text
stringlengths
0
9.1k
ଅଟ୍ଟକାଳୀ ଚାଉଳରେ ତିଆରି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ।
ଚାଉଳରେ ତିଆରି ବହୁତ ପତଳା ସିରାରେ ଲୁଣ, ନଡ଼ିଆ କୋରା ପକାଇ ଘାଣ୍ଟି ଗରମ ପାଣିରେ ଚାଉଳ ଚୁନା ପକାଇ ଜନ୍ତାଯାଏ । ଏହି ଜନ୍ତଣିକୁ ଛୋଟ ଛୋଟ ଗୁଳା କରାଯାଏ । ଆଉ ଏକ କଡ଼େଇରେ ପାଣି ଫୁଟାଇ ଲୁଣ, ଗୁଡ, ନଡିଆ କୋରା ଦେଇ ଘାଣ୍ଟି ଚାଉଳ ଗୁଣ୍ଡ ପକାଇ ଘଣ୍ଟାଯାଏ । ଏହି ବହଳିଆ ଆଣରେ ଚାଉଳ ଗୁଳା ପକାଇ ଘାଣ୍ଟି ଓହ୍ଲାଇ ଦିଆଯାଏ ।
ଅଟ୍ରି ଓଡ଼ିଶାର ଖୋର୍ଦ୍ଧାଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ ।
ଖୋର୍ଦ୍ଧା ଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ନିକଟତର ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ।
ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳା ଗୁଆ ଖୋଜିଥାନ୍ତି ୤ ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି ୤
ଅଟ୍ରି ଉଷ୍ମପ୍ରସ୍ରବଣ ମୁଖ୍ୟଦ୍ଵାର
ଉଷ୍ମପ୍ରସ୍ରବଣ
ଉଷ୍ମପ୍ରସ୍ରବଣ (କୁଆକୁଣ୍ଡ)
ଅଠରନଳା ହେଉଛି ଓଡ଼ିଶା ପୁରୀଜିଲ୍ଲାରେ ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଏକ ଐତିହାସିକ ସ୍ଥଳୀ । ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ । ବସ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ । ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ । ଅଠର ନଳା ପହଞ୍ଚିଗଲେ ଶ୍ରଦ୍ଧାଳୁ ତଥା ଯାତ୍ରୀମାନେ ଶ୍ରୀକ୍ଷେତ୍ରର ଖୁବ ନିକଟତର ହୋଇଗଲେ ବୋଲି ଭାବିଥାନ୍ତି । ଅଠର ନଳାଠାରୁ ଶ୍ରୀମନ୍ଦିରର ନୀଳଚକ୍ର ଓ ଦଧିନଉତି ଦୃଶ୍ୟମାନ ହୁଏ ।
ପୂର୍ବେ ମାଳିନୀ ନଦୀ ପୁରୀକୁ ଦୁଇ ଭାଗ କରି ସମୁଦ୍ରରେ ମିଶୁଥିଲା । ସେଥିପାଇଁ ରଥଯାତ୍ରାରେ ମହାପ୍ରଭୁ ତିନି ରଥରେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଯାଉଥିଲେ । ସେଠାରୁ ମାଳିନୀ ନଦୀ ପାର ହୋଇ ତିନୋଟି ସାନ ରଥରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । ମାଳିନୀ ନଦୀ ପୋତି ଦିଆଯିବାପରେ ଛଅଟି ରଥ ନହୋଇ ତିନୋଟି ରଥରେ ଯାତ୍ରା ହେଲା । ମାଳିନୀ ନଦୀର ଏକ ଶାଖା ନଦୀ ଜଗନ୍ନାଥ ସଡ଼କର ଶେଷ ମୁଣ୍ଡରେ ଅର୍ଥାତ ପୁରୀ ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା । ଉକ୍ତ ଶାଖା ନଦୀକୁ ମୁଷା ନଦୀ କୁହାଯାଉଥିଲା । ପୁରୀକୁ ଯାତ୍ରୀମାନେ ଆସିଲେ ନଦୀ ଘାଟରେ ଅପେକ୍ଷା କରିବାକୁ ପଡୁଥିଲା । ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା ସେମାନଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା । ଯାତାୟତ ସମସ୍ୟା ଦୂର କରିବା ପାଇଁ ଗଙ୍ଗ ବଂଶର ରାଜା ଦ୍ଵିତୀୟ ନରସିଂହଦେବ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ସଡ଼କ ମଧ୍ୟରେ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କରିଥିଲେ ଯାହାକି ଅଠର ନଳା ନାମରେ ପ୍ରସିଦ୍ଧ ହୋଇଥିଲା । ଅନ୍ୟ ଏକ ତଥ୍ୟ ଆଧାରରେ ଗଙ୍ଗ ବଂଶର ରାଜା ଭାନୁଦେବଙ୍କଦ୍ଵାରା ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । କିମ୍ବଦନ୍ତୀ ମତରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେବାପରେ ନିଜର ଅଠରଜଣ ପୁଅଙ୍କୁ ନଦୀ ଜଳରେ ବଳି ଚଢ଼ାଇବା ପରେ ଏହା ତିଆରି କରିବାକୁ ସକ୍ଷମ ହୋଇଥିଲେ । ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ (ଖ୍ରୀଷ୍ଟାବ୍ଦ ୯୭୫- ୯୯୫) ମଧୁପୁର ନଦୀ (ହୁଳୁହୁଳିଆ ବା ମଙ୍ଗଳା ନଈ) ଉପରେ ଏହି ପୋଲ ନିର୍ମାଣ କରାଇଥିଲେ । ଏ ପୋଲରେ ୧୮ଟି ଫୁକାର ଅଛି ଏ ଫୁକାରମାନ ଖିଲାଣକାମ ନହୋଇ ପଥରମାନଙ୍କଦ୍ଵାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା ।
ଏହି ପୋଲରେ ୧୯ ଖମ୍ବ ରହିଥିବା ବେଳେ ପାଣି ଯିବାପାଇଁ ୧୮ଟି ନଳା ରହିଛି । ଏହାର ଲମ୍ବ ୮୫ ମିଟର ଓ ଓସାର ୧୧ ମିଟର । ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଣନା କଲେ ୧୩୦୦ ମସିହାରେ ଏହି ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ । ଏଥିରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ । ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି । କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି କରାଯାଇଛି ।
ଅତୀତରେ ଶ୍ରୀକ୍ଷେତ୍ରରେ ୧୪ଟି ଘାଟ ମଧ୍ୟରୁ ୧୦ଟି ନଦୀ ଘାଟ ହୋଇଥିବା ବେଳେ ୪ଟି ସମୁଦ୍ର ଘାଟ ଅଟେ । ନଦୀ ଘାଟ ମଧ୍ୟରୁ ଅଠର ନଳାର ପ୍ରସିଦ୍ଧି ଥିଲା । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଜପତିମହାରାଜ ପ୍ରତି ଘାଟରେ ପ୍ରତିହାରୀ ସେବକମାନଙ୍କୁ ନିଯୁକ୍ତ କରିଥିଲେ । ସେମାନଙ୍କୁ ଘାଟ ଦ୍ବାର ପ୍ରତିହାରୀ କୁହାଯାଉଥିଲା । ସେମାନେ ପାଳି କରି ୨୪ ଘଣ୍ଟା ଘାଟ ଜଗୁଥିଲେ ।
ଅଠରନଳା
ଅଡ଼ବା ଓଡ଼ିଶାର ଗଜପତି ଜିଲ୍ଲାର ଏକ ଛୋଟ ସହର ।
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୩୪୭୦ ଅଟେ । ସେଥି ମଧ୍ୟରୁ ୧୭୫୩ ଜଣ ପରୁଷ ହୋଇଥିବା ବେଳେ ୧୭୧୪ ଜଣ ନାରୀ ଅଟନ୍ତି ।
ଅଡ଼ାଣା ଏକ ହିନ୍ଦୁସ୍ତାନୀ ରାଗ ଅଟେ । ଏହାକୁ ଅଡ଼ାଣା କାନାଡା ମଧ୍ୟ କୁହାଯାଏ । ଏହି ରାଗର ପ୍ରବାହ ମଧ୍ୟମଦ ସରଙ୍ଗାର ମିଶ୍ରଣର ଦରବାରି ସମାନ ଅଟେ । ଏକ ସାଧାରଣ ବିବାଦୀ କିଛି କଳାକାରମାନଙ୍କ ଉପଯୋଗ ପାଖାପାଖି ଖୁବ କମ ହୋଇଥାଏ ଯାହା ଶୁଦ୍ଦ ni ଅଟେ, ଯାହା ରାଗର ସରଙ୍ଗା ମୂଡ଼କୁ ବଢେଇଥାଏ ।
ଆନୁଭୂମିକ Ga ସାଧାରଣତଃ ଆରୋହଣରେ ଛଡା ଯାଇଥାଏ ଏବଂ ବଂଶରେ ସର୍ବଦା ବିଶିଷ୍ଟ କାନାଡ଼ା ବାକ୍ୟାଶଂ g M R S ଆନୁଭୂମିକ Dha ରେ ଦେଖା ଯାଇଥାଏ, ଯାହା ବଂଶରେ ଉପସ୍ଥିତ ରହିଥାଏ । କିନ୍ତୁ ଏହାକୁ କେହି ମଧ୍ୟ କରିବା ଉଚିତ ନୁହେଁ । ବାସ୍ତବରେ ଏହା କିଛି ସଙ୍ଗୀତକାର ମାନଙ୍କ ଦ୍ୱାରା ପୂର୍ଣ୍ଣ ଋପେ ଛଡା ଯାଇଥାଏ । ଅଧିକାଂଶ ଆନ୍ଦୋଳନ ଉପରୀ "tetrachord"ରେ ରହିଛି , ଯାହା ଉଚ୍ଚ Saର ପାଖାପାଖି ଅଟେ । ଉଚ୍ଚ Sa ସହିତ ଏହି ରାଗର ବିସ୍ତାରକୁ ଆରମ୍ଭ କରିବା ବହୁ ସାଧାରଣ କଥା ଅଟେ ।
ଡେରି ରାତି (୧୨-୦୩)
ଅଡ଼ାଣାକୁ ପ୍ରଥମେ ଅଡ୍ଡାଣା କୁହାଯାଉଥିଲା । ୧୭ବିଂ ଶତାବ୍ଦୀରେ ଅଡ଼ାଣା ଏକ ପ୍ରମୂଖ ରାଗ ଥିଲା ଏବଂ ତତ୍କାଳରେ ମହ୍ଲାର ଓ ବର୍ତ୍ତମାନ କାନାଡ଼ାର ସଂଯୋଜନ ଥିଲା । ଏକ ରାଗମାଳା ଚିତ୍ରକଳା ମେବାରରୁ ଏହି ବାଘର ତ୍ୱଚାରେ ରହିଥିବା ଏକ ତପସ୍ୱୀ ବ୍ୟକ୍ତିତ୍ୱ ଋପେ ଚିତ୍ରିତ କରାଯାଇଛି । ତାଙ୍କାର ଅଡ଼ାଣା ରାଗରୁ କାଫି ଅଲଗା ଥିଲା ଯେପରି ଆଜି ଉପସ୍ଥାପନ କରାଯାଇଛି ।
ଔଡି ଏଜି, (ଇଂରାଜୀ: AUDI AG) ଏକ ଜର୍ମାନ୍ ଯାନବାହାନ ନିର୍ମାତା ଯାହା ବିଭିନ୍ନ ପ୍ରକାର ବିଳାସମୟ କାର୍ ଗୁଡିକର ପରିକଳ୍ପନା,ନିର୍ମାଣ ତଥା ବିକ୍ରୟ କରିଥାଏ | ଔଡି ଏହାର ବିଶ୍ୱବ୍ୟାପୀ ସମସ୍ତ ସଞ୍ଚାଳନ ଜର୍ମାନୀ ଦେଶରେ ଥିବା ବାଭାରିଆ ରାଜ୍ୟର ଇଙ୍ଗୁଲଷ୍ଟାଟ୍ ସହରର ନିଜସ୍ୱ ମୁଖ୍ୟାଳୟରୁ କରିଥାଏ |ଔଡି ତାହାର ସମସ୍ତ ଯ଼ାନଗୁଡିକ ବିଶ୍ୱରେ ଥିବା ସମୁଦାୟ ନଅଟି କାରଖାନାରୁ ଉତ୍ପାଦନ କରିଥାଏ |
1966 ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଏହାର ମାଲିକାନା ଫକ୍ସୱାଗନ ଗ୍ରୁପ୍ ହାତରେ ନ୍ୟସ୍ତ (ପ୍ରାୟ 99.55 ପ୍ରତିଶତ) | କିନ୍ତୁ ଏହା ପୂର୍ବରୁ ଔଡି ଏହାର ପୂର୍ବଜ ଅଟୋ ୟୁନିୟନ ଅଧିନରେ ଥିଲା, ଯାହା ଅପ୍ରେଲ୍ 24,1958ରୁ ଡିସେମ୍ବର 1965 ପର୍ଯ୍ୟନ୍ତ ଡେମ୍ଲର-ବେଞ୍ଜ ନିୟନ୍ତ୍ରଣରେ ଥିଲା | ଫକ୍ସୱାଗନ ଔଡିର ନାମଫଳକ 1965 ମଡେଲ୍ Audi F103 ସିରିଜ୍ ଗାଡିର ଉତ୍ପାଦନ ସହ ପୁନଃପ୍ରସ୍ତୁତି କଲା |
ଏହି କମ୍ପାନୀର ନାମ ଏହାର ସଂସ୍ଥାପକ ଅଗଷ୍ଟ ହର୍କ (August Horch)ଙ୍କ ଉପନାମର ଲାଟିନ୍ ଅନୁବାଦରୁ ଗୃହୀତ | "Horch"ର ଅର୍ଥ ଜର୍ମାନରେ ଶୁଣିବା, ଯାହାକୁ ଲାଟିନ୍ରେ ଅନୁବାଦ କଲେ "ଔଡି" (ଭାରତରେ "ଅଡି" ନାମରେ ଜଣାଶୁଣା) କୁହାଯାଏ | କମ୍ପାନୀର ଲୋଗୋରେ ଥିବା 4ଟି ବୃତ୍ତ 4ଟି ବିଭିନ୍ନ କାର୍ କମ୍ପାନୀର ସମାହାର ବୋଲି ବୁଝାଏ, ଯେଉଁମାନଙ୍କ ମଧ୍ୟରୁ ଔଡି ଅନ୍ୟତମ | ଏହି 4ଟି କମ୍ପାନୀ ମିଶି ଅଟୋ ୟୁନିୟନ ଗଠନ କରିଥିଲେ | ଔଡିର ପ୍ରଚାର ବାକ୍ୟ ହେଉଛି "Vorsprung durch Technik" | ଯାହାର ଅର୍ଥ ହେଉଛି "ପ୍ରଯୁକ୍ତିବିଦ୍ୟାଦ୍ୱାରା ପ୍ରଗତି" |
ବାୟୁ ବା ପବନ ଦେବ ଭୀମଙ୍କ ପିତା ଓ ହନୁମାନଙ୍କ ଧର୍ମ ପିତା ଅଟନ୍ତି ।
କାଶ୍ୟପପତ୍ନୀ ଅଦିତି ପବନଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଅଦିତିଙ୍କ ସପତ୍ନୀ ଦିତିଙ୍କ ପ୍ରରୋଚନାରେ ଦିତିପୁତ୍ର ଇନ୍ଦ୍ର ଅଦିତିଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ଭୃଣକୁ ସାତଖଣ୍ଡ କରି କାଟି ପକାଇଲେ ୤ କଟା ଖଣ୍ଡ ଗୁଡ଼ିକ ଜିଇଁଥିବା ଦେଖି ପୁଣି ପ୍ରତ୍ୟେକ ଖଣ୍ଡକୁ ସାତ ସାତ ଖଣ୍ଡ କରି କଟିଲେ; ତଥାପି ସେ ଅଣଚାସ ଖଣ୍ଡର ପ୍ରାଣ ଗଲା ନାହିଁ ୤ ଇନ୍ଦ୍ର ଭୃଣହତ୍ୟା କରି ନ ପାରି ଫେରିଲେ ଓ ଯଥାକାଳରେ ଅଦିତିଙ୍କ ଗର୍ଭରୁ ପବନ ୯ଟି ରୂପ ଧାରଣ କରି ଜନ୍ମିଲେ ୤ ଲୋକବିଶ୍ୱାସ ମତେ, ମୃତ୍ୟୁକାଳରେ ପବନଙ୍କର ଏହି ଅଣଚାଶ ମୂର୍ତ୍ତି ମନୁଷ୍ୟର ପିଣ୍ଡରୁ ବାହାରି ଯାଏ ଓ ସେହି ହେତୁ ମଣିଷ ହାଁପି ହୁଏ ୤
ଏଥିମଧ୍ୟରୁ ୧୮ପବନ ସ୍ୱର୍ଗରେ, ୧୬ ପବନ ପାତାଳପୁରରେ, ୧୧ ପବନ ମର୍ତ୍ତ୍ୟମଣ୍ଡଳରେ ଏବଂ ଶେଷ ଚାରିପବନ ଚାରିମେଘ (ଆବର୍ତ୍ତ, ସମ୍ବର୍ତ୍ତ, ଦ୍ରୋଣ ଓ ପୁଷ୍କର) ଦେହରେ ଅବସ୍ଥାନ କରୁଛନ୍ତି ୤
ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ଵର ହୋଇଛି ବୋଲି ଯାତ୍ରୀମାନଙ୍କୁ କହାଯାଏ । ଜ୍ଵର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ଵାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଏ ।
ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ ।
ବଡ଼ଠାକୁରଙ୍କର ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ଵରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ ।
ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହେଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ଵେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ଵ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।
ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାରେ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ ।
ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ ।
ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ ।
ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ଵତୀଙ୍କ ପିତୁଳା ଦ୍ଵୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି ।
ଶ୍ରୀଜଗନ୍ନାଥଙ୍କ ଅଣସର ଦୁଇପ୍ରକାର ପାଳିତ ହୁଏ ଯଥା: ୧. ସାଧାରଣ ଅଣସର ଓ ୨. ମହା ଅଣସର ।
ଏହା ୧୫ ଦିନ ପାଇଁ ପ୍ରତିବର୍ଷ ଗୁଣ୍ଡିଚା ପୁର୍ବରୁ ପାଳିତ ହୁଏ।
ଅଣସର ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ । ତେବେ ମହା ଅଣସର ୪୫ଦିନ ପାଇଁ ପ୍ରତି ନବକଳେବର ପୂର୍ବରୁ ପାଳିତ ହୁଏ ।
ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୁଏ । କୁହାଯାଏ, ପୁଷ୍ପ ଅଳଙ୍କାରରେ ଆଚ୍ଛାଦିତ ହୋଇ ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅନବସର ଗୃହରେ ଅବସ୍ଥାନ କରନ୍ତି । ନବକଳେବର ପୂର୍ବରୁ ଏହି ବିଧି ମହା ଅଣସର ନାମରେ ଖ୍ୟାତ ।
ମହା ଅଣସର ଦୁଇ ଭାଗରେ ବିଭକ୍ତ । ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସରେ ଯଜ୍ଞ ଚାଲିଥିବା ବେଳେ ସପ୍ତ ମଣ୍ଡପରେ ମହାପ୍ରଭୁଙ୍କ ନୂତନ ବିଗ୍ରହ ଓ ମାଧବଙ୍କ ବିଗ୍ରହ ନିର୍ମାଣ ମଧ୍ୟ ସମ ଭାବରେ ଚାଲିଥାଏ । ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ ।
ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ଚାଲିଥାଏ । ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦା ଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ନୂତନ ବିଗ୍ରହଙ୍କ ସପ୍ତାବରଣ ନୀତି ଆରମ୍ଭ ହୋଇଥାଏ । ଏହି ନୀତି ସହିତ କେବଳ ଦଇତାପତି, ପତି ମହାପାତ୍ର, ଓ ଦତ୍ତ ମହାପାତ୍ର ସେବକ ଅଙ୍ଗାଙ୍ଗୀଭାବେ ଜଡ଼ିତ ଥାଆନ୍ତି । ଏହା ସମ୍ପୁର୍ଣ୍ଣ ଗୁପ୍ତ ଲୀଳା । ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ ।
ନବକଳେବରରେ ମହାପ୍ରଭୁଙ୍କର ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟି ପରିବେଷ୍ଠିତ ଅସ୍ଥାୟୀ ଗୃହକୁ ମହା ଅଣସର ଗୃହ ବା ନିରୋଧନ ଗୃହ କୁହାଯାଏ । ଗୃହରେ ପରିବେଷ୍ଠିତ ତାଟିକୁ ଅଣସର ତାଟି କୁହାଯାଏ । ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ । ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ ପାଇଁ ଏକ ଛୋଟ ତାଟି ଦ୍ଵାର ଥାଏ ଏହାକୁ ଧୁକୁଡ଼ି ଦ୍ଵାର କୁହାଯାଏ । ଏହି ଦୁଆର ଦେଇ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାନ୍ତି ।
କଟି ଯନ୍ତ୍ରଣା ବା ନିମ୍ନ ପିଠି ଯନ୍ତ୍ରଣା (ଏଲବିପି) ଏକ ସାଧାରଣ ମାଂସପେଶୀକଙ୍କାଳ ବେମାରୀ ଯାହା ପିଠିର ମାଂସପେଶୀ, ସ୍ନାୟୁ ଓ ଅସ୍ଥିରେ ହୁଏ । ଏଥିରେ ସାଧାରଣ ଧରଣର ଯନ୍ତ୍ରଣା ହୁଏ କିନ୍ତୁ ସର୍ବଦା ଚାଲୁରହେ ବା ହଠାତ୍ ତୀବ୍ର ଅନୁଭବ ହୁଏ । ଯନ୍ତ୍ରଣା ସମୟ ଅନୁସାରେ ଏହି ରୋଗକୁ ୩ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ ବା ତୀବ୍ର (୬ ସପ୍ତାହରୁ କମ୍), ସବ-କ୍ରନିକ (୬ରୁ ୧୨ ସପ୍ତାହ) ଓ କ୍ରନିକ ବା ଦୀର୍ଘକାଳୀନ (୧୨ ସପ୍ତାହରୁ ଅଧିକ) । ଅନ୍ତର୍ନିହିତ କାରଣ ଅନୁସାରେ ଏହାକୁ ମେକାନିକାଲ, ନନ୍‌ମେକାନିକାଲ ଓ ରେଫର୍‌ଡ୍ ଯନ୍ତ୍ରଣା କୁହାଯାଏ । ନିମ୍ନ ପିଠି ଯନ୍ତ୍ରଣା ପ୍ରାୟ କିଛି ସପ୍ତାହ ମଧ୍ୟରେ କମିଯାଏ; ୪୦ରୁ ୯୦% ଲୋକ ୬ ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ଭଲ ହୋଇଯାଆନ୍ତି ।
ଅଧିକାଂଶ କଟି ଯନ୍ତ୍ରଣା ରୋଗର କାରଣ ଚିହ୍ନଟ ହୋଇପାରେ ନାହିଁ; ମାଂସପେଶୀ ଅଥବା ଗଣ୍ଠି ସ୍ଟ୍ରେନ ଭଳି ମେକାନିକାଲ କାରଣ ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଏ । ଯଦି ଏହା ରକ୍ଷଣଶୀଳ ଚିକିତ୍ସାରେ ଉପସମ ନ ହୁଏ ବା ଲାଲ ପତାକା ଚିହ୍ନ ଯେପରିକି ଅକାରଣ ଓଜନ ହ୍ରାସ, ଜ୍ୱର, ଅନୁଭବ ବା ଚଳପ୍ରଚଳ ହେବାରେ ସମସ୍ୟା ଦେଖାଗଲେ ସାଂଘାତିକ ରୋଗ ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ । ଅଧିକାଂଶ କେଶ୍‌ରେ ଇମେଜିଙ୍ଗ ଟୁଲ ଯେପରିକି ସିଟି ସ୍କାନ ଉପକାରୀ ନୁହେଁ ତ‌ଥାପି ଇମେଜିଙ୍ଗର ବ୍ୟବ‌ହାର ସଂଖ୍ୟା ବଢ଼ିଚାଲିଛି । ଅନ୍ତର୍କଶେରୁକ ଡିସ୍କ ନଷ୍ଟ ହୋଇଗଲେ ସଳଖ ଗୋଡ଼ ଉଠେଇବା ପରୀକ୍ଷା କରି ଚିହ୍ନା ଯାଇପାରେ । କ୍ରନିକ ରୋଗରେ ଯନ୍ତ୍ରଣା ପ୍ରସ୍ତୁତି ସିସ୍ଟମ ସଠିକ୍ କାମ କରିପାରେ ନାହିଁ, ତେଣୁ ଅଣ-ସାଂଘାତିକ ରୋଗରେ ମଧ୍ୟ ଅନେକ କଷ୍ଟ ହୁଏ ।
ଶୀଘ୍ର ଆରମ୍ଭ ହେଉଥିବା ତୀବ୍ର ଅନିର୍ଦ୍ଦିଷ୍ଟ କଟି ଯନ୍ତ୍ରଣାରେ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଏ ଓ ଯଥା ସମ୍ଭବ କଷ୍ଟ ସ‌ହ୍ୟ ହେବା ଭଳି ସାଧାରଣ ଚଳପ୍ରଚଳ ଚାଲୁ ରଖିବା ଉଚିତ । ଯେତିକି ସମୟ ଉପକାରରେ ଆସିବ ସେତିକି ସମୟ ପ୍ରଥମ ପସନ୍ଦ ପାରାସେଟାମୋଲ ଔଷଧ ଦେବାକୁ ଉପଦେଶ ଦିଆଯାଏ । ସାଧାରଣ ଔଷଧ କାର୍ଯ୍ୟକାରୀ ନ ହେଲେ ଅନ୍ୟ କେତେକ ବିକଳ୍ପ ଅଛି । ସାଧାରଣ ଯନ୍ତ୍ରଣା ନିବାରକ ଉପକାର ନ କଲେ ଓପିଅଏଡ ଦିଆଯାଏ କିନ୍ତୁ ଅନିଚ୍ଛା ସ‌ହକରେ କାରଣ ଏହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ଅଛି । ଡିସ୍କ ସମ୍ବନ୍ଧୀୟ ଯନ୍ତ୍ରଣା ସ‌ହିତ ଅକର୍ମଣ୍ୟତା ବା ସ୍ପାଇନାଲ ସ୍ଟେନୋସିସ ଥିଲେ ଅପରେଶନ ଆବଶ୍ୟକ ହୋଇପାରେ । ଅନ୍ୟ ଅନିର୍ଦ୍ଦିଷ୍ଟ କାରଣଥିବା କଟି ଯନ୍ତ୍ରଣାରେ କୌଣସି ଉପକାର ମିଳିବା ଜଣାଯାଇ ନାହିଁ । କଟି ଯନ୍ତ୍ରଣା ହେଲେ ମନୋଭାବ ବା ମୁଡ୍‌ରେ ପରିବର୍ତ୍ତନ ଆସେ ଯାହା ନିମନ୍ତେ ମାନସିକ ଉପଦେଶ ବା ଆଣ୍ଟଡିପ୍ରେସାଣ୍ଟ ଆବଶ୍ୟକ ହୁଏ । ଅଧିକନ୍ତୁ ଅନେକ ପ୍ରକାର ଅଲ୍‌ଟର୍‌ନେଟ ମେଡିସିନ ବ୍ୟ‌ବ‌ହାର କରିବାକୁ କୁହାଯାଏ ଯେପରିକି ଆଲେକଜାଣ୍ଡର ଟେକନିକ ଓ ହର୍ବାଲ ରିମେଡିଜ କିନ୍ତୁ ଏମାନଙ୍କ ସପକ୍ଷରେ ଉପକାର ହେଲାଭଳି ଯଥେଷ୍ଟ ପ୍ରମାଣ ମିଳୁନି । ଚିରୋପ୍ରାକ୍ଟିସ ଯତ୍ନ ଓ ସ୍ପାଇନାଲ ମାନିପୁଲେସନ ପଦ୍ଧତି ନିମନ୍ତେ ମିଶ୍ରିତ ପ୍ରମାଣ ମିଳୁଛି ।
ଯେ କୌଣସି ସମୟରେ ପ୍ରାୟ ୯ରୁ ୧୨% (୬୩୨ ନିୟୁତ) ଲୋକ ଏହି ରୋଗରେ ପିଡ଼ିତ ଥାଆନ୍ତି ଓ ପ୍ରାୟ ୨୫% ଲୋକଙ୍କର ଏକା ମାସରୁ ଅଧିକ କଷ୍ଟ ଥାଏ । ପ୍ରାୟ ୪୦% ଲୋକ ଜୀବନର କୌଣସି ନା କୌଣସି ସମ‌ୟରେ ଏହି ରୋଗ ଭୋଗନ୍ତି, ଓ ବିକଶିତ ଦେଶମାନଙ୍କରେ ଏହି ହିସାବ ୮୦% ପର୍ଯ୍ୟନ୍ତ ଯାଇପାରେ । ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ । ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ବୟସ ୪୦ରୁ ୮୦ ବର୍ଷ ମଧ୍ୟରେ ନିମ୍ନ ପିଠି ଯନ୍ତ୍ରଣା ଅତି ସାଧାରଣ ରୋଗ ଭାବରେ ପରିଗଣିତ ହୁଏ ଓ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ସଂଖ୍ୟା ବଢ଼ିବା ଆଶା କରାଯାଏ । ଯୁକ୍ତରାଷ୍ଟ୍ରରେ ଏହା ଏକ କର୍ମ ବାଧକ ରୋଗ ହିସାବାରେ ବିବେଚନା କରାଯାଏ । କର୍ମରେ ବାଧା ସୃଷ୍ଟି କରିବାରେ ଏହାର ଏକ ଅଗ୍ରଣୀ ଭୂମିକା ଅଛି । ସ୍ନାୟବିକ ରୋଗମାନଙ୍କ ମଧ୍ୟରେ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରିଛି, ପ୍ରଥମ ସ୍ଥାନରେ ସାଧାରଣ ମୁଣ୍ଡ ବ୍ୟଥା ଅଛି ।
ଅଧିକାଂଶ ରୋଗୀଙ୍କର ଓଜନ ଉଠେଇଲେ, ହଠାତ ଅଣ୍ଟାଠାରୁ ଦେହ ବୁଲେଇଲେ ଓ ଆଗକୁ ଝୁଙ୍କିଲେ ଯନ୍ତ୍ରଣା ଆରମ୍ଭ ହୁଏ । ଏହି କଷ୍ଟ ସଙ୍ଗେ ସଙ୍ଗେ ବା ତା ଆର ଦିନ ସକାଳୁ ଆରମ୍ଭ ହୁଏ । ଅଣ୍ଟାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଵଳ୍ପ ଦରଜ ଲାଗେ ବା ବିକ୍ଷିପ୍ତ ଯନ୍ତ୍ରଣା ହୁଏ । ନିମ୍ନ ଅବୟବକୁ ଯନ୍ତ୍ରଣା ଗତି କରୁଥିଲେ ସିଆଟିକ ପେନ (Sciatic pain) କୁହାଯାଏ । ନିମ୍ନ କଟୀ ଯନ୍ତ୍ରଣା ପ୍ରାୟ ୨୦ରୁ ୪୦ ବର୍ଷ ବୟସ ବେଳେ ହୁଏ ଓ ବୟଃପ୍ରାପ୍ତ ହେବା ପରେ ଏହା ଡାକ୍ତରୀ ପରାମର୍ଶର ପ୍ରଥମ ରୋଗ ହୁଏ । ଅଧା ରୋଗୀଙ୍କର ଏହି କଷ୍ଟ ବାରମ୍ଵାର ହୁଏ ଓ ସମୟ କ୍ରମେ ଅଧିକ ହୁଏ ।
ସ୍ଥାୟୀ ଯନ୍ତ୍ରଣା ହେଲେ ରାତିରେ ଶୋଇ ହୁଏ ନାହିଁ, ଶୋଇବାକୁ ଅଧିକ ସମୟ ଲାଗେ, ନିଦ ଭାଙ୍ଗିଯାଏ, ଅଳ୍ପ ସମୟ ନିଦ ହୁଏ ଓ ଶୋଇବାରେ ସନ୍ତୁଷ୍ଟି ଆସେ ନାହିଁ । ଅଧିକାଂଶ କ୍ଷେତ୍ରରେ ଅବସାଦ ତଥା ଉତ୍ସୁକତା ଅଧିକ ହୁଏ ।
ବେମାର ରହିବା ସମୟ ଅନୁସାରେ କଟି ଯନ୍ତ୍ରଣାକୁ ତୀବ୍ର( ୪ ସପ୍ତାହରୁ କମ୍ ସମୟ), ଅନୁ ତୀବ୍ର( ୪ରୁ ୧୨ ସପ୍ତାହ ମଧ୍ୟରେ)ଓ ପୁରୁଣା (୧୨ ସପ୍ତାହରୁ ଅଧିକ), ଏହି ତିନି ଶ୍ରେଣୀଭୁକ୍ତ କରାଯାଏ ।
କଟି ଯନ୍ତ୍ରଣା ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ, ଅନେକ ଅନିର୍ଦ୍ଦିଷ୍ଟ କାରଣ ଯୋଗୁ ଅଧିକାଂଶ କଟି ଯନ୍ତ୍ରଣା ସୃଷ୍ଟି ହୁଏ । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କୌଣସି କାରଣ ଜଣାଯାଏ ନାହିଁ । ଅଧିକାଂଶ କ୍ଷେତ୍ରରେ ରକା ବା ଅଧିକ ମାଂସପେଶୀ ଟାଣି ହୋଇଯିବା ଯୋଗୁ ଏହା କଷ୍ଟ ହୁଏ । ମୋଟାପା, ଧୂମ୍ରପାନ, ଗର୍ଭାବସ୍ଥାରେ ଓଜନ ବୃଦ୍ଧି, ମାନସିକ ଚାପ, ଦରିଦ୍ର ଶାରୀରିକ ଅବସ୍ଥା ଓ ଅସ୍ଵାଭାବିକ ଶୟନ ଅବସ୍ଥା ଇତ୍ୟାଦି କଟି ଯନ୍ତ୍ରଣାକୁ ବଢ଼େଇବାକୁ ସାହାଯ୍ୟ କରେ । ହଠାତ୍ କିଛି ଓଜନିଆ ଜିନିଷ ଉଠାଇବା ବେଳେ ବା ନଇଁ ପଡ଼ିବା ସମୟରେ ଏହି ଯନ୍ତ୍ରଣା ଅନୁଭୁତ ହୁଏ । ଏହାର କାରଣମାନଙ୍କର ସମ୍ପୁର୍ଣ୍ଣ ତାଲିକା ମଧ୍ୟରେ ଅନେକ ଅସାଧାରଣ ରୋଗ ବା ଅବସ୍ଥା ଅଛି । ଶତକଡ଼। ୯୯ ରୋଗୀ ଏହି ସାଧାରଣ କାରଣ ଯୋଗୁ ରୋଗ ଭୋଗ କରନ୍ତି । ମହିଳାମାନେ ନାରୀ ସମ୍ବନ୍ଧିୟ ରୋଗ ଯଥା ଏଣ୍ଡୋମେଟ୍ରିଓସିସ୍,ଓଭାରିଆନ ସିସ୍ଟ, ଓଭାରିଆନ କର୍କଟ, ୟୁଟେରାଇନ ଫାଇବ୍ରଏଡ୍ ରୋଗମାଅନଙ୍କରେ କଟି ଯନ୍ତ୍ରଣା ଭୋଗ କରନ୍ତି ।। ଓଷ୍ଟିଓଆର୍ଥ୍ରାଇଟିସ, ମେରୁ ଚକ୍ରିକା କ୍ଷୟ, ମେରୁ ଚକ୍ରିବା ହାର୍ନିଆ, ଭଗ୍ନ ମେରୁ ଅସ୍ଥି, ଜୀବାଣୁ ସଂକ୍ରମଣ ଓ ଟ୍ୟୁମର ଆଦି ଅନେକ ସମୟରେ କଟି ଯନ୍ତ୍ରଣା କରାଏ ।
ଅନେକ କାରଣମାନଙ୍କ ମଧ୍ୟରେ ନିମ୍ନରେ ଦିଆଯାଇଥିବା କାରଣ ଗୁଡିକ ସଂଖ୍ୟ ଦୃଷ୍ଟିରୁ ନଗନ୍ୟ ।
୧.ଯାନ୍ତ୍ରିକ(ଶରୀର ଏକ ପ୍ରକାର ଜୀବନ୍ତ ଯନ୍ତ୍ର)
୨.ପ୍ରଦାହ ଜନିତ
୩.ଅର୍ବୁଦ ଶ୍ରେଣୀ
୪.ଚୟାପଚୟ (ମେଟାବୋଲିକ)
୫.ମନ-ବିକାର-ଶାରୀରିକ (ସାଇକୋସୋମାଟିକ୍)
ମନୋଅସ୍ଥିରତା ମାଂସପେଶୀ ଲକ୍ଷଣପୁଞ୍ଜ
୬.ପ୍ୟାଜେଟ୍ସ୍ ରୋଗ
୭.ରେଫର୍ଡ ପେନ୍ (ରୋଗ ଗୋଟିଏ ସ୍ଥାନରେ କିନ୍ତୁ କଷ୍ଟ୍ ଅନ୍ୟ ସ୍ଥାନରେ )
୮.ହତାଶା (ଡିପ୍ରେଶନ୍)
୯.ଅମ୍ଳଜାନ ଅଭାବ
ପିଠିର ନିମ୍ନ ଭାଗ ବା କଟୀ ସ୍ଥାନର ମେରୁଦଣ୍ଡରେ ୫ଟି ହାଡ ଥାଏ । ମେରୁଦଣ୍ଡର ହାଡ଼ଗୁଡିକ ଉପର ତଳ ହୋଇ ସଜା ହୋଇଥାଏ । ଶରୀରର ଓଜନ ମେରୁଦଣ୍ଡମାଧ୍ୟମରେ ଭୂମିକୁ ସ୍ଥାନାନ୍ତରିତ ହୁଏ । ଓଜନ ଦ୍ବାରା କ୍ଷୟ ନ ହେବା ନିମନ୍ତେ ପ୍ରତି ପାଖାପାଖି ୨ ହାଡ଼ ମଧ୍ୟରେ ଗୋଟିଏ ଚକ୍ରିକା ଥାଏ । ଉପାସ୍ଥି, ତନ୍ତୁସୂତ୍ର ଓ କିଛି ଜେଲି ଭଳି ପଦାର୍ଥକୁ ନେଇ ଏହି ଚକ୍ରିକା ଗଠିତ ହୋଇଛି । ଏହି ଚକ୍ରିକା ଶକ୍ (ଯାନ ବାହନରେ ବା ଖରାପ ରାସ୍ତାରେ ଯିବା ବେଳେ ମେରୁ ଉପରେ ପଡୁଥିବା ସଂଘାତ) ନିରୋଧକ ଅଟେ । ଏହା ଦ୍ବାରା ଦୁଇ ହାଡ଼ ପରଷ୍ପର ମଧ୍ୟରେ ଘଷି ହୋଇ କ୍ଷୟ ହେବାରୁ ରକ୍ଷା ପାଆନ୍ତି । ମେରୁ ମଜ୍ଜା ବା ସ୍ପାଇନାଲ୍ କଡ଼ ମଧ୍ୟ ରକ୍ଷା ପାଏ । ସ୍ପାଇନାଲ୍ କଡ଼ରୁ ସ୍ନାୟୁସମୁହ ବିଭିନ୍ନ ସ୍ଥାନରୁ ମେରୁ ମଧ୍ୟରୁ ବାମ ଓ ଡାହାଣ ପଟୁ ବାହାରି ଶରୀରର ବିଭିନ୍ନ ସ୍ଥାନକୁ ଯାଆନ୍ତି । ମାଂସପେଶୀ ଓ ଗଣ୍ଠି ବନ୍ଧନୀ (ଲିଗାମେଣ୍ଟ) ମେରୁ ଅସ୍ଥିସମୁହର ଦୃଢତା ବା ସ୍ଥିରତା ରକ୍ଷା କରିବାରେ ସାହାଯ୍ୟ କରେ । ଦୁଇ ମେରୁ ହାଡ଼ ମଧ୍ୟରେ ଚକ୍ରିକା ସହ ଏକ ଗଣ୍ଠି ଥାଏ ଓ ଦୁଇ ପାର୍ଶ୍ବରେ ଦୁଇଟି ଫ୍ୟାସେଟ୍ ଗଣ୍ଠି ଥାଏ ଯେଉଁଗୁଡିକ ଅଣ୍ଟାର ଗତି ନିୟନ୍ତ୍ରଣ କରନ୍ତି ।
ଏହି ରୋଗର ଯେତେଗୁଡିଏ କାରଣ ଲେଖାଯାଇଛି ସେଗୁଡିକ ଅନୁଧ୍ୟାନ କଲେ ଦେଖାଯିବ, ଏହି ଯନ୍ତ୍ରଣା କୈ। ଣସି ନିର୍ଦ୍ଦିଷ୍ଟ ତନ୍ତୁ ବା ଅଂଶ ଯଥା- ହାଡ଼, ମାଂସ ଇତ୍ୟାଦିରୁ ଜାତ ହେଉନାହିଁ । ପ୍ରତ୍ୟେକ ବିଷୟର ଶାରୀରିକ ବିକାରୀ କ୍ରିୟା ସେହି ବିଷୟର ଆଲୋଚନାରେ ବର୍ଣ୍ଣନା କରାଯାଏ । ଏଠାରେ ଉଲ୍ଲେଖ ଯୋଗ୍ୟ, ଅଣ୍ଟାରେ ଥିବା ପ୍ରତ୍ୟେକ ଅଂଶର ବିକାରରେ ଏହି ବେଦନା ଅନୁଭୁତ ହୋଇ ପାରେ । ମେରୁ ଚକ୍ରିକା ଗଠନ, ତାହାର ସ୍ନାୟୁ ଓ ରକ୍ତ ସରବରାହ ଭଲ ଭାବରେ ଜାଣିଲେ କଟି ଯନ୍ତ୍ରଣା ବୁଝିହୁଏ ।
ଅଣ୍ଟାରେ ବିଭିନ୍ନ ପ୍ରକାର ତନ୍ତୁ ଥାଆନ୍ତି ଓ ସେମାନଙ୍କ ଗଠନ ଅତି ଜଟୀଳ । କଟି ଯନ୍ତ୍ରଣା ରୋଗୀର କଥନ ଅନୁସାରେ ଜଣାଯାଏ ଯାହାକି ସାମାଜିକ ସମସ୍ୟା ଉପରେ ନିର୍ଭର କରିଥାଏ, ତେଣୁ ସିଧା ସଳଖ ନିର୍ଣ୍ଣୟ କରିହୁଏ ନାହିଁ । ମାଂସପେଶୀ ଓ ଗଣ୍ଠି ଯୋଗୁ ଯନ୍ତ୍ରଣା ହେଲେ ମଧ୍ୟ ଏହାକୁ ବିଭିନ୍ନ ସ୍ନାୟୁ ରୋଗ, ମେରୁ ଅର୍ବୁଦ ‌(Spinal Tumour). ମେରୁ ଅସ୍ଥିଭଗ୍ନ, ସଂକ୍ରମଣ ସମସ୍ତଙ୍କଠାରୁ ପୃଥକ କରିବାକୁ ହୁଏ ।
ଗମ୍ଭୀର ସମସ୍ୟା ସୃଷ୍ଟି କଲା ଭଳି ରୋଗ ସଂଖ୍ୟା ବହୁତ କମ ହେତୁ କଟି ବ୍ୟଥା ରୋଗୀମାନଙ୍କର ବିଭିନ୍ନ ଚିକିତ୍ସା ନିମନ୍ତେ ପ୍ରଥମରୁ ବିଶେଷ ନିର୍ଣ୍ଣୟାତ୍ମକ ପଦ୍ଧତି ଉପଯୋଗ କରାଯାଏ ନାହିଁ । ଚିନ୍ତା ଜନକ ଲକ୍ଷଣ ଦେଖାଗଲେ ନିର୍ଣ୍ଣୟାତ୍ମକ ପ୍ରତିବିମ୍ବ ପରୀକ୍ଷାମାନ କରାଯାଏ ।
ଡାକ୍ତରୀ ପରାମର୍ଶ ନିମନ୍ତେ ଦ୍ଵିତୀୟ ସର୍ବାଧିକ କଟୀ ଯନ୍ତ୍ରଣା ରୋଗୀ ଆସନ୍ତି ।
ଯଦି ସାଧାରଣ ଉପଚାରଦ୍ଵାରା ନ କମେ, ଲକ୍ଷଣ ବୃଦ୍ଧି ହୁଏ, ସ୍ନାୟୁଗତ ଲକ୍ଷଣ ନୂଆକରି ବାହାରେ ଓ ଲାଲ ପତାକା ଚିହ୍ନ ଦେଖାଯାଏ ତାହାହେଲେ ଇମେଜିଙ୍ଗ ପରୀକ୍ଷା ନିରିକ୍ଷା ଆବଶ୍ୟକ ହୁଏ । ତାହା ପୂର୍ବରୁ କିଛି ଶାରୀରିକ ପରୀକ୍ଷା କରାଯାଏ । ମେରୁ ଚକ୍ରିକା ହାର୍ନିଆ ଥିଲେ ସ୍ଟ୍ରେଟ ଲେଗ ରେଜିଙ୍ଗ ଟେଷ୍ଟଦ୍ଵାରା ଜଣାଯାଏ । କର୍କଟ, କଡା ଇକ୍ଵିନା ସିଣ୍ଡ୍ରୋମ ଓ ସଂକ୍ରମଣ ସନ୍ଦେହା କଲାମାତ୍ରେ ଏମ୍.ଆର୍.ଆଇ. ବା ସି.ଟି. ସ୍କାନ କରାଯାଏ । ସ୍ପାଇନାଲ ସ୍ଟେନୋସିସ୍ ରୋଗ ନିମନ୍ତେ ଏମ୍.ଆର୍.ଆଇ. ବା ସି.ଟି. ସ୍କାନ କରାଯାଏ, ଏମ୍.ଆର୍.ଆଇ. ଅଧିକ ଭଲ । ମେରୁ ଅସ୍ଥିର ଉର୍ଦ୍ଧ୍ଵ ସ୍ଥାନରେ କ୍ରନିକ ଯନ୍ତ୍ରଣା ହେଉଥିଲେ ଲମ୍ଵର ପ୍ରୋଭୋକେଟିଭ ଡିସ୍କୋଗ୍ରାଫି (Lumbar provocative discography) କରାଯାଏ । ନର୍ଭ ବ୍ଲକ୍ ପରୀକ୍ଷାଦ୍ଵାରା ନିର୍ଦ୍ଦିଷ୍ଟ ସ୍ନାୟୁ ଚାପଗ୍ରସ୍ତ ଅଛି କି ନା, ଜଣାଯାଏ । ରୁଟିନ ଇମେଜିଙ୍ଗ ଓ ଅପରେଶନଦ୍ଵାରା ଚିକିତ୍ସା ଖର୍ଚ୍ଚ ବୃଦ୍ଦି ହୁଏ କିନ୍ତୁ କିଛି ଅଧିକ ଉପକାର ମିଳେ ନାହିଁ । ୧%ରୁ କମ ଇମେଜିଙ୍ଗଦ୍ଵାରା ରୋଗ କାରଣ ଚିହ୍ନାଯାଏ । ଇମେଜିଙ୍ଗ ଫଳରେ ବିପଦହୀନ କିଛି ରୋଗ ଚିହ୍ନା ପଡ଼ିଲେ ଅଯଥା ଖର୍ଚ୍ଚ ବଢ଼େ ଓ ରୋଗୀର ମାନସିକ ସ୍ଥିତି ଖରାପ ହୁଏ ।
ନିର୍ଦିଷ୍ଟ କେତେକ କାରଣକୁ (ଯାହାକୁ ଲାଲ୍ ପତାକା କାରଣ କୁହାଯାଏ) ଛାଡିଦେଲେ ଏକ୍ସରେ, ସିଟି ସ୍କାନ୍, ଏମ୍ ଆର୍ ଆଇ ଇତ୍ୟାଦି ପ୍ରତିବିମ୍ବ (Image)ପରୀକ୍ଷା ସାଧାରଣ କଟି ବ୍ୟଥାରେ କରାଯାଏ ନାହିଁ । ବହୁତ ଦିନର ରୋଗ ହୋଇଥିଲେ ଏକ୍ସରେ ପରୀକ୍ଷା କଲେ ରୋଗୀ ସନ୍ତୋଷ ଲାଭ କରେ । ଉଲ୍ଲେଖ ଯୋଗ୍ୟ କଥା - ଇମେଜ୍ ପରୀକ୍ଷା ଦ୍ବାରା ଅନେକ ସମୟରେ ରୋଗୀର ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ ।
କତିପୟ ଚିହ୍ନ ଓ ଲକ୍ଷଣମାନଙ୍କୁ ଲାଲ ପତାକା ନାମରେ ନାମିତ କରାଯାଇଛି । ଲାଲ ପତାକା ମାନେ ନୁହେଁ, ଏହା ଏକ ଜଟୀଳ ଅବସ୍ଥା । କିଛି ଉଲ୍ଲେଖନୀୟ ରୋଗ ନ ଥାଇପାରେ । ଲାଲ ପତାକା ଚିହ୍ନ ନ ଥାଇ ପ୍ରଥମ ଚାରି ସପ୍ତାହ ମଧ୍ୟରେ ପ୍ରତିବିମ୍ଵ ପରୀକ୍ଷା ବିଶେଷ ଫଳପ୍ରଦ ହୁଏ ନାହିଁ ।
୧. ସଦ୍ୟ ଉଲ୍ଲେଖ ଯୋଗ୍ୟ ଆଘାତ
୨. ଲଘୁ ଯନ୍ତ୍ରଣା, ଯଦି ବୟସ ୫୦ରୁ ଉର୍ଦ୍ଧ୍ବ
୩. ଅକାରଣ ଓଜନ ହ୍ରାସ
୪. ଅନିର୍ଣ୍ଣୟାତ୍ମକ ଜ୍ବର
୫. ରୋଗ ନାଶ ସାମର୍ଥ୍ୟ କମ୍ ଥିଲେ
୬. କର୍କଟ, ପୁରାତନ ଓ ଅଧୁନା
୭. ଶିରା ଭିତର ଔଷଧ ବ୍ୟବହାର
୮. ହାଡ଼ ପୋରିଆ/ ରନ୍ଧ୍ରମୟ ଅସ୍ଥି (Osteoporosis)
୯. ସୁଦୀର୍ଘ ସ୍ଟିରଏଡ଼ ବ୍ୟବହାର
୧୦. ବୟସ ୭୦ରୁ ଅଧିକ
୧୧. ସ୍ଥାନେ ସ୍ଥାନେ ସ୍ନାୟବିକ ଅଭାବ
୧୨. ୬ ସପ୍ତାହରୁ ଅଧିକ ସମୟର କଟି ଯନ୍ତ୍ରଣା
ତଳେ କେତେକ ଲକ୍ଷଣ ସହ ରୋଗ ସମ୍ଭାବନା ଦିଆଗଲା.
ଶାରୀରିକ ଅସୁସ୍ଥତା ଯୋଗୁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ କଟି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ । କଟି ଯନ୍ତ୍ରଣାର କାରଣ ଜାଣିବା ନିମନ୍ତେ ଏକ୍ସ-ରେ, ସିଟି ସ୍କାନ୍ ଓ ଏମ୍ ଆର୍ ଆଇ ଭଳି ପ୍ରତିବିମ୍ବ ପରୀକ୍ଷା କରିବା ନିମନ୍ତେ ଡାକ୍ତର ତଥା ରୋଗୀମାନଙ୍କର ଆଗ୍ରହ ଯୋଗୁ ନିର୍ଦ୍ଦେଶ ଦିଆଯାଏ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏ ସବୁ ଅଦରକାରୀ । ପରୀକ୍ଷା କରନ୍ତୁ ବା ନ କରନ୍ତୁ, ଅଧିକାଂଶ ବ୍ୟକ୍ତି ଏକ ମାସ ପରେ ଯନ୍ତ୍ରଣାରୁ ଉପଶମ ଲାଭ କରନ୍ତି । ପ୍ରତିବିମ୍ବ (Imaging) ଦ୍ବାରା ପରୀକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ମାତ୍ର ଶତକଡା ୧ ଭାଗରୁ କମ କ୍ଷେତ୍ରରେ କିଛି ରୋଗ ନିର୍ଣ୍ଣୟ କରାଯାଇ ଥାଏ ।
ପ୍ରତିବିମ୍ବ ପରୀକ୍ଷାର ବିଯୁକ୍ତାତ୍ମକ ପ୍ରଭାବ ନିମ୍ନରେ ପ୍ରଦତ୍ତ କରାଗଲା:
ଅଧିକାଂଶ କ୍ଷେତ୍ରରେ କିଛି ସପ୍ତାହ ମଧ୍ୟରେ ରୋଗ ଉପଶମ ହେଉଥିବାରୁ ଡାକ୍ତରୀ ସଂସ୍ଥା ପ୍ରତିବିମ୍ବ ପରୀକ୍ଷା କରାଇବାରେ ଅନିଚ୍ଛା ପ୍ରକାଶ କରନ୍ତି । କିଛି ସାଧାରଣ ଔଷଧ, ଶାରୀରିକ କର୍ମ, ତାପ ପ୍ରୟୋଗ ଓ ଡାକ୍ତର ପରାମର୍ଶକ୍ରମେ ରୋଗୀ କିଛି ସପ୍ତାହ ମଧ୍ୟରେ ଉପଶମ ଲାଭ କରି ପାରିବେ । କିଛି ସପ୍ତାହର ସାଧାରଣ ଉପଚାର ପରେ ଉପଶମ ନ ହେଲେ ଡାକ୍ତର ପ୍ରତିବିମ୍ବ ପରୀକ୍ଷା ନିମନ୍ତେ ଉପଦେଶ ଦେଇ ପାରନ୍ତି ।
କଟି ଯନ୍ତ୍ରଣା ନ ହେବା ନିମନ୍ତେ ଅତି ଉପାଦେୟ ପଦ୍ଧତି କିଛି ବାହାରି ନାହିଁ । ଏହା ନ ହେବା ନିମନ୍ତେ ବ୍ୟୟାମ ଅତି ଉପାଦେୟ କିନ୍ତୁ ଏହା ତୀବ୍ର ଯନ୍ତ୍ରଣାଗ୍ରସ୍ତ ରୋଗୀଙ୍କ ନିମନ୍ତେ ନୁହେଁ । ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ୍ କଟି ଯନ୍ତ୍ରଣା ହୋଇଥିଲେ ଭବିଷ୍ୟତରେ ପୁନର୍ବାର ନ ହେବା ନିମନ୍ତେ ବ୍ୟାୟାମ କରିବା ଅତି ଉପାଦେୟ । ସ୍ବଳ୍ପ ବା ମଧ୍ୟମ ଯନ୍ତ୍ରଣାମୁକ୍ତ ଥିବା ସମୟରେ ଭବିଷ୍ୟତରେ ନ ହେବା ଉଦ୍ଦେଶ୍ୟରେ ବ୍ୟାୟାମ କରଯାଇ ପାରେ, କିନ୍ତୁ ଏହା ଡାକ୍ତରଙ୍କ ପରାମର୍ଶ ଅନୁସାରେ କରିବା ବିଧେୟ । ନିକୋଟିନ୍ ଓ ଧୂମ୍ର ପାନ ମେରୁ ଅସ୍ଥିକୁ ଦୁର୍ବଳ କରେ, ମେରୁଦଣ୍ଡର ନିମ୍ନ ଭାଗରେ ଥିବା ଅସ୍ଥିଗୁଡିକର ରକ୍ତ ସଞ୍ଚାଳନ କମ କରେ, ମେରୁ ଚକ୍ରିକାର କ୍ଷୟ କରେ । ଏଣୁ ଧୁମ୍ରପାନ ନ କରିବାକୁ ଉପଦେଶ ଦିଆଯାଏ । କ୍ରନିକ ବା ବହୁଦିନ ଧରି କଟି ଯନ୍ତ୍ରଣା ହୋଇଥିଲେ ଶକ୍ତ ଗଦି ଅପେକ୍ଷା ସାମାନ୍ୟ ନରମ ଗଦି ଉପରେ ଶୋଇବା ଅଧିକ ଉପକାରୀ । ଓଜନିଆ ଜିନିଷ ଉଠେଇବା ସମୟରେ ବେଲ୍ଟର ଉପାଦେୟତା ଅପେକ୍ଷା ସଠିକ ଉପାୟରେ ଉଠେଇଲେ କଟି ଯନ୍ତ୍ରଣା ରୋକିହୁଏ । ଜୋତାର ଭିତର ପାଖରେ ସୋଲ୍ ଦେଲେ ଯନ୍ତ୍ରଣା ଉପଶମ ହୁଏ ନାହିଁ ।
ଯାନ୍ତ୍ରିକ, ଅଣଯାନ୍ତ୍ରିକ ଓ ରେଫର୍ଡ ଯନ୍ତ୍ରଣା ଅନୁସାରେ ଚିକିତ୍ସା କରାଯାଏ ।
ସ୍ଵଳ୍ପ ଅସୁବିଧା ହେଉଥିଲେ କଷ୍ଟ ନିବାରଣ ନିମନ୍ତେ ଔଷଧ ଦେଇ ଯଥାଶୀଘ୍ର କର୍ମ ସକ୍ଷମ କରେଇ ନିଜ କର୍ମଭୂମିକୁ ପ୍ରତ୍ୟାବର୍ତ୍ତନ କରେଇବାବାକୁ ଚିକିତ୍ସା କରାଯାଏ । ସାମାନ୍ୟ କଷ୍ଟ ଥିଲେ ଯଥା ସମ୍ଭବ ଶୀଘ୍ର ସ୍ଵାଭାବିକ କର୍ମ ସମ୍ପାଦନ କରିବାକୁ ଉପଦେଶ ଦିଆଯାଏ । ପୁରୁଣା ବେମାରୀ ହୋଇଥିଲେ ବିଭିନ୍ନ ପ୍ରକାର ଚିକିତ୍ସା ଆବଶ୍ୟକ ହୁଏ ।
ଅକର୍ମଣ୍ୟ କଲା ଭଳି ତୀବ୍ର ବେଦନା ନ ଥିଲେ ରକ୍ଷଣଶୀଳ ନିଜ ଯତ୍ନଦ୍ବାରା କଟି ଯନ୍ତ୍ରଣା ଭଲ ରୁପେ ଚିକିତ୍ସା କରି ହେବ । ଥଣ୍ଡା ଓ ଗରମ୍ ସେକ ଓ କଷ୍ଟ ନ ହେବା ଭଳି ନିୟମିତ କିଛି କାର୍ଯ୍ୟ କରାଯାଇପାରେ । ସମ୍ପୁର୍ଣ୍ଣ ନିଦା (hard) ବିଛଣା ଅପେକ୍ଷା ଅଳ୍ପ ନିଦା ବିଛଣା ବେଶୀ ଉପାଦେୟ ।
କଷ୍ଟ ବିହୀନ ପରିସର ମଧ୍ୟରେ ସକ୍ରିୟ ରହିଲେ ଶୀଘ୍ର ଆରୋଗ୍ୟ ହେବା ସମ୍ଭବ । ବିଛଣାରେ ଦୁଇ ଦିନରୁ ଅଧିକ ସମୟ ଶୋଇବା ଦ୍ବାରା ବିଶେଷ ଲାଭ ହୁଏ ନାହିଁ । ଦୀର୍ଘ ସମୟ ଧରି ଶୋଇବା ବା ବସି ରହିବା ଅପେକ୍ଷା କଷ୍ଟ ନ ହେବା ଭଳି କିଛି କାମ କରିବା ତୀବ୍ର ବେଦନାରେ ମଧ୍ୟ ସ୍ପୃହଣୀୟ । ସଂଗଠିତ ବ୍ୟାୟାମ ଦ୍ବାରା ତୀବ୍ର ଯନ୍ତ୍ରଣା ଅଧିକ ବା କମ୍ ହୁଏ ନାହିଁ ।
ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ କିନ୍ତୁ ତୀବ୍ର ବେଦନାରେ ଏହାର ଯନ୍ତ୍ରଣା ଉପଶମକାରୀତା ଜଣାଯାଇ ନାହିଁ । ଶାରୀରିକ ଉପଚାର ମଧ୍ୟରେ ଥଣ୍ଡା ଓ ଗରମ୍ ସେକ, ମାଲିସ୍, ପାରସ୍ଵନିକ(Ultrasound) ଓ ବିଦ୍ୟୁତ ଉତ୍ତେଜକ ବିଶେଷ ଉଲ୍ଲେଖଯୋଗ୍ୟ । ଅଧିକ ବା ମଧ୍ୟମ ଧରଣର କଷ୍ଟ ନିମନ୍ତେ ଗରମ ସେକ ଉପକାରୀ ହୁଏ, କିନ୍ତୁ ପୁରୁଣା ରୋଗରେ ଗରମ ବା ଥଣ୍ଡା ସେକର ଉପକାରୀତା ପ୍ରମାଣିତ ହୋଇ ନାହିଁ । ଚଳନକ୍ଷମ ଓ ସଶକ୍ତ କରିପରୁଥିବା ବ୍ୟାୟାମ ଯନ୍ତ୍ରଣା ଉପଶମକାରୀ ହୁଏ ଓ ଭବିଷ୍ୟତରେ କଟି ଯନ୍ତ୍ରଣା ହେବାର ସମ୍ଭାବନାକୁ କମାଇ ଦିଏ । ବେଲ୍ଟ ବା କମରପଟି ବ୍ୟବହାର କଲେ ଯନ୍ତ୍ରଣା କମେ ନାହିଁ କିନ୍ତୁ ଅଣ୍ଟାରେ ବ୍ୟବହାର ଜନିତ ଆଘାତ କମ ହୁଏ, ଫଳରେ କର୍ମ ଦିବସ ବୃଦ୍ଧି ପାଏ । ବିସ୍ତାରକାରୀ, ସଶକ୍ତକାରୀ ଓ ଏରୋବିକ ବ୍ୟାୟାମ ଅନେକ କ୍ଷେତ୍ରରେ ଉପଯୋଗୀ ସବ୍ୟସ୍ତ ହୁଅନ୍ତି । କୌଣସି ନିର୍ଦ୍ଦିଷ୍ଟ ବ୍ୟାୟାମ ଅଧିକ ଉପକାରୀ ହେବା ପ୍ରମାଣିତ ହୋଇ ନାହିଁ । ପୁରୁଣା ରୋଗରେ ଟ୍ରନ୍ସ କ୍ୟୁଟାନିଅସ ଇଲେକ୍ଟ୍ରିକାଲ ନର୍ଭ ସ୍ଟିମୁଲେସନ୍ ଉପକାରୀ ହୁଏ ନାହିଁ ।
ଔଷଧ
ଯନ୍ତ୍ରଣା ନିରୋଧାକ ଓ ପ୍ରଦାହ ରୋଧକ ଔଷଧ ଯେପରିକି ଏନ୍.ଏସ୍.ଏ.ଆଇ.ଡି.(NSAID)ଓ ପାରାସେଟାମଲଦ୍ବାରା କଟି ଯନ୍ତ୍ରଣାର ଲକ୍ଷଣ ଉପଶମ ହୁଏ । ସିଆଟିକା (Sciatica) ବିହୀନ ତୀବ୍ର ଓ ପୁରୁଣା କଟି ଯନ୍ତ୍ରଣାରେ ଏନ୍.ଏସ୍.ଏ.ଆଇ.ଡି.(NSAID)ଔଷଧ ସ୍ବଳ୍ପ କାଳିନ ଉପଶମ ପ୍ରଦାନ କରେ । ତୀବ୍ର ଓ ପୁରୁଣା ରୋଗରେ ପେଶୀ ଶିଥିଳକାରୀ ଔଷଧ ସହ ଏନ୍.ଏସ୍.ଏ.ଆଇ.ଡି.(NSAID)ଔଷଧ ମିଶାଇ ଦେଲେ ଯନ୍ତ୍ରଣା ଓ ପେଶୀ ସଙ୍କୋଚନ (Spasm) କମିଯାଏ ।
କେତେକ କ୍ଷେତ୍ରରେ ଯଥା ଛୁଟୀ ନେବା ନିମନ୍ତେ ମିଥ୍ୟା ଯନ୍ତ୍ର୍ରଣାର ବାହାନା କରିବା,ସହନ କରି ହେଉଥିବା ଚିକିତ୍ସାରେ ଉପକାର ଆଶା ରଖୁଥିବା, କଟି ଯନ୍ତ୍ରଣା ବିପଦ୍ ଜନକ ଏହି ଭାବନା ରଖିବା,ଏବଂ କଷ୍ଟ ବଢିବାର ଭୟ ପୋଷଣ କରୁଥିବା ଲୋକମାନଙ୍କର କଷ୍ଟ ବହୁଦିନ ଧରି ଲାଗି ରହିବା ସମ୍ଭାବନା ବେଶୀ ଥାଏ । ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଜର୍ନାଲର ପୁନଃ ନିରିକ୍ଷଣ ଅନୁସାରେ କିଛି କାମ କରିବାର ଡର ଥିବା ଓ କୈ। ଣସି ଉପଦେଶକୁ ନକଲ କରିବାର ଅନିଚ୍ଛା ପ୍ରକାଶ କରୁଥିବା ଲୋକମାନଙ୍କର ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଅଢେଇ ଗୁଣରୁ ଅଧିକ କଷ୍ଟ ହୁଏ ।
ପୁରୁଣା ଅନିର୍ଦ୍ଦିଶ୍ଟ କାରଣ ବିଶିଷ୍ଟ କଷ୍ଟରେ ନିମ୍ନ ଲିଖିତ ଉପଚାରଗୁଡିକ ଉପଯୋଗୀ ହୁଏ ।
ଏପିଡୁରାଲ୍ ସ୍ଟିରଏଡ୍ ଇଞ୍ଜେକସନ୍ ଦ୍ବାରା (Epidural Steroid Injection) ସିଆଟିକା ଯନ୍ତ୍ରଣାରେ ସାମୟିକ କଷ୍ଟ ଲାଘବ ହୁଏ, କିନ୍ତୁ ପରବର୍ତୀ ଅପରେଶନ୍ ପ୍ରକ୍ରିୟାରେ କୈ। ଣସି ଫରକ ଆସେ ନାହିଁ ।
ମାଲିସ ଦ୍ବାରା କେବଳ ପୁରାତନ କଟି ଯନ୍ତ୍ରଣାରେ ଉପକାର ମିଳେ । ପରମ୍ପରା ଗତ ଚାଇନା ପଦ୍ଧତି ଦ୍ବାରା ପୁରୁଣା ଯନ୍ତ୍ରଣାରେ କିଛି ଉପକାର ମିଳେ ନାହିଁ ।
ଶଲ୍ୟ(Operation) ଚିକିତ୍ସା କରିବା ନିମନ୍ତେ ଆଭାସ ବା ସୂଚନା ଥାଏ । ସେହି ସୂଚନା ମିଳିଲେ ଅପରେଶନ୍ କରାଯାଏ । କଟି ଯନ୍ତ୍ରଣା ନିମନ୍ତେ ସୂଚନା:- ୧. ଯେତେବେଳେ ରକ୍ଷଣଶୀଳ ଚିକିତ୍ସା କଷ୍ଟ କମେଇବାରେ ଫଳପ୍ରଦ ହୁଏ ନାହିଁ ।
୨. ଯେତେବେଳେ ଡିସ୍କ ପ୍ରୋଲାପ୍ସ (Inter Vertebral Disc Prolapse), କଡା ଇକ୍ବିନା(Cauda Equina Syndrome) ତଥା ସ୍ପାଇନାଲ୍ ଆବସେସ୍(Spinal Abcess) ଯୋଗୁ ସ୍ନାୟବିକ ଦୁର୍ବଳତା ବୃଦ୍ଧି ପ୍ରାପ୍ତ ହୋଇ ଗୋଡ଼ର ଶକ୍ତି କମିଯାଏ, ଝାଡା ଓ ପରିସ୍ରା ରୋକିବାରେ ଅସମର୍ଥତା ପ୍ରକାଶ ପାଏ । ପୁରାତନ ରୋଗରେ ମେରୁ ଅସ୍ଥି ସଂଯୁକ୍ତ(Spinal Fusion) ଅପରେଶନଦ୍ବାରା ଲକ୍ଷଣମାନଙ୍କର କୈ। ଣସି ଉନ୍ନତି ହେବାର ସୂଚନା ନାହିଁ ।
ସାଧାରଣତଃ କଟି ଯନ୍ତ୍ରଣା ରୋଗୀମାନଙ୍କର ସ୍ଥଳ ବିଶେଷରେ microdiscectomy, discectomy, laminectomy, foraminotomy, or spinal fusion ଅପରେଶନ କରଯାଏ । କେତେକ ସିଆଟିକା ରୋଗୀମାନଙ୍କ କ୍ଷେତ୍ରରେ ମେରୁ ମଜ୍ଜା ଉତ୍ତେଜକ ପ୍ରତିରୋପଣ କରାଯାଏ । ଅପଜନିତ ମେରୁ ଚକ୍ରିକା ( Disc Degenerative Disease) ଥିଲେ କୃତ୍ରିମ ମେରୁ ଚକ୍ରିକା ରୋପଣ କରି କଟି ଚାଳନା ରକ୍ଷା କରିବା ନିମନ୍ତେ ଚେଷ୍ଟା କରଯାଉଛି । ଗବେଷଣାରୁ ସୂଚନା ମିଳୁଛି, କୃତ୍ରିମ ରୋପଣର ଫଳ ପୁରାତନ ଯନ୍ତ୍ରଣାରେ ବିଶେଷ ଉତ୍ସାହପ୍ରଦ ନୁହେଁ ।
ମାର୍ଚ୍ଚ ୨୦୦୯ ମସିହାରେ ପୁନଃଅବଲୋକନ ନିମିତ୍ତ ୪ଟି ରାଣ୍ଡୋମାଇଜ୍ଡ ଟ୍ରାଏଲ କରାଯାଇଥିଲା । ଦେଖାଗଲା, ସିଆଟିକା ନ ଥାଇ ମେରୁ ଡିଜେନେରେଶନ କେଶରେ ଅପରେଶନ୍ ପରେ ସୀମିତ ଫଳ ମିଳିଛି । କୈ। ଣସି ନିର୍ଦ୍ଦିଷ୍ଟ ଉପକାରର ରିପୋର୍ଟ ନ ଥାଇ ମଧ୍ୟ ୧୯୯୦ରୁ ୨୦୦୧ ମଧ୍ୟରେ ୨୨୦% ଅଧିକ ଅପରେଶନ୍ କରା ହୋଇଛି । ଏହା ମଧ୍ୟ ଦେଖାଗଲା, ପ୍ରତିରୋପଣ ଅପରେଶନ୍ ଦ୍ବାରା ସ୍ନାୟବିକ କ୍ଷତି, ରକ୍ତ କ୍ଷୟ,ଅପରେଶନ୍ ସମୟ ଅଧିକ ହେଉଛି ଓ ଆଉ ଥରେ ଅପରେଶନର ଆବଶ୍ୟକତା ରହୁଛି, କିନ୍ତୁ ଫ୍ୟଜନ ଅପରେଶନରେ କିଛି ଉନ୍ନତି ହେଉଅଛି । ଯାହା ହେଲେ ମଧ୍ୟ ପେନ୍ ଓ ମେରୁ କର୍ମରେ କୈ। ଣସି ଅଧିକ ଉନ୍ନତି ହେଉନାହିଁ ।
ସ୍କୋଲିଓସିସ୍ ଓ ଆପଜନିତ ମେରୁ ଚକ୍ରିକା ରୋଗମାନଙ୍କରେ କଟିସ୍ଥ ମେରୁ ହାଡ ଗୁଡିକରେ ପରିବର୍ତ୍ତନ ଯୋଗୁ ପରଷ୍ପର ମଧ୍ୟରେ ଚଳନ ସମୟରେ ଯନ୍ତ୍ରଣା ହୁଏ । ଏଣୁ ଅପରେଶନ୍ କରି ଦୁଇ ନିକଟବର୍ତ୍ତୀ ମେରୁ ଅସ୍ଥି ଦ୍ବୟକୁ ଯୋଡି ଦିଆଯାଏ ଯାହାକୁ ଫ୍ୟୁଜନ (Spinal Fusion) ଅପରେଶନ କୁହାଯାଏ । ଏହ ଫଳରେ ଯନ୍ତ୍ରଣା ହୁଏ ନାହିଁ, କିନ୍ତୁ କଟି ଲାଠି ସଦୃଶ ହୋଇଯାଏ ।