ,୧୭।୧୦: ଆସନ୍ତା ୨୦୨୦ରେ ବିହାରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଦେଇଥିବା ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ଏବେ ସ୍ପଷ୍ଟ ହୋଇଛି କି ଆସନ୍ତା ନିର୍ବାଚନରେ ଏନ୍ଡିଏକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ନୀତୀଶ। ସୂଚନାଯୋଗ୍ୟ, ଆସନ୍ତା ୨୦୨୦ରେ ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୂର୍ବରୁ ଜେଡିୟୁ ଓ ଭାଜପା ମଧ୍ୟରେ ଭଲ ସମ୍ପର୍କ ନ ଥିବା ବେଳେ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।
https://www.dharitri.com/in-this-india-1035/
ଏଇ ଭାରତରେ ଫିଲ୍ମରେ ଦେଖିବାକୁ ମିଳିଥାଏ କୁକୁର କିପରି ତା’ର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଝିକୋଡେରେ। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ବି ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ ଜାଣିନି ତା’ ମାଲିକ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ କାଳେ ମାଲିକ ଶବାଗାରରୁ ଆସିବେ ସେଥିପାଇଁ କୁକୁର ଅପେକ୍ଷା କରି ବସି ରହିଛି। ଏହି କୁକୁର ବିଷୟରେ ସୋସିଆଲ ମିଡିଆରେ ୟୁଜରମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ଏହାକୁ ମଣିଷର ସାଥୀ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ପ୍ରକୃତ ବିଶ୍ୱସ୍ତତା ବୋଲି କହୁଛନ୍ତି । ଚାରିମାସ ଧରି କେରଳର କନ୍ନୁର ଜିଲା ଡାକ୍ତରଖାନାର ଶବାଗାର ବାହାରେ ଏକ କୁକୁର ଅପେକ୍ଷା କରିଛି। ଡାକ୍ତରଖାନା ଅଧିକାରୀମାନେ କୁକୁରର ମାଲିକଙ୍କୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ହସ୍ପିଟାଲ କର୍ମଚାରୀ ରାଜେଶ କୁମାର କହିଛନ୍ତି, ପ୍ରଥମ ଦିନରେ ଆମେ କୁକୁର ପ୍ରତି ଧ୍ୟାନ ଦେଇ ନ ଥିଲୁ। କିନ୍ତୁ ପରଦିନ ସେ ସେଠାରେ ଜଗି ବସିଥିଲା। ଯେତେବେଳେ ଆମେ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ପଚାରିଲୁ, ସେମାନେ କହିଥିଲେ, ଏହି କୁକୁରଟି ଜଣେ ରୋଗୀଙ୍କ ସହିତ ଡାକ୍ତରଖାନାକୁ ଆସିଥିଲା । ହେଲେ ତାଙ୍କର ମୃତ୍ୟୁ ଘଟିଛି। କୁକୁରଟିକୁ ମୃତଦେହ ନିଆଯାଉଥିବା ରାମ୍ପରେ ବସିଥିବାର ଦେଖିବାକୁ ମିଳୁଛି। କୁକୁରଟି ନିକଟସ୍ଥ ଫିଜିଓଥେରାପି ବିଭାଗ ବିଲ୍ଡିଂକୁ ଯାଉଛି ରାତିରେ ଶବାଗାରକୁ ଫେରିଆସୁଛି। କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ କନ୍ନୁରରୁ ଜଣେ ମହିଳା ଇଚ୍ଛା ପ୍ରକାଶ କରିଛନ୍ତି।
https://www.dharitri.com/oldman-dead-body-was-found/
ଶାଗ ତୋଳିବାକୁ ଯାଇଥିଲେ, ମିଳିଲା ମୃତଦେହ କୋକସରା,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଛକ ନିକଟ ଚାଷ ଜମିରେ ଥିବା ଏକ ବହଳ ଗଛରୁ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଉଡୋଳା ଗ୍ରାମର ଜଣେ ତ୍ରିନାଥ ବେମାଲ(୬୦)। ସୂଚନା ଅନୁସାରେ କାଉଡୋଳା ଗ୍ରାମର ତ୍ରିନାଥ ବୁଧବାର ସାରେ ଶାଗ ତୋଳିବାକୁ ଘରୁ ବାହାରିଥିଲେ। ଗୁରୁବାର ସକାଳୁ ଗଛ ତଳେ ତାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ପରେ ମୃତକ କାଉଡୋଳା ଗ୍ରାମର ତ୍ରିନାଥ ବୋଲି ଜଣାପଡ଼ିଥିଲା। ଗଛ ତଳେ ଏକ ମୁଣାରେ ଶାଗ ତୋଳି ରଖିଛନ୍ତି। ପୋଲିସ ମୃତଦେହ ଜବତ କରି କୋକସରା ହସ୍ପିଟାଲରେ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟ ମାମଲା (ନଂ. ୫/୨୨) ରୁଜୁ ହୋଇଛି।
https://www.dharitri.com/gandhis-worship/
ଗାନ୍ଧୀଙ୍କ ଉପାସିକା ମହାମାନବ ମହାତ୍ମା ଗାନ୍ଧୀ ୧୯୪୨ରେ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ବୟସ ହୋଇଥିଲା। କମ୍ ବୟସରେ ବର୍ଦୋଳି ସ୍ବରାଜ ଆଶ୍ରମ ସହ ସଂଶ୍ଳିଷ୍ଟ ହୋଇଥିବା ପ୍ରଭାବେନ୍ ଶାହା ଆସନ୍ତା ଫେବୃୟାରୀ ୨୦ରେ ୯୩ ବର୍ଷ ବୟସରେ ପଦାର୍ପଣ କରିବେ। ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ଲାଗି ପ୍ରତିଜ୍ଞା କରି ସେ ଏକ ଝୋଟ ଅଖାକୁ ବିଛଣା ଭାବେ ବ୍ୟବହାର କରିଥିଲେ। ବ୍ରିଟିଶ ସାମଗ୍ରୀ ବର୍ଜନ ଲକ୍ଷ୍ୟରେ ସେ ସ୍କୁଲରେ ଚରଖା ମାଧ୍ୟମରେ ଖଦି ମଧ୍ୟ ତିଆରି କରିଥିଲେ। ଗାନ୍ଧିଜୀଙ୍କ ସହିତ ମିଶି କାମ କରିବା ବେଳେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ। ଭାରତ ସ୍ବାଧୀନ ହେବା ପରେ ସେ ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ୍ ଦେବା ଏବଂ ପଡ଼ୋଶୀ ଦେଶ ସହ ଯୁଦ୍ଧ ବେଳେ ଆବଶ୍ୟକ ହେଉଥିବା ସେବାରେ ନିଜକୁ ନିୟୋଜିତ କରିଥିଲେ। ନିଃସ୍ବାର୍ଥପର ସେବା ଯୋଗୁ ସେ ୨୦୨୨ ମସିହା ସକାଶେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବେ ବୋଲି ଘୋଷଣା ହେବା ପରେ ଏହି ବୟସ୍କା ମହିଳାଙ୍କ ସେବା ବିଷୟରେ ବହୁ କଥା ଜଣାପଡ଼ିଛି। ପ୍ରଭାବେନ୍ ସପ୍ତମରେ ପଢ଼ୁଥିବା ବେଳେ ତାଙ୍କ ପାଠରେ ଡୋରି ବନ୍ଧା ଯାଇଥିଲା। ସେତେବେଳେ ଗୁଜରାଟ ବିଦ୍ୟୁତ୍ ବୋର୍ଡରେ କାର୍ଯ୍ୟରତ ଥିବା ସୁବାସଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ବଦଳି ହେଲା ବେଳକୁ ତାଙ୍କ ବଡ଼ ଝିଅ ମାତ୍ର ଦେଢ଼ ବର୍ଷର। ୧୯୬୦ରେ ବର୍ଦୋଳିର ସେହି ଅଞ୍ଚଳରେ ପଢ଼ିବା ପାଇଁ ସ୍କୁଲ ନ ଥିଲା। ଶିକ୍ଷାର ବିକାଶ ଲାଗି ସେ ଗୁଜରାଟୀ ଭାଷାର ‘ବାଲ୍ ମନ୍ଦିର’ ଖୋଲିଥିଲେ। ପ୍ରଥମେ ସେ ସେଠାରେ ତାଙ୍କ ଝିଅ ଓ ପଡ଼ୋଶୀଙ୍କ ପିଲାଙ୍କୁ ନିଜେ ପଢ଼ାଇଥିଲେ। ସମୟକ୍ରମେ ଶିକ୍ଷା ପ୍ରତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ପରେ ସେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ଦରମା ଦେବା ଲାଗି ପ୍ରଭାବେନ୍ ଏକ ଖଦି ଆଶ୍ରମରେ କିରାଣି ଭାବେ କାର୍ଯ୍ୟ କରିଥିଲେ। ସ୍କୁଲ ଠିକ୍ ଭାବେ ଚାଲିବାର ଦୁଇ ବର୍ଷ ପରେ ତାଙ୍କ ସ୍ବାମୀଙ୍କ ବଦଳି ଡାମନ୍କୁ ହୋଇଯାଇଥିଲା। ସେଠାରେ ମଧ୍ୟ ସେ କୌଣସି ସ୍କୁଲ ପାଇ ନ ଥିଲେ। ସିଧାସଳଖ ବିଦ୍ୟାଳୟ ନ ଖୋଲି ସେ ଡାମନ ମହିଳା ମଣ୍ଡଳ ଗଠନ କରିଥିଲେ ଓ ତାହାରି ମାଧ୍ୟମରେ ଏକ ସ୍କୁଲ ଖୋଲିଥିଲେ। ୧୯୬୩ରେ ଡାମନ ମହିଳା ମଣ୍ଡଳ ସରକାରୀ ଭାବେ ସ୍ବୀକୃତ ହୋଇଥିଲା। ସେତେବେଳେ ମହିଳାଙ୍କୁ ଏକତ୍ରିତ କରି ଏକ ନାରୀ ସଙ୍ଗଠନ ଗଢ଼ିବା ସାହସର କଥା ଥିଲା। କାରଣ ପରଦା ପଛରେ ମହିଳାଙ୍କୁ ରଖାଯାଉଥିଲା ଓ ସେମାନେ ବାହାରକୁ ବାହାରିବାକୁ ଡରୁଥିଲେ। କାଳେ କେଉଁଠି ଅସୁବିଧା ହେବ ପ୍ରଭାବେନ୍ ନିଜ ଘରେ ମହିଳାଙ୍କୁ ଡାକି ବୈଠକ କରୁଥିଲେ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ଖୋଲାରେ ଆଲୋଚନା କରାଯାଇପାରୁଥିଲା। ପ୍ରଭାବେନ୍ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଦୁଇଟି ଇଂଲିଶ୍ ମାଧ୍ୟମ ସ୍କୁଲ ସହ ଆଉ ଏକ ଗୁଜରାଟୀ ଭାଷାର ସ୍କୁଲ ଖୋଲିଥିଲେ। ଏପରି କି ନାରୀଙ୍କୁ ସାକ୍ଷର କରିବା ଲାଗି ରାତିରେ ସେମାନେ ଘରକାମ ସାରିଲା ପରେ ସମସ୍ତଙ୍କୁ ଏକାଠି କରି ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଉଥିଲେ। ଅଧିକାଂଶ ସମୟରେ ବିଦ୍ୟୁତ୍ ସେବା ମିଳିପାରୁ ନ ଥିବାରୁ ମହମବତି ମାଧ୍ୟମରେ ପଢ଼ାକାର୍ଯ୍ୟ ଚାଲୁଥିଲା। ଏସବୁଥିରେ ସଫଳତା ପାଇବା ପରେ ସେ ଅନ୍ୟ ମହିଳାଙ୍କୁ ନେଇ ମହିଳା ଋଣ ପ୍ରଦାନକାରୀ ସମିତି ଗଠନ କରିଥିଲେ। ତାହାରି ମାଧ୍ୟମରେ ସ୍ଥାନୀୟ ମହିଳାମାନେ ପାପଡ଼ ତିଆରି, ସିଲେଇ କରିବା, ତେଜରାତି ଦୋକାନ ସକାଶେ ସେହିଠାରୁ ଋଣ ନେଇପାରୁଥିଲେ। ଶିକ୍ଷା, ନାରୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପରେ ସେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିଥିଲେ। ଏପରି କି ସରକାରୀ ଡାକ୍ତରଖାନା ପରିସରରେ ସେ ଏକ ନିରାମିଶ କ୍ୟାଣ୍ଟିନ୍ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୋଜନର ସୁବିଧା କରିଥିଲେ। ଏହା ପରେ ତାଙ୍କ ଚିନ୍ତାଧାରା ଆହୁରି ବ୍ୟାପକ ହୋଇଥିଲା। ୧୯୬୫ ଓ ୧୯୭୧ ଯୁଦ୍ଧରେ ଶହୀଦ ହୋଇଥିବା ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ କରିବା ଦିଗରେ ମହିଳା ମଣ୍ଡଳ ମଧ୍ୟ ସକ୍ରିୟ ହୋଇଥିଲା। ସୈନିକମାନେ ସୀମାନ୍ତରେ ଲଢ଼ୁଥିବାରୁ ସେମାନଙ୍କ ପାଇଁ ମହିଳା ମଣ୍ଡଳର ସଦସ୍ୟମାନେ ସ୍ବେଟର ବୁଣି ପଠାଉଥିଲେ। ୧୯୮୪ ଭୋପାଳ ଗ୍ୟାସ୍ ଦୁର୍ଘଟଣାର ଦୁର୍ଗତଙ୍କ ପାଇଁ କ୍ଲଥ୍ ବ୍ୟାଙ୍କ୍ ଜରିଆରେ ସେମାନଙ୍କ ନିକଟକୁ ଲୁଗା ମଧ୍ୟ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା। ଶିଶୁଙ୍କଠାରୁ ମହିଳା ଓ ବୟସ୍କଙ୍କ ଉତ୍ଥାନ ପାଇଁ ସେ ଯେତେସବୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସେଥିରେ ତାଙ୍କ ସ୍ବାମୀଙ୍କ ଦରମାର ଭାଗ ବହୁତ ଥିଲା। ନିଜ ପରିବାର ପାଇଁ ଅଳ୍ପ ଖର୍ଚ୍ଚ କରି ସ୍ବାମୀଙ୍କ ମାସିକ ଦରମା ୨୫୦ ଟଙ୍କାରୁ କିଛି କିଛି ସଞ୍ଚୟ କରି ସେ ଏଭଳି ଜନହିତକର କାର୍ଯ୍ୟ କରୁଥିଲେ। ବାସ୍ତବରେ ଗାନ୍ଧିଜୀଙ୍କ ଆଦର୍ଶ ଓ କାର୍ଯ୍ୟର ଯଥାର୍ଥ ଉପାସିକା ଭାବେ ପ୍ରଭାବେନ୍ ଜୀବନବ୍ୟାପୀ ନେଇଥିବା ପଦକ୍ଷେପ ତାଙ୍କୁ ଆଜି ପଦ୍ମଶ୍ରୀ ସ୍ତରରେ ପହଞ୍ଚାଇଛି। – ଜିତେନ୍ଦ୍ର କୁମାର ନାୟକ
https://www.dharitri.com/odisha-mission-shakti-women-promoting-bjd-says-bjp/
‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’ ଭୁବନେଶ୍ୱର, ୭।୫(ସୁନିତ୍ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍ଏଚ୍ଜିର ମହିଳାଙ୍କୁ ପ୍ରଲୋଭିତ କରିଆସୁଛି। ଏହି ପ୍ରଲୋଭନର ଶିକାର ହୋଇ କେତେଜଣ ମୁଷ୍ଟିମେୟ ମିଶନ ଶକ୍ତି ମହିଳା- ଜିପିଏଫ୍ ଲିଡର, ଏମ୍ବିକେ, ସିଆର୍ପି, ଜିଆର୍ଏସ୍ ନିଜର ଦାୟିତ୍ୱ ଭୁଲି ବିଜେଡିର ପ୍ରଚାର କରୁଛନ୍ତି; ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଭାଜପା ଅଭିଯୋଗ କରିଛି। ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଅଭିଯୋଗ କରିଛି ଯେ, ଏହା ନିର୍ବାଚନ ଭଳି ଗଣତନ୍ତ୍ରର ସର୍ବୋଚ୍ଚ ପର୍ବର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପଞ୍ଚାୟତ ମହାସଂଘକୁ ମୋଦି ସରକାର ଦେଉଥିବା ଲକ୍ଷାଧିକ ସିଆଇଏଫ୍ ଟଙ୍କାକୁ ମହିଳାମାନଙ୍କ ଟ୍ରେନିଂରେ ଉପଯୋଗ ନ କରି ବିଜେଡି ସରକାର ନିଜର ମିଛ ପ୍ରଚାର ଯଥା-‘ପିତଳକୁ କିଭଳି ସୁନା’ କହିବେ ସେ ପ୍ରକାର ଟ୍ରେନିଂ ଦେଉଛନ୍ତି। ଏହା ଏସ୍ଏଚ୍ଜିର ମୂଳ ଲକ୍ଷ୍ୟ ବିରୋଧୀ। ଯେଉଁ ମହିଳାମାନେ ପ୍ରକୃତରେ ସଶକ୍ତ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଧାର୍ଯ୍ୟ କାର୍ଯ୍ୟରେ ନ ଲଗାଇ ଏମ୍ବିକେ, ସିଆର୍ପି ପଦାଧିକାରୀର ଛଦ୍ମ ରୂପରେ ବିଜେଡିର କେତେଜଣ ମହିଳା ଭ୍ରମାତ୍ମକ ତଥ୍ୟ ପ୍ରଦାନକରି ବିଜେଡିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଭାଜପା ଅଭିଯୋଗ କରିଛି।
https://www.dharitri.com/let-the-doors-of-the-temple-be-opened/
‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’ ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ଭକ୍ତ ପୁରୀକୁ ଆସିଥାନ୍ତି। ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ୪ଟି ଦ୍ୱାର ଯଥା- ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱ ଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତୀ ଦ୍ୱାର ରହିଛି। ଏହି ଚାରିଦ୍ୱାର ଚାରୋଟି ପ୍ରତୀକକୁ ବୁଝାଇଥାଏ। ଶ୍ରୀମନ୍ଦିର ସିଂହଦ୍ୱାର ଧର୍ମ ଓ ଦକ୍ଷିଣ ଦ୍ୱାର ଅର୍ଥର ପ୍ରତୀକ। ସେହିଭଳି ପଶ୍ଚିମ ଦ୍ୱାର କାମନା ଓ ଉତ୍ତର ଦ୍ୱାର ମୋକ୍ଷ ଦ୍ୱାର ଭାବେ ବିବେଚନା କରାଯାଇଥାଏ। ତେଣୁ ଭକ୍ତମାନେ ବିଭିନ୍ନ ଦ୍ୱାର ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ବି.ପି. ଦାଶ କମିଶନଙ୍କ ଅନ୍ତରୀଣ ରିପୋର୍ଟକୁ ଆଳ କରି ଭକ୍ତଙ୍କ ଭାବାବେଗ ସହ ଖେଳୁଛି। ଭକ୍ତଙ୍କୁ ଗୋଟିଏ ଦ୍ୱାରରେ ପ୍ରବେଶ ଏବଂ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ପାଇଁ ଅନୁମତି ଦେଉଛି। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତ ୬ତାରିଖରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକରେ ଏହି ପ୍ରସଙ୍ଗକୁ ନେଇ ହୋହଲ୍ଲା ହୋଇଥିଲା। ଚାରିଦ୍ୱାର ଖୋଲାଯାଉ ନ ଥିବାରୁ ସମ୍ପ୍ରତି ଭକ୍ତମାନେ ଡହଡହ ଖରାରେ ଦହଗଞ୍ଜ ହେଉଛନ୍ତି। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବାଧାଡ଼ି ଲାଗୁଛି। ତେଣୁ ଭକ୍ତଙ୍କ ପାଇଁ ଚାରିଦ୍ୱାର କେବେ ଖୋଲିବ ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା। ଚାରିଦ୍ୱାର ଖୋଲାଯିବା ବୈଠକରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ ସେବାୟତ ଓ ବୁଦ୍ଧିଜୀବୀ ଏନେଇ ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂଲଗ୍ନ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଭକ୍ତ, ପର୍ଯ୍ୟଟକଙ୍କ ସମେତ ପୁରୀ ସହରବାସୀଙ୍କୁ ଯାତାୟାତ ଲାଗି ହଇରାଣ ହେବାକୁ ପଡୁଛି। ସେହିପରି ଶ୍ରୀମନ୍ଦିର ନିକଟରେ ଯଥେଷ୍ଟ ସଂଖ୍ୟକ ପୋଲିସ ମୁତୟନ ରହୁ ନ ଥିବାରୁ ଭିଡ଼ ନିୟନ୍ତ୍ରଣ କରାଯାଇପାରୁନାହିଁ। ଖୁବ୍ଶୀଘ୍ର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ଅଧିକ ସାଧାରଣରେ ଦାବି ହେଉଛି। ପୂର୍ବରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା ହେଉଥିବା ବେଳେ କେବଳ ପଶ୍ଚିମଦ୍ୱାର ପଟେ ପରିଚୟପତ୍ର ଦେଖାଇ ପୁରୀବାସୀ ପ୍ରବେଶ କରୁଥିଲେ। କିନ୍ତୁ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ସକାଶେ ଏହି ବ୍ୟବସ୍ଥାକୁ ଏବେ ବନ୍ଦ ରଖାଯାଇଛି। ବିଶେଷକରି ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ପୁରୀବାସୀ ନିୟମିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ପାରୁନାହାନ୍ତି। ସେହିପରି ମହାପ୍ରସାଦ ପାଇବା ପାଇଁ ସେମାନେ ଉତ୍ତରଦ୍ୱାର ସମ୍ମୁଖକୁ ଯାଉଥିବାବେଳେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଫଳରେ ଅନେକ ବ୍ୟକ୍ତିଙ୍କୁ ମହାପ୍ରସାଦ ସେବନରୁ ବଞ୍ଚିତ ହେବାକୁ ପଡୁଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଆଲୋଚନା କରାଯିବା ଉଚିତ୍। ଭକ୍ତମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୂର୍ବତନ ନଗରପାଳ ତଥା ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀକୁ ଭକ୍ତଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଛଡ଼ାଯାଉଥିବାରୁ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଆଗକୁ ରଥଯାତ୍ରା ଆସୁଛି। ଏଭଳି ସ୍ଥଳେ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ଯିବା ସୁବିଧା ହେଉନାହିଁ। ତେଣୁ ଚାରିଦ୍ୱାର ଖୋଲାଯିବା ଉଚିତ। ପୁରୀ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ସେମାନଙ୍କୁ ଆଇକାର୍ଡ ଦେଖାଇ ଅତିକମ୍ରେ ଦୁଇଟି ଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯାଉ, ଫଳରେ ଅବଢ଼ା ନେବା ଓ ମହାପ୍ରଭୁଙ୍କ ଦର୍ଶନ କରିବାରେ ସୁବିଧା ହେବ ବୋଲି ପ୍ରଧାନ ମତ ଦେଇଛନ୍ତି। ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ଭକ୍ତଙ୍କ ଭାବାବେଗକୁ ପ୍ରଶାସନ ଅଣଦେଖା କରୁଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆହୋଇ ପାଣି ପାଇଁ ଡହଳବିକଳ ହେବା ସହ ଅନେକ ସମୟରେ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିର ପରିସରରେ ମଧ୍ୟ ଭକ୍ତଙ୍କ ଭିଡ଼ ହେଉଛି। ଭକ୍ତମାନେ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଅନେକ ସମୟରେ ବାନ୍ତି କରୁଛନ୍ତି। ଏଥିଯୋଗୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଥିବାରୁ ନୀତି ବିଳମ୍ବ ହେଉଛି। ଅନ୍ୟପକ୍ଷରେ ପୁରୀବାସୀ ମଧ୍ୟ ନିୟମିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ଏସବୁ ଦୃଷ୍ଟିରୁ ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ଉଚିତ। ଅପରପକ୍ଷରେ ସମସ୍ତଙ୍କ ମତାମତ ନିଆଯାଇ ଆଲୋଚନା ମାଧ୍ୟମରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।
https://www.dharitri.com/supriya-shrinate-remark-over-gamosa-said-she-is-worried-about-himanta-biswa-sarma-mental-health/
ମନମୋହନ ସିଂଙ୍କ ଉପରେ ଦେଇଥିବା ବୟାନକୁ ନେଇ ଏବେ ବିବାଦରେ ଆସାମ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ,୨୦।୪: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଆସିଯାଇଛି। ସୂଚନାଯୋଗ୍ୟ, ହିମନ୍ତ ଏକ ସାକ୍ଷାତକାରରେ କହିଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ମନମୋହନ ସିଂ ଆସାମର ଗାମୁଛା ବ୍ୟବହାର କରନ୍ତି ନାହିଁ। ଏହାକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରମାଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ସେ ଚିନ୍ତିତ। ସେ କହିଛନ୍ତି ବାରମ୍ବାର କଂଗ୍ରେସ ହିମନ୍ତଙ୍କୁ ଉପଦେଶ ଦେଉଛି କି ସେ ଜଣେ ଭଲ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ହିମନ୍ତ ବିଶ୍ୱ ସରମା କହିଥିଲେ ଜବାହରଲାଲ ନେହେରୁ ଏହି ଦେଶର ପ୍ରଧାନମନ୍ତ୍ରୀ ଥିଲେ ହେଲେ ସେ କେବେ ଆସାମର ଗାମଛା ବ୍ୟବହାର କରିଥିବା କେହି ଦେଖିନାହାନ୍ତି। ସେମିତି ମନମୋହନ ସିଂ ଯେକି ଆସାମର ଏମପି ଥିଲେ ହେଲେ କୌଣସି ଅଫିସିଆଲ ସମାରୋହରେ ସେ କେବେ ଆସାମର ଗାମଛା ବ୍ୟବହାର କରି ନ ଥିଲେ। ସେ ୧୮ ବର୍ଷ ପର୍ଯ୍ୟନ୍ତ ଆସାମର ଏମପି ରହିଲେ ହେଲେ ଯେଉଁଦିନ ଆପଣ ଶପଥ ନେଲେ ସେଦିନ ବି ଆପଣ ଆସାମର ଗାମଛା ବ୍ୟବହାର କରି ପାରି ଥାଆନ୍ତେ। ଆମକୁ ଖୁସ ଲାଗି ଥାଆନ୍ତ। ହିମନ୍ତଙ୍କର ଏହି ବୟାନକୁ ନେଇ କଂଗ୍ରେସ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି। ପାର୍ଟିର ଷ୍ଟୁଡେଣ୍ଟ ଓ୍ବିଙ୍ଗ ନ୍ୟାଶନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ରାଷ୍ଟ୍ରୀୟ ମହାସଚିବ ଅନୁଶୋଷ ଶର୍ମା ଟୁଇଟ କରି ମନମୋହନ ସିଂଙ୍କ ଦୁଇଟି ଫଟୋ ଶେୟାର କରିଛନ୍ତି। ସେଥିରେ ମନମୋହନ ସିଂ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହ ନଜର ଆସିଛନ୍ତି। ଉଭୟ ଫଟୋରେ ମନମୋହନ ଆସାମ ଗାମଛା କାନ୍ଧରେ ପକାଇଛନ୍ତି।
https://www.dharitri.com/tractor-accident-in-madhya-pradesh-13-dead/
ଓଲଟିଲା ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ, ୩।୬: ମଧ୍ୟପ୍ରଦେଶ ଅନ୍ତର୍ଗତ ରାଜଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିପଡ଼ିବାରୁ ଏହାର ଡାଲାରେ ବସିଥିବା ଚାରିଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୫ ଜଣ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏକ ବାହାଘର ପ୍ରୋସସନ୍ ଚାଲିଥିବା ବେଳେ ରବିବାର ରାତି ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବାହଘରଟି ରାଜସ୍ଥାନର ମୋତିପୁର ଅଞ୍ଚଳରୁ ବାହାରି କୁଲାମପୁର ଅଞ୍ଚଳକୁ ଯାଉଥିଲା। ତେବେ ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ ମଡିଆରେ ଜଣାଇଛନ୍ତି ଯେ, ଦୁର୍ଘଟଣା ସ୍ଥଳରେ ରାଜଗଡ଼ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ ଏବଂ ମନ୍ତ୍ରୀ ନାରାୟଣ ସିଂ ପନୱାର ଉପସ୍ଥିତ ରହିଛନ୍ତି। ଆମେ ରାଜସ୍ଥାନ ସରକାର ଏବଂ ପୋଲିସ ସହିତ ଯୋଗାଯୋଗରେ ରହିଛୁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ଗୁରୁତରଙ୍କୁ ଭୋପାଳ ହସ୍ପିଟାଲକୁ ରେଫର କରାଯାଇଛି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
https://www.dharitri.com/athletes-will-be-honored-through-nominations/
ନାମକରଣ ଜରିଆରେ ସମ୍ମାନିତ ହେବେ କ୍ରୀଡ଼ାବିତ୍‌ ନୂଆଦିଲ୍ଲୀ, ୧୮ା୧ (ପି.ଟି.)-ଦେଶ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତଙ୍କୁ ଭିନ୍ନ ଏକ ଉପାୟରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ସ୍ପୋଟର୍ସ ଅଥରିିଟି ଅଫ୍ ଇଣ୍ଡିଆ (ସାଇ)ରେ ଯେଉଁ ସୁବିଧାସୁଯୋଗ ରହିଛି, ଭବିଷ୍ୟତରେ ସେଗୁଡ଼ିକର ଆଧୁନିକୀକରଣ ସହ ଖ୍ୟାତିସମ୍ପନ୍ନ ଆଥଲେଟ୍ମାନଙ୍କ ନାମରେ ନାମକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ନୌସ୍ଥିତ ନ୍ୟାଶନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନ୍ସିଓଇ) ପରିସରରେ ରହିଥିବା ନବ ନିର୍ମିତ ଏୟାର କଣ୍ଡିଶନ ବ୍ୟବସ୍ଥା ଥିବା ରେସ୍ଲିଂ ହଲ୍ ଓ ସୁଇମିଂପୁଲ୍, ଭୋପାଳସ୍ଥିତ ନ୍ୟାଶନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସଠାରେ ୧୦୦ ଶଯ୍ୟାବିଶିଷ୍ଟ ହଷ୍ଟେଲ, ସୋନେପତ୍ସ୍ଥିତ ମଲ୍ଟିପର୍ପୋଜ ହଲ୍ ଏବଂ ଗଲର୍ସ ହଷ୍ଟେଲ ବ୍ୟତୀତ ଗୁଆହାଟୀସ୍ଥିତ ନୂଆ ସାଇ ଟ୍ରେନିଂ ସେଣ୍ଟରଠାରେ ରହିଥିବା ଏକ ହଷ୍ଟେଲ, ମଲ୍ଟିପରପୋଜ୍ ହଲ୍ ଏବଂ ଷ୍ଟାଫ୍ କ୍ୱାର୍ଟର୍ସ ସ୍ଥାନୀୟ ଷ୍ଟାର କ୍ରୀଡ଼ାବିତ୍ଙ୍କ ନାମରେ ନାମିତ କରାଯିବ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଦେଶରେ ଏକ କ୍ରୀଡ଼ା ସଂସ୍କୃତି ଗଠନ କରିବାକୁ ହେଲେ ଆମର କ୍ରୀଡ଼ାବିତ୍ମାନେ ଯେପରି ଉପଯୁକ୍ତ ସମ୍ମାନ ପାଆନ୍ତି ସେଥିପ୍ରତି ଆମ୍ଭେମାନେ ଯନତ୍ବାନ ହେବା ଉଚିତ। ଏହାଦ୍ୱାରା ଯୁବପିଢି କ୍ରୀଡ଼ାକୁ ଏକ କ୍ୟାରିୟର କରିବା ଲାଗି ଉତ୍ସାହିତ ହେବେ।
https://www.dharitri.com/ବିଭୁ-ରାଉତରାୟ-ହାଇକୋର୍ଟ-ବି/
ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ତାଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ଅପରାହ୍ନ ୨ଟାରେ ହାଇକୋର୍ଟ ପୁରୁଣା ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୂଚନା ମିଳିଛି। ଗତ ଅକ୍ଟୋବର ୩ରେ ସୁପ୍ରିମ୍କୋର୍ଟ କଲେଜିୟମ୍ ବିଭୁ ପ୍ରସାଦ ରାଉତରାୟ ଏବଂ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନାମ ଓଡିଶା ହାଇକୋର୍ଟ ଜଜ୍ ଭାବେ ସୁପାରିସ କରିଥିଲେ। ଉଭୟଙ୍କ ନାମକୁ କଲେଜିୟମ୍ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ମାତ୍ର କେନ୍ଦ୍ର ସରକାର ବିଭୁପ୍ରସାଦଙ୍କ ନାମକୁ ଅନୁମୋଦନ କରିଛନ୍ତି। ବିଭୁପ୍ରସାଦଙ୍କ ନିଯୁକ୍ତି ଫଳରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚତ୍ବ। ତେବେ ଆସନ୍ତା ୧୨ରେ ବିଚାରପତି ଡ. ଅକ୍ଷୟ ରଥ ଅବସର ନେବେ। ସେତେବେଳେ ପୁନର୍ବାର ବିଚାରପତିଙ୍କ ସଂଖ୍ୟା ୧୪ ରହିବ।
https://www.dharitri.com/under-30000-daily-infections-2/
ଦୈନିକ ସଂକ୍ରମଣ ୩୦ ହଜାର ତଳେ… ନୂଆଦିଲ୍ଲୀ,୨୧।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବେ ୩୦ ହଜାର ତଳେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୨୫୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୧୧୫ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୪ ହଜାର ୪୬୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୨ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୯ ହଜାର ୫୭୫ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାର ୩୮୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୮୧ କୋଟି ୮୫ ଲକ୍ଷ ୧୩ ହଜାର ୮୨୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୯୬ ଲକ୍ଷ ୪୬ ହଜାର ୭୭୮ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟି ୫୦ ଲକ୍ଷ ୩୫ ହଜାର ୭୧୭ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୧୩ ହଜାର ୯୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୭ ଲକ୍ଷ ୪୯ ହଜାର ୫୭୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୫ ଲକ୍ଷ ୪ ହଜାର ୫୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜମା ହେବାକୂଥିବା ଭିଡ଼କୁ ନେଇ ସରକାରଙ୍କ ଭୟ ବଢ଼ିବାରେ ଲାଗିଛି। କେରଳ କେରଳ ହଟ୍ସ୍ପଟ୍ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୬୯୨ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯୨ ଛୁଇଁଛି।
https://www.dharitri.com/tapaswinis-insistence-on-staying-in-sumits-bedroom/
ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ବିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ରହିବାକୁ ଯେଉଁ ଘର ଦିଆ ଯାଇଥିଲା, ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ବିନୀ ଅଭିଯୋଗ କରିଛନ୍ତି। ତା’ ବଦଳରେ ସେ ସୁମିତଙ୍କ ବେଡରୁମରେ ରହିବାକୁ ଜିଦ୍ ଧରିଥିଲେ। ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇଥିଲେ। ପରିବାରରେ ସଦସ୍ୟଙ୍କ ସଂଖ୍ୟା ଅଧିକ ଓ ସେ ରୁମ୍ରେ ଜଣେ ହାର୍ଟ ପେସେଣ୍ଟ ରହୁଥିବାରୁ ଉପର ଘର ତପସ୍ବିନୀଙ୍କୁ ଦିଆଯାଇଥିଲା ବୋଲି ସୁମିତଙ୍କ ଓକିଲ କହିଛନ୍ତି। ସୁମିତଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ବିନୀଙ୍କୁ ରହିବାକୁ ଦିଆଯାଉ। ସେହି ଅନୁସାରେ ତପସ୍ବିନୀଙ୍କୁ ରହିବା ପାଇଁ ଉପର ଘର ଦିଆଯାଇଥିଲା। ଅନ୍ୟପକ୍ଷରେତପସ୍ବିନୀ କହିଛନ୍ତି, ସୁମିତଙ୍କୁ ବାହା ହୋଇ ଆସିବା ପରେ ଯେଉଁ ରୁମ୍ରେ ରହୁଥିଲି, ମୋତେ ସେହି ରୁମ୍ରେ ରହିବାକୁ ଅନୁମତି ଦିଆଯାଉ। ମୁଁ ଆଉ କେଉଁଠି ରହିବି ନାହିଁ। ଉପର ଘର ମୋ ପାଇଁ ଉପଯୁକ୍ତ ନୁହଁ କି, ସୁରକ୍ଷିତ ନୁହଁ, ମୁଁ ସେଠାରେ ରହିବି ନାହିଁ। ଉପର ଘରେ କୁକୁର ରହିବା ସମ୍ଭବ ନୁହେଁ , ସେଠି ମଣିଷ ରହିବା କିପରି ସମ୍ଭବ ବୋଲି ତପସ୍ବିନୀ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ୪୪ ଦିନ ଧରି ସୁମିତଙ୍କ ଘର ଆଗରେ ତପସ୍ବିନୀ ବସିବା ପରେ ମଙ୍ଗଳବାର ସୁମିତଙ୍କ ଓକିଲଙ୍କ ଆବେଦନକୁ ଖାରଜ କରି କୋର୍ଟ ତାଙ୍କ ରାୟ ଶୁଣାଇଥିଲେ।
https://www.dharitri.com/tollgate-staff-tourist-chaos/
ଟୋଲଗେଟ୍‌ କର୍ମଚାରୀ-ପର୍ଯ୍ୟଟକ ଗଣ୍ଡଗୋଳ ଆଠଗଡ଼,୨୪।୫(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ମୁଣ୍ଡଳୀ ମହାନଦୀ ବ୍ରିଜ ଟୋଲ ଗେଟ୍ରେ କର୍ମଚାରୀଙ୍କ ସହ ୨ ବସ୍ ଚାଳକ ଓ ପର୍ଯ୍ୟଟକଙ୍କ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛତିଶଗଡ଼ର ୪ ଜଣ ମହିଳା ରହିଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଯମୁନା କଶ୍ୟପ(୩୫)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ଆହତଙ୍କ ମଧ୍ୟରେ ୪ ଜଣ ଟୋଲ ଗେଟ୍ କର୍ମଚାରୀ ରହିଛନ୍ତି। ଉଭୟ ବସ୍ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛି। ପୋଲିସ ସୂଚନା ଅନୁଯାୟୀ, ଛତିଶଗଡ଼ର ମାଲଦା ଅଞ୍ଚଳରୁ ୨ଟି ବସ୍ରେ ୭୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷ ଓ ଛୋଟ ପିଲା ପୁରୀରୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ। ମୁଣ୍ଡଳୀସ୍ଥିତ ଟୋଲ ଗେଟଠାରେ କର୍ମଚାରୀମାନେ ଉଭୟ ବସ୍ଠାରୁ ୧ହଜାର ଟଙ୍କା ଲେଖାଏ ଦାବି କରିଥିଲେ। ଏଥିପାଇଁ ବସ ଚାଳକଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଏହା ପରେ ଝଗଡାର ରୂପ ନେଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଖବରପାଇ ଆଠଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି।
https://www.dharitri.com/salman-doesnt-want-to-work-with-this-actress/
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତିନି ସଲମାନ ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ସେ ତାଙ୍କର ଡେବ୍ୟୁ ଫିଲ୍ମ ଏବଂ ପ୍ରଥମ କୋ-ଷ୍ଟାରଙ୍କ ବିଷୟରେ କହିଛନ୍ତି। ତାଙ୍କର ପ୍ରଥମ କୋ-ଷ୍ଟୋର ଥିଲେ ସଲମାନ ଖାନ୍। ତାଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ରବୀନା ପ୍ରକାଶ କରିଛନ୍ତି। ୧୯୯୧ରେ ବଲିଉଡ୍ ଦୁନିଆରେ ପାଦ ଥାପିଥିଲେ ରବୀନା। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ପଥର କେ ଫୁଲ’। ଏଥିରେ ସେ ସଲମାନଙ୍କ ସହ କାମ କରିଥିଲେ। ରବୀନା କୁହନ୍ତି, ଆମେ ଗୋଟିଏ ଶେଣ୍ରୀର ୨ ଛାତ୍ର ଭଳି ଥିଲୁ। ପ୍ରତି କଥାରେ ଆମେ ଲଢୁଥିଲୁ। ସେତେବେଳେ ମୋତେ ୧୬ ବର୍ଷ ଓ ସଲମାନଙ୍କୁ ୨୩ ବର୍ଷ। ଆମେ ଦୁହେଁ ସବୁବେଳେ ଝଗଡ଼ା କରୁଥିଲୁ। ସଲମାନ ଏବଂ ମୁଁ ସମାନ ପ୍ରକୃତିର। ସଲିମ ଅଙ୍କଲ ଏବଂ ମୋ ବାପା ଏକାଠି କାମ କରୁଥିଲେ। ଆମେ ଫିଲ୍ମରେ ଶୁଟିଂ ସମୟରେ ଫାଇଟ୍ କରୁଥିଲୁ। ଯେଉଁଥିପାଇଁ ସଲମାନ ମୋ ସହ କାମ କରିବାକୁ ମଧ୍ୟ ମନା କରିଦେଇଥିଲେ। ଏହାପରେ ‘ଅନ୍ଦାଜ୍ ଅପ୍ନା ଅପ୍ନା’ରେ ଆମେ ଏକାଠି କାମ କରିଥିଲୁ।
https://www.dharitri.com/ବୌଦ୍ଧ-ଜିଲାର-କୋଭିଡ୍‌-୧୯-ଯୋ/
ବୌଦ୍ଧ ଜିଲାର କୋଭିଡ୍‌-୧୯ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ବୌଦ୍ଧ, ୯ା୪(ସ୍ବ.ପ୍ର) କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ବୌଦ୍ଧ ଜିଲାର ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀ, ପୋଲିସ, ଗଣମାଧ୍ୟମ ଏବଂ ସ୍ବେଚ୍ଛାସେବୀମାନେ ଦିନରାତି ନିଜର ସେବା ଜାରି ରଖିଛନ୍ତି। ବୌଦ୍ଧ ସହରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏହି କାର୍ଯ୍ୟରେ ନିୟୋଜିତ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ସାହୁ, ଡା.ବିଜୟ ସାହୁଙ୍କ ସମତେ ଅନ୍ୟ ଡାକ୍ତର ଓ ନର୍ସଙ୍କୁ ପଦକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିସହିତ ଜିଲାପାଳ, ଏସ୍ପି, ଅବକାରୀ ଅଧୀକ୍ଷକ, ଜିଲା ଶ୍ରମ ଅଧିକାରୀ, ପୋଲିସ, ସ୍ବେଚ୍ଛାସେବୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ପଦକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
https://www.dharitri.com/16-will-participate-from-odisha/
ଓଡ଼ିଶାରୁ ୧୬ ଭାଗନେବେ ଭୁବନେଶ୍ୱର, ୧୯।୯(ତପନ ସ୍ବାଇଁ): ଜାତୀୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ଏବଂ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଆଗାମୀ ଜାତୀୟ ୭ ଓ ୧୯ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ ୧୬ଜଣ ଖେଳାଳି ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦେଇଛନ୍ତି ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ। ତାଙ୍କ ସୂଚନା ଅନୁସାରେ ଜାତୀୟ ୭ ବର୍ଷରୁ କମ୍ ପ୍ରତିଯୋଗିତାରେ ଟିମ୍ ମ୍ୟାନେଜର ସୁରଜ ମହାରଣାଙ୍କ ନେତୃତ୍ୱରେ ବାଳିକାରେ ସୁଶ୍ରୀ ଅଦିତି ମହାରଣା, ବାଳକରେ ସାତ୍ତ୍ୱିକ ସ୍ବାଇଁ, ଅଦ୍ଭିକ ଆଦିତ୍ୟ ସ୍ବାଇଁ ସ୍ବାଭାବିକଭାବେ ଏବଂ ସାହିଲ କୁମାର ବେହେରା, ସ୍ବୟଂଶ ଦାସ, ସତ୍ୟ ନାରାୟଣ ସ୍ବାଇଁ, ଆଦିତ୍ୟ ଉପାଧ୍ୟାୟ, ଓମେଶ ଗୋଟୁମୁକ୍କାଲା ସ୍ବତନ୍ତ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ୨୧ରୁ ୨୫ ପର୍ଯ୍ୟନ୍ତ କୋଲକାତାରେ ୩୬ତମ ଜାତୀୟ ୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାଷ୍ଟର ଚେସ୍ ଫାଉଣ୍ଡେଶନ୍ ଓ ଆଇଆଇଜି ସ୍ପୋଟର୍ସ ଏକାଡେମୀ ପକ୍ଷରୁ ଭୁବନେଶ୍ୱରରେ ୭ ବର୍ଷରୁ କମ୍ ବର୍ଗରେ ରାଜ୍ୟ ଖେଳାଳି ଚୟନ ଅନୁଷ୍ଠିତ ହୋଇଥିଲା। ସେହିପରି ଜାତୀୟ ଜୁନିୟର (୧୯ ବର୍ଷରୁ କମ୍ ବାଳିକା ଓ ବାଳକ) ବର୍ଗରେ ଟିମ୍ ମ୍ୟାନେଜର ମୃତ୍ୟୁଞ୍ଜୟ ଦାସଙ୍କ ନେତୃତ୍ୱରେ ରାଜ୍ୟରୁ ବାଳିକା ବର୍ଗରେ ଶ୍ରଦ୍ଧା ସ୍ମରଣିକା ନନ୍ଦ, ଈଶା ଜେସ୍, ସନୋଜା ଜେସ୍ ଏବଂ ବାଳକରେ ଶ୍ରୀହାନ ସାବତ, ମୃତ୍ୟୁଞ୍ଜୟ ମଣ୍ଡଳ, ବୈଭବ ଅଗ୍ରଓ୍ବାଲ, ଶ୍ରୀୟାଂଶ ଦାସ ଓ ପ୍ରିୟାଂଶ ଦାସ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ୨୦୨୩ ସେପ୍ଟେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ (୧୯ ବର୍ଷରୁ କମ୍ ବାଳକ ଓ ବାଳିକା)ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ଜିଲା ଚେସ୍ ସଂଘ ଆନୁକୂଲ୍ୟରେ ସୁନ୍ଦରଗଡ଼ରେ ୧୯ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ଅନୁଷ୍ଠିତ ହୋଇଥିଲା। ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ସଭାପତି ଜି. ସି. ମହାପାତ୍ର ଏବଂ ଅନ୍ୟ କର୍ମକର୍ତ୍ତା ଉକ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
https://www.dharitri.com/household-allowance-available-for-ssc-qualification/
ଏସ୍‌ଏସ୍‌ସି ମାନ୍ୟତା ପାଇଲେ ମିଳିବ ଘରବାରି ପଟ୍ଟା ଚିତ୍ରକୋଣ୍ଡା,୨୨ା୬ (କ୍ଷୀରୋଦ ବେହେରା)ମାଲକାନଗିରି ଜିଲା ପ୍ରଶାସନ ଦ୍ୱାରା ୨୦୧୧ରେ ହୋଇଥିବା ଜନଗଣନାରେ ଚିତ୍ରକୋଣ୍ଡା ପଞ୍ଚାୟତର ୭୫୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ୧୦ ବର୍ଷ ପରେ ଜନଗଣନାରେ ୧୦ ରୁ ୨୦ ଭାଗ ଲୋକ ସଂଖ୍ୟା ବଢ଼ିବା ସହ ୨୦୨୧ରେ ଜନଗଣନା ହେବା କଥା। ମାତ୍ର କରୋନା କଟକଣା ପାଇଁ ଜନଗଣନା ଆଜି ଯାଏ ହୋଇ ପାରିଲା ନାହିଁ। ଜନସଂଖ୍ୟା କମ୍ ଥିବାରୁ ଏନ୍ଏସି ଘୋଷଣା ହୋଇପାରୁନି। ଫଳରେ ନିରୀହ ଓ ଗରିବ ଜନସାଧାରଣ ଘରବାରି ପଟ୍ଟା ପାଇପାରୁ ନାହାନ୍ତି। ଚିତ୍ରକୋଣ୍ଡାଠାରେ ବାଲିମେଳା ମାଟିବନ୍ଧ ଯୋଜନା କାମ ୧୯୬୨ରେ ଆରମ୍ଭ ହେଲା। ବହୁ ସ୍ଥାନ ବୁଡିଅଞ୍ଚଳ ଭାବେ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେହିଦିନଠାରୁ ବହୁ ଲୋକ ଚିତ୍ରକୋଣ୍ଡାରେ ବସବାସ କରି ରହିଲେ। କିନ୍ତୁ ସେମାନେ ଜମି ପଟ୍ଟା ପାଇଲେ ନାହିଁ କିମ୍ବା ପିଲାଙ୍କ ପାଠ ପଢିବା ପାଇଁ ସାର୍ଟିଫିକେଟ ପାଇଲେ ନାହିଁ। ସରକାରୀ ଜାଗାରେ ଜବରଦଖଲ କରି ବନ୍ଦୋବସ୍ତରେ ସରକାରଙ୍କୁ ଜରିମାନା ବାନ୍ଧି ଆବଶ୍ୟକ ଘର ବାନ୍ଧି ଆଜିଯାଏ ଚଳି ଆସିଲେ। ୧୮ପଞ୍ଚାୟତ କେନ୍ଦ୍ରସ୍ଥଳୀ ଚିତ୍ରକୋଣ୍ଡା ବ୍ଲକ ପାଲଟିଗଲା। ଗୋଟିଏ ପଞ୍ଚାୟତ ଚିତ୍ରକୋଣ୍ଡାକୁ ଛାଡ଼ିଦେଲେ ଆଉ ୧୭ ପଞ୍ଚାୟତର ଜନସାଧାରଣଙ୍କୁ ବହୁ କ୍ଷେତ୍ରରେ ଚାଷ ଜମି ଓ ଜଙ୍ଗଲ ଜମି ମିଳିଛି। ମାତ୍ର ଚିତ୍ରକୋଣ୍ଡା ଗ୍ରାମବାସୀ ସେଥିରୁ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ରାଜନେତା ଓ ବୁଦ୍ଧିଜୀବୀଙ୍କ ମତରେ ଏନ୍ଏସି ହେଲେ ଏଠାରେ ବସବାସ କରୁଥିବା ଜନସାଧାରଣଙ୍କୁ ୪ସେଣ୍ଟ ଘର ବାରି ପଟ୍ଟା ମିଳିବ। କିନ୍ତୁ ଚିତ୍ରକୋଣ୍ଡା ଜନସାଧାରଣଙ୍କ ଆଶା ମଉଳି ଯାଉଛି। ପଞ୍ଚାୟତ ସମିତିର ୧୬ୱାର୍ଡରୁ ୨ଟି ୱାର୍ଡ ରାଜଲକୋଣ୍ଡା ଓ ଆର୍ଏସ୍ସି-୧୬ ନମ୍ବରକୁ ଛାଡି ଦେଲେ, ଅବଶିଷ୍ଟ ୧୪ ୱାର୍ଡର ୮୦୦୦ରୁ ଊର୍ଦ୍ଧ୍ୱ ପରିବାର ବିଶିଷ୍ଟ ଏହି ପଞ୍ଚାୟତ ଅଧୀନରେ ୨୦ରୁ ଊର୍ଦ୍ଧ୍ୱ ଗାଁ ତଥା ବସ୍ତି ରହଛି। ଏଠାକାର ଲୋକେ ମଜୁରି କରି କେତେକ ବେପାର ବଣିଜ, ମାଛ ଧରି ଜୀବନ ଜୀବିବା କରି ସ୍ଥାୟୀ ବାସିନ୍ଦା ଭାବେ ଜୀବନ ବିତାଉଛନ୍ତି। ମାତ୍ର ସମସ୍ତ ଜନସାଧାରଣ ଦୀର୍ଘ ବର୍ଷ ହେଲା ବସତି ସ୍ଥାପନ କରିଥିଲେ ମଧ୍ୟ ସ୍ବାଧୀନତାର ୭୦ ବର୍ଷ ପରେ ବି ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳକୁ ଜିଲା ପ୍ରଶାସନ ତଥା ସରକାର ବୁଡି ଅଞ୍ଚଳ ଦର୍ଶାଇ ଜମି ଯୋଗାଇଦେବା ଦୂରର କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ମିଳିଲାନାହିଁ। ଫଳରେ ଏମାନଙ୍କ ପାଇଁ ଘରବାରି ପଟ୍ଟା ପାଇବା ସାତସପନ ହୋଇଛି। ଚିତ୍ରକୋଣ୍ଡା ସହର ତଥା ବସ୍ତି ବାସିନ୍ଦାଙ୍କର ଘରବାରି ପଟ୍ଟା ନ ଥିବାରୁ ୫ ବର୍ଷ ହେଲା ଇନ୍ଦିରା ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି। ପିଲାଙ୍କ ଉଚ୍ଚ ଶିକ୍ଷା ଏବଂ ଚାକିର ପାଇଁ ଘରବାରି ପଟ୍ଟା ନ ଥିବାରୁ ଜାତିଗତ ପ୍ରମାଣ ପତ୍ର ପାଇଁ ହନ୍ତସନ୍ତ ହେବାକୁ ପଡୁଛି। ସମ୍ପର୍କରେ ଜିଲା ପ୍ରଶାସନ ତଥା ସରକାର ଅଧିକାରୀ ଏବଂ ନେତା ମନ୍ତ୍ରୀଙ୍କୁ ଏ ସମସ୍ୟା ସମ୍ପର୍କରେ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା କିଛି ସୁଫଳ ମିଳିନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ପ୍ରକାଶଯେ, ୨୦୧୦ ନଭେମ୍ବରରେ ଚିତ୍ରକୋଣ୍ଡାକୁ ଏନ୍ଏସି ଦାବିରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ, କିନ୍ତୁ ଆଜି ସୁଦ୍ଧା କିଛି ହୋଇନାହିଁ।
https://www.dharitri.com/china-wants-to-build-its-intelligence-agency-like-cia/
ନିଜ ଗୁପ୍ତଚର ଏଜେନ୍ସିକୁ ସିଆଇଏ ଭଳି ଗଢିବାକୁ ଚାହୁଁଛି ଚାଇନା ବେଜିଂ,୨୯।୧୨: ଚାଇନା ଏହାର ମୁଖ୍ୟ ଗୁପ୍ତଚର ସଂସ୍ଥାକୁ ସିଆଇଏ ଭଳି କରିବା ଉପରେ ଗୁରୁତ୍ୱ ଦେଉଛି। ଏହାର ବଢୁଥିବା ଅଭିଳାଷର ଏକ ଅଂଶ ଭାବରେ ସରକାରୀ ସୁରକ୍ଷା ମନ୍ତ୍ରଣାଳୟ ଆମେରିକାର ନାଗରିକଙ୍କ ସମେତ ଏଜେନ୍ସିରେ ଅନେକ ନିଯୁକ୍ତି ଦେଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଚାଇନାର ଗୁପ୍ତଚର ଏଜେନ୍ସି ଏମଏସଏସ ଉନ୍ନତ ତାଲିମ, ବୃହତ ବଜେଟ ଏବଂ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଉଛି। ଦେଶକୁ ଅଗ୍ରଣୀ ଅର୍ଥନୈତିକ ଏବଂ ସାମରିକ ଶକ୍ତି କରିବା ପାଇଁ ସି ଜିନପିଙ୍ଗ ଲକ୍ଷ୍ୟ ରଖିଛନ୍ତି। ସେଠାକାର ଗୁପ୍ତଚରମାନେ ଅଭିଯୋଗ କରିଛନ୍ତି ଯେ ମହାମାରୀ ସମୟରେ ବିଦେଶୀ କୂଟନୀତିଜ୍ଞ ତଥା ସାମରିକ ଅଧିକାରୀ ତଥା ଗୁପ୍ତଚରଙ୍କ ଉପରେ ନଜର ରଖିବା ପାଇଁ ବେଜିଂରେ କମ ସିସିଟିଭି କ୍ୟାମେରା ରହିଛି। ଚାଇନାର ଗୁପ୍ତଚରମାନେ ଏକ ଏଆଇ ପ୍ରୋଗ୍ରାମ ଦାବି କରିଛନ୍ତି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ତଥ୍ୟ ପ୍ରସ୍ତୁତ କରିପାରିବ ଏବଂ ସେମାନଙ୍କର ଆଚରଣ ବିଧି ବିଶ୍ଳେଷଣ କରିପାରିବ। ଗୁପ୍ତଚରମାନେ ଏକ ଡାଟାବେସ ଏବଂ ଏକାଧିକ କ୍ୟାମେରାରୁ ଏଆଇ ପ୍ରୋଗ୍ରାମ ସୂଚନା ଫିଡ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏଥିରେ କାର୍ ଲାଇସେନ୍ସ ପ୍ଲେଟ, ସେଲଫୋନ ଡାଟା ଏବଂ ସେମାନଙ୍କର ସମ୍ପର୍କ ଇତ୍ୟାଦି ଅନ୍ତର୍ଭୂକ୍ତ ହେବ।
https://www.dharitri.com/woman-dies-in-haiwa-collision/
ହାଇୱା ଧକ୍କାରେ ମହିଳା ମୃତ, ଗ୍ରାମରେ ଉତ୍ତେଜନା ବାଣପୁର,୧୧।୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମରେ ଏକ ମର୍ମନ୍ତୁଦ ଦୁଘଟଣା ଘଟିଛି। ହାଇୱା ଧକ୍କାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମଙ୍ଗଳବାର ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ ଖାଲି କରି ଫେରିବା ବେଳକୁ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିଚୟ ମିଳିପାରି ନ ଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ହାଇୱାଟି ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଗାଡି ମାଲିକଙ୍କୁ ଗ୍ରାମବାସୀ ଅଟକ ରଖଛନ୍ତି। ଉକ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I
https://www.dharitri.com/finance-minister-does-not-have-money-nirmala-says-the-main-reason-for-not-contesting-the-election/
ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ! ନିର୍ମଳା ଦେଲେ ନିର୍ବାଚନ ନ ଲଢିବାର ବଡ଼ କାରଣ ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଏକଥା ଆମେ ନୁହେଁ ଖୋଦ୍ ଅର୍ଥମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ କରିଛନ୍ତି ଖୁଲାସା । ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ। ତେଣୁ ସେ ନିର୍ବାଚନ ଳଢ଼ିବାକୁ ଚାହୁନାହାନ୍ତି । ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ, ନିର୍ମଳା କିଛି ଏପରି ଖୁଲାସା କରିଛନ୍ତି ଯାହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସେ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ଅର୍ଥମନ୍ତ୍ରୀ । କିନ୍ତୁ ନିର୍ବାଚନ ଲଢିବା ଲାଗି ଯେତିକି ଟଙ୍କା ଦରକାର ତାହା ତାଙ୍କ ପାଖରେ ନାହିଁ। ଏକଥା ଖୋଦ ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଲୋକ ସଭା ନିର୍ବାଚନ ଲଢିବା ଲାଗି ଯେତିକି ପାଣ୍ଠି ଦରକାର ତାହା ତାଙ୍କ ପାଖରେ ନାହିଁ। ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ଲଢିବା ଲାଗି ଭାଜପା ସଭାପତି ଜେ.ପି ନଡ୍ଡା ପ୍ରସ୍ତାବ ଦେଇଥିଲେ। ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ସେ ଏ ବିଷୟରେ ଭାବିବା ପରେ ସେ ପଛକୁ ହଟିଯାଇଥିଲେ ବୋଲି ନିର୍ମଳା କହିଛନ୍ତି। ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ କି ବୋଲି ପ୍ରଶ୍ନ ହେବାରୁ ନିର୍ମଳା କହିଛନ୍ତି, ଭାରତ ସରକାରଙ୍କ ପାଣ୍ଠି ତାଙ୍କର ନୁହେଁ । ତାଙ୍କର ବେତନ ହିଁ ତାଙ୍କର ଆୟ ଏବଂ ତାଙ୍କର ସଞ୍ଚୟ ହେଉଛି ତାଙ୍କର ଟଙ୍କା । କର୍ନାଟକ ରାଜ୍ୟ ସଭା ଏମପି ନିର୍ମଳା ଆହୁରି କହିଛନ୍ତି, ନିର୍ବାଚନ ନ ଲଢିଲେ ମଧ୍ୟ ନିର୍ବାଚନ ପ୍ରଚାର ଓ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
https://www.dharitri.com/ପଣବନ୍ଦୀ-ଓଡ଼ିଆ-ନାବିକ-ସୁଦୀ/
ପଣବନ୍ଦୀ ଓଡ଼ିଆ ନାବିକ ସୁଦୀପ ଉଦ୍ଧାର ଭୁବନେଶ୍ୱର, ୨୯।୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଛି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନାଇଜେରିଆରେ ଓଡ଼ିଆ ନାବିକ ସୁଦୀପଙ୍କୁ ପଣବନ୍ଦୀ କରି ରଖାଯାଇଥିଲା। ସୁଦୀପଙ୍କ ବାପା ପ୍ରଦୀପ୍ତଙ୍କ ଅପିଲ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥିଲେ।
https://www.dharitri.com/ସମସ୍ତ-ରାଜ୍ୟର-ମୁଖ୍ୟମନ୍ତ୍ର/
ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୧୦।୫: କରୋନା ସଙ୍କଟକୁ ନେଇ ଏବେ ଦେଶରେ ଚାଲିଛି ଲକ୍ଡାଉନ ୩.୦। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସଙ୍କଟ ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ କଥାହେବେ ବୋଲି ସୂଚନା ମିଳିଛି। ସୋମବାର ଅପରାହ୍ନ ୩ଟାରେ ସେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଲକ୍ଡାଉନକୁ ନେଇ ବିଶେଷ ଆଲୋଚନା ହୋଇପାର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏପ୍ରିଲ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଂକ୍ରମଣକୁ ଦୂରେଇ ଦେବା ପାଇଁ ଜାରି କରାଯାଇଥିବା ଲକ୍ଡାଉନକୁ ନେଇ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏଥର ପୁଣି ଲକ୍ଡାଉନ ବୃଦ୍ଧି ପାଇଁ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି। ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଡାଉନ ଅବଧିକୁ ଆଉ ଏକ ମାସ ବୃଦ୍ଧି କରାଯାଉ ବୋଲି ପ୍ରସ୍ତାବ ଦେଇଥିବା ବେଳେ ପରବର୍ତ୍ତି ସମୟରେ ଏହାକୁ ମେ’ ୧୭ ଯାଏ ବୃଦ୍ଧି କରାଯାଇଥିଲା।
https://www.dharitri.com/taliban-urges-to-pakistan-give-more-time-for-undocumented-afghans-to-leave/
ପାକିସ୍ତାନ ଆଗରେ ନେହୁରା ହେଲେ ତାଲିବାନ ସରକାର କାବୁଲ,୨।୧୧: ପାକିସ୍ତାନ ସରକାର ବିନା ଦସ୍ତାବିଜ ଥିବା ୧୭ଲକ୍ଷ ଆଫଗାନସ୍ତାନୀଙ୍କୁ ନଭେମ୍ବର ୧ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶ ନ ଛାଡିଲେ ଜୋରଜବରଦସ୍ତି ହଟା ଯିବ ବୋଲି ପାକିସ୍ତାନ ସରକାର କହିଥିଲେ। ପାକ୍ ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୧ଲକ୍ଷ ୩୦ହଜାର ପ୍ରବାସୀ ପାକିସ୍ତାନ ଛାଡି ସାରିଛନ୍ତି। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ ତାଲିବାନ ସରକାର ନିନ୍ଦା କରୁଥିବାବେଳେ ଏବେ ନେହୁରା ହେଉଥିବାର ଦେଖିବାକୁ ମିଳିଛି। ପ୍ରଥମେ ପ୍ରଥମେ ତ ତାଲିବାନୀ ଅଧିକାରୀମାନେ ପାକିସ୍ତାନକୁ ଧନ୍ୟବାଦ ଦେଲେ ଯେ, ଦୀର୍ଘ ଶତାଦ୍ଦୀ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ପଳାୟନ କରିଥିବା ଶରଣାର୍ଥୀଙ୍କୁ ପାକିସ୍ତାନ ଶରଣ ଦେଇଛି। ମାତ୍ର ଏବେ ଅଧିକାରୀମାନେ ପାକିସ୍ତାନ ସରକାରଙ୍କୁ ନେହୁରା ହେଉଛନ୍ତି କି, ଆଫଗାନୀଙ୍କୁ ଦେଶରୁ ବିତାଡିତ ନ କରି ସେମାନଙ୍କୁ ଦେଶ ଛାଡିବାକୁ କିଛି ସମୟ ଦିଆଯାଉ।
https://www.dharitri.com/boyfriend-arrested/
ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିଥିବା ପ୍ରେମିକ ଧରାପଡ଼ିଲେ ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅଗଷ୍ଟ ୧୧ତାରିଖରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରି ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାର ଦେଢମାସ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଧଉଳି ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ନିମାପଡ଼ା ଥାନା ଚଅଁରାପଡ଼ା ଗ୍ରାମର ପାପୁନି ରାଉତ(୨୨)। ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ପାପୁନି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ୨୦୧୯ରେ ନୋଟାରୀଙ୍କ ନିକଟରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକତ୍ର ନ ରହି ନିଜ ନିଜ ଘରେ ରହୁଥିଲେ। ହେଲେ ଯୁବତୀ ଜଣକ ପପୁଙ୍କ ସାଙ୍ଗରେ ରହିବାକୁ ଜିଦ୍ ଧରିଥିଲେ। ପପୁ କିଛି ନା କିଛି ବାହାନା କରି ଦିନ ଗଡାଇ ଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟୁତୁଣ୍ଡ ହେଉଥିଲା। ତେଣୁ ପାପୁନି ଯୁବତୀଙ୍କୁ ଏସିଡ୍ ପକାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ଅଗଷ୍ଟ ୧୧ରେ ବିବାହ ବିଷୟରେ ଆଲୋଚନା କରିବାକୁ ପାପୁନି ଯୁବତୀଙ୍କୁ ଧଉଳୀ ପାହାଡକୁ ଡକାଇଥିଲେ। ଯୁବତୀ ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ଧଉଳିରେ ପହଞ୍ଚିଥିଲେ। ସେମାନେ ବିବାହ ସଂକ୍ରାନ୍ତରେ ଆଲୋଚନା କରୁଥିବା ବେଳେ, ଯୁବତୀ ଜଣକ ଅଲଗା ଜାତିର ହୋଇଥିବାରୁ ପାପୁନି ତାଙ୍କୁ ଘରକୁ ନେବା ପାଇଁ ମନା କରିଦେଇଥିଲେ। ଏନେଇ ତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ପାପୁନି ପାଖରେ ରଖିଥିବା ଏସିଡ୍କୁ ଯୁବତୀଙ୍କୁ ମୁହଁକୁ ଛାଟିଦେଇ ଫେରାର ହୋଇଯାଇଥିଲେ। ଏସିଡ୍ ମାଡରେ ଯୁବତୀଙ୍କ ମୁହଁର ବାମପଟ ସାମାନ୍ୟ ଜଳିଯାଇଥିଲା। ଉପସ୍ଥିତ ଥିବା ସାଙ୍ଗ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଥିଲେ। ପରେ ସେ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୨୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
https://www.dharitri.com/puri-sunabesa/
ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୁ ପୁରୀ ଅଫିସ୍,୧୦।୭: ରବିବାର ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଦାରୁଦିଅଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଲସିଛନ୍ତି ବିଶ୍ୱନିୟନ୍ତା। ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି ଏହି ଦୁର୍ଲଭ ବେଶ। ହୋପ୍ରଭୁଙ୍କ ଏହି ବେଶକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି। ବିଭିନ୍ନ ନୀତି ପରେ ଠାକୁରଙ୍କ ସ୍ବର୍ଣ୍ଣ ଅଳଙ୍କାର ରଥ ନିକଟକୁ ବିଜେ କରାଯାଇଥିଲା। ବିଗ୍ରହମାନଙ୍କୁ ସ୍ବର୍ଣ୍ଣ, ରୂପା ଆଦି ମୂଲ୍ୟବାନ ଧାତୁଖଚିତ ଅଳଙ୍କାରରେ ସଜ୍ଜିତ କରିଥିଲେ ଦଇତାପତି। ଶ୍ରୀବିଗ୍ରହମାନେ ଶ୍ରୀମସ୍ତକରେ କିରୀଟ, ଗଳାରେ ମାଳା, ଓଡ଼ିଆଣୀ, କାନକୁଣ୍ଡଳ ଆଦି ଧାରଣ କରାଯାଇଛି।
https://www.dharitri.com/the-nac-could-not-the-youth-cleared-the-village-road/
ଏନଏସି ପାରିଲାନି, ଗାଁ ସଫେଇ କଲେ ଯୁବଗୋଷ୍ଠୀ ଗଞ୍ଜାମ ଅଫିସ୍,୧୦।୯: ଗତ ଅଗଷ୍ଟ ୩୦ରୁ ଗଞ୍ଜାମ ଏନଏସିର ପରିମଳ କାର୍ଯ୍ୟ ଠପ ହୋଇଯାଇଛି l ଯାହା ଫଳରେ ସହରରେ ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ପୂର୍ବରୁ ଏହି କାର୍ଯ୍ୟ ଠିକା ନେଇଥିବା ଠିକାଦାରଙ୍କ ଅବଧି ସରିବା ପରେ ଏହି ସମସ୍ୟା ଦେଖା ଦେଇଛି। ଏଥିପାଇଁ ସହରର ବିଭିନ୍ନ ୱାର୍ଡରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ଦେଖିବାକୁ ମିଳିଛି l ଏନେଇ ପୁଇଁତୋଳା ଆଠ ନମ୍ବର ୱାର୍ଡ ଯୁବ ଗୋଷ୍ଠୀ ଟ୍ରାକ୍ଟର ସାହାଯ୍ୟରେ ଗ୍ରାମରେ ପଡ଼ିଥିବା ପ୍ରାୟ ଆଠ ଦିନର ଅଳିଆ ସଫେଇ କରିଥିଲେl ଏ ସମ୍ପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ସେ କହିଥିଲେ ପରିମଳ କାର୍ଯ୍ୟ ପାଇଁ ନୂଆ ଟେଣ୍ଡର ହୋଇଛି l ଉକ୍ତ ଟେଣ୍ଡର ଭୁବନେଶ୍ୱରର ଏକ ସଂସ୍ଥା ନେଇଥିବା ବେଳେ ସ୍ଥାନୀୟ ଅଂଚଳର ସୁଇପରଙ୍କ ସହ ଠିକା ନେଇଥିବା ସଂସ୍ଥା ତାଳମେଳ ରହୁନି l ଯାହା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି l ଏଥିପାଇଁ ଏନଏସି ସ୍ଥାୟୀ ସୁଇପରଙ୍କ ଦ୍ୱାରା କିଛି ୱାର୍ଡ ସଫେଇ କାର୍ଯ୍ୟ ଚାଲିଛି l ଦିନେ ଦୁଇଦିନ ଭିତରେ ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଂଚଳର ସୁଇପରଙ୍କ କହିବା ଅନୁଯାୟୀ ଯେ ପୂର୍ବରୁ ଆମେ ୩୫ ଜଣ ପରିମଳ କାର୍ଯ୍ୟ କରିଆସୁଛୁ l ବର୍ତ୍ତମାନ ଯେଉଁ ସଂସ୍ଥା ପରିମଳ କାର୍ଯ୍ୟ ହାତକୁ ନେଇଛି ସେ କେବଳ ୨୪ ଜଣ ସୁଇପରଙ୍କୁ ନେଇ କାର୍ଯ୍ୟ କରିବାକୁ ଚାହୁଁଛିl ଏଣୁ ଆମେ ବାଧ୍ୟ ହୋଇ କାର୍ଯ୍ୟ ବନ୍ଦ କରିଛୁ ବୋଲି ସେମାନେ କହିଛନ୍ତି l ଯଦି ୩୫ରୁ ଗୋଟିଏ ବି ସୁଇପରଙ୍କୁ ଛାଡିଲେ ଆମେ କାମରେ ସହଯୋଗ କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି l
https://www.dharitri.com/vikram-lander-will-wake-up-today/
ଆଜି ଜାଗ୍ରତ ହେବ ବିକ୍ରମ ଲ୍ୟାଣ୍ଡର ନୂଆଦିଲ୍ଲୀ,୨୨ା୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସହିତ ପୁନଃ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ରୋଭର ପ୍ରଜ୍ଞାନ ୧୪ ଦିନ ଭଲ କାମ କରିଛି। ଏହା ପରେ ପୂରା ସେଟ୍ଅପ୍ ସ୍ଲିପିଂ ମୋଡ୍କୁ ପଠାଯାଇଥିଲା। (ସେପ୍ଟେମ୍ବର ୨ ରେ, ରୋଭର ସ୍ଲିପିଂ ମୋଡ୍ରେ ଥିବା ବେଳେ ଲ୍ୟାଣ୍ଡର୍ ସେପ୍ଟେମ୍ବର ୪ରେ ଏହା କରିଥିଲା) ସୂର୍ଯ୍ୟକିରଣର ଅଭାବ ହେତୁ ଚନ୍ଦ୍ରପୃଷ୍ଠରେ ବିକଶିତ ହୋଇଥିବା ଶୀତଳ ଅବସ୍ଥାକୁ ଦର୍ଶାଇଥିଲା। ଶୁକ୍ରବାର ଏକ ନୂତନ ଚନ୍ଦ୍ର ସକାଳ ସହିତ ଇସ୍ରୋ ଲ୍ୟାଣ୍ଡର ଏବଂ ରୋଭରକୁ ଜାଗ୍ରତ କରିବାକୁ ଚେଷ୍ଟା କରୁଛି ଯାହା ପାଇଁ ସେମାନେ ପ୍ରକୃତରେ ପ୍ରସ୍ତୁତ ନ ଥିଲେ। ଯନ୍ତ୍ରପାତି ବର୍ତ୍ତମାନ ଶୀତଳ ଅବସ୍ଥାରୁ ମୁକୁଳିଛି କି ନାହିଁ ତାହା ଯାଞ୍ଚ କରିବାକୁ ସ୍ଥିର ହୋଇଛି। କାରଣ ଚନ୍ଦ୍ରପୃଷ୍ଠରେ ରାତିର ତାପମାତ୍ରା -୨୦୦ ଓ ସେଲସିୟସକୁ ଖସିପାରେ ଏବଂ ପୋଲ୍ ନିକଟରେ, ଏହି ତାପମାତ୍ରା ଆହୁରି କମ୍ ହୋଇଯାଏ। ପ୍ରାୟ -୨୫୦ ଡିଗ୍ରୀ ସେଲ୍ସିୟସ। ଇସ୍ରୋ ଅଧିକାରୀମାନେ ଏହା ପୂର୍ବରୁ କହିଥିଲେ ଯେ, ବିକ୍ରମ ଏବଂ ପ୍ରଜ୍ଞାନ ଉପରେ ଥିବା ଯନ୍ତ୍ରପାତିଗୁଡିକ ସ୍ଲିପିଂ ମୋଡ୍ ପୂର୍ବରୁ- ସେପ୍ଟେମ୍ବର ୨୨ରୁ ପର୍ଯ୍ୟାୟକ୍ରମେ – ସୂର୍ଯ୍ୟକିରଣ ଦ୍ୱାରା ଚାଳିତ ବ୍ୟାଟେରୀଗୁଡ଼ିକ ଚାର୍ଜ ହୋଇଯାଇଥିଲା ଏବଂ ସୌର ପ୍ୟାନେଲଗୁଡିକ ଆଲୋକିତ ହୋଇଥିଲା। ଯେଉଁଥିରେ ସେମାନେ ଆଲୋକ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞାନ ରୋଭର ଅଗଷ୍ଟ ୨୩ରେ ଲ୍ୟାଣ୍ଡିଂ କରିବା ପରଠାରୁ ବିଭିନ୍ନ ପରୀକ୍ଷଣ କରିଆସୁଛନ୍ତି। ସେମାନେ ବାୟୁମଣ୍ଡଳର ସାନ୍ଦ୍ରତା ମାପ କରିଛନ୍ତି ଏବଂ ଚନ୍ଦ୍ରପୃଷ୍ଠର ତାପମାତ୍ରା ରିଡ୍ କରିଛନ୍ତି। ପ୍ରଜ୍ଞାନ ରୋଭର ମଧ୍ୟ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ପ୍ରଥମ ପ୍ରତିଛବି କଏଦ କରିଥିଲା। ଅବଶ୍ୟ ଚନ୍ଦ୍ର ରାତି କାର୍ଯ୍ୟକୁ ବନ୍ଦ କରିଦେଲା। କାରଣ ସୂର୍ଯ୍ୟକିରଣର ଅନୁପସ୍ଥିତିରେ ସୌର ଚାଳିତ ଯାନଗୁଡ଼ିକର ବ୍ୟାଟେରୀ ଯଥେଷ୍ଟ ଶକ୍ତିଶାଳୀ ନ ଥିଲା।
https://www.dharitri.com/hunger-in-the-industrial-stronghold/
ଶିଳ୍ପ ଗଡ଼ରେ ଭୋକ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ଓ ସୁକିନ୍ଦା ବ୍ଲକରେ ଶିଳ୍ପ ଗଢ଼ିଉଠିଲେ ବିକାଶର ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହେବ। ପାଠପଢୁୁଆ ଯୁବତୀ ଯୁବକମାନେ କର୍ମସଂସ୍ଥାନ ପାଇ ଆମତ୍ନିର୍ଭରଶୀଳ ହେବେ। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନର ବ୍ୟାପକ ବ୍ୟବସ୍ଥା ହେବ। ଏହି ଆଶାରେ ଲୋକେ ନିଜ ଘରଡିହ, ଚାଷଜମି ଛାଡ଼ି ଦେଇଥିଲେ। ସେହି ଜମିରେ ପ୍ରାୟ ୩୦ ବର୍ଷ ଭିତରେ ସିମେଣ୍ଟ, ଷ୍ଟିଲ୍ ଭଳି ଅନେକ ଶିଳ୍ପ ଗଢ଼ିଉଠିଛି। ହେଲେ ଲୋକଙ୍କୁ ଶିଳ୍ପର ପ୍ରଦୂଷଣ, ପ୍ରତାରଣା, ଷଡ଼ଯନ୍ତ୍ର ଛଡ଼ା କିଛି ମିଳିପାରୁନାହିଁ। ସରକାର ସୁନେଲି ସ୍ବପ୍ନ ଦେଖାଇ ଶିଳ୍ପ ପାଇଁ ଲୋକଙ୍କଠାରୁ ଜମି ଅଧିଗ୍ରହଣ କରିବା ପରେ ନିଜ ଦାୟିତ୍ୱ ଶେଷ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଦୁର୍ଦ୍ଦଶା ଓ ଅଭିଯୋଗକୁ ଅଣଦେଖା କରି ଶିଳ୍ପପତିଙ୍କ ସ୍ବାର୍ଥ ଜଗି ଚାଲିଛନ୍ତି। ଜନପ୍ରତିନିଧିମାନେ ପୂର୍ବରୁ ନିଜ ଫାଇଦା ପାଇଁ, ଏବେ ନିର୍ଦ୍ଦିଷ୍ଟ ଭୟରେ ଚୁପ୍। ଏସବୁର କୁପରିଣାମ ଦେଖିବାକୁ ମିଳୁଛି ଶିଳ୍ପଗଡ଼ରେ। ଏହା ଏବେ ପାଲଟିଛି ଭୋକର ଭୂଖଣ୍ଡ। ଦାନଗଦି ବ୍ଲକ ମନୋହରପୁର ଗ୍ରାମର ବେଣୁଧର ଦଳାଇଙ୍କ ପରିବାରର ଦୁର୍ଦ୍ଦଶା ଏହାକୁ ପ୍ରମାଣିତ କରୁଛି। ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୭।୧୨ :ସୁକିନ୍ଦା ବ୍ଲକର ଅତି ଅନୁନ୍ନତ ଅଞ୍ଚଳ ନଗଡ଼ାର ବାସିନ୍ଦା ଅତିଶୟ ଅପପୁଷ୍ଟିର ଶିକାର ହେବା ଘଟଣାକୁ ନେଇ ଓଡ଼ିଶା କିଛି ବର୍ଷ ତଳେ ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା। ହେଲେ ଅପପୁଷ୍ଟିର ଭୂଖଣ୍ଡ କେବଳ ନଗଡ଼ାରେ ସୀମିତ ରହିନାହିଁ, ବରଂ ମନୋହରପୁର ଭଳି ଯାଜପୁର ଜିଲାର ଶତାଧିକ ଗ୍ରାମରେ ଦେଖିବାକୁ ମିଳୁଛି ଭୋକ ଓ ଦୁର୍ଦ୍ଦଶାର ଚିତ୍ର। ଛତୁ ଫୁଟିଲା ଭଳି ଶିଳ୍ପ, କାରଖାନା ଗଢ଼ିଉଠିଲେ ମଧ୍ୟ କ୍ଷୁଧା କମିପାରୁନାହିଁ। କେବଳ ସେତିକି ନୁହେଁ, ଉତ୍କଟ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି। ଶିଳ୍ପ ଦ୍ୱାରା ପାରିପାର୍ଶ୍ୱିକ ଉନ୍ନୟନ ତ ଦୂରର କଥା ଯାଜପୁର ଜିଲାର ଅଧିକାଂଶ ଶିଳ୍ପାନୁଷ୍ଠାନ ସେମାନଙ୍କ ଅତି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)କୁ ଭୁଲି ଯାଇଛନ୍ତି। କଁା ଭଁା କେତେକ କମ୍ପାନୀକୁ ବାଦ୍ ଦେଲେ ଅଧିକାଂଶ ସଂସ୍ଥା ସିଏସ୍ଆରକୁ ହେୟଜ୍ଞାନ କରି ସରକାରଙ୍କୁ ଠକିବାରେ ଲାଗିଛନ୍ତି। ୨୦୧୮ ଜୁଲାଇ ୧ରେ ବିଧାନସଭା ଗୃହ କମିଟିର ସଦସ୍ୟମାନେ କଳିଙ୍ଗନଗର ଗସ୍ତ କରି ଶିଳ୍ପ କାରଖାନାର ଦୟାର ପାତ୍ର ନ ହୋଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଏହାବାଦ୍ ଦାନଗଦି ଓ ସୁକିନ୍ଦା ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିଳ୍ପ କମ୍ପାନୀକୁ ଦାୟିତ୍ୱ ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଡୁବୁରୀସ୍ଥିତ ମେଡିକାରେ ମାଗଣାରେ ଚିକିତ୍ସା କରାଯିବ ବୋଲି କମିଟି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସାରଙ୍ଗପୁର ଓ ତ୍ରିଜଙ୍ଗା ଗ୍ରାମରେ ତୁରନ୍ତ ଜଳଯୋଗାଣ, ସ୍କୁଲ ମରାମତି, ପୋଖରୀ ନିର୍ମାଣ ଆଦି ଜନହିତକର କାର୍ଯ୍ୟ ଜିଲା ପ୍ରଶାସନ କରିବ ବୋଲି ସେମାନେ ସୂଚନା ଦେଇଥିଲେ। ହେଲେ ଏହିସବୁ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ଆରମ୍ଭରୁ ଶିଳ୍ପାଞ୍ଚଳର ଦାନଗଦି ବ୍ଲକ ମନୋହରପୁରର ଗ୍ରାମର ବେଣୁଧର ଦଳାଇଙ୍କ ପରିବାର ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବେଣୁଧର ପେସାରେ ଗାଡ଼ି ଡ୍ରାଇଭର। ସ୍ତ୍ରୀ ମିନତି(୩୦), ଝିଅ ସୁକାନ୍ତି(୮), ପୁଅ ରୋହିତ(୫), ୩ ମାସର ଶିଶୁକନ୍ୟା ସହ ସେ ଭଙ୍ଗାଘରେ ପାଲ ପକାଇ ରହୁଛନ୍ତି। ମିନତି ଓ ପିଲାମାନଙ୍କ ଦେହରେ ଘା’ ସୃଷ୍ଟି ହୋଇଛି। ସେମାନଙ୍କ ଓଜନ ଚିନ୍ତାଜନକ ଭାବେ କମ୍ ରହିଛି। ମିନତି ଓ ତାଙ୍କ ୩ ପିଲାଙ୍କୁ ଦାନଗଦି ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମର ଫାର୍ମାସିଷ୍ଟ ମନୋଜ ପୃଷ୍ଟି ଓ ଆଶା କର୍ମୀ କବିତା ପାଇକ ବୁଧବାର ଯାଜପୁରରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଏମାନଙ୍କୁ ପୁଷ୍ଟି ସାଧନ କେନ୍ଦ୍ରରେ ରଖାଯାଇଛି। ଓଜନ କମ୍ ଥିବାରୁ ୧୫ ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଯିବ ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଲା ପରେ ସେମାନଙ୍କୁ ଘରେ ଛଡ଼ାଯିବ ବୋଲି ଡାକ୍ତର ସନ୍ତୋଷ କୁମାର ପୃଷ୍ଟି କହିଛନ୍ତି। ଖବରପାଇ ଦାନଗଦି ବିଡିଓ, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଅପପୁଷ୍ଟିର ଶିକାର ପରିବାରବର୍ଗଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଯୁବ ସମାଜସେବୀ ରାଜେଶ କୁମାର ରାଉତ ଓ ବିଶ୍ୱଜିତ ମାଝି କୁହନ୍ତି, ଏହି ପରିବାରବର୍ଗଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିନାହିଁ। କେବଳ ବେଣୁଧରଙ୍କ ପରିବାର ନୁହେଁ, ମନୋହରପୁର ଓ ଆଖପାଖ ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀ, ପ୍ରସୂତି ଏବଂ ୫ ବର୍ଷରୁ କମ୍ ପିଲା ଅପପୁଷ୍ଟିର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ ଏଠାରେ ପ୍ରହସନ ପାଲଟିଛି। ଶିଳ୍ପସଂସ୍ଥାଗୁଡ଼ିକର ସିଏସ୍ଆର୍ ଯୋଜନା ମଧ୍ୟ ଏଠାରେ କାର୍ଯ୍ୟକାରୀ ହେଉନାହିଁ। ଏହି ପରିବାରର ଦୁଃଖ ଦୁର୍ଦ୍ଦଶା ଦେଖିଲେ ଏଠାରେ ଶିଳ୍ପାୟନର ଆବଶ୍ୟକତା ନାହିଁ ବୋଲି କୁହାଯାଇପାରେ। କମ୍ପାନୀର ସ୍ବାର୍ଥ ପାଇଁ ସମର୍ପିତ ପ୍ରଶାସନ ଆଦିବାସୀ ଅଞ୍ଚଳର ଉନ୍ନୟନ କଥା ବି ଭୁଲିଯାଇଛି। ଫଳରେ ଶିଳ୍ପାଞ୍ଚଳ କଳିଙ୍ଗନଗରର ମୌଳିକ ସୁବିଧା ଯେଉଁ ତିମିରକୁ ସେହି ତିମିରରେ ରହିଯାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ଅନେକ ଯୋଜନା ସେଠାରେ କାର୍ଯ୍ୟକାରୀ ହେଉଛି। ଦାନଗଦି ବିଡିଓଙ୍କ ସହ ଆଲୋଚନା କରି ସେହି ପରିବାରବର୍ଗଙ୍କ ପାଇଁ ଯୋଜନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।
https://www.dharitri.com/the-22-year-old-school-was-buried-in-the-soil/
ମାଟିରେ ମିଶିଲା ୨୨ ବର୍ଷର ପୁରୁଣା ସ୍କୁଲ ଯାଜପୁର ଅଫିସ,୨୪ା୪: ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଭାଗବତପୁରସ୍ଥିତ ପ୍ରାୟ ୨୨ ବର୍ଷ ପୁରୁଣା ପ୍ରାଥମିକ ବିଦ୍ୟାଳୟ ଗୃହ ମାଟିରେ ମିଶି ଯାଇଛି। ଏହାକୁ ନେଇ ଭାଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ ପୌରପାଳିକାର ୧୪ ନଂ. ୱାର୍ଡରେ ଥିବା ଭାଗବତପୁର ପ୍ରାଥମିକ ବିଦ୍ୟାଳୟରେ ଆଜକୁ ୨୨ ବର୍ଷ ଧରି ଶିକ୍ଷାଦାନ ଚାଲିଥିଲା। ଏଠାରେ ମୁଖ୍ୟତଃ ଦଳିତ ଶ୍ରେଣୀର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ହେଲେ ଉପସ୍ଥାନ କମ୍ ବୋଲି ଦର୍ଶାଯାଇ ଏହାକୁ ମହାବୀର ଛକ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହାର କେଶ ନଂ. ହେଉଛି ଡବ୍ଲ୍ୟୁପି(ସି)୨୧୨୧୭/୨୦୧୯। ହାଇକୋର୍ଟ ମାମଲାର ବିଚାର କରି ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥାକୁ ପୂର୍ବ ସ୍ଥାନକୁ ଫେରାଇ ଦେବା ପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିକ୍ଷାଧିକାରୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଣଦେଖା କରି ଏକ ୩ ଜଣିଆ ଯୁଗ୍ମ କମିଟି ଦ୍ୱାରା ତଦନ୍ତ କରାଇବା ସହ ଉକ୍ତ ରିପୋର୍ଟକୁ ଜିଲାପାଳଙ୍କ ଜରିଆରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ପୁନଃ ବିଚାର ପାଇଁ ପଠାଇଥିଲେ। ଅନ୍ୟପକ୍ଷରେ ସ୍କୁଲଟି ବନ୍ଦ ହୋଇଯିବା ସୁଯୋଗ ନେଇ ଭାଗବତପୁର ପ୍ରାଥମିକ ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଜଣେ ବଦାନ୍ୟ ବ୍ୟକ୍ତିଙ୍କ ପରିବାର ଲୋକେ ଗତ ୧୯ ତାରିଖ ରାତିରେ ବୁଲ୍ଡୋଜର ଲଗାଇ ଉକ୍ତ ସ୍କୁଲ ଘରଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପରିକି ସ୍କୁଲ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଖାତାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନଷ୍ଟ କରି ଦିଆଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ସ୍କୁଲଟି ଯାଜପୁର ପୌରପାଳିକା ଅଧୀନରେ ଥିଲା। ସରକାରୀ ଅନୁଦାନରେ ଏହି ସ୍କୁଲର ନିର୍ମାଣ କାର୍ଯ୍ୟ ମଧ୍ୟ ହୋଇଥିଲା। ଏଠାରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଥିଲା। କିନ୍ତୁ ସ୍କୁଲଟି ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ପରେ ମଧ୍ୟ ଯାଜପୁର ପୈାରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଦିଗରେ କୌଣସି ପଦକ୍ଷେପ ନ ନେଇ ନୀରବ ରହିବା ସମସ୍ତଙ୍କୁ ଚକିତ କରିଛି ା ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭାଗବତପୁର ଗ୍ରାମର ବାସିନ୍ଦା କିଶୋର ଚନ୍ଦ୍ର ମିଶ୍ର, ଅମିୟ କୁମାର ଦାସ, ରବିନାରାୟଣ ସାହୁ, ସଞ୍ଜୟ କୁମାର ଦାସ, ଶ୍ରୀଧର ସାହୁ, ଅନିରୁଦ୍ଧ ଜେନା, ଶ୍ରୀପଦ ସେଠୀ, ଆନନ୍ଦ ଜେନା, ପ୍ରଶାନ୍ତ ଜେନା, ନଗେନ୍ଦ୍ର ନାରାୟଣ ଜେନା ପ୍ରମୁଖ ଗ୍ରାମବାସୀ ନିର୍ବାହୀ ଅଧିକାରୀଙ୍କ ସମେତ ଘଟଣା ସମ୍ପର୍କରେ ଯାଜପୁର ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏ ଦିଗରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିବା ସହ ଏହା ବିରୋଧରେ ପୁନର୍ବାର ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଗ୍ରାମବାସୀ କହିଛନ୍ତି।
https://www.dharitri.com/prabhas-starr-film-radhe-shyam-teaser-release-date-announce/
ପ୍ରଭାସଙ୍କ ପ୍ରଶଂସକଙ୍କୁ ମିଳିବ ଭାଲେଣ୍ଟାଇନ ଡେ’ ଉପହାର ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସଙ୍କ ଲାଗି ଚଳିତ ବର୍ଷ ଭାଲେଣ୍ଟାଇନ ଡେ’ ସ୍ପେଶାଲ ହେବାକୁ ଯାଉଛି । ତାଙ୍କର ବହୁ ପ୍ରତିକ୍ଷିତ ବହୁଭାଷି ଫିଲ୍ମ ‘ରାଧେଶ୍ୟାମ’ ର ଟିଜର ଭାଲେଣ୍ଟାଇନ ଡେ’ରେ ରିଲିଜ ହେବାକୁ ଯାଉଛି । ନିଜେ ପ୍ରଭାସ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି । ଏହି ପୋଷ୍ଟରରେ ପ୍ରଭାସ ରୋମର ସଡ଼କରେ ବୁଲୁଥିବାର ଦେଖାଯାଇଛି । ଏଥିରେ ସେ ଏକ ଲଭର ବୟ ଭୂମିକାରେ ନଜର ଆସିବେ । ଆଉ ପୂଜା ହେଗଡେଙ୍କ ସହ ରୋମାନ୍ସ କରିବେ । ରାଧେଶ୍ୟାମର ଟିଜର ଭାଲେଣ୍ଟଇନ ଡେ’ ଦିନ ସକାଳ ୯ଟା ୧୮ରେ ରିଲିଜ୍ ହେବ । ପୋଷ୍ଟର ଶେୟାର କରି ପ୍ରଭାସ ଲେଖିଛନ୍ତି, ରାଧେଶ୍ୟାମର ଝଲକ ସହ ଭାଲେଣ୍ଟାଇନ ଡେ’ରେ ଦେଖାହେବ । ଦର୍ଶକେ ପ୍ରଭାସଙ୍କୁ ଏକ ରୋମାଣ୍ଟିକ୍ ଲାଇଟରେ ଦେଖିବାକୁ ଅପେକ୍ଷା ରଖିଛନ୍ତି । ପ୍ରଭାସ ଭାରତରେ ସବୁଠାରୁ ଡିଜାରେବଲ ଅଭିନେତା ହୋଇଥିବା ବେଳେ ତାଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବା ଏକ ଟ୍ରିଟ୍ର ଭଳି ହୋଇଥାଏ । ରାଧେଶ୍ୟାମ ଏକ ବହୁଭାଷି ଫିଲ୍ମ ହୋଇଥିବା ବେଳେ ରାଧା କୃଷ୍ଣ କୁମାର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ପ୍ରଭାସ ଓ ପୂଜା ହେଗଡେଙ୍କ ବ୍ୟତୀତ ସଚ୍ଚିନ ଖେଡକର, ପ୍ରିୟଦର୍ଶି ଭାଗ୍ୟଶ୍ରୀ, ମୁରଲି ଶର୍ମାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାର ମ୍ୟୁଜିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାର ଟିମ୍ ଭିନ୍ନ ଭିନ୍ନ ମାର୍କେଟରୁ ଭିନ୍ନ ଭିନ୍ନ ସଙ୍ଗିତ ନିର୍ଦ୍ଦେଶକଙ୍କୁ ଏକାଥରେ ଆଣିବାକୁ ପ୍ରୟାସ କରିଛନ୍ତି । ଫିଲ୍ମରେ ସବୁ ଗୀତ ଅଲଗା ଅଲଗା ଭର୍ସନରେ ପରସ୍ପରଠାରୁ ଭିନ୍ନ ହେବ । ଯାହାକି ଭାରତୀୟ ସିନେମାରେ ପୂର୍ବରୁ କେବେ ହୋଇ ନ ଥିବା କୁହାଯାଏ ।
https://www.dharitri.com/netherlands-pm-mark-rutte-announces-resignation-after-ruling-coalition-fails-to-agree-on-migration-polic/
ଇସ୍ତଫା ଘୋଷଣା କଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଆମଷ୍ଟରଡାମ,୮।୭: ମିଳିତ ସରକାରରେ ସ୍ଥାନାନ୍ତରଣ ନୀତି ଉପରେ ସହମତି ନ ଥିବାରୁ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ଇସ୍ତଫା ଘୋଷଣା କରିଛନ୍ତି। ସ୍ଥାନାନ୍ତରଣ ନୀତିକୁ ନେଇ ମିଳିତ ଦଳ ମଧ୍ୟରେ ମତଭେଦ ପରେ ଡଚ ସରକାର ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଶୁକ୍ରବାର ରୁଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଙ୍କଟ ଆଲୋଚନାରେ ଏହି ଚାରିଜଣ ସହଯୋଗୀ ଦଳ ସହମତି ପ୍ରକାଶ କରିନାହାନ୍ତି। ମାର୍କଙ୍କ ନେତୃତ୍ୱରେ ମିଳିତ ସରକାର ଦେଢ ବର୍ଷ ପୂର୍ବେ ଗଠିତ ହୋଇଥିଲା, କିନ୍ତୁ କିଛି ସମୟ ପାଇଁ ସ୍ଥାନାନ୍ତରଣ ନୀତିରେ ସରକାରଙ୍କ ସହ ଜଡିତ ଦଳ ମଧ୍ୟରେ ମତଭେଦ ସାମ୍ନାକୁ ଆସୁଥିଲା। ଜରୁରୀକାଳୀନ କ୍ୟାବିନେଟ ବୈଠକ ପରେ ଶୁକ୍ରବାର ସାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମାର୍କ ସରକାରଙ୍କ ପତନକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି କି ସେ ତାଙ୍କ ଇସ୍ତଫା ଶନିବାର ରାଜା ୱିଲିମ-ଆଲେକ୍ସଜାଣ୍ଡାରଙ୍କ ନିକଟରେ ଦାଖଲ କରିବେ। ତେବେ ନୂତନ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ସମସ୍ତ ମନ୍ତ୍ରୀ କାର୍ଯ୍ୟବାହୀ କ୍ୟାବିନେଟ ଭାବରେ କାର୍ଯ୍ୟ ଜାରି ରଖିବେ ବୋଲି ମାର୍କ କହିଛନ୍ତି।
https://www.dharitri.com/ଖରା-ହେଲେ-କମିବ-କରୋନା-ଭାଇରସ/
ଖରା ହେଲେ କମିବ କରୋନା ଭାଇରସ ପ୍ରକୋପ! ଓ୍ବାଶିଂଟନ,୧୪।୩: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୪୫ ଦେଶରେ ବ୍ୟାପିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କି ଖରା ହେଲେ କରୋନା ଭାଇରସ ମରିଯିବ ଓ ଏହାର ପ୍ରକୋପ କମ୍ ହୋଇଯିବ। ହେଲେ ଏହାର କୌଣସି ବୈଜ୍ଞାନିକ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଅନ୍ୟପଟେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) କହିଛି କରୋନା ଭାଇରସ ଯେ କୌଣସି ପାଣିପାଗରେ ତା’ର କାୟା ବିସ୍ତାର କରିପାରେ। ଏହା ଥଣ୍ଡା କିମ୍ବା ଗରମ ପରିବେଶ ଉପରେ ନିର୍ଭର କରେ ନାହିଁ ବୋଲି କହିଛି ଡବ୍ଲୁଏଚ୍ଓ। କାରଣ ଏପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ କାରଣ ଜଣାପଡି ନାହିଁ। କରୋନା ଚିକିତ୍ସା ଲାଗି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଆସିପାରି ନ ଥିବାବେଳେ ଏହି ଭୂତାଣୁ କେଉଁ ପରିବେଶରେ କାୟା ବିସ୍ତାର କରୁଛି ତାହା ମଧ୍ୟ କହିବା ମୁସ୍କିଲ ବୋଲି ମତ ଦେଇଛି ଡବ୍ଲୁଏଚ୍ଓ।
https://www.dharitri.com/dgp-sunil-bansal-will-take-charge-today/
ଆଜି ଦାୟିତ୍ୱ ଗ୍ରହଣ କରିବେ ଡିଜିପି ସୁନୀଲ ବଂଶଲ ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ନବନିଯୁକ୍ତ ଡିଜିପି ସୁନୀଲ ବଂଶଲ ଶୁକ୍ରବାର ଅପରାହ୍ଣରେ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ନେବେ। ଏହି ଅବସରରେ ନୂତନ ଡିଜିପିଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯିବା ସହ ବିଭିନ୍ନ ପୋଲିସ ସଂସ୍ଥାର ଉପରିସ୍ଥ ଅଧିକାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ଜଣାଇବେ । ଏଥିଲାଗି ପୋଲିସ ମୁଖ୍ୟାଳୟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେ ୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସର। ଢେଙ୍କାନାଳ ଓ ମୟୂରଭଞ୍ଜରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗତ ୨୭ ବର୍ଷ ଧରି ବଂଶଲ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଟେଲିଂଜେନ୍ସ ବ୍ୟୁରୋରେ ଦକ୍ଷତାର ସହ କାର୍ଯ୍ୟ ଭାର ତୁଲାଉଥିଲେ।
https://www.dharitri.com/social-preference-in-epidemics/
ମହାମାରୀରେ ସାମାଜିକ ବାଛନ୍ଦ ରୁଦ୍ର ପ୍ରସନ୍ନ ରଥ କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବିଗତ ବର୍ଷରୁ ସଂକ୍ରମିତ କରି ରଖିଛି। ସାରା ଦୁନିଆରେ ଲକ୍ଷ ଲକ୍ଷଙ୍କ ଜୀବନ ଯାଇଛି। କୋଟି କୋଟି ଲୋକ ସଂକ୍ରମିତ ହୋଇ ଯନ୍ତ୍ରଣା ଭୋଗିଛନ୍ତି। ପ୍ରତି ମୁହୂର୍ତ୍ତରେ କେହି ନା କେହି ଆତ୍ମୀୟସ୍ବଜନ ପୀଡ଼ିତ ହେବାର କିମ୍ବା ଚାଲିଯିବାର ଖବର ଆମ ପାଖରେ ପହଞ୍ଚତ୍ଛି। ମଣିଷ ଏବେ ଯେମିତି ଗୋଟିଏ ଆଶଙ୍କାର ବଳୟ ଭିତରେ ଗଣି ଗଣି ନିଃଶ୍ୱାସ ନେଉଛି। ପରିସ୍ଥିତି ଏମିତି ହୋଇଛି ଯେ, ମଣିଷ ଆଜିର ଦିନଟିକୁ ବଞ୍ଚତ୍ୟିବାକୁ ହିଁ ସବୁଠାରୁ ବଡ଼ ଉପଲବ୍ଧି ବୋଲି ଭାବୁଛି। ମଣିଷର ଏହି ଦୁଃଖ, ଦୈନ୍ୟ ଏବଂ ଯନ୍ତ୍ରଣାର କାହାଣୀ ବି ଦୈନିକ ରାଶି ରାଶି ହୋଇ ଲେଖା ହେଉଛି। ଖବରକାଗଜ ପୃଷ୍ଠା ଓଲଟାଇଲେ ଯନ୍ତ୍ରଣାର ଚିତ୍ର ସବୁ ଶବ୍ଦ ମାଧ୍ୟମରେ ଉକୁଟି ଆସୁଛି। ଟେଲିଭିଜନ ପୃଷ୍ଠାରେ ବି ସେଇ ଏକା କଥା। କରୋନା ବିରୋଧରେ ମଣିଷର ସଂଘର୍ଷର କାହାଣୀ ଦେଖି ଆଖିରୁ ଲୁହ ନିଗିଡି ଆସୁଛି। ପ୍ରକୃତିର କୋପ ଆଗରେ ମଣିଷ ସତରେ ଅସହାୟ, ପ୍ରକୃତିଗତ ବିଭୀଷିକା ଆଗରେ ମଣିଷର ପ୍ରସ୍ତୁତିଯେ କେତେ ନୂ୍ୟନ, ତାହା ବାରବାର ପ୍ରମାଣିତ ହୋଇଛି। ଏହି ମର୍ମରେ ଏତେ ଲେଖାଯାଇଛି ଆଉ ଏତେ ଦେଖାଯାଇଛି ଯେ, ବୋଧହୁଏ କରୋନାକୁ ନେଇ ଆଉ ବିଶେଷ କିଛି ଲେଖାହେବାର କିମ୍ବା ଦେଖାହେବାର ଆବଶ୍ୟକତା ନାହିଁ ଏକଥା ଜଣେ ଲେଖକର ପ୍ରଥମ ଅନୁଭବ ହେବ। ତେବେ ଟିକିଏ ନିରେଖି ଦେଖିଲେ ତଥାପି କରୋନାର ଗୋଟିଏ ଦିଗ ଉପରେ ସବୁଠାରୁ କମ୍ ଲେଖା ହୋଇଛି ବୋଲି ଯେ କେହି ସ୍ବୀକାର କରିବ। ସେ ଦିଗଟି ହେଉଛି କରୋନାକୁ ନେଇ ସାମାଜିକ ବାଛନ୍ଦ। କାଳର କରାଳଗତିରେ କରୋନାର ପ୍ରକୋପ ଯେତେ ଯେତେ ବଢ଼ି ବଢ଼ି ଚାଲିଛି, କରୋନାକୁ ନେଇ ସାମାଜିକ ବାଛନ୍ଦ ବି ସେତିକି ବଢ଼ି ବଢ଼ି ଚାଲିଛି। ଅଥଚ ଏ ନେଇ କେହି ବିବ୍ରତ ହେବା ପରି ଲାଗୁନାହିଁ। ଅବଶ୍ୟ ସାରା ଦେଶରେ ଯେଉଁଠି ରୋଗୀମାନେ ଭେଣ୍ଟିଲେଟର, ଅକ୍ସିଜେନ୍ ଆଉ ବେଡ୍ ପାଇଁ ସଂଘର୍ଷ କରୁଛନ୍ତି, ସେଠି କରୋନାଜନିତ ସାମାଜିକ ବାଛନ୍ଦର ପ୍ରଶ୍ନ କିଏ ଉଠାଇବ, କାହିଁକି ବା ଉଠାଇବ? ତେବେ କରୋନାଜନିତ ସାମାଜିକ ବାଛନ୍ଦକୁ ଅସ୍ବୀକାର କରାଯାଇପାରିବ ନାହିଁ। ସାଧାରଣତଃ ସାମାଜିକ ବାଛନ୍ଦ ଏକ ବିଯୁକ୍ତାତ୍ମକ ମାନସିକତା, ଯାହା ଗୋଟିଏ ଗୋଷ୍ଠୀ ସହ ରୋଗକୁ ଯୋଡ଼ି ଆରମ୍ଭ କରାଯାଇଥାଏ। ସାଧାରଣତଃ ସମାଜର ଏକ ବଳିଷ୍ଠ, କ୍ଷମତାଶାଳୀ ଏବଂ ପ୍ରଭାବୀବର୍ଗ ନିଜ ସ୍ଥାନକୁ ସୁରକ୍ଷିତ ରଖିବାକୁ ଯାଇ ସମାଜର ଗରିବ ଦଳିତ ଏବଂ ନିଷ୍ପେଷିତ ଗୋଷ୍ଠୀ ସହ ଗୋଟିଏ ରୋଗକୁ ଯୋଡ଼ି ଦେଇଥାଆନ୍ତି। ଏହା ଏପରି ହୋଇଥାଏ, ସତେ ଯେପରି ସେହି ବଞ୍ଚତ୍ତ ଗୋଷ୍ଠୀ ଯୋଗଁୁ ହିଁ ରୋଗର ଆରମ୍ଭ ଏବଂ ବିସ୍ତାର ହୋଇ ଚାଲିଛି। ସେହି ଗୋଷ୍ଠୀଟି ରୋଗରେ ପଡିଥିବାର ଦେଖିଲେ ଲୋକ ତାଙ୍କୁ ସାହାଯ୍ୟ କରିବା ତ ଦୂରର କଥା, ବରଂ ତାଙ୍କ ଉପରେ ଏପରି କଟକଣା ସବୁ ଲାଗୁ କରନ୍ତି ଯେ ସେ ଗୋଷ୍ଠୀ ସାହାଯ୍ୟ ପାଇବା ତ ଦୂରର କଥା ବରଂ ବିନା ଚିକିତ୍ସାରେ ସେଠାରେ ଯନ୍ତ୍ରଣା ଏପରିକି ମୃତ୍ୟୁ ମଧ୍ୟ ଭୋଗ କରନ୍ତି। ସଂଖ୍ୟାଲଘୁ, ଦଳିତ, ବିଧବା ମହିଳା, ଶିଶୁ, ଏକୁଟିଆ ରହୁଥିବା ମହିଳା ତଥା ସ୍ବଳ୍ପ ଭୂମିହୀନମାନେ ଏହି ବାଛନ୍ଦର ଶିକାର ହୁଅନ୍ତି। ଅନେକ ସମୟରେ ଆମ ସାମାଜିକ ଏବଂ ରାଜନୈତିକ ବିଧିବ୍ୟବସ୍ଥା ଏହି ବାଛନ୍ଦ ବ୍ୟବସ୍ଥାରେ ନିଆଁରେ ଘିଅ ଢାଳିବା ପରି କାମ କରିଥାଏ। କିଛି ଉଦାହରଣ ଦେଲେ ଏହି ବାଛନ୍ଦକୁ ଭଲ ଭାବେ ବୁଝିହେବ। କରୋନାର ପ୍ରଥମ ଲହର ସମୟରେ ଚାଇନାଫେରନ୍ତା ଲୋକଙ୍କୁ ଭାରତରେ ଘୃଣା କରାଯାଉଥିବାବେଳେ, ସୁରଟଫେରନ୍ତା ଲୋକଙ୍କୁ ଓଡ଼ିଶାରେ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଥିଲା। ସେହିପରି ସହରରୁ ଗାଁକୁ ଯାଉଥିବା ସବୁ ଲୋକ କରୋନା ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା। ରୋଗକୁ ନେଇ ସାମାଜିକ ବାଛନ୍ଦର ଭାବ ଏତେ ତୀବ୍ରଥିଲା ଯେ, ଏଥିରେ ଡାକ୍ତର ଏବଂ ଛାମୁଆ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ବାଛନ୍ଦର ଶିକାର ହୋଇଥିଲେ। ନୂଆଦିଲ୍ଲୀ ପରି ସହରରେ ଡାକ୍ତରମାନଙ୍କୁ ବିରୋଧ କରାଯାଇଥିଲା। ସ୍ବାସ୍ଥ୍ୟସେବା ସାରି ଘରକୁ ଫେରୁଥିବା ଡାକ୍ତରମାନଙ୍କୁ କେଉଁଠି ଆପାର୍ଟମେଣ୍ଟରେ ପଶିବାକୁ ବାରଣ କରାଯାଉଥିଲା ତ ଆଉ କେଉଁଠି ସେମାନଙ୍କୁ ଭଡ଼ାଘର ଖାଲି କରିବାକୁ ମାଲିକମାନେ ତାଗିଦ କରୁଥିଲେ। କରୋନାକୁ ଭଲ ଭାବେ ବୁଝି ନ ପାରିବା, ମିଥ୍ୟା ତଥ୍ୟ, ଜାଲି ଖବର ଏହି ସାମାଜିକ ବାଛନ୍ଦର ମୂଳପିଣ୍ଡ ପାଲଟେ। ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ସଙ୍ଗେ ସଙ୍ଗେ ବାଛନ୍ଦର ନୂଆ ସ୍ବରୂପ ସବୁ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଆରମ୍ଭ କଲେଣି। ଆପାର୍ଟମେଣ୍ଟର ନୋଟିସ୍ ବୋର୍ଡରେ ମାଳୀ, ରୋଷେଇଆ, ଘରୋଇ ସହାୟକମାନଙ୍କୁ ଆସିବାକୁ ମନା କରାଗଲାଣି। କରୋନା ଯେ ଧର୍ମ, ଲିଙ୍ଗ କିମ୍ବା ସାମାଜିକ ପ୍ରତିପତ୍ତିକୁ ଦେଖି ସଂକ୍ରମଣ କରେ ନାହିଁ, ଏକଥା ଏହି ପାଠୁଆ ଅଥଚ ଅବିବେକୀ ଲୋକ ବୁଝିବାକୁ ନାରାଜ। ଦୁଃଖର କଥା ଏଇଆ ଯେ, ପାଠ ପଢ଼ିଥିବା ଲୋକ ହିଁ ଏହିସବୁ ବାଛନ୍ଦ ବ୍ୟବସ୍ଥାର ସୂତ୍ରଧର ସାଜିଛନ୍ତି। ରୋଗ ଯେ ଗରିବ, ସଂଖ୍ୟାଲଘୁ, ଦଳିତ ଏବଂ ଦିନ ମଜୁରିଆଙ୍କ ଦ୍ୱାରା ବ୍ୟାପେ, ଏ ଉକ୍ତିର ଅନ୍ଧ ସମର୍ଥକଙ୍କ ସଂଖ୍ୟା ବି ପ୍ରବଳ। ସରକାରଙ୍କର ବାଛନ୍ଦକୁ ଏଡ଼ାଇବାକୁ ସମସ୍ତ ସଚେତନତା ଏମାନଙ୍କ ପାଇଁ କାଲା ଆଗରେ ମୂଳା ଚୋବାଇବା ପରି। ହୁଏତ ଏମାନେ କରୋନାରେ ସଂକ୍ରମିତ ନ ହୋଇ ପାରନ୍ତି, କିନ୍ତୁ ଅବିବେକିତା ଏବଂ ଅମାନବିକତାର ଦଂଶନରେ ବେଶ୍ ସଂକ୍ରମିତ। କରୋନା ପରି ମହାମାରୀକୁ ହରାଇବାକୁ ହେଲେ ମଣିଷ ସମାଜକୁ ଏକାଠି ହେବାକୁ ପଡ଼ିବ। ରୋଗ ଭିତ୍ତିରେ ବାଛନ୍ଦ ବ୍ୟବସ୍ଥାକୁ ହଟାଇବାକୁ ପଡିବ। ଯେ ଯାଏ ଆମେ କରୋନା ବିରୋଧରେ ନ ଲଢ଼ି ଲୋକଙ୍କ ବିରୋଧରେ ଲଢ଼ୁଥିବା, ସେଯାଏ କରୋନା ଅଟ୍ଟହାସ୍ୟ କରି ଚାଲିଥିବ, ଆଉ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲୁଥିବ। କରୋନା ବିରୋଧରେ ମଣିଷର ଲଢ଼େଇ କେବେ ଶେଷ ହେବ କେହି ଜାଣେନା। କିନ୍ତୁ ଏ ଲଢ଼େଇର ଆରମ୍ଭ ସାମାଜିକ ବାଛନ୍ଦ ବିରୋଧରେ ଆରମ୍ଭ କରାଗଲେ କ୍ଷତି କ’ଣ? ଧବଳଗିରି, ଯାଜପୁର ରୋଡ
https://www.dharitri.com/indian-panorama-2023-the-story-of-satbhaya-oriya-film-the-sea-and-seven-villages-selected-in-non-feature-category/
ଇଣ୍ଡିଆନ ପାନୋରାମା ୨୦୨୩ରେ ସାତଭାୟାର କାହାଣୀ: ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’ ଚୟନ… ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୧୦: ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି। ଏହି ଓଡିଆ ଡକ୍ୟୁମେଣ୍ଟାରୀ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ହିମାଂଶୁଙ୍କ ଦ୍ୱାରା କରାଯାଇଥିବା ଏକ ସମ୍ପୂର୍ଣ୍ଣ ଗବେଷଣା କାର୍ଯ୍ୟର ଫଳାଫଳ। ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ଏହାର ପ୍ରଭାବ ବିଷୟରେ ନିର୍ଦ୍ଦେଶକ ତଥ୍ୟ ସମ୍ବଳିତ ଫିଲ୍ମାଙ୍କନ କରିଛନ୍ତି। ଡକ୍ୟୁମେଣ୍ଟାରୀରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଡ୍ୟୁସର ଇତି ସାମନ୍ତ ଥିବାବେଳେ କାଦମ୍ବିନୀ ମିଡିଆ ବ୍ୟାନରରେ ଅଚ୍ୟୁତା ସାମନ୍ତଙ୍କ ଦ୍ୱାରା ଏହା ଉପସ୍ଥାପିତ ହୋଇଛି । ଏହା ପୂର୍ବରୁ କେରଳରେ ଅନୁଷ୍ଠିତ ହୋଇଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଫିଲ୍ମ ଊତ୍ସବ(ଆଇଡିଏସଏଫଏଫକେ)ରେ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସାତଭାୟ ଏକଦା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ପାଞ୍ଚଟି ଗାଁ ସମୟ ସହିତ ଧୋଇ ହୋଇ ଯାଇଛି।
https://www.dharitri.com/କେରଳ-ପର୍ଯ୍ୟଟନ-ଶିଳ୍ପରେ-ଛା/
କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା ତିରୁଭାନନ୍ତପୁରମ୍,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଦୌଡ ପ୍ରତିଯୋଗିତା। ଏହାକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନାର ସହିତ ପାରମ୍ପରିକ ଢ଼ଙ୍ଗରେ ପାଳନ କରାଯାଇଥାଏ। ଦେଶ ବିଦେଶରୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। କିନ୍ତୁ ଚଳିତବର୍ଷ କେରଳରେ ସବୁକିଛି ଯେମିତି ଫିକା ପଡିଯାଇଥିଲା। ଏଥର ନୌକାଗୁଡ଼ିକ ପାଣିରେ ଦୌଡୁ ନ ଥିଲେ। ବରଂ ନଦୀ କଡ଼ରେ ଛିଡା ହୋଇଥିବାର ଦେଖାଯାଇଥିଲା। ଯେକୌଣସି ବୋଟ୍ ମାଲିକଙ୍କୁ ପଚାରିଲେ ମାନ୍ଦାବସ୍ଥାକୁ ସମସ୍ତଙ୍କର ଗୋଟିଏ ମତ ‘ବ୍ୟବସାୟ ବୁଡିଯାଉଛି। ଲାଭ କମୁଛି ଏବଂ ପ୍ରତ୍ୟେକେ ଋଣରେ ବୁଡ଼ିଗଲେଣି।’ଚଳିତବର୍ଷ କେରଳ ପର୍ଯ୍ୟଟନ ଶିଳ୍ପରେ କିଭଳି ମାନ୍ଦାବସ୍ଥାର ମାଡ଼ ବାଜିଛି, ଏହା ହେଉଛି ତା’ର ସ୍ପଷ୍ଟ ଚିତ୍ର। ଜଣେ ବୋଟ୍ ମାଲିକ ସୁବିନଙ୍କ ମତରେ ଦୁଇବର୍ଷ ପୂର୍ବେ କେରଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ଯୋଗୁ ବୋଟ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂଣ୍ଣର୍ର୍ ଭାବେ ପ୍ରଭାବିତ ହୋଇଥିଲା। ମାସ ଭିତରେ ପୁଣିଥରେ ମୁଣ୍ଡଟେକି ଛିଡା ହେଲା ବେଳକୁ ସରକାର ଦେଶରେ ଜିଏସ୍ଟି ଲାଗୁ କରିଦେଲେ। ଫଳରେ ଡଙ୍ଗା ତିଆରି ଖର୍ଚ୍ଚ ବଢ଼ିଗଲା। ମାନ୍ଦାବସ୍ଥା କାରଣରୁ ଏବେ ନୂଆ ଡଙ୍ଗା ତିଆରି କରିବା ଲାଗି କାହା ନିକଟରେ ଅର୍ଥ ନାହିଁ। ବନ୍ୟା ପରେ ମାନ୍ଦାବସ୍ଥା କାରଣରୁ ପର୍ଯ୍ୟଟକ ଆଉ କେରଳ ମୁହା ହେଉନାହାନ୍ତି। ଏବେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଆୟ ନାହି କହିଲେ ଚଳେ। ଏହି କାରଣରୁ କର୍ମଚାରୀଙ୍କୁ ବାନ୍ଧି ରଖିବା ଡଙ୍ଗା ମାଲିକଙ୍କ ପକ୍ଷେ କଷ୍ଟକର ହୋଇପଡିଛି। ଦେଖିବାକୁ ଗଲେ କେରଳ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ମାନ୍ଦାବସ୍ଥା କାରଣରୁ ଏବେ ପ୍ରଭାବିତ ବୋଲି ସେ କହିଛନ୍ତି। ଜଣେ ବୋଟ୍ ମାଲିକ ସୁବିନଙ୍କ ମତରେ ୫ ବର୍ଷ ପୂର୍ବେ ଗୋଟିଏ ହାଉସ ବୋଟ୍ ତିଆରି କରିବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଏଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗୁଛି। ଘର, ଜମି ବନ୍ଧା ରଖି ସେ ଡଙ୍ଗା ତିଆରି କରିଛନ୍ତି। ମାନ୍ଦାବସ୍ଥା କାରଣରୁ ପର୍ଯ୍ୟଟକ ଆସୁ ନ ଥିବାରୁ ଋଣ ପରିଶୋଧ ନେଇ ସେ ଚିନ୍ତିତ ଥିବା କହିଛନ୍ତି। ସେହିପରି ଆୟ କମିଯିବା କାରଣରୁ ଏବେ ହାଉସ ବୋଟ୍ ମାଲିକ ଷ୍ଟାଫ୍ଙ୍କୁ ମାସିକ ଦରମାରେ ନିଯୁକ୍ତି ଦେଇପାରୁନାହାନ୍ତି। ୧୦ବର୍ଷ ପୂର୍ବେ ହାଉସବୋଟ୍ରେ କାମ କରୁଥିବା ଅନୀଷ ମାସକୁ ୨୦ ହଜାର ଟଙ୍କା ଦରମା ପାଉଥିଲେ। ଏବେ ତାଙ୍କୁ ଦୈନିକ ୭୦୦ ଟଙ୍କା ମଜୁରୀରେ କାମ କରିବାକୁ ପଡ଼ୁଛି। ପୂର୍ବେ ଗୋଟିଏ ହାଉସ ବୋଟ୍ ନଦୀରେ ୨୨ଥର ଚକ୍କର ମାରୁଥିଲା। ଏବେ ମାସକୁ ୩/୪ଥର ଚକ୍କର ମାରିବା କଷ୍ଟକର ହୋଇପଡିଛି। ଅନୀଷଙ୍କ କହିବାନୁଯାୟୀ, ଗତ ୫ ଦିନ ହେବ ତାଙ୍କ ନିକଟରେ କୌଣସି କାମ ନାହିଁ। କାମ ପାଇବା ଲାଗି ଘର ଛାଡ଼ି ବାହାରକୁ ଯିବା ସ୍ଥିତିରେ ମଧ୍ୟ ସେ ନାହାନ୍ତି। ଏଭଳି ସ୍ଥିତିରେ ତାଙ୍କ ଉପରେ ଭାରି ଉପରେ ଋଣ ବୋଝ। ବାଧ୍ୟ ହୋଇ ସେ ତାଙ୍କ ସ୍ତ୍ରୀଙ୍କ ସୁନା ଗହଣା ବିକ୍ରି କରିଛନ୍ତି। ଇଂଲିଶ୍ ମିଡିୟମରେ ପଢ଼ୁଥିବା ପିଲାଙ୍କୁ ଏବେ ସେ ସରକାରୀ ସ୍କୁଲ୍ରେ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଅନୀଷ କହିଛନ୍ତି।
https://www.dharitri.com/pks-advice-is-that-the-congress-is-learning-to-behave-like-the-opposition/
ପିକେଙ୍କ ପରାମର୍ଶ, ବିରୋଧୀ ଦଳଙ୍କ ଭଳି ଆଚରଣ ଶିକ୍ଷାଲାଭ କରୁ କଂଗ୍ରେସ… ନୂଆଦିଲ୍ଲୀ, ୧୨।୫ : ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କଂଗ୍ରେସ ବିରୋଧୀ ଦଳ ଭଳି ଆଚରଣ ଶିକ୍ଷାଲାଭ କରିବା ଆବଶ୍ୟକ। ଇଣ୍ଡିଆନ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରଶାନ୍ତ କିଶୋର କଂଗ୍ରେସ ଦଳ ସହ ହୋଇଥିବା ଆଲୋଚନା ଏବଂ କଂଗ୍ରେସକୁ କିପରି ପୁନର୍ଜୀବିତ କରାଯିବ ସେନେଇ ଏଭଳି କହିଛନ୍ତି। କଂଗ୍ରେସ ଦଳର ନେତାମାନେ ଅନୁଭବ କରୁଛନ୍ତି ଯେ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବା ପରେ ଲୋକମାନେ କଂଗ୍ରେସକୁ ଭୋଟ ଦେବେ ଏବଂ ସେମାନେ ସରକାରଙ୍କ ନିକଟକୁ ଆସିବେ, ତେବେ ଏହି ଚିନ୍ତାଧାରା ଠିକ ନୁହେଁ। ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ଦଳ ଭାବନ୍ତି ଯଦି ଭାଜପାକୁ ପରାସ୍ତ କରିହେବ ତେବେ ଭୁଲ ଅଟେ। ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦଳ ଭାଜପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ନାହିଁ। ଯଦି ବଳିଷ୍ଠ଼ ମିଳିତ ମଞ୍ଚ ଗଠନ କରି ଭାଜପାକୁ ଚ୍ୟାଲେଞ୍ଜ କରା ନଯାଏ, ତେବେ ଏହାକୁ ପରାଜିତ କରିବା ଲାଗି ଅଧିକ ସମୟ ଲାଗିବ। କଂଗ୍ରେସ ଏହି ମାନସିକତାରୁ ବାହାରକୁ ଆସିବା ଆବଶ୍ୟକ ଯେ ସେମାନେ ଆଉ କ୍ଷମତାରେ ନାହାଁନ୍ତି। କଂଗ୍ରେସ ଉପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଦଳ ଏପର୍ଯ୍ୟନ୍ତ କ୍ଷମତାରେ ନ ଥିବାରୁ ଏହି ମାନସିକତାରୁ ବାହାରି ଆସିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ସେ କହିଛନ୍ତି, କ୍ଷମତାରେ ଥିବା ଏକ ଦଳ ବିରୋଧୀ ଦଳ ଅପେକ୍ଷା ଅଧିକ ମିଡିଆ କଭରେଜ ପାଇଥାଏ। କଂଗ୍ରେସ ଏବେ ଯାହାବି କରୁଛି ତାହାର ଅଧିକ ମିଡ଼ିଆ କଭରେଜ୍ ମିଳି ପାରୁନାହିଁ। ଏହା ଏକ ଶାସକ ଦଳର ମାନସିକତାକୁ ପ୍ରତିଫଳିତ କରିଥାଏ, ଯାହା ଏପର୍ଯ୍ୟନ୍ତ ବିରୋଧୀ ଦଳ ହେବାର ସ୍ଥିତିକୁ ଆସିନାହିଁ ବୋଲି ସେ କହିଛନ୍ତି।
https://www.dharitri.com/big-step-for-child-tourists-in-hill-view/
ହିଲ୍‌ ଭ୍ୟୁ’ରେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ବଡ଼ ପଦକ୍ଷେପ, ଛୁଟି ଦିନରେ ବି କାର୍ଯ୍ୟ ତଦାରଖ କଲେ ବିଡିଓ ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଏବେ ସଜେଇ ହେବାରେ ଲାଗିଛି। ଆସନ୍ତା ପୂଜା ଋତୁରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ସୁଅ ଛୁଟିବ। ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ତଥା ଡୁଲୁରୀ ପାଇନବଣଠାରୁ ଆରମ୍ଭ କରି ହିଲ୍ଭିୟୁ ପାର୍କ, ଋଷିମାଳ ପାହାଡ଼ ଆଦି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ହିଲଭିୟୁ ପାର୍କ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଥିବା ବେଳେ ସେହି ପାର୍କ ପରିସର ମଧ୍ୟରେ ଓ୍ବାଚ୍ ଟାଓ୍ବାର ରହିଛି ଏବଂ ଏବେ ଆଉ ଏକ ଉଚ୍ଚତମ ଓ୍ବାଚ୍ ଟାଓ୍ବାର ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ଶିଶୁ ଉଦ୍ୟାନ ରହିଥିବା ବେଳେ ଦୀର୍ଘ ସମୟ ଧରି ଟୟ ଟ୍ରେନ୍ ଅଚଳ ହୋଇଯାଇଥିବାରୁ ଶିଶୁ ପର୍ଯ୍ୟଟକ ମୁହଁ ଫେରାଉଥିଲେ। ସେମାନଙ୍କୁ ଆକୃଷ୍ଟ ପାଇଁ ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଏବଂ ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନଙ୍କ ପଦକ୍ଷେପରେ ଏବେ ନୂତନ ଟୟ ଟ୍ରେନ୍ ସ୍ଥାପନ କରାଯାଉଛି। ଯାହାକି ୧୦ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇଛି। ଯାହାଦ୍ୱାରା ଶିଶୁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ଆଶା ପ୍ରକାଶ ପାଇଛି। ସେହିପରି ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ୫ଟି ବିଶ୍ରାମଗୃହ, ପିଣ୍ଡି,, ସିମେଣ୍ଟ ବେଞ୍ଚ, ମିଶନଶକ୍ତି ଷ୍ଟଲ୍, ରାତ୍ରିଜଗୁଆଳି ଗୃହ, ଗୋଷ୍ଠୀ ଶୌଚାଳୟ, ସେଲ୍ଫି ଜୋନ୍, ଟିକେଟ କାଉଣ୍ଟର, କିଡ୍ସ ଜୋନ୍, ପାନୀୟଜଳର ବ୍ୟବସ୍ଥା, ମୁଖ୍ୟ ଫାଟକ, ତାରବାଡ଼ ଆଦି କାର୍ଯ୍ୟ ଚାଲିଛି। ଏହାର ତଦାରଖ କରିଛନ୍ତି ବିଡିଓ ଗଦାଧର ପାତ୍ର। ନିଜେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଏହି ପ୍ରକଳ୍ପଗୁଡିକୁ ଛୁଟି ଦିନରେ ମଧ୍ୟ ବୁଲି ଦେଖିଛନ୍ତି। ସେହିପରି ଋଷିମାଳର ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି। ସେ କହିଛନ୍ତି, ଏହି ସବୁ କାର୍ଯ୍ୟ ପର୍ଯ୍ୟଟକଙ୍କ ଆଗମନ ପୂର୍ବରୁ ଶେଷ କରାଯିବା ପାଇଁ ପ୍ରୟାସ କରାଯାଉଛି। ଯାହାକି ଆସନ୍ତା ଦିନରେ ପର୍ଯ୍ୟଟକଙ୍କୁ ସମସ୍ତ ପର୍ଯ୍ୟଟନକ୍ଷେତ୍ର ବୁଲିବାକୁ ଆଗ୍ରହ ଲାଗିବା ସହ ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ବିଡିଓ କହିଛନ୍ତି।
https://www.dharitri.com/hamilton-is-the-fastest-in-practice/
ପ୍ରାକ୍ଟିସ୍‌ରେ ହାମିଲଟନ ଦ୍ରୁତତମ ସ୍ପିଲବର୍ଗ (ଅଷ୍ଟ୍ରିିଆ), ୪ା୭ (ଏପି): ସିଜନ ଓପନିଂ ଫର୍ମୁଲାଓ୍ବାନ୍ ରେସ୍ ଅଷ୍ଟ୍ରିିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ୍ ସେସନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫର୍ମୁଲାଓ୍ବାନ୍ ବିଶ୍ୱ ଚାମ୍ପିୟନ ଲୁଇସ୍ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ସ୍ପିଲବର୍ଗର ରେଡ୍ବୁଲ୍ ରିଙ୍ଗ୍ ସର୍କିଟ୍ରେ ୪.୩ କିଲୋମିଟର (୨.୭ ମାଇଲ୍) ବିଶିଷ୍ଟ ରେସ୍ରେ ବ୍ରିଟିଶର ଏହି ଡ୍ରାଇଭର ତାଙ୍କ ମର୍ସିଡିଜ ଟିମ୍ମେଟ୍ ଭାଲ୍ଟେରୀ ବୋଟାସଙ୍କୁ .୩୫୬ ସେକେଣ୍ଡ ଟାଇମିଂ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଠାରେ ଅତୀତର ଦୁଇଟି ରେସ୍ ଜିତିଥିବା ରେଡ୍ବୁଲ୍ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍ ହାମିଲ୍ଟନ୍ଙ୍କଠାରୁ .୬୦୨ ସେକେଣ୍ଡ ପଛରେ ତୃତୀୟ ଦ୍ରୁତତମ ହୋଇଥିଲେ। ଫେରାରିର ଦୁଇ ଡ୍ରାଇଭରଙ୍କୁ ସ୍ପିଡ୍ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଚାଲର୍ସ ଲେକ୍ରେକ୍ ୧୦ମ ଏବଂ ସେବିଷ୍ଟିଆନ ଭେଟେଲ ୧୨ତମ ସ୍ଥାନ ଅଧିକାର କରିଥିଲେ। ଫେବୃୟାରୀ ପ୍ରି-ସିଜନ ଟେଷ୍ଟିଂ ବେଳେ ଫେରାରି ଯେଉଁ କାର୍ ବ୍ୟବହାର କରିଥିଲା, ଏଠାରେ ଅପ୍ଗ୍ରେଡ୍ ନ କରି ସେହି ସମାନ କାର୍ ବ୍ୟବହାର କରିଥିଲା। ଅନ୍ୟପକ୍ଷରେ ମର୍ସିଡିଜ ଏବଂ ଅନ୍ୟ ଟିମ୍ଗୁଡ଼ିକ ସେମାନଙ୍କ କାର୍ର ଅପ୍ଗ୍ରେଡ୍ କରିଥିଲେ।
https://www.dharitri.com/the-bjd-mp-met-the-union-health-minister/
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍‌ପି ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟର ଆଶାକର୍ମୀମାନଙ୍କର ଦରମା ବୃଦ୍ଧି ନେଇ ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ଯ୍ୟାଳୟରେ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ନେତୃତ୍ୱରେ ୫ ଜଣ ବିଜେଡି ଏମ୍ପି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏମ୍ପି ମହେଶ ସାହୁ, ପ୍ରମିଳା ବିଶୋଇ, ମଞ୍ଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଆଶାକର୍ମୀମାନଙ୍କୁ ବେତନ ଓ ସରକାରୀ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସୁବାସ ସିଂ କହିଥିଲେ, କରୋନା ସମୟରେ ଆଶାକର୍ମୀ ନିଜ ଜୀବନକୁ ବିପନ୍ନ କରି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଦିନକୁ ୧୫ଘଣ୍ଟା କାମ କରି ମଧ୍ୟ ମାସକୁ ୫ହଜାର ଟଙ୍କା ମିଳୁନାହିଁ। ଏହାଦ୍ୱାରା ଆଶାକର୍ମୀଙ୍କ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ତଥା ସୁରକ୍ଷା ବିପନ୍ନ ହେଉଛି। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହିତ ପେନ୍ସନ, ପିଲାଙ୍କ ପାଠପଢ଼ା, ଗସ୍ତ ଖର୍ଚ୍ଚ ତଥା ମାସକୁ ୧୮ହଜାର ଟଙ୍କା ଦରମା ଯୋଗାଇ ଦେବା ନିହାତି ଜରୁରୀ ବୋଲି ସିଂ ଦର୍ଶାଇଛନ୍ତି। ବିଜେଡି ଏମ୍ପି ସୁବାସ ସିଂ ଗୃହର ଶୂନ୍ୟକାଳରେ ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ଓ ସପ୍ତମ ବେତନ କମିଶନ ଦେବା ପାଇଁ ବାରମ୍ବାର ଦାବି କରି ଆସିଛନ୍ତି। ଚଳିତ ଶୀତ ଅଧିବେଶନରେ ସଂସଦ ଗୃହକାର୍ଯ୍ୟ ପ୍ରାୟତଃ ମୁଲତବୀ ରହୁଥିବାରୁ ଗୃହର ଶୂନ୍ୟକାଳରେ ଆଶାକର୍ମୀଙ୍କୁ ସପ୍ତମ ବେତନ କମିଶନରେ ମାସିକ ୧୮ହଜାର ଟଙ୍କା ଲାଗୁ ଓ ସରକାରୀ ମାନ୍ୟତା ଦାବି ପ୍ରସଙ୍ଗ ଉଠିପାରି ନ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି କେନ୍ଦ୍ରକୁ ଆଶାକର୍ମୀଙ୍କ ବେତନ ବୃଦ୍ଧି ଓ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପତ୍ର ଲେଖି ଆସୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ବର୍ତ୍ତମାନ ଆଶାକର୍ମୀଙ୍କ ବେତନକୁ ୬୦ ପ୍ରତିଶତ ଦେଉଥିବାବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ପ୍ରଦାନ କରୁଛନ୍ତି। ଓଡ଼ିଶା ସରକାର ଆଶାକର୍ମୀଙ୍କୁ ମାସକୁ ୧ହଜାର ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରୁଛନ୍ତି।
https://www.dharitri.com/the-chairman-did-not-change-because-there-was-no-rival/
ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ବଦଳିଲେନି ଅଧ୍ୟକ୍ଷ ଭୁବନେଶ୍ୱର,୨୨ା୬ (ବନ୍ଦନା ସେଠୀ)ଶାନ୍ତି ଶୃଙ୍ଖଳାରେ ସରିଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ। ବୁଧବାର ବିଏମ୍ସି ମୁଖ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବଦଳିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ଯେଉଁମାନେ ପୂର୍ବରୁ ଅଧ୍ୟକ୍ଷ ଥିଲେ, ପୁନର୍ବାର ସେମାନେ ସମାନ ଉପବିଭାଗଗୁଡିକର ଅଧ୍ୟକ୍ଷ ରହିଛନ୍ତି। ନିୟମ ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷମାନେ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି କର୍ପୋରେଟର ନାମାଙ୍କନ ଦାଖଲ କରି ନ ଥିଲେ। ତେଣୁ ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ନାମାଙ୍କନପତ୍ରଗୁଡିକୁ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ପ୍ରତ୍ୟାହାର ପାଇଁ ସମୟ ଘୋଷଣା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନ ଥିଲେ କିମ୍ବା କୌଣସି କମିଟି ଅଧ୍ୟକ୍ଷ ପଦ ପାଇଁ ଏକାଧିକ ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ନିର୍ବାଚନରେ ଡେପୁଟି ମେୟର ମଞ୍ଜୁଲତା କଅଁର, ସ୍ବତନ୍ତ୍ର କର୍ପୋରେଶନ ଅଧିକାରୀ ଡେପୁଟି କମିଶନର ସପନ କୁମାର ନନ୍ଦ ଏବଂ ଆସିଷ୍ଟାଣ୍ଟ କମିଶନର ଏନ. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ବୁଝାଇବା ପରେ ମାନ ଭାଙ୍ଗିଲେ କମିଟି ଅଧ୍ୟକ୍ଷ ଷ୍ଟାଣ୍ଡିଂ କମିଟି ମଧ୍ୟରେ ଏଷ୍ଟାବ୍ଲିଶ୍ମେଣ୍ଟ କମିଟି ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗିରହିଥିଲା। ସମ୍ପୃକ୍ତ ବିଭାଗ ଅଧ୍ୟକ୍ଷ କୁମାରେନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ନିର୍ବାଚନରେ ସାମିଲ ହେବେ ନାହିଁ ବୋଲି କୁମାରେନ୍ଦ୍ର ସଫା ସଫା ଶୁଣାଇ ଦେଇଥିଲେ। ତେବେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ମେୟର ଏବଂ ଅନ୍ୟ କର୍ପୋରେଟରମାନେ କୁମାରେନ୍ଦ୍ରଙ୍କୁ ବୁଝାଇଥିଲେ। ଶେଷରେ ସମସ୍ତ କର୍ପୋରେଟରଙ୍କ ସମର୍ଥନ ଏବଂ ମେୟରଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ କୁମାରେନ୍ଦ୍ର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ। ମେଡିକାଲରୁ ନାମାଙ୍କନ ପତ୍ର ପଠାଇଲେ ପ୍ରେମାନନ୍ଦ ଲାଇସେନ୍ସ ଏବଂ ଅପିଲ ଷ୍ଟାଣ୍ଡିଂ କମିଟି ପାଇଁ ୱାର୍ଡ୨୦ର ପ୍ରେମାନନ୍ଦ ଜେନାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ତେବେ ଗୁରୁତର ଆହତ ଥିବା କାରଣରୁ ସେ ନିର୍ବାଚନରେ ଅନୁପସ୍ଥିତ ଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ମେଡିକାଲରୁ ନିଜ ନାମାଙ୍କନପତ୍ର ଭରି ପଠାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦ନମ୍ବର ୱାର୍ଡର କର୍ପୋରେଟର ଜେନାଙ୍କୁ ୧୬ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏଥିରେ ସେ ଆହତ ହୋଇଥିଲେ।
https://www.dharitri.com/predictions-for-war/
ଯୁଦ୍ଧର ପୂର୍ବାଭାସ ଆଣ୍ଡର୍ସ ଅସ୍ଲୁନ୍ଦ ରୁଷିଆର ରାଷ୍ଟ୍ର୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ ପ୍ରତି ଆସକ୍ତ ହୋଇପଡ଼ିଛନ୍ତି କିମ୍ବା ୟୁକ୍ରେନ୍ର ଅସ୍ତିିତ୍ୱ ନାହିଁ ବୋଲି ମନେ କରୁଛନ୍ତିି। ୩୦ ଜୁନ୍ରେ ତାଙ୍କ ବାର୍ଷିକ ଭାଷଣରେ ସେ ଦାବି କରିଥିଲେ ଯେ, ୟୁକ୍ରେନ୍ ଓ ରୁଷିଆବାସୀ ଏକ ଓ ଅଭିନ୍ନ। ସେ ମଧ୍ୟ ଏ ସମ୍ପର୍କରେ ଏକ ଆର୍ଟିକିଲ ପ୍ରକାଶ କରିଥିଲେ। ଦୁଇ ଦେଶର ସମ୍ମିଳିତ ଇତିହାସ ଉପରେ ଗୁରୁତ୍ୱ ପ୍ରଦାନ କରି ଏଭଳି ଧାରଣାକୁ ସିଦ୍ଧ କରିବାକୁ ସେ ଚାହଁିଥିଲେ। ଏହା ଦୁଷ୍ପ୍ରଚାର ଭଳି ମନେହେଉଛି ଏବଂ ଯୁଦ୍ଧ ଘୋଷଣା କରିବାକୁ ଆଉ ଗୋଟିଏ ପାହାଚ ବାକି ରହିଛି ବୋଲି କୁହାଯାଉଛି। ପୁଟିନ୍ ପୁରାତନ ରୁଷିଆର, ଯେଉଁଥିରେ ରୁଷିଆ, ୟୁକ୍ରେନ୍ ଏବଂ ବେଲାରୁଷବାସୀ ଗୋଟିଏ ଭାଷାରେ ବାନ୍ଧି ହୋଇ ରହିଥିଲେ, ସେ ସମୟର ଇତିହାସରୁ ତାଙ୍କ ଲେଖା ଆରମ୍ଭ କରିଛନ୍ତି। ଏହି କହାଣୀ ହେଉଛି,ବାପ୍ଟିଜମ୍ରୁ ରୂଢିବାଦୀ ଧର୍ମକୁ ପ୍ରବେଶ କରି ପଞ୍ଚଦଶ ଶତାବ୍ଦୀ ଯାଏ ଏହି ଦେଶଗୁଡ଼ିକ ଗୋଟିଏ ବିଶ୍ୱାସରେ ବାନ୍ଧି ହୋଇ ରହିଥିତ୍ବା ସମୟର । ପୁଟିନ୍ ଉଲ୍ଲେଖ କରିଛନ୍ତି ,ଏପରି କି ବିଭାଜନ ମଧ୍ୟରେ ବି ରୁଷିଆକୁ ମାତୃଭୂମି ବୋଲି ସେମାନେ ଅନୁଭବ କରୁଥିଲେ। ଇତିହାସ କହେ, ୧୬୦୫-୧୮ ଯାଏ ପୋଲାଣ୍ଡ ଓ ରୁଷିଆ ଯୁଦ୍ଧ ଥିଲା ଲୋକମାନଙ୍କ ସ୍ବାଧୀନତା ଲାଗି । ୟୁକ୍ରେନ୍ବାସୀ ଅନ୍ୟ ରୂଢିବାଦୀ ରୁଷୀୟଙ୍କ ସହ ପୁଣି ଏକାଠି ହୋଇ କ୍ଷୁଦ୍ର ରୁଷିଆ ଗଠନ କେଲେ ଏବଂ ୟୁକ୍ରେନ୍ କହିଲେ ସୀମାନ୍ତ ପ୍ରଦେଶ ଭାବେ ବୁଝାଗଲା। ପୁଟିନ୍୍ଙ୍କ ଲେଖାରେ ୧୭୬୪ରେ ନୋଭୋରୋସିୟାର ଜନ୍ମ ଏବଂ ରୁଷିଆ ସାମ୍ରାଜ୍ୟର ସମ୍ପ୍ରସାରଣରେ ଲୋକଙ୍କ ଇଚ୍ଛାଶକ୍ତିକୁ ପ୍ରତିପାଦିତ କରିଛି। ଏକ ସାଧାରଣ ଦେଶ ଗଠନ କରିବା ଲାଗି ପଶ୍ଚିମ ରୁଷିଆ କ୍ଷେତ୍ରଗୁଡ଼ିକର ଏକୀକରଣ କେବଳ ରାଜନୈତିକ କିମ୍ବା କୂଟନୈତିକ ନିଷ୍ପତ୍ତି ନ ଥିଲା; ବରଂ, ଏହା ଲୋକଙ୍କ ବିଶ୍ୱାସ ଏବଂ ସଂସ୍କୃତିଗତ ପରମ୍ପରା ତଥା ଭାଷାଗତ ଆକର୍ଷଣ ତଥା ସମାନତା ଆଧାରରେ ଘଟିଥିଲା। ତେବେ ଜେନେରାଲ ଆଲେକ୍ଜାଣ୍ଡର ସୁଭୋରୋଭ୍ ପ୍ରଚଣ୍ଡ ପ୍ରତିରୋଧ ଅତିକ୍ରମ କରି ରୁଷିଆର ସମ୍ପ୍ରସାରିତ ସୀମାକୁ ସୁରକ୍ଷା କରିବାକୁ ଯେଉଁ ପ୍ରୟାସ କରିଥିଲେ ତାହା ପୁଟିନ୍ଙ୍କ ମତ ସହ ଏକମତ ହେବ ନାହିଁ। କିନ୍ତୁ ପୁଟିନ୍ କହନ୍ତି, ସମ୍ମିଳତ ଭାଷା ବିଭାଜନ କେବଳ ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷା ଯୋଗୁ ହୋଇଛି। ୟୁକ୍ରେନ୍ ତା’ନିଜ ସଂସ୍କୃତି ବିକାଶ କରିଥାଇପାରେ ବୋଲି ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି ଏସବୁ ତଥ୍ୟ ତାହାକୁ ପ୍ରଭାବହୀନ କରିଦେଉଛି। ଉଦାହରଣ ସ୍ବରୂପ, ୟୁକ୍ରେନର ଜାତୀୟ କବି ତରାସ ଶେଭଚେଙ୍କୋ ୟୁକ୍ରେନ ଭାଷାରେ କବିତା ଲେଖିଥିବାବେଳେ ରୁଷୀୟ ଭାଷାରେ ବିଭିନ୍ନ ଗଦ୍ୟ ରଚନା କରିଛନ୍ତି। ସେହିଭଳି ସେତେବେଳେ ରୁଷୀୟ ସାମ୍ରାଜ୍ୟରେ ୟୁକ୍ରେନର ପୋଲଟଭାରେ ଜନ୍ମିତ ନିକୋଲାଇ ଗୁଗଲ ରୁଷିଆର ଜଣେ ଦେଶଭକ୍ତ ଥିଲେ ଓ ସେ ରୁଷୀୟ ଭାଷାରେ ଲେଖିଛନ୍ତି। ତେବେ କିଭଳି ଏହି ସଂସ୍କୃତି ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିଭାଜିତ ହୋଇପାରିବ। ପରେ, ଯୁଦ୍ଧ ମଧ୍ୟବର୍ତ୍ତୀ ସମୟରେ ପୋଲାଣ୍ଡର ସଂସ୍କୃତି ଓ ଭାଷାତତ୍ତ୍ୱକୁ ଅଧିଗ୍ରହଣ କରାଯାଇଥିବା କାର୍ଯ୍ୟକୁ ପୁଟିନ୍ ନିନ୍ଦା କରିଛନ୍ତି। ୟୁକ୍ରେନର ପୁନଃ ମିଶ୍ରଣରେ ସୋଭିଏଟ୍ ସଂଘକୁ ମୁକ୍ତିଦାତା ଭାବେ ଉପସ୍ଥାପନ କରିଛନ୍ତି। ୧୯୩୯ରେ ପୋଲାଣ୍ଡ ଯେଉଁ କ୍ଷେତ୍ର ଦଖଲ କରିଥିଲା ତାହାକୁ ୟୁଏସ୍ଏସ୍ଆରକୁ ଫେରାଇ ଦେଇଥିତ୍ଲା। ସେମାନଙ୍କର ମୁଖ୍ୟ ଭାଗକୁ ସୋଭିଏଟ୍ ୟୁକ୍ରେନକୁ ଦିଆଯାଇଥିଲା। ସୋଭିଏଟ୍ ସଂଘ ଓ ନାଜି ଜର୍ମାନୀ ମଧ୍ୟରେ କରାଯାଇଥିତ୍ବା ମୋଲୋଟୋଭ-ରିବେନଟ୍ରୋପ୍ ଚୁକ୍ତିର ଏହା ଏକ ଅଦ୍ଭୁତ ବର୍ଣ୍ଣନା। ତଥାପି ପୁଟିନ୍ ଲଜ୍ଜାଜନକ ଭାବେ ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ, ସୋଭିଏଟ୍ ଯୁଗରେ ସମ୍ପୂର୍ଣ୍ଣ ଆଧୁନିକ ୟୁକ୍ରେନ ସୃଷ୍ଟି ହୋଇଥିଲା। ଭାଷା, ସଂସ୍କୃତି ତଥା ଅନ୍ୟ ଦିଗରେ ବଲଶେଭିକ (ରୁଷିଆନ ସୋସିଆଲ ଡେମୋକ୍ରାଟିକ ଓ୍ବାର୍କର ପାର୍ଟି ଶାଖାର ସଦସ୍ୟ) ମାନଙ୍କର ୟୁକ୍ରେନୀୟ ନୀତିଗୁଡ଼ିକର ବ୍ୟାପକ ଉପଯୋଗ ସତ୍ତ୍ୱେ ମଧ୍ୟ ସେମାନଙ୍କ ସହ ପୁଟିନ୍ଙ୍କର ମତପାର୍ଥକ୍ୟ ରହିଛି। ସେ କହନ୍ତି,୧୯୩୨-୩୩ରେ ଭୟଙ୍କର ଦୁର୍ଭିକ୍ଷ ଲକ୍ଷ ଲକ୍ଷ ୟୁକ୍ରେନବାସୀଙ୍କ ମୃତ୍ୟୁର କାରଣ ହୋଇଥିଲା। ଏହାବାଦ ପୁଟିନ୍ ରୁଷିଆକୁ ବଲଶେଭିକମାନେ କେଉଁଭଳି ପରିଚାଳନା କରିଥିତ୍ଲେ ସେହି ଘଟଣାର ସାମାଜିକ ଅନୁଧ୍ୟାନ ପାଇଁ ଗ୍ରହଣ କରିଛନ୍ତି। ବିଦ୍ରୋହ ଏବଂ ଦେଶ ବା ରାଜ୍ୟର ପରିଚୟ ଲୋପ କରିବାର ସ୍ବପ୍ନ ସେମାନଙ୍କୁ ସ୍ବେଚ୍ଛାଚାରୀ କରିଦେଇଥିଲା। ରୁଷିଆରୁ ଦେଶଗୁଡ଼ିକୁ ଅନ୍ୟାୟ ଭାବେ ଅଲଗା କରି ନିଆଯାଇଥିତ୍ଲା। ଐତିହାସିକ କ୍ଷେତ୍ରଗୁଡ଼ିକୁ ଭାଗ ଭାଗ କରିବାକୁ ବଲଶେଭିକଙ୍କ ପଦକ୍ଷେପ ଗ୍ରହଣୀୟ ନୁହେଁ , ଯେମିତି କ୍ରିମିୟାକୁ କରାଯାଇଛି। ଏହା ବଲଶେଭିକଙ୍କ ଏକ ଅନ୍ୟାୟ କାର୍ଯ୍ୟ ଓ ଏହା କାହିଁକି ରୁଷିଆକୁ ଦୁର୍ବଳ କରିଛି ଏବଂ ଆମର ସ୍ବାର୍ଥ ଜଡିତ ବ୍ୟକ୍ତିମାନେ ଏହା ଦ୍ୱାରା କିପରି ସନ୍ତୁଷ୍ଟ ହୋଇଛନ୍ତି ତାହା ପୁତିନ ଭଲ ଭାବେ ଜାଣନ୍ତି ଓ ପ୍ରକାଶ କରିଛନ୍ତି। ପୁଟିନ୍ ଏହି ଦୁଷ୍ଟ ବ୍ୟକ୍ତିଙ୍କ ପାଖକୁ ଫେରିଛନ୍ତି ସତ, କିନ୍ତୁ ଅର୍ଥନୀତି ବିଷୟରେ ଗୋଟିଏ କି ଦୁଇଟି କଥା ରଖିଛନ୍ତି। ଦଶନ୍ଧି ଦଶନ୍ଧି ବା ଶତାବ୍ଦୀ ଶତାବ୍ଦୀ ଧରି ୟୁକ୍ରେନ୍ ଏବଂ ରୁଷିଆ ଏକକ ଅର୍ଥବ୍ୟବସ୍ଥା ଭାବେ ବିକାଶ କରି ଆସୁଛନ୍ତି। ୩୦ ବର୍ଷ ତଳେ ସେମାନେ ଗ୍ରହଣ କରିଥିବା ଗଭୀର ସହଯୋଗକୁ ଏବେ ୟୁରୋପୀୟ ସଂଘ ଦେଖି ଇର୍ଷା କରିବ। କିନ୍ତୁ ୧୯୯୧ରୁ ୨୦୦୩ ଯାଏ ଅର୍ଥବ୍ୟବସ୍ଥା ନିର୍ଦ୍ଦିଷ୍ଟ ଭାବେ ବିଶ୍ୱସନୀୟ ନୁହେଁ ବୋଲି ସେ ଦାବି କରନ୍ତି । ଏହି ସମୟରେ ରୁଷିଆ ଗ୍ୟାସ୍ ସବ୍ସିଡ଼ି ଯୋଗୁ ୟୁକ୍ରେନ ତା’ବଜେଟ ପାଇଁ ୮୨ ବିଲିୟନ ଡଲାରରୁ ଅଧିକ ସଞ୍ଚୟ କରିପାରିଥିଲା। ପୁଟିନ୍ ଉଲ୍ଲେଖ କରିଛନ୍ତି ଯେ, ଏଭଳି ନିବିଡ଼ ସମ୍ପର୍କ ଉଭୟ ଦେଶର ଶକ୍ତି ବୃଦ୍ଧି କରିପାରେ। ତଥାପି ସତ ହେଉଛି, ସେହି ସବୁ ଦଶନ୍ଧିଗୁଡ଼ିକରେ ବ୍ୟବସାୟିକ କାରବାର ଉଭୟ ଅର୍ଥବ୍ୟବସ୍ଥାକୁ ଅବିକଶିତ କରି ରଖିଦେଲା। ଏଥିରେ କିଛି କଥା ନାହିଁ, କିନ୍ତୁ ୨୦୧୪ରେ ୟୁକ୍ରେନ୍ ରୁଷିଆଠାରୁ ଅଲଗା ହେବା ପରେ ଏହା ୟୁକ୍ରେନ୍ର ଶିଳ୍ପ ଏବଂ ଆର୍ଥିକ ଅଧଃପତନର କାରଣ ହୋଇଛି ବୋଲି ପୁଟିନ୍ ଦର୍ଶାଇଛନ୍ତି। ପୁଟିନ୍ ଘୋଷଣା କରିଛନ୍ତି ଯେ,ରୁଷିଆ ୟୁକ୍ରେନ୍କୁ ସବୁବେଳେ ଅତି ଆଦରର ସହ ଦେଖିଆସିଛି। ଏକ ଦେଶର ସଙ୍କଟ ସମୟରେ ତା’ଉପରେ କଠୋର ବାଣିଜ୍ୟ କଟକଣା ଲାଗୁ କରିବାକୁ ମୁଁ କିଭଳି ବର୍ଣ୍ଣନା କରିବି ତାହା ଜାଣିପାରୁନାହିଁ। ୨୦୧୪ରେ ପୁଟିନ୍ଙ୍କର ଜଣେ ବିଶ୍ୱସ୍ତ ତଥା ୟୁକ୍ରେନର ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚଙ୍କୁ ପଦରୁ ବେଦଖଲ କରାଗଲାବେଳେ ରୁଷିଆ ତା’ଉପରେ ଏଭଳି କଟକଣା ଲଗାଇଥିଲା। ସେହି ବର୍ଷ ରୁଷୀୟ ସେନା ଏକ ଯାତ୍ରୀବାହୀ ବିମାନକୁ ଗୁଳି କରି ଖସାଇ ଦେବାରୁ ୨୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିତ୍ଲା। ଏହା କ’ଣ ଏକ ଉଚିତ୍ ପଦକ୍ଷେପ। କେବେ ନୁହେଁ। ତଥାପି ପୁଟିନ୍ଙ୍କ ଲେଖା ଅନୁଯାୟୀ, ୟୁକ୍ରେନ୍ର ପ୍ରମୁଖ ବ୍ୟକ୍ତିବିଶେଷ ପିଢ଼ି ପିଢ଼ି ଧରି ସଫଳତା ହାସଲ କରିବାରେ ବ୍ୟର୍ଥ ହୋଇଛନ୍ତି । ସେମାନେ ଅତୀତକୁ ଅସ୍ବୀକାର କରି ସେମାନଙ୍କ ସ୍ବାଧୀନତାକୁ ନ୍ୟାୟୋଚିତ ମନେକରୁଛନ୍ତି। ଏମାନେ ସବୁବେଳେ ୟୁରୋପୀୟ ସଂଘ ଓ ଆମେରିକା ବ୍ୟତୀତ ଆଉ କାହା ସହିତ ରହିବାକୁ ଚାହଁୁନାହାନ୍ତି। ଏମାନେ ଆଧୁନିିକ ୟୁକ୍ରେନ ଇତିହାସର ଖଳନାୟକ। ଏମାନେ ବ୍ୟାପକ ଭାବେ ରୁଷିଆ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପୁଟିନ୍ ବାର୍ଷିକ ଉତ୍ସବରେ ବାରମ୍ବାର ଦୋହାରାଇଥିଲେ ଯେ,ସବୁଠୁ ଚିନ୍ତାଜନକ ହେଉଛି,ୟୁକ୍ରେନ୍ର କାର୍ଯ୍ୟକଳାପ କିଭ୍ରେ ସ୍ଥିର କରାଯାଉନାହିଁ, ବରଂ ଏହାର ନିଷ୍ପତ୍ତି କରାଯାଉଛି ଓ୍ବାଶିଂଟନରେ ତ ଆଉ କିଛି ବର୍ଲିନ ଓ ପ୍ୟାରିସରେ। ପୁଟିନ୍ଙ୍କ ଦୃଷ୍ଟିରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସ୍କି ତାଙ୍କ ଦେଶ ସମ୍ପୂର୍ଣ୍ଣ ବାହାର ଦେଶ ଦ୍ୱାରା ପରିଚାଳିତ ହେବା ବ୍ୟବସ୍ଥାକୁ ଗ୍ରହଣ କରୁଥିବା ଯୋଗୁ ତାଙ୍କ ସହ ସାକ୍ଷାତ ହେବାର ସବୁ ଉଦ୍ୟମ ବ୍ୟର୍ଥ ହେଉଛି। ଏହାବାଦ୍ ପୁଟିନ୍ ତାଙ୍କ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଯେ,ୟୁକ୍ରେନ୍ ସହ ଆଲୋଚନା ପାଇଁ ରୁଷିଆର ଦ୍ୱାର ସବୁବେଳେ ଖୋଲା । କିନ୍ତୁ ୟୁକ୍ରେନ୍ ବିଦେଶ ରାଷ୍ଟ୍ରଗୁଡ଼ିକର ସ୍ବାର୍ଥ ଲାଗି କରୁଥିବା ଉଦ୍ୟମ ଛାଡି ନିଜ ଦେଶର ସ୍ବାର୍ଥ ଦୃଷ୍ଟିରୁ ଆଲୋଚନାକୁ ଆସିବା ଆବଶ୍ୟକ। ଅବଶ୍ୟ,ରୁଷିଆ ସହ ମିଶିବା ୟୁକ୍ରେନ୍ର ଏକ ମାତ୍ର ଜାତୀୟ ସ୍ବାର୍ଥ ହେବା ଉଚିତ ବୋଲି ପୁଟିନ୍ଙ୍କ ମତ । ୟୁକ୍ରେନ୍ର ସ୍ବାଧୀନତାର ଅଧିକାରକୁ ଅସ୍ବୀକାର ବା ଖଣ୍ଡନ କରି ପୁଟିନ୍ ଯୁଦ୍ଧ ପାଇଁ କ୍ଷେତ୍ର ପସ୍ତୁତ କରୁଥିତ୍ବା ପୂର୍ବଭାସ ମିଳୁଛି। ପାଶ୍ଚତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହାକୁ କିିଭଳି ପ୍ରତିରୋଧ କରିବେ ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଉଚିତ। ସିନିୟର ଫେଲୋ, ଷ୍ଟକ୍ହୋମ୍ ଫ୍ରି ଓ୍ବାଲର୍ଡ ଫୋରମ
https://www.dharitri.com/ବଲବୀର-ସିଂ-ହସ୍ପିଟାଲରେ-ଭର୍/
ବଲବୀର ସିଂ ହସ୍ପିଟାଲରେ ଭର୍ତ୍ତି ନୂଆଦିଲ୍ଲୀ,୧୦।୫: ଭାରତୀୟ ହକି ଲିଜେଣ୍ଡ ବଲବୀର ସିଂ ଚଣ୍ଡିଗଡର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡକୁ ନିଆଯାଇଥିଲା। କିନ୍ତୁ ଶେଷରେ ଶନିବାର ତାଙ୍କୁ ଫୋର୍ଟିଜ ମୋହାଲିରେ ଭର୍ତ୍ତି କରାଯାଇଛି। ୧୯୪୮ ଲଣ୍ଡନ, ୧୯୫୨ ହେଲସିଙ୍କି ଓ ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ୩ଟି ଅଲିମ୍ପିକ୍ସରେ ଭାରତ ତରଫରୁ ପ୍ର୍ତିନିଧିତ୍ୱ କରି ବଲବୀର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅଲିମ୍ପିକ୍ସ ଫାଇନାଲରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ତାଙ୍କ ନାମରେ ଏବେବି ଅତୁଟ ରହିଛି। ୧୯୫୨ ଅଲିମ୍ପିକ୍ସ ଫାଇନାଲରେ ଭାରତ ପ୍ରତିପକ୍ଷ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲା। ଏହି ନିର୍ଣ୍ଣାୟକ ମୁକାବିଲାରେ ସେ ୫ଟି ଗୋଲ ସ୍କୋର କରିଥିଲେ। ୧୯୭୫ ବିଶ୍ୱକପ୍ରେ ଭାରତ ଚାମ୍ପିୟନ ହୋଇଥିଲା। ଏହି ବିଶ୍ୱକପ୍ରେ ବଲବୀର ଭାରତ କୋଚ୍ ଦାୟିତ୍ୱ ସମ୍ପାଦନ କରିଥିଲେ। ପୁଣି ତାଙ୍କ ତତ୍ତ୍ୱାବଧାନରେ ଭାରତ ୧୯୭୧ ବିଶ୍ୱକପ୍ରେ ବ୍ରୋଞ୍ଜ୍ ପଦକ ଜିତିଥିଲା। ପୂର୍ବରୁ ତାଙ୍କୁ ୨୦୧୯ ଜୁଲାଇରେ ମଧ୍ୟ ଅସୁସ୍ଥତା କାରଣରୁ ଚଣ୍ଡିଗଡସ୍ଥିତ ପିଜିଆଇଏମ୍ଇଆରରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ସେତେବେଳେ ତାଙ୍କୁ ଦେଖା କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧୀ ହସ୍ପିଟାଲ ଗସ୍ତ କରିଥିଲେ।
https://www.dharitri.com/the-body-of-sitaram-an-odraff-employee-was-found/
ମିଳିଲା ଓଡ୍ରାଫ କର୍ମଚାରୀ ସୀତାରାମଙ୍କ ମୃତଦେହ କଟକ ଅଫିସ,୨୫।୯: କଟକ ମୁଣ୍ଡଳିରେ ଶୁକ୍ରବାର ରବର ବୋଟ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁ ନିଖୋଜ ଥିଲେ। ତାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳିସ୍ଥିତ ଓଡ୍ରାଫ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମୁଣ୍ଡଳି ବ୍ରିଜ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍ର ଏକ ଟିମ୍ ରବର ବୋଟ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନ ଥିଲା।
https://www.dharitri.com/ପେଟରୁ-ବାହାରିଲା-୪-କିଲୋ-ଟ୍ୟ/
ପେଟରୁ ବାହାରିଲା ୪ କିଲୋ ଟ୍ୟୁମର ଭୁବନେଶ୍ୱର,୧୮ା୯(ବ୍ୟୁରୋ): ୬୦ ବର୍ଷୀୟ ବ୍ୟକ୍ତିଙ୍କଠାରୁ ୩୦ ସେମି ଗୋଲେଇ ବିଶିଷ୍ଟ ୪ କିଗ୍ରାର ଏକ ବଡ଼ ଟ୍ୟୁମର୍ ବାହାରଛି। ଏକାଧିକ ଅଙ୍ଗ ଏବଂ ଟିସ୍ୟୁ ସହିତ ସମ୍ପୃକ୍ତ ଥିବା ଏହି ଟ୍ୟୁମରକୁ ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ମାଧ୍ୟମରେ କଢ଼ାଯାଇଛି। ବି.ଆର. ଲାଇଫ୍ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। ଆଠଗଡ଼ର ବାସିନ୍ଦା ପ୍ରତାପ କୁମାର ଶତପଥୀଙ୍କର ଦୁଇମାସ ହେଲା ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା। ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ଖାଦ୍ୟ ଢୋକିବାରେ ସମସ୍ୟା ହେଉଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଗତ ୩୦ ବର୍ଷ ହେଲା ତାଙ୍କ ପେଟରେ ଫୁଟବଲ ଆକାରର ଟ୍ୟୁମର ବଢ଼ୁଥିବା ଜଣାପଡ଼ିଥିଲା। ତଳ ଛାତି, ଉପର ପେଟ, ହୃଦୟ, ହୃତ୍ପିଣ୍ଡ ଆବରଣକାରୀ ଝିଲ୍ଲୀ, ହୃଦୟ ସହିତ ସଂଯୋଗ କରୁଥିବା ମୁଖ୍ୟ ଧମନୀ, ପେଟ ସହିତ ସଂପୃକ୍ତ ଧମନୀରେ ଏହି ଟ୍ୟୁମର୍ ଚାପ ସୃଷ୍ଟି କରୁଥିଲା। ବି.ଆର. ଲାଇଫ୍ କଳିଙ୍ଗ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡା. ବୃନ୍ଦାବନ ନାହାକଙ୍କ ତତ୍ତ୍ୱାବଧାନରେ ଏହି ଜଟିଳ ଅସ୍ତ୍ରୋପଚାର ହୋଇଥିଲା। ସର୍ଜିକାଲ ଅଙ୍କୋଲୋଜି ପ୍ରଣାଳୀ ମାଧ୍ୟମରେ ଏକାଧିକ ଟିସ୍ୟୁ ସଂଯୋଗ ଥାଇ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଏହି ଟ୍ୟୁମରକୁ କଢ଼ାଯାଇଥିଲା। ୩ଘଣ୍ଟାର ଏହି ଅସ୍ତ୍ରୋପଚାରରେ ଅତ୍ୟାଧୁନିକ ସର୍ଜିକାଲ ଏବଂ କ୍ଲିନିକାଲ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥିଲା। ଟ୍ୟୁମର କଢ଼ାଯିବାର ପରବର୍ତ୍ତୀ ସମୟରେ ଏହା ସହିତ ସଂଯୋଗ ହୋଇଥିବା ଅନ୍ୟ ଅଙ୍ଗଗୁଡ଼ିକୁ ଠିକ୍ କରାଯାଇଥିଲା ବୋଲି ଜେନେରାଲ ସର୍ଜରୀର ବରିଷ୍ଠ ଡାକ୍ତର ପ୍ରଦୀପ କୁମାର ମିଶ୍ର କହିଛନ୍ତି।
https://www.dharitri.com/jee-mains-result-out-how-to-know-merit-list/
ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ଅନୁଷ୍ଠିତ ପରୀକ୍ଷା ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। jeemain.nta.ac.in ଅଫିସିଆଲ ୱେବସାଇଟ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। JEE Main ୨୦୨୪ରେ ୫୬ ଜଣ ଛାତ୍ରୀଛାତ୍ର ୧୦୦ ପ୍ରତିଶତ ପାଇଛନ୍ତି। ଶତପ୍ରତିଶତ ପାଇଥିବା ପ୍ରାର୍ଥୀ ତାଲିକାରେ ଦୁଇ ଝିଅ ମଧ୍ୟ ସମଲ ଅଛନ୍ତି। ସେମାନେ ହେଉଛନ୍ତି ଦିଲ୍ଲୀର ଶାୟନା ସିହ୍ନା ଏବଂ କର୍ନାଟକର ସାନଭି ଜୈନ। ଏହା ବ୍ୟତୀତ ପଶ୍ଚିମବଙ୍ଗର ଭୁମିକା ସାହା ଥାର୍ଡଜେଣ୍ଡର ବର୍ଗରେ ୫୬.୬୭୮୪୮୨୦ ପ୍ରତିଶତ ହାସଲ କରିଛନ୍ତି।
https://www.dharitri.com/union-minister-ram-vilas-paswan-dies-in-hospital-son-chirag-tweets/
ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ ନୂଆଦିଲ୍ଲୀ,୮।୧୦- କେନ୍ଦ୍ରମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶଓ୍ବାନଙ୍କ ଗୁରୁବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ରାମବିଳାସ ପାଶଓ୍ବାନ ଆଖି ବୁଜିଛନ୍ତି। ଏ ନେଇ ତାଙ୍କ ପୁଅ ଚିରାଗ ପାଶଓ୍ବାନ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି: ବାପା, ଆପଣ ଆଜି ଏହି ଦୁନିଆରେ ନାହାନ୍ତି। କିନ୍ତୁ ଆପଣ କେଉଁଠାରେ ଥାଆନ୍ତୁ ନା କାହିଁକି ଆପଣ ସବୁବେଳେ ମୋ ସହିତ ରହିବେ। ମିସ ୟୁ ପାପା । ରାମବିଳାସ ଲୋକସଭାକୁ ୮ ଥର ଏବଂ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ। ଦେଶର ଜଣେ ଆଗଧାଡିର ନେତା ଭାବେ ସେ ବେଶ ପରିଚିତ ଥିଲେ। ପ୍ରକାଶ ଯେ, କିଛି ଦିନ ପୂର୍ବରୁ ରାମବିଳାସ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା।
https://www.dharitri.com/ବାହାନଗା-ଲେବଲକ୍ରସିଂରେ-ଓଭର/
ବାହାନଗା ଲେବଲକ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଦାବିକେନ୍ଦ୍ର, ରାଜ୍ୟଯନ୍ତ୍ରୀଙ୍କ ମିଳିତ ଅନୁଧ୍ୟାନ ବାହାନଗା, ୧୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହକୁମା ଦେଇ ଯାଇଥିବା ରେଲୱେ ବିଭାଗର ଲେଭଲ କ୍ରସିଂରେ ଓଭରବ୍ରିଜ୍ ନିର୍ମାଣ ହେବା ନେଇ ଦୀର୍ଘଦିନ ହେଲା ଦାବି ହୋଇଆସୁଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଭାଗୀୟ ଯନ୍ତ୍ରୀ ଓ କେନ୍ଦ୍ର ରେଲୱେ ମନ୍ତ୍ରଣାଳୟର ଯନ୍ତ୍ରୀମାନଙ୍କୁ ନେଇ ମିଳିତ ତଦନ୍ତ କରାଯାଇଛି। ବାହାନଗା ରେଲୱେ ଷ୍ଟେଶନର ଉତ୍ତର କେବିନ୍ ମଧ୍ୟଦେଇ ବାହାନଗା ବଜାରରୁ ତାଳପଦାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଯାଇଛି ା ଏହି ଲେବଲକ୍ରସିଂରେ ଦୈନିକ ଶହ ଶହ ୪ଚକିଆ ୨ ଚକିଆ ସମେତ ଭାରିଯାନ ଚଳପ୍ରଚଳ କରୁଥିବାରୁ ପ୍ରତି ୫ମିନିଟ୍ ମଧ୍ୟରେ ଫାଟକ ବନ୍ଦ ରହୁଛି ା ଫଳରେ ସାଧାରଣ ଲୋକ ବର୍ଷା ଓ ଖରାରେ ହଇରାଣ ହେଉଛନ୍ତି ା ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ନାଗରିକ ମଞ୍ଚ ତରଫରୁ ଖଡଗପୁରସ୍ଥିତ ଦକ୍ଷିଣ ପୂର୍ବ (ସାଉଥ୍ ଇର୍ଷ୍ଟନ୍)ରେଳବିଭାଗର ଜେନେରାଲ ମ୍ୟାନେଜରଙ୍କୁ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଏହାସହିତ ୨ବର୍ଷ ତଳେ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ୍ କରି ବାହାନଗା ଲେବଲକ୍ରସିଂଠାରେ ଏକ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାପାଳ ସେତେବେଳେ ଏହି ଦାବିପତ୍ର ପାଇବା ପରେ ସଙ୍ଗେ ସଙ୍ଗେ ତା ୧୬ା୯ା୨୦୧୭ ରିଖରେ ଖଡଗପୁରସ୍ଥିତ ଦକ୍ଷିଣ ପୂର୍ବ ପ୍ରାଚୀର (ସାଉଥ୍ ଇର୍ଷ୍ଟନ୍)ରେଳବିଭାଗର ଜେନେରାଲ ମ୍ୟାନେଜରଙ୍କ ନିକଟକୁ ପ୍ରେରଣ କରିଥିଲେ। ସେହିପରି ମଞ୍ଚ ତରଫରୁ ଶ୍ରମ ବିଭାଗର ଶାସନ ଶଚିବ ଅନୁ ଗର୍ଗ, ପୂର୍ବତନ ବାଲେଶ୍ୱର ଏମ୍ପି ଓ ଭଦ୍ରକ ଏମ୍ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ସେହିପରି ବିଜେଡି ତରଫରୁ ମଧ୍ୟ ଅନୁରୂପ ଭାବେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଲେଭଲ କ୍ରସିଂ ‘କ’ ଶ୍ରେଣୀଭୁକ୍ତ ମାନ୍ୟତା ପାଇଥିବାରୁ ମଞ୍ଚର ଦରଖାସ୍ତ ପାଇବା ପରେ ରେଲୱେ ବିଭାଗ ତରଫରୁ ଏକ ପ୍ରତିନିଧି ଦଳ ଓଭରବ୍ରିଜ୍ ନିମନ୍ତେ ତଦନ୍ତ କରି ଫେରିବା ପରେ ରାଜ୍ୟ ସରକାରଙ୍କୁ ମିଳିତ ତଦନ୍ତ ପାଇଁ ଜଣାଇଥିଲେ ା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଏସ୍ଡିଓ ହରିଶ୍ ଚନ୍ଦ୍ର ତିୱାରୀ, ବିଭାଗୀୟ କନିଷ୍ଠଯନ୍ତ୍ରୀ ବାସୁଦେବ ସାହୁ ଓ କେନ୍ଦ୍ର ସରକାରଙ୍କ ରେଲୱେ ବିଭାଗର ବାଲେଶ୍ୱର ଜିଲା ମୁଖ୍ୟ ମଣ୍ଡଳ ସର୍କଲ ଅଧିକାରୀ ଆଶିଷ କୁମାର ଖୁଣ୍ଟିଆ, ବିଭାଗୀୟ କନିଷ୍ଠଯନ୍ତ୍ରୀ କେ. ରବି, ସିନିୟର ସେକ୍ସନ ଇଞ୍ଜିନିୟର କେ.ସି. ମହନ୍ତଙ୍କ ସମେତ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଉପସ୍ଥିତିରେ ଓଭରବ୍ରିଜ୍ ନିର୍ମାଣ ନେଇ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ବିଜେଡି ବ୍ଳକ ସଭାପତି ଅଜୟ କୁମାର ପଣ୍ଡା, ପ୍ରଭାକର ମିଶ୍ର, ପ୍ରଶାନ୍ତ ବେହେରା, ନିଳାମ୍ବର ମହାଳିକ, ତପନ ରାଉତ, କରୁଣାକର ବାରିକ ଓ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ର,ସଭ୍ୟ ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।